ARTICLE AD BOX
ନୂଆଦିଲ୍ଲୀ : କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବିରୋଧରେ ଶନିବାର ଗୁରୁତର ଅଭିଯୋଗ ଆଣି ବିଜେପି ସାଂସଦ ନିଶିକାନ୍ତ ଦୁବେ ମାରୁତି ସହ ଜଡ଼ିତ ସଂସ୍ଥାଗୁଡ଼ିକରେ ତାଙ୍କର ମାଲିକାନା, ଅଂଶଧନ ଏବଂ ନିଯୁକ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସୋସିଆଲ ମିଡିଆ ମଞ୍ଚ ‘ଏକ୍ସ’ରେ ଏକ ପୋଷ୍ଟ କରି ଦୁବେ ଦାବି କରିଛନ୍ତି ଯେ ୧୯୭୦ ମସିହାରେ ସୋନିଆ ଗାନ୍ଧୀ ଗୋଟିଏ ପଇସା ବି ନିବେଶ ନକରି ମାରୁତିର ୫୦ ପ୍ରତିଶତ ମାଲିକ ହୋଇଯାଇଥିଲେ ଏବଂ ଏହି କଥା ସେ ତାଙ୍କ ପୁସ୍ତକରେ ଉଲ୍ଲେଖ କରିବା ଉଚିତ ଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱାଧୀନ ତତ୍କାଳୀନ କଂଗ୍ରେସ ସରକାର ସହ କମ୍ପାନିର ସମ୍ପର୍କକୁ ଦର୍ଶାଇ ଦୁବେ ସୋନିଆ ଗାନ୍ଧୀଙ୍କୁ ‘ମାରୁତିର ପ୍ରକୃତ ମାଲିକ’ ବୋଲି ଅଭିହିତ କରିଛନ୍ତି ।
୧୯୭୦ ମସିହା ନଭେମ୍ବର ୨୧ ତାରିଖର ଘଟଣାକୁ ଉଲ୍ଲେଖ କରି ଦୁବେ ଦାବି କରିଛନ୍ତି ଯେ ସେଦିନ ସଞ୍ଜୟ ଗାନ୍ଧୀ ସୋନିଆ ଗାନ୍ଧୀଙ୍କ ସହ ଜଡ଼ିତ ‘ମାରୁତି ଟେକ୍ନିକାଲ ସର୍ଭିସେସ୍ ପ୍ରାଇଭେଟ ଲିମିଟେଡ୍’ ସହ ଏକ ଚୁକ୍ତି ସ୍ୱାକ୍ଷର କରିଥିଲେ । ମାରୁତି କମ୍ପାନି ୧୯୭୦ ମସିହାରେ ପ୍ରତିଷ୍ଠା ହୋଇଥିବା ବେଳେ ୧୯୬୮ ମସିହାରେ ହିଁ ଭାରତ ସରକାରଙ୍କଠାରୁ କାର ନିର୍ମାଣ ପାଇଁ ଅନୁମତି ପତ୍ର କିଭଳି ପାଇଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ବିଦେଶୀ ନାଗରିକ ହୋଇଥିବା ସତ୍ତ୍ୱେ ସୋନିଆ ଗାନ୍ଧୀ କିଭଳି କମ୍ପାନିର ପରିଚାଳନା ନିର୍ଦ୍ଦେଶକ ଏବଂ ୫୦ ପ୍ରତିଶତ ଅଂଶୀଦାର ହୋଇଥିଲେ ଏବଂ ଭାରତ ସରକାରଙ୍କ ନିୟମ ଅନୁଯାୟୀ କୌଣସି ବିଦେଶୀ ନାଗରିକ ଭାରତୀୟ କମ୍ପାନିର ନିର୍ଦ୍ଦେଶକ ହୋଇପାରୁନଥିବା ବେଳେ ସେ ୧୯୭୦ରେ କିଭଳି ନିର୍ଦ୍ଦେଶକ ହେଲେ ବୋଲି ବିଜେପି ସାଂସଦ ପ୍ରଶ୍ନ ଉଠାଇଛନ୍ତି ।
ପୁଣି ଦାବି ଦୋହରାଇଲେ ଶାହ; କାଶ୍ମୀରରେ ଆଉ କୌଣସି ସ୍ଥାନୀୟ ଆତଙ୍କବାଦୀ ନାହାନ୍ତି
ବ୍ୟାଙ୍କଗୁଡ଼ିକର ଜାତୀୟକରଣ କେବଳ ସୋନିଆ ଗାନ୍ଧୀଙ୍କ ସହ ଜଡ଼ିତ କମ୍ପାନିଗୁଡ଼ିକକୁ ଋଣ ଯୋଗାଇ ଦେବା ଉଦ୍ଦେଶ୍ୟରେ କରାଯାଇଥିଲା କି ବୋଲି ଦୁବେ ପ୍ରଶ୍ନ କରିଛନ୍ତି । ସେ ଆହୁରି ପ୍ରଶ୍ନ କରିଛନ୍ତି ଯେ ୧୯୬୯ ମସିହାରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ନିଜ ବୋହୂ ସୋନିଆ ଗାନ୍ଧୀଙ୍କ କମ୍ପାନିକୁ କାର ନିର୍ମାଣ ପାଇଁ ଅନୁମତି ଦେବାକୁ କ୍ୟାବିନେଟ ଆଦେଶ ଜାରି କରିଥିଲେ କି ? ଏବଂ ୧୯୭୨ ଏପ୍ରିଲ ୩ ତାରିଖରେ ସଞ୍ଜୟ ଗାନ୍ଧୀ କମ୍ପାନି କାମରେ ଭାରତ ସରକାରଙ୍କ ଖର୍ଚ୍ଚରେ ବିଶ୍ୱ ଭ୍ରମଣ କରିଥିଲେ କି ? ସେ ସମୟରେ ହରିୟାଣା ସରକାରଙ୍କ ନିୟମ ଅନୁଯାୟୀ କୌଣସି ବିଦେଶୀ ନାଗରିକଙ୍କ ନାମରେ ଜମି ଆବଣ୍ଟନ ହୋଇପାରୁନଥିବା ବେଳେ ୧୯୭୦ ମସିହାରେ ସୋନିଆ ଗାନ୍ଧୀଙ୍କୁ କିଭଳି ଜମି ଆବଣ୍ଟନ କରାଯାଇଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟରେ ଏକ ଘରୋଇ କମ୍ପାନିର ଅଫିସ କିଭଳି ଖୋଲାଯାଇଥିଲା ଏବଂ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ କିଭଳି ଏହାର ନିର୍ଦ୍ଦେଶକ ହୋଇଥିଲେ ବୋଲି ଦୁବେ ପ୍ରଶ୍ନ କରିଛନ୍ତି । ପୋଷ୍ଟ ଶେଷରେ ଦୁବେ ଲେଖିଛନ୍ତି ଯେ ସୋନିଆଜୀ ନିଜ ପୁସ୍ତକରେ ସ୍ପଷ୍ଟ କରିବା ଉଚିତ ଯେ ସେ ନିଜର ଅର୍ଥ ନିବେଶ ନକରି କିପରି ଏକ ବଡ଼ କମ୍ପାନି ଗଢ଼ିଥିଲେ ଏବଂ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଅନୁଗ୍ରହ ସ୍ୱରୂପ ମାରୁତି କମ୍ପାନିକୁ ତାଙ୍କୁ ହସ୍ତାନ୍ତର କରିଥିଲେ ।
ସୂଚନାଯୋଗ୍ୟ ଯେ ଗତ ନଭେମ୍ବର ୧୦ ତାରିଖରେ ପ୍ରକାଶିତ ସୋନିଆ ଗାନ୍ଧୀଙ୍କ ସ୍ମୃତିଗ୍ରନ୍ଥ ‘ବିଲଙ୍ଗିଂ: ଏ ଜର୍ଣ୍ଣି ଅଫ୍ ଲଭ୍’କୁ ନେଇ ବର୍ତ୍ତମାନ ରାଜନୈତିକ ବିବାଦ ଲାଗିରହିଛି । ଏହି ପୁସ୍ତକକୁ ନେଇ ବିଜେପି ଏବଂ କଂଗ୍ରେସ ମଧ୍ୟରେ ବାଗ୍ଯୁଦ୍ଧ ଜାରି ରହିଥିବା ବେଳେ ୧୯୭୫ ଜରୁରୀକାଳୀନ ପରିସ୍ଥିତି ଏବଂ ୧୯୮୪ ଶିଖ୍ ବିରୋଧୀ ଦଙ୍ଗା ଭଳି ବିବାଦୀୟ ରାଜନୈତିକ ଅଧ୍ୟାୟକୁ ସୋନିଆ ଗାନ୍ଧୀ ମିଥ୍ୟା ତଥ୍ୟ ଦ୍ବାରା ଦେଖାଇବାକୁ ଚେଷ୍ଟା କରୁଥିବା ଶାସକ ଦଳ ଅଭିଯୋଗ କରିଛି ।

6 hours ago
3


