ARTICLE AD BOX
ନୂଆଦିଲ୍ଲୀ: ଭାରତର ରାଇଡ୍-ହେଲିଂ ବଜାରରେ ବଡ଼ ପରିବର୍ତ୍ତନର ସମ୍ଭାବନା ସୃଷ୍ଟି କରିଥିବା ଉବର ଓ ରାପିଡୋର ମିଶ୍ରଣ ଆଲୋଚନା ବିଫଳ ହୋଇଛି। ମେ’ ମାସରେ ଉଭୟ କମ୍ପାନି ଭାରତରେ ସେମାନଙ୍କ ରାଇଡ୍-ହେଲିଂ ବ୍ୟବସାୟକୁ ଏକାଠି କରିବା ନେଇ ଆଲୋଚନା କରିଥିଲେ। ଉବରର ସିଇଓ ଦାରା ଖୋସ୍ରୋଶାହିଙ୍କ ଭାରତ ଗସ୍ତ ସମୟରେ ଏହି ଆଲୋଚନା ହୋଇଥିଲା।
ଆଲୋଚନା ବିଫଳ ହେବାର ମୁଖ୍ୟ କାରଣ ହେଉଛି ମିଶ୍ରଣ ପରେ ନୂଆ ସଂସ୍ଥା ଉପରେ ନିୟନ୍ତ୍ରଣ କାହାର ରହିବ ତାହା ସ୍ପଷ୍ଟ ହୋଇନଥିଲା। ଉବର ପକ୍ଷରୁ ଦୁଇ କମ୍ପାନିର ବ୍ୟବସାୟକୁ ଏକତ୍ର କରି ରାପିଡୋକୁ ମିଶ୍ରିତ ସଂସ୍ଥାର ପରିଚାଳନା ଦାୟିତ୍ୱ ଦେବା ପ୍ରସ୍ତାବ ରହିଥିଲା। ତେବେ ରାପିଡୋ ଏହା ପରିବର୍ତ୍ତେ ଉବରର ଭାରତୀୟ ବ୍ୟବସାୟକୁ ଅଧିଗ୍ରହଣ କରିବା ନେଇ ପ୍ରସ୍ତାବ ଦେଇଥିଲା। ଏହି ପ୍ରସ୍ତାବକୁ ଉବର ଗ୍ରହଣ କରିନଥିବାରୁ ଆଲୋଚନା ଆଗକୁ ବଢ଼ିପାରିନଥିଲା। ଫଳରେ ଦୁଇ କମ୍ପାନିର ଏକତ୍ରୀକରଣ ଯୋଜନା ବର୍ତ୍ତମାନ ପାଇଁ ଅଟକି ଯାଇଛି।
ଉବର-ରାପିଡୋ ମଧ୍ୟରେ ଏହି ଆଲୋଚନା ଭାରତର ତୀବ୍ର ପ୍ରତିଯୋଗିତାପୂର୍ଣ୍ଣ ଗମନାଗମନ ବଜାରକୁ ନୂଆ ଦିଗ ଦେଇପାରିଥାନ୍ତା। ଉଭୟ କମ୍ପାନି ଭାରତୀୟ ରାଇଡ୍-ହେଲିଂ ବଜାରରେ ନିଜର ସ୍ଥିତି ସୁଦୃଢ଼ କରିବାକୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ଏହି ମିଶ୍ରଣ ହୋଇଥାନ୍ତା ତେବେ ବଜାରର ପ୍ରତିସ୍ପର୍ଦ୍ଧା ଓ ଗ୍ରାହକ ବିକଳ୍ପ ଉପରେ ଏହାର ବଡ଼ ପ୍ରଭାବ ପଡ଼ିଥାନ୍ତା।ଏହି ଡିଲ୍ ବିଫଳ ହେବା ପରେ ଉଭୟ କମ୍ପାନି ନିଜ ନିଜ ବ୍ୟବସାୟକୁ ଆହୁରି ସୁଦୃଢ଼ କରିବା ଏବଂ ଭାରତୀୟ ବଜାରରେ ଅଧିକ ଅଂଶ ହାସଲ କରିବା ଉପରେ ଗୁରୁତ୍ୱ ଦେବେ ବୋଲି ଆଶା କରାଯାଉଛି।

22 hours ago
4


