ବିସ୍ଥାପନରେ ବି ବେପାର: ଶହ ଶହ ଗୁହାଳ, ଗାଈଗୋରୁ ନାହାନ୍ତି, କିଏ ନିର୍ମାଣ କରିଛି ଆଜ୍‌ବେଷ୍ଟସ୍‌ ଘର?

1 hour ago 2
ARTICLE AD BOX

ବଲାଙ୍ଗୀର: ଲୋୟର୍‌ ସୁକ୍‌ତେଲ୍‌ ପ୍ରକଳ୍ପକୁ ନେଇ ପୂର୍ବରୁ ବିବାଦ ଲାଗି ରହିଥିଲା। ୨୦୨୪ରେ ପ୍ରକଳ୍ପର ଲୋକାର୍ପଣ ପରେ ବି ବିବାଦ ଥମିନାହିଁ। ବରଂ ବିସ୍ଥାପନ, କ୍ଷତିପୂରଣ ଓ ଦୁର୍ନୀତିକୁ ନେଇ ଏହି ପ୍ରକଳ୍ପ ଅଧିକ ଅପବାଦ ମୁଣ୍ଡାଇଛି। ବିସ୍ଥାପିତଙ୍କୁ କ୍ଷତିପୂରଣ ରାଶି ପ୍ରଦାନରେ ଦୁର୍ନୀତି ନେଇ ବାରମ୍ବାର ଅଭିଯୋଗ ହୋଇଆସୁଛି। ପ୍ରକଳ୍ପ ସହ ସମ୍ପୃକ୍ତ ଥିବା ପୂର୍ବତନ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନିଲ ରାଉତ, ପୂର୍ବ ସ୍ବତନ୍ତ୍ର ଭୂଅର୍ଜନ ଅଧିକାରୀ ବିନୟ ଗଡ଼ନାୟକ ଏବଂ ସଦ୍ୟ ଭାବେ ଓଡ଼ିଶା ନିର୍ମାଣ ନିଗମର ନିର୍ବାହୀ ଯନ୍ତ୍ରୀ ତଥା ଲୋୟର ସୁକତେଲ ପ୍ରକଳ୍ପରେ ନିର୍ବାହୀ ଯନ୍ତ୍ରୀ ଭାବେ ଡେପୁଟେସନ୍‌ରେ ଥିବା ସଞ୍ଜୟ କିସପଟ୍ଟା ଆୟବହିର୍ଭୂତ ସମ୍ପତ୍ତି ମାମଲାରେ ଭିଜିଲାନ୍ସ ଜାଲରେ ପଡ଼ିବା ଏହି ପ୍ରକଳ୍ପର ଦୁର୍ନୀତିର ଚେର ବହୁ ଗଭୀରକୁ ଥିବା ସ୍ପଷ୍ଟ ପ୍ରତୀୟମାନ। 

Gambling: ଅନ୍ତଃରାଜ୍ୟ ଜୁଆ ଆଡ୍ଡା ଉପରେ ଚଢ଼ାଉ, ୧୧ଜଣ ଗିରଫ

ବର୍ତ୍ତମାନ ଏକ ନୂଆ କିସମର ଦୁର୍ନୀତି ମାମଲା ସାମନାକୁ ଆସିଛି। ପ୍ରକଳ୍ପର ବୁଡ଼ି ଅଞ୍ଚଳରେ ଥିବା ତିନୋଟି ଗାଁ ଖୁଣ୍ଟପାଲି, କୁମିଆପାଲି ଏବଂ ତବଲବାଞ୍ଜି ଗାଁକୁ ସମ୍ପୂର୍ଣ୍ଣ ବିସ୍ଥାପନ କରିବାକୁ ପ୍ରଶାସନ ପଦକ୍ଷେପ ନେଇଛି। କୁମିଆପାଲିରେ ତିନି ଦିନ ହେଲା ଉତ୍ତେଜନା ଲାଗି ରହିଛି। ୮୪ଟି ପରିବାର କୌଣସି ହିସାବରେ ଗାଁ ଛାଡ଼ିବେ ନାହିଁ ବୋଲି ଧନୁତୀର ଧରି ଆନ୍ଦୋଳନରେ ବସିଛନ୍ତି। ଏହି ଗାଁରେ କିନ୍ତୁ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ଗାଁକୁ ପଶିବା ରାସ୍ତାର ବାମ ପାର୍ଶ୍ବ ଏବଂ ଗାଁ ତଳମୁଣ୍ଡରେ ଏକର ଏକର ଜମିରେ ଆଜ୍‌ବେଷ୍ଟସ୍‌ ଘର ନିର୍ମାଣ ହୋଇଛି। ଗୋଟିଏ ଆଦିବାସୀବହୁଳ ଗାଁରେ ଗୋଟିଏ ଲମ୍ବା କୋଠରି ଥିବା ଆଜ୍‌ବେଷ୍ଟସ୍‌ ଘର ଦେଖିଲେ ଯେ କେହି ତାଜୁବ ହୋଇଯିବ। କିଛି ଲୋକଙ୍କ ସହ ଆଲୋଚନା ବେଳେ ଏହି ଆଜ୍‌ବେଷ୍ଟସ୍‌ ଘରଗୁଡ଼ିକ ଗୁହାଳ ଏବଂ ଲୋକଙ୍କ ରହିବା ପାଇଁ ବ୍ୟବହାର ହେଉଥିବା ଶୁଣିବାକୁ ମିଳିଥିଲା। କିନ୍ତୁ, ଗାଁରେ ହାତଗଣତି ଗାଈଗୋରୁଙ୍କ ପାଇଁ ଶହ ଶହ ଗୁହାଳ ତିଆରି ହେଲା କେମିତି? ତନାଘନା ପରେ ଏହି ପ୍ରଶ୍ନର ରୋଚକ ଉତ୍ତର ଜଣାପଡ଼ିଛି। ବାସ୍ତବରେ ବଲାଙ୍ଗୀର ସହରର କିଛି ପ୍ରଭାବଶାଳୀ ବ୍ୟକ୍ତି କେତେକ ବିସ୍ଥାପିତ ପରିବାରଙ୍କୁ ପ୍ରକଳ୍ପ ନିର୍ମାଣ ପୂର୍ବରୁ ହାତକୁ ନେଇ ଯାଇଥିଲେ। ରାତାରାତି ଗାଁରେ ଆଜ୍‌ବେଷ୍ଟସ୍‌, ସିମେଣ୍ଟ ଏବଂ ଲୁହାଛଡ଼ ପହଞ୍ଚିଲା।

Agriculture: କୃଷି ସଚିବ ଆସିବେ ଏସିଆ ମହାଦେଶର ସର୍ବବୃହତ୍ ସୁକିନ୍ଦା ବିହନ ଫାର୍ମ

କିଛି ଦିନ ଭିତରେ ଆଜ୍‌ବେଷ୍ଟସ୍‌ ଘର ନିର୍ମାଣ ହେଲା। କିଛି ବିସ୍ଥାପିତଙ୍କୁ ଲୋଭ ଦିଆଗଲା ଯେ କ୍ଷତିପୂରଣ ଟଙ୍କା ଅଧା ଅଧା ଭାଗ ହେବ। ଆଜ୍‌ବେଷ୍ଟସ୍‌ ଓ ଅନ୍ୟ ଘର ସରଞ୍ଜାମ ବିସ୍ଥାପିତମାନେ ଗାଁ ଛାଡ଼ିବା ବେଳେ ନେଇ ପଳାଇବେ। ହେଲେ, ସମ୍ପୃକ୍ତ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଏହି ଚାଲ୍‌ କୁମିଆପାଲି ଗାଁରେ ଆଂଶିକ ଭାବେ କାମ ଦେଇଛି। ଗାଁରେ ରହୁଥିବା ୨୪୦ଟି ପରିବାର ମଧ୍ୟରୁ ୮୪ ପରିବାରକୁ ଛାଡ଼ି ଅନ୍ୟମାନେ ବିସ୍ଥାପିତ ହୋଇ ସାରିଲେଣି। ଗାଁ ଛାଡ଼ିଥିବା କିଛି ପରିବାର ଆଜ୍‌ବେଷ୍ଟସ୍‌ ଘରକୁ ଦେଖାଇ କ୍ଷତିପୂରଣ ପାଇଥିବା ମଧ୍ୟ ଅଭିଯୋଗ ହୋଇଛି। କ୍ଷତିପୂରଣ ରାଶି ପ୍ରଭାବଶାଳୀ ବ୍ୟକ୍ତିମାନଙ୍କ ସହ ଭାଗବଣ୍ଟା ହୋଇଛି। ଏବେ ମଧ୍ୟ କିଛି ଅଯୋଗ୍ୟ ବିସ୍ଥାପିତ ଗାଁ ଛାଡ଼ିବାକୁ ନାରାଜ। ପୂର୍ବ ନିର୍ମିତ ଆଜ୍‌ବେଷ୍ଟସ୍‌ ଘରକୁ ବର୍ଗଫୁଟ ପିଛା ପ୍ରାୟ ୭ ଶହ ଟଙ୍କା କ୍ଷତିପୂରଣ ଆଶାରେ ସେମାନେ ରହିଛନ୍ତି। ଟଙ୍କା ମିଳିଲେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ଅଧା ଅଧା ଭାଗ ହେବ। ପୁନଃ ସର୍ଭେ ହେଲେ ଆଜ୍‌ବେଷ୍ଟସ୍‌ ଘରଗୁଡ଼ିକ ତାଲିକାରେ ରହିବ ଏବଂ କ୍ଷତିପୂରଣ ରାଶି ମିଳିବ। ତେଣୁ କୁମିଆପାଲିବାସୀଙ୍କ ନ୍ୟାଯ୍ୟ ଦାବିରେ ସମ୍ପୃକ୍ତ ପ୍ରଭାବଶାଳୀ ବ୍ୟକ୍ତିମାନେ ମୁଣ୍ଡ ପୂରାଇଥିବା ଚର୍ଚ୍ଚା ହେଉଛି। ପୁନଃ ସର୍ଭେ ପାଇଁ ଆନ୍ଦୋଳନକୁ ଲମ୍ବା ଟାଣିବାକୁ ସେମାନେ ଚାପ ପକାଉଥିବା ଶୁଣିବାକୁ ମିଳୁଛି। ଯେହେତୁ ସମ୍ପୃକ୍ତ ପ୍ରଭାବଶାଳୀ ବ୍ୟକ୍ତିମାନେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଆଜ୍‌ବେଷ୍ଟସ୍‌ ଘର ନିର୍ମାଣ କରିଛନ୍ତି, କ୍ଷତିପୂରଣ ଟଙ୍କାରୁ ଲାଭ ପାଇବାକୁ ସେମାନେ ଷଡ୍‌ଯନ୍ତ୍ର ଆରମ୍ଭ କରିଥିବା କୁହାଯାଉଛି। ଆଜ୍‌ବେଷ୍ଟସ୍‌ ଘର ସମ୍ପର୍କରେ ପ୍ରକଳ୍ପ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁରେନ୍ଦ୍ର ଭୋଇଙ୍କ କହିବା କଥା ହେଲା, ସେଠାରେ ଘର କିଏ ନିର୍ମାଣ କରିଛି, କିଏ ରହୁଥିଲା; ତାଙ୍କୁ ଜଣାନାହିଁ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.