ARTICLE AD BOX
ମହାପ୍ରସ୍ଥାନ
ଧୃତିକାମ ମହାନ୍ତି
mahaprasthan: Art by Tanuj Mallick. Sambadଗମ୍ଭୀରା ଭିତରେ ଜଳୁଥିବା ଦୀପଟା ଧପ୍କରି ଲିଭିଗଲା। ସଳିତାର ଧୂଆଁ ଆଉ ଘିଅର ମିଶ୍ରିତ ବାସରେ ମହକିଗଲା କୋଠରି। ପାଖ ଗଛ କୋରଡ଼ରୁ ଶୁଭିଲା ପେଚାର ଉଚ୍ଚରବ। ତା’ସ୍ବରର ତୀବ୍ରତାରେ ନିସ୍ତବ୍ଧ ରାତିର ଛାତି ଯେମିତି ଚିରି ହେଇଗଲା। ଫିଟିଗଲା ଚେତନାନନ୍ଦଙ୍କ ଆଖି। ରାତ୍ରିର ପ୍ରଥମ ପ୍ରହରରେ ନିଦ୍ରାଭଙ୍ଗ! ଏ ତ ଅସ୍ବାଭାବିକ! ସାଧନାର ସମୟ ଉପନୀତ ହେବା ପୂର୍ବରୁ ତ କେବେ ନିଦ୍ରାଦେବୀ ପ୍ରସ୍ଥାନ କରନ୍ତି ନାହିଁ! ଆଜି କେମିତି! ଆଜ୍ଞାଚକ୍ରରେ ପରମ ଆରାଧ୍ୟ ଶ୍ରୀକୃଷ୍ଣଙ୍କୁ ସ୍ମରିଲେ ସେ। ପୁଣି ତନ୍ଦ୍ରାଚ୍ଛନ୍ନ ହେଉଥିଲେ ଚେତନାନନ୍ଦ।
ଗମ୍ଭୀରାରେ କିଏ? ଆଜି ତ ଆଶୁତୋଷ ନାହାନ୍ତି। ସେ ଏକା। ହଠାତ୍ ଚନ୍ଦନ-ତୁଳସୀ-ଅଗୁରୁର ମହମହ ବାସ ଏଠି କେମିତି? ମହାପ୍ରଭୁଙ୍କ ଅଙ୍ଗଲାଗି ପ୍ରସାଦ କିଏ ବା ଆଣିବ ଏତେ ରାତିରେ! ଶରୀରରେ ଅବ୍ୟକ୍ତ ଶିହରଣ ଅନୁଭବ କରୁଥିଲେ ସାଧକ ଚେତନାନନ୍ଦ। ମୁଦ୍ରିତ ଚକ୍ଷୁଯୁଗଳ ଉନ୍ମୀଳିତ! ସେ ସ୍ତମ୍ଭୀଭୂତ! ପଲକ ପକାଇ ପୁଣି ଆଖି ଖୋଲିଲେ! ଥରେ ନୁହେଁ, ବାରମ୍ବାର। ଗମ୍ଭୀରାରେ ସ୍ବୟଂ ଶ୍ରୀହରି! ଜୀବନ୍ତ ରୂପରେ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ! ଚେତନାନନ୍ଦଙ୍କ ମୁଖରୁ ସ୍ବତଃନିସୃତ ହେଲା- ‘‘କଦାଚିତ୍ କାଳିନ୍ଦୀ ତଟବିପିନ...ଜଗନ୍ନାଥ ସ୍ବାମୀ ନୟନପଥଗାଗୀ ଭବ ତୁମେ।’’
ଆହୁରି ପଢ଼ନ୍ତୁ- Gold & Silver Price: ୧୦ ଦିନରେ ସୁନା ୭୫୦୦ ଟଙ୍କା ଶସ୍ତା
ଅପଲକ ନୟନରେ ସେ ଭୁବନଭୁଲା ରୂପକୁ ଚାହିଁଥିଲେ ଚେତନାନନ୍ଦ। ଆଖିରେ ଆନନ୍ଦାଶ୍ରୁ। କମ୍ପିତ ଶରୀରରେ ଆଭୂମ ପ୍ରଣିପାତ ନିବେଦିବାକୁ ଉଠିଲେ ସେ! ଏ କ’ଣ? ଶତଚେଷ୍ଟା ସତ୍ତ୍ବେ ସେ ଉଠିପାରୁ ନାହାନ୍ତି! ଶରୀର ବଳଶୂନ୍ୟ କାହିଁକି? ଶବାସନ ମୁଦ୍ରାରେ ଦୁଇହାତ ଯୋଡ଼ି ହୃଦୟକୁ ସ୍ପର୍ଶ କଲେ। ଆଜି ପ୍ରଣାମ ପାଦପଦ୍ମରେ ନୁହେଁ, ହୃଦପଦ୍ମରେ ନୈବେଦ୍ୟ! ନାମୋଚ୍ଚାରଣର ଗତି ସହ ତୀବ୍ର ହେଉଥିଲା ହୃତ୍ପିଣ୍ଡର ସ୍ପନ୍ଦନ। ପରମ ଆନନ୍ଦରେ ଅବଗାହନ କରୁଥିଲେ ଚେତନାନନ୍ଦ! ସାଧନାର ଶେଷ ପର୍ଯ୍ୟାୟ ହିଁ ଈଶ୍ବର ସାକ୍ଷାତ୍କାର!
ଶ୍ରୀମୁଖରୁ ଅପସରି ଯାଉଥିଲା ସ୍ମିତହାସ୍ୟ! ମହାପ୍ରଭୁଙ୍କ ମୁଖମଣ୍ଡଳ ଗମ୍ଭୀର। ପ୍ରଭୁ ତାଙ୍କୁ କେଠାର ଦିଶୁଥିଲେ। ଚିନ୍ତିତ ହୋଇପଡ଼ିଲେ ଚେତନାନନ୍ଦ। କିଛି ଅପରାଧ କରିବସିଲି ମୁଁ? ଆଗକୁ ଭାବିବା ପୂର୍ବରୁ କମ୍ପିତ ହେଲା ରଙ୍ଗାଅଧର। ଯନ୍ତ୍ରବତ୍ ମୁଦି ହୋଇଗଲା ଚେତନାନନ୍ଦଙ୍କ ଚକ୍ଷୁଯୁଗଳ। ତାଙ୍କ କାନରେ ଗୁଞ୍ଜରିତ ହେଲା ଏକ ମଧୁର-ଗମ୍ଭୀର-ଅଭିଭାବକୀୟ ସ୍ବର- ‘‘ମୁଁ ତୁମ କୀର୍ତ୍ତନର ମଧୁରମୂର୍ଚ୍ଛନା ଶ୍ରବଣର ସୌଭାଗ୍ୟରୁ ଆଜିଠାରୁ ବଞ୍ଚିତ ହେଉଛି ଚେତନାନନ୍ଦ। ତୁମର ଶ୍ରୀକ୍ଷେତ୍ରରେ ମୋ ସଙ୍ଗଲାଭର ସାଧନା ମଧ୍ୟ ଶେଷ ହୋଇଛି। ସାଧନାର ପରବର୍ତ୍ତୀ ସୋପାନ ଅପେକ୍ଷାରତ। ତୁମେ ଏଇ ମୁହୂର୍ତ୍ତରେ ପ୍ରସ୍ଥାନ କର।’’
ଶରୀରରେ ତଡ଼ିତ୍ପ୍ରବାହ ଅନୁଭବ କଲେ ଚେତନାନନ୍ଦ। ସେଇ ମୁହୂର୍ତ୍ତରେ ଚେତନଦୀପ୍ତ ହୋଇ ଉଠିଲେ। ଦୃଷ୍ଟିର ପରିଧିରେ ନଥିଲେ ପ୍ରିୟପରମ! ଗମ୍ଭୀରା ଶୂନ୍ୟ! ଶ୍ରୀଅଙ୍ଗଲାଗି ତୁଳସୀ ଓ ଚନ୍ଦନର ମହାର୍ଘ ବାସ ଚହଟୁଥିଲା। ସହସା ଉଠିବସିଲେ ସେ।
ଆଷାଢ଼ର ବର୍ଷାଭିଜା ରାତିରେ ବି ସେ ଅନୁଭବ କରୁଥିଲେ ଅସ୍ବାଭାବିକ ଉଷ୍ମତା। ଏସବୁ ସ୍ବପ୍ନ ନଥିଲା ତ? ନା! ଏ ଦୁର୍ଲଭ ସୁଗନ୍ଧ ହିଁ ତାଙ୍କ ଉପସ୍ଥିତିର ଅଭିବ୍ୟକ୍ତି। ଶରୀରର ଅଶ୍ରୁ-ପୁଲକ-ସ୍ବେଦ-କମ୍ପନ ବି ପ୍ରମାଣିତ କରୁଥିଲା ତାଙ୍କ ଅମିୟ ପରଶ, ଏହା କଦାଚିତ୍ ସ୍ବପ୍ନାବିଷ୍ଟତା ହୋଇପାରେନା! ତଲ୍ଲୀନ ଚେତନାନନ୍ଦ ମହାପ୍ରଭୁଙ୍କ ସାନ୍ନିଧ୍ୟ ଉପଭୋଗ କରିଛନ୍ତି। ପରମ ଆରାଧ୍ୟ ଶ୍ରୀକୃଷ୍ଣଙ୍କୁ ଦର୍ଶନ କରିଛନ୍ତି ଶ୍ରୀଜଗନ୍ନାଥ ସ୍ବରୂପରେ! ଆନନ୍ଦ-ଆତ୍ମତୃପ୍ତିରେ ସେ ଆତ୍ମହରା ହୋଇଛନ୍ତି। କିନ୍ତୁ ସେ ଏବେ ଅଭିମାନ ଓ ଅବସାଦରେ ଜର୍ଜରିତ!
ଶ୍ରୀକ୍ଷେତ୍ରରୁ ଅନ୍ତର ହେବାର ଦୁଃଖରେ ଚେତନାନନ୍ଦ ଅବସାଦଗ୍ରସ୍ତ। ‘‘ମୋର କିଛି ସେବା ଅପରାଧ ହୋଇଗଲା କି? କାହିଁକି ଏ ଦଣ୍ଡ?’’ ପରମ ଆରାଧ୍ୟ ଶ୍ରୀକୃଷ୍ଣଙ୍କ ଉପରେ ଆସୁଥିଲା ପ୍ରଚଣ୍ଡ ଅଭିମାନ। କାହିଁକି ମୋତେ ସଙ୍ଗଲାଭରୁ ବଞ୍ଚିତ କରୁଛ ମହାପ୍ରଭୁ? ମିଳନର ଆନନ୍ଦ ମୁହୂର୍ତ୍ତେ ଉପଭୋଗ ନକରୁଣୁ ବିରହର ବେଦନା କାହିଁକି? ସ୍ମରଣକୁ ଆସିଲା ଶ୍ରୀମୁଖର ଶେଷ ପଙ୍କ୍ତି- ‘‘ତୁମେ ଏଇ ମୁହୂର୍ତ୍ତରେ ପ୍ରସ୍ଥାନ କର।’’
ବିଚଳିତ ହୋଇପଡ଼ିଲେ ଚେତନାନନ୍ଦ। ଭାବନାରେ ପ୍ରହେଳିକାରେ ଅତିବାହିତ ହୋଇଗଲାଣି କେତେ ମୁହୂର୍ତ୍ତ। ଆଉ କ୍ଷଣଟେ ବି ରହିବା ଆଦେଶର ଅବମାନନା। ଗମ୍ଭୀରାରୁ ପାଦ କାଢ଼ିଲେ ସେ। ଆଶ୍ରମର ସମସ୍ତ ଅନ୍ତେବାସୀ ସୁପ୍ତ। ନିଜର ପ୍ରିୟ ପାଦୁକା ଆଡ଼କୁ ସସ୍ନେହ ଦୃଷ୍ଟିରେ ଚାହିଁଲେ ଚେତନାନନ୍ଦ। ପାଦୁକା ଯେମିତି ତାଙ୍କୁ ପ୍ରାର୍ଥନା କରୁଥିଲା, ମୋତେ ସେବାରୁ ବଞ୍ଚିତ କରନାହିଁ ପ୍ରଭୁ। ଚେତନାନନ୍ଦ ନିଷ୍ପତ୍ତି ନେଲେ, ଯେଉଁ ଅବସ୍ଥାରେ ଆଦେଶ ହୋଇଛି, ସେଇ ଅବସ୍ଥାରେ ହିଁ ପ୍ରସ୍ଥାନ ଶ୍ରେୟସ୍କର।
ଆହୁରି ପଢ଼ନ୍ତୁ- OMC Puri Coastal Marathon ଓଏମ୍ସି ପୁରୀ କୋଷ୍ଟାଲ ମାରାଥନ୍ ୨୦୨୬: ପଞ୍ଜୀକରଣ ଶେଷ ତାରିଖ ୨୧ ନଭେମ୍ବର ପର୍ଯ୍ୟନ୍ତ ବୃଦ୍ଧି
ବାହାରେ ପହିଲି ଆଷାଢ଼ର ଝିପ୍ଝିପ୍ ବର୍ଷା। ଆକାଶ ମେଘାଚ୍ଛନ୍ନ। ଚନ୍ଦ୍ରମାଙ୍କୁ ଆଢୁଆଳ କରିଥିଲା ମେଘମାଳା। ପ୍ରକୃତିର ଏ ଆୟୋଜନ କ’ଣ ମହାପ୍ରଭୁଙ୍କ ଆଦେଶ ପାଳିବା ପାଇଁ ଉଦ୍ଦିଷ୍ଟ! ପ୍ରସ୍ଥାନର ପ୍ରତ୍ୟେକ ପ୍ରୟୋଜନ ପରିପୂରିତ! ପତିତପାବନ ଓ ନୀଳଚକ୍ରଙ୍କ ଉଦ୍ଦେଶ୍ୟରେ ଶେଷ ପ୍ରଣିପାତ ଜଣାଇଲେ ଚେତନାନନ୍ଦ। ଅନ୍ତର୍ମନରୁ ଆଦେଶ ଆସୁଥିଲା, ମହୋଦଧି ହିଁ ମହାପ୍ରସ୍ଥାନର ମହାଦ୍ବାର! ପଛରେ ରହିଗଲା ଶ୍ରୀମନ୍ଦିର, ଏକମୁଖା ହୋଇ ଦ୍ରୁତ ପଦପାତରେ ଆଗେଇ ଚାଲିଲେ ଚେତନାନନ୍ଦ। ଶ୍ରୀକ୍ଷେତ୍ରରେ ବିରାଜୁଥିଲା ରହସ୍ୟମୟ ନିରବତା। କାହିଁକି ଏ ଅସ୍ବାଭାବିକ ନିସ୍ତବ୍ଧତା!
ଚେତନାନନ୍ଦଙ୍କ ବର୍ଷା ବିଧୌତ କୃଷ୍ଣପ୍ରାଣ ଶରୀର ଦିଶୁଥିଲା ଅଧିକ ତେଜୋଦ୍ଦୀପ୍ତ। ମୁଖମଣ୍ଡଳରେ ସ୍ବର୍ଣ୍ଣିମ ଆଭା। ମହାପ୍ରସ୍ଥାନର ମହାପର୍ବରେ ପ୍ରକୃତି କରାଉଥିଲା ମହାସ୍ନାନ! ବୀର ଛନ୍ଦରେ ପଥ ଅତିକ୍ରମୁଥିଲେ ସେ। ଭକ୍ତଠାରୁ ଆଉ ବା କିଏ ଅଧିକ ବୀର ହୋଇପାରେ? ମହୋଦଧିର ଢେଉମାନଙ୍କ ଗର୍ଜନ କର୍ଣ୍ଣଗୋଚର ହେଲା। ସେମାନେ ଯେଭଳି ଉତ୍ସୁକତାର ସହ ଅପେକ୍ଷା କରୁଛନ୍ତି ତାଙ୍କ ଆଗମନକୁ।
ସମ୍ମୁଖରେ ମହୋଦଧି! ଯୋଡ଼ହସ୍ତରେ ପ୍ରଣାମ କଲେ ଚେତନାନନ୍ଦ। ଆଜ୍ଞାଚକ୍ରରେ ଦର୍ଶନ କଲେ ପୂର୍ଣ୍ଣବ୍ରହ୍ମ ଦାରୁବ୍ରହ୍ମଙ୍କୁ। ନିର୍ଭୀକ ପଦପାତରେ ପ୍ରବେଶ କଲେ ମହୋଦଧିରେ। ଲହଡ଼ିମାଳା ପାଛୋଟି ନେଉଥିଲେ ତାଙ୍କୁ। ଆଗେଇ ଚାଲିଥିଲେ ଚେତନାନନ୍ଦ, ସଂପୂର୍ଣ୍ଣ ନିରୁଦ୍ବିଗ୍ନ ହୋଇ। କଟିଦେଶ ଅତିକ୍ରମ କରୁଥିଲା ଊର୍ମିମାଳା। ପଛକୁ ବୁଲି ଚାହିଁଲେ। ନୀଳଚକ୍ରଙ୍କ ମଥାନରେ ମେଘ ଆଢୁଆଳରୁ ବାହାରି ଆସୁଥିଲେ ଚନ୍ଦ୍ରମା। ପୂର୍ବମୁଖା ହୋଇ ପହଁରିବା ଆରମ୍ଭ କଲେ।
ମହୋଦଧିର ପବିତ୍ର ଜଳରାଶିରେ ସ୍ରୋତ କାଟି ଆଗେଇ ଚାଲିଥିଲେ ସେ। ଏ ଅଥଳ ସାଗରରେ ତାଙ୍କୁ କୂଳକୁ ବାହିନେବା ନାଉରୀଟି କାହିଁ? ତାଙ୍କ ଠିକଣା ତାକୁ ହିଁ ଜଣା! ଭାବନାର ସମୁଦ୍ରରେ ବାହି ଯାଉଥିଲେ ଚେତନାନନ୍ଦ। ଏ କ’ଣ ସଂଯୋଗ ନା ପ୍ରଭୁଙ୍କ ଲୀଳା! ଦୂର ସମୁଦ୍ରରେ ଦୃଷ୍ଟିଗୋଚର ହେଲା ନାଆଟିଏ। କେବଳ ଗୋଟିଏ ନାଆ! ଆଶ୍ଚର୍ଯ୍ୟ!! ଚେତନାନନ୍ଦଙ୍କ ମୁହଁରେ ସ୍ମିତହାସ୍ୟ। ସମର୍ପିତପ୍ରାଣ ଭକ୍ତର ହାତ କ’ଣ ଭଗବାନ କେବେ ଛାଡ଼ିପାରନ୍ତି? ସେ ସନ୍ତରଣର ବେଗ ବଢ଼ାଇଲେ। ନାଉରୀ ବସ୍ତ୍ର ହଲାଇ ଚେତନାନନ୍ଦଙ୍କୁ ଇସାରା କରୁଥିଲା। ନାଆର ନିକଟ ହେବାରୁ ତା’ର ବଳିଷ୍ଠ ହାତରେ ଚେତନାନନ୍ଦଙ୍କୁ ଉଠାଇନେଲା।
ଏତେ ରାତିରେ ଦରିଆରେ କାହିଁକି ପଶିଥିଲେ ମହାତ୍ମା? ଶ୍ରୀକ୍ଷେତ୍ର ଯିବେ ତ? ଚେତନାନନ୍ଦ କହିଲେ- ‘‘ନା। ମୋତେ ଶ୍ରୀକ୍ଷେତ୍ର ମନା! ନାଉରୀ ଭାଇ! ମୋତେ ଅନ୍ୟ ଦେଶକୁ ନେଇଚାଲ। ମୋ ପାଖରେ କିନ୍ତୁ ତୁମକୁ ଦେବାକୁ କିଛି ନାହିଁ।’’ ନାଉରୀ ମୁହଁରେ ହସ। ହଉ ଚାଲନ୍ତୁ ସାଧୁ ମହାତ୍ମା। ପବନ ତ ଦିଗ ବଦଳେଇ ସାରିଲାଣି। ପାଲ ଟାଣିଦଉଛି, ପୂର୍ବକୁ ମୁହେଁଇବା। ଚେତନାନନ୍ଦ ବି ହସିଲେ। ମଝି ଦରିଆରେ ପବନର ଦିଗ ବି ଓଲଟି ଯାଉଛି! ନାଆକୁ ଶ୍ରୀକ୍ଷେତ୍ରରୁ ଦୂରକୁ ଦୂରକୁ ଠେଲି ନେଉଥିଲା ବାଆ। ଦୃଶ୍ୟମାନ ହେଉ ନ ଥିଲା ସ୍ଥଳଭାଗ। ଶାନ୍ତ ସମୁଦ୍ରରେ ଡଙ୍ଗା ବାହୁଥିଲା ନାଉରୀ।
ପାହାନ୍ତି ପ୍ରହରରେ ନାଉରୀର ଦୃଷ୍ଟି ପଡ଼ିଲା। ‘‘ମୁଁ ଭୁଲି ଯାଇଛି ମହାତ୍ମା। ଆପଣଙ୍କ ଶରୀର ତ ଓଦା ସରସର।’’ ଚେତନାନନ୍ଦଙ୍କ ଉତ୍ତରକୁ ଅପେକ୍ଷା ନ କରି ସାଇତି ରଖିଥିବା ଶୁଖିଲା ଗାମୁଛାରେ ତାଙ୍କୁ ପୋଛି ପକାଇଲା। ତା’ର ସ୍ପର୍ଶରେ ଥିଲା ଆଶ୍ଚର୍ଯ୍ୟଜନକ ଆପଣାପଣ। ତାଙ୍କ ପାଦଯୋଡ଼ିକୁ ଖୁବ୍ ଯତ୍ନସହକାରେ ସେ ପୋଛୁଥିବା ବେଳେ ଚେତନାନନ୍ଦ ନାଉରୀକୁ ପଚାରିଲେ, ‘‘ତୁମର ନାମ କ’ଣ?’’
‘‘କଳାକାହ୍ନୁ। ଶ୍ରଦ୍ଧାରେ ଲୋକେ ଡାକନ୍ତି କାହ୍ନୁଆ।’’
ଚମକିପଡ଼ିଲେ ଚେତନାନନ୍ଦ। ଦୁଇବାହୁରେ କଳାକାହ୍ନୁକୁ ଜାବୁଡ଼ି ଧରିଲେ। ଆନନ୍ଦାଶ୍ରୁରେ ଆଖି ଛଳଛଳ। ସେ ଭାବୁଥିଲେ, ସତରେ ଯହାଁ ଯହାଁ ନେତ୍ର ପଡ଼େ, ତାହାଁ ତାହଁା କୃଷ୍ଣ ସ୍ଫୁରେ! ତୁମେ ଶ୍ରୀକ୍ଷେତ୍ରରୁ ମୋତେ ଅନ୍ତର କଲ, କିନ୍ତୁ ମଝି ଦରିଆରେ ବି ମୋ ହାତ ତ ଛାଡ଼ିନାହଁ ଜଗନ୍ନାଥ! ପରମ ଆଶ୍ବସ୍ତିରେ ଦୀର୍ଘ ନିଃଶ୍ବାସଟେ ନେଲେ।
କ୍ଳାନ୍ତ-ଶ୍ରାନ୍ତ ଶରୀରକୁ ନାଆରେ ଲୋଟାଇଦେଲେ ଚେତନାନନ୍ଦ। ଅପଲକ ନୟନରେ ଚାହିଁଥିଲେ ଆକାଶକୁ। ସିନ୍ଦୂରା ଫିଟି ଆସୁଥିଲା। ଦିଗ୍ବଳୟରେ ନେସି ହୋଇଥିଲା ସୂର୍ଯ୍ୟଙ୍କ ପହିଲି କିରଣର ରକ୍ତିମ ଆଭା। ତନ୍ଦ୍ରାଚ୍ଛନ୍ନ ଅବସ୍ଥାକୁ ଫେରିଯାଉଥିଲେ ଚେତନାନନ୍ଦ।
ମୋ: ୭୦୦୮୯୦୩୨୦୭
ଅଧିକ ଦେଖନ୍ତୁ-

21 minutes ago
1


