ବିବାଦର କେନ୍ଦ୍ରରେ ଜ୍ଞାନେଶ କୁମାର; ପ୍ରବଳ ହେଉଛି ରାଜନୈତିକ ଝଡ଼

2 days ago 2
ARTICLE AD BOX

ନୂଆଦିଲ୍ଲୀ : ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ମଧ୍ୟରେ ସୃଷ୍ଟି ହୋଇଥିବା ମତାନ୍ତରକୁ ନେଇ ଦେଶର ରାଜନୈତିକ ପାରା ବଢ଼ିଚାଲିଛି । ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାର ଏବେ ଏକ ବଡ଼ ବିବାଦର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଅନ୍ୟ ଦୁଇ ନିର୍ବାଚନ କମିସନର ସୁଖବୀର ସିଂହ ସାନ୍ଧୁ ଏବଂ ବିବେକ ଯୋଶୀ ଆୟୋଗର କେତେକ ନିଷ୍ପତ୍ତି, ବିଶେଷ କରି ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟା ଉପରେ ନିଜର ଲିଖିତ ଅସନ୍ତୋଷ ପ୍ରକାଶ କରିବା ପରେ ଏହି ସ୍ଥିତି ଉପୁଜିଛି ।

ବିଗତ ୧୦ ମାସ ମଧ୍ୟରେ ନୂଆ ଭୋଟରଙ୍କ ପାଇଁ ଉଦ୍ଦିଷ୍ଟ ଫର୍ମ-୬ରେ ପରିବର୍ତ୍ତନ, ଭୋଟର ତାଲିକା ପରିଚାଳନାର କେନ୍ଦ୍ରୀକରଣ ଏବଂ ପଶ୍ଚିମବଙ୍ଗରେ ବାଦ୍ ପଡ଼ିଥିବା ଭୋଟରଙ୍କୁ ପୁନଃ ସାମିଲ କରିବା ନିର୍ଦ୍ଦେଶ ବିରୋଧରେ ଆୟୋଗ ପକ୍ଷରୁ କୋର୍ଟରେ ଆବେଦନ କରାଯିବା ଭଳି ସଂବେଦନଶୀଳ ପ୍ରସଙ୍ଗ ରହିଛି । ଏହାକୁ ନେଇ ବିରୋଧୀ ଦଳଗୁଡ଼ିକ ଆୟୋଗର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇବା ସହ ସିଇସିଙ୍କ ଇସ୍ତଫା ଦାବି ଜୋରଦାର କରିଛନ୍ତି ।

ଏସ୍‌ଆଇଆର୍‌ ସଂକ୍ରାନ୍ତ ସମସ୍ତ ମାମଲାର ସୁପ୍ରିମକୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଦନ୍ତ କରାଯାଉ ଏବଂ ଚାଲୁ ରହିଥିବା ଏସ୍‌ଆଇଆର୍‌ ପ୍ରକ୍ରିୟାକୁ ତୁରନ୍ତ ସ୍ଥଗିତ ରଖାଯାଉ ବୋଲି ବିରୋଧୀ ଦଳଗୁଡ଼ିକ ଦାବି କରିଛନ୍ତି । ଅପରପକ୍ଷରେ ଆଜି ଦେଶବ୍ୟାପୀ କଂଗ୍ରେସର ବିରୋଧ ପ୍ରଦର୍ଶନ ସରକାରଙ୍କ ଅଡ଼ୁଆ ବଢ଼ାଇ ଦେଇଛି ।
ବିରୋଧୀଙ୍କ ଏହି ଅଭିଯୋଗକୁ ବିଜେପି ଦୃଢ଼ ଭାବେ ଖଣ୍ଡନ କରିଛି । ଦଳର ମୁଖପାତ୍ର ସୁଧାଂଶୁ ତ୍ରିବେଦୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଏସ୍‌ଆଇଆର୍‌ ସମ୍ପର୍କରେ ଆୟୋଗ ନେଇଥିବା ନିଷ୍ପତ୍ତି ସମ୍ପୂର୍ଣ୍ଣ ସର୍ବସମ୍ମତ ଓ ଆଇନଗତ ।

FDI : ୧୨ ବର୍ଷରେ ଆସିଛି ୮୪୩ ବିଲିଅନ ଡଲାର ଏଫ୍‌ଡିଆଇ, ୨୦୨୫-୨୬ରେ ରେକର୍ଡ ୯୪.୫ ବିଲିଅନ ଡଲାର

ସୁପ୍ରିମକୋର୍ଟ ମଧ୍ୟ ପୂର୍ବରୁ ଏହି ପ୍ରକ୍ରିୟା ପରିଚାଳନା ପାଇଁ ଆୟୋଗଙ୍କ କ୍ଷମତାକୁ କାଏମ୍ ରଖିଛନ୍ତି । ବିଜେପି ଗତ ୭୦ ବର୍ଷ ହେଲା କଠିନ ପରିଶ୍ରମ କରି ଜନସାଧାରଣଙ୍କ ସମର୍ଥନ ହାସଲ କରିଛି, ଯେତେବେଳେ କି କଂଗ୍ରେସ ନିରନ୍ତର ଜନମତ ହରାଉଛି । ରାହୁଲ ଗାନ୍ଧୀ ଭିତ୍ତିହୀନ ତଥ୍ୟ ଆଧାରରେ ସାମ୍ବିଧାନିକ ସଂସ୍ଥାଗୁଡ଼ିକୁ ବଦନାମ୍ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ସେ ଆରୋପ ପ୍ରତ୍ୟାରୋପ କରିଛନ୍ତି । ଏହି ନିର୍ବାଚନୀ ସଂଶୋଧନ ପ୍ରକ୍ରିୟା ଜରିଆରେ ଏପର୍ଯ୍ୟନ୍ତ ପ୍ରାୟ ୧୩ କୋଟି ନାଗରିକଙ୍କ ନାମ ଭୋଟର ତାଲିକାରୁ ବାଦ୍ ପଡ଼ିଥିବାରୁ ଏହାକୁ ନେଇ ଆଇନଗତ ଓ ରାଜନୈତିକ ଝଡ଼ ପ୍ରବଳ ହେବାରେ ଲାଗିଛି ।

ସୂଚନାଯୋଗ୍ୟ, ସିଇସି ଜ୍ଞାନେଶ କୁମାରଙ୍କ କାର୍ଯ୍ୟକାଳ ପ୍ରାରମ୍ଭରୁ ହିଁ ବିବାଦୀୟ ରହିଛି । ଜ୍ଞାନେଶ କୁମାରଙ୍କୁ ୨୦୨୪ ମାର୍ଚ୍ଚ ୧୪ରେ ନିର୍ବାଚନ କମିସନର ଏବଂ ୨୦୨୫ ଫେବ୍ରୁଆରି ୧୭ରେ ମୁଖ୍ୟ ନିର୍ବାଚନ କମିସନର ଭାବେ ନିଯୁକ୍ତି ଦିଆଯାଇଥିଲା । ''ମୁଖ୍ୟ ନିର୍ବାଚନ କମିସନର ଏବଂ ଅନ୍ୟ ନିର୍ବାଚନ କମିସନର (ନିଯୁକ୍ତି, ସେବା ସର୍ତ୍ତାବଳୀ ଓ କାର୍ଯ୍ୟକାଳ) ଆଇନ, ୨୦୨୩ ଅନୁଯାୟୀ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ବିରୋଧୀ ଦଳ ନେତାଙ୍କୁ ନେଇ ଗଠିତ ତିନିଜଣିଆ କମିଟି ଦ୍ୱାରା ଏହି ନିଯୁକ୍ତି ହୋଇଥିଲା। ଏହି ସିଲେକ୍ସନ କମିଟିରେ କେନ୍ଦ୍ର ସରକାରଙ୍କ ପ୍ରାଧାନ୍ୟ ରହୁଥିବାରୁ ରାହୁଲ ଗାନ୍ଧୀ ସେତେବେଳେ ନିଜର ଆପତ୍ତି ଦାଖଲ କରିଥିଲେ ।

ପୂର୍ବରୁ ୨୦୨୬ ମାର୍ଚ୍ଚ ୧୨ରେ ବିରୋଧୀ ଦଳଗୁଡ଼ିକ ସିଇସିଙ୍କ ବିରୋଧରେ ସଂସଦର ଉଭୟ ଗୃହରେ ମହାଭିଯୋଗ ନୋଟିସ୍ ଆଣିଥିଲେ, ଯାହାକୁ ଗୃହର ଅଧ୍ୟକ୍ଷ ରଦ୍ଦ କରିଦେଇଥିଲେ । ପରେ ୨୦୨୬ ଏପ୍ରିଲ ୨୪ରେ ପୁନର୍ବାର ଆଗତ ହୋଇଥିବା ନୋଟିସ୍ ରାଜ୍ୟସଭା ସଚିବ ଜେନେରାଲଙ୍କ ନିକଟରେ ବିଚାରାଧୀନ ଅଛି । ଏବେ ତାଙ୍କ ବିରୋଧରେ ତୃତୀୟ ମହାଭିଯୋଗ ନୋଟିସ୍ ଆଣିବାକୁ ବିରୋଧୀ ପ୍ରସ୍ତୁତି ଚଳାଇଛନ୍ତି ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.