ARTICLE AD BOX
ଧଣ୍ଡାମୁଣ୍ଡା (ସରୋଜ ମିଶ୍ର): ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧି ଲକ୍ଷ୍ୟରେ ସରକାରଙ୍କ ପକ୍ଷରୁ ଚାଲିଥିବା ମା ପାଇଁ ଗଛଟିଏ ଭଳି ଚାରା ରୋପଣ ଅଭିଯାନ ଖପ୍ରାଖୋଲ ବ୍ଲକର ଅନେକ ସ୍ଥାନରେ କେବଳ ଲୋକଦେଖାଣିଆ କାର୍ଯ୍ୟକ୍ରମରେ ସୀମିତ ହୋଇପଡିଥିବା ଅଭିଯୋଗ ହେଉଛି। ଚାରା ଲଗାଇବା ସମୟରେ ଫଟୋ ଉଠାଇ ପ୍ରଚାର କରାଯାଉଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏହାର ରକ୍ଷଣାବେକ୍ଷଣ ପ୍ରତି ଆବଶ୍ୟକ ଗୁରୁତ୍ୱ ଦିଆଯାଉ ନ ଥିବାରୁ ଅନେକ ଚାରା ନଷ୍ଟ ହେଉଥିବା ଦେଖାଯାଇଛି। ଚାରା ରୋପଣ ପୂର୍ବରୁ ଯେଭଳି ଉତ୍ସାହ ଦେଖାଯାଏ ଚାରା ଲଗାଇବା ପରେ ସେହି ଉତ୍ସାହ ଆଉ ଦେଖିବାକୁ ମିଳୁନାହିଁ। ନିୟମିତ ପାଣି ଦେବା ପଶୁଙ୍କ ଠାରୁ ସୁରକ୍ଷା କରିବା ଚାରା ଚାରିପାଖେ ସଫା ରଖିବା ଓ ଆବଶ୍ୟକ ଯତ୍ନ ନେବା ଭଳି ମୋଳିକ ବ୍ୟବସ୍ଥା ଅନେକ ସ୍ଥାନରେ ଅଭାବ ରହିଥିବା ଅଭିଯୋଗ ରହିଛି। ଫଳରେ ଚାରା ଲଗାଇବାର କିଛି ଦିନ କିମ୍ବା ମାସ ମଧ୍ୟରେ ଅନେକ ଚାରା ଶୁଖିଯାଉଛି।
ତିନିବର୍ଷ ପର୍ଯ୍ୟନ୍ତ ନିୟମିତ ଯତ୍ନ ଓ ନିରୀକ୍ଷଣ କରାଯିବା ଆବଶ୍ୟକ
ସ୍ଥାନୀୟ ଲୋକଙ୍କ ମତରେ ଚାରା ରୋପଣ ଅଭିଯାନର ସଫଳତା କେତେ ଚାରା ଲଗାଗଲା ନୁହେଁ, ବରଂ ଲଗାଯାଇଥିବା ଚାରା ମଧ୍ୟରୁ କେତେଟି ବଡ଼ ଗଛରେ ପରିଣତ ହେଲା ତାହା ହିଁ ପ୍ରକୃତ ମାପକାଠି କିନ୍ତୁ ରୋପଣ ପରେ ଦାୟିତ୍ୱ ଓ ନିୟମିତ ନିରୀକ୍ଷଣ ଅଭାବ ଯୋଗୁ ଅଭିଯାନ ଆଶାନୁରୂପ ହେଉ ନ ଥିବା ଅଭିଯୋଗ ହେଉଛି। ଚାରା ଲଗାଇବା ବେଳେ ଅଧିକାରୀ ଜନପ୍ରତିନିଧି ଓ ବିଭିନ୍ନ ସଂଗଠନର କର୍ମକର୍ତ୍ତା ଉପସ୍ଥିତିରେ ଫଟୋ ଉଠାଯାଇ ସାମାଜିକ ଗଣମାଧ୍ୟମ ଓ ଗଣମାଧ୍ୟମରେ ପ୍ରଚାର କରାଯାଉଛି। ହେଲେ ଏହାପରେ ଚାରାର ଅବସ୍ଥା କ'ଣ କିଏ ଏହାର ଦାୟିତ୍ୱ ନେଉଛି ଏବଂ କେତେ ଚାରା ବଞ୍ଚିଛି ତାହାର ନିୟମିତ ତଦାରଖ ହେଉଛି କି ନାହିଁ ସେନେଇ ପ୍ରଶ୍ନ ଉଠୁଛି। ପରିବେଶ ସୁରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ଅଭିଯାନକୁ କେବଳ ଫଟୋ ଓ ରିପୋର୍ଟରେ ସୀମିତ ନରଖି ଚାରା ଗୁଡ଼ିକର ଅନ୍ତତଃ ଦୁଇରୁ ତିନିବର୍ଷ ପର୍ଯ୍ୟନ୍ତ ନିୟମିତ ଯତ୍ନ ଓ ନିରୀକ୍ଷଣ କରାଯିବା ଆବଶ୍ୟକ ବୋଲି ଦାବି ହେଉଛି। ଚାରା ଲଗାଇବା ସହିତ ଏହାର ରକ୍ଷଣାବେକ୍ଷଣ ପାଇଁ ବ୍ୟକ୍ତି, ସଂସ୍ଥା କିମ୍ବା ବିଭାଗକୁ ଦାୟିତ୍ୱ ଦେଇ ନିୟମିତ ଭାବେ ଗଛର ବଞ୍ଚିବା ହାର ଯାଞ୍ଚ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।
One Killed: ଗଞ୍ଜାମରେ ପୂର୍ବ ଶତ୍ରୁତାରୁ ହତ୍ୟା ଅଭିଯୋଗ: ସୋରଡ଼ାରେ ଦୁଇ ଯୁବକଙ୍କୁ ଆକ୍ରମଣ, ଜଣେ ମୃତ

58 minutes ago
1

