ARTICLE AD BOX
ପୁରୀ: ଶ୍ରୀଜଗନ୍ନାଥଙ୍କ ପରମ୍ପରାକୁ ପୁଣିଥରେ ବେଖାତିର କରିଛି ଇସ୍କନ୍। ଗତ ୧୫ ଓ ୧୬ ତାରିଖରେ ୟୁରୋପ, ଇଂଲଣ୍ଡ, କାନାଡ଼ା, ଆମେରିକା, ନେଦରଲ୍ୟାଣ୍ଡସ, ସ୍ୱିଜରଲ୍ୟାଣ୍ଡ, ସ୍କଟ୍ଲ୍ୟାଣ୍ଡ ସମେତ ୭ଟି ସ୍ଥାନରେ ଅ-ତିଥିରେ ରଥଯାତ୍ରା ଆୟୋଜନ କରିଛି। ବାରମ୍ବାର ତାଗିଦ ସତ୍ତ୍ବେ ବିଦେଶରେ ଏଭଳି ରଥଯାତ୍ରା ଜାରି ରଖିଥିବାରୁ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। କେତେକ ବରିଷ୍ଠ ସେବାୟତଙ୍କ ସହ ଦିଲ୍ଲୀ ଓଡ଼ିଆ ଫୋରମ୍ ପକ୍ଷରୁ ଏନେଇ ପ୍ରାୟ ଏକ ହଜାର ଓଡ଼ିଆଙ୍କ ସ୍ୱାକ୍ଷର ସହ ମହାମହିମ ରାଷ୍ଟ୍ରପତିଙ୍କୁ ଦାବିପତ୍ର ଦିଆଯାଇ ତୁରନ୍ତ ହସ୍ତକ୍ଷେପ କରି ସ୍ଥାୟୀ ସମାଧାନ କରିବାକୁ ଅନୁରୋଧ କରାଯାଇଛି।
ଇସ୍କନ୍ର ବାଙ୍ଗାଲୁରୁ ଶାଖା ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ କହିଥିଲା ଯେ ସେମାନେ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜଙ୍କ କଥାରେ ଏକମତ ଏବଂ ଶାସ୍ତ୍ର ଅନୁସାରେ ତିଥିରେ ରଥଯାତ୍ରା କରୁଛନ୍ତି। ଦେଶ ଓ ବିଦେଶର ଅନ୍ୟ ଇସ୍କନ୍ ମନ୍ଦିରଗୁଡ଼ିକ ମଧ୍ୟ ୯ ଦିନ ଭିତରେ ରଥଯାତ୍ରାରୁ ବାହୁଡ଼ା ଯାତ୍ରା ସାରୁଛନ୍ତି। କିନ୍ତୁ ମାୟାପୁର ଇସ୍କନ୍ ଓ ତାର ପଶ୍ଚିମ ଦେଶର ଶାଖାଗୁଡ଼ିକ ସମ୍ପୂର୍ଣ୍ଣ ଭିନ୍ନପଥରେ ଚାଲିଛନ୍ତି। ଯେତେଦିନ ଯାଏଁ ଭାରତ ସରକାର ମାୟାପୁର ଇସ୍କନ୍ ଉପରେ ଚାପ ପ୍ରୟୋଗ ନ କରିବେ, ସେତେଦିନ ଯାଏଁ ଏହି ଅମାନିଆ ସଂସ୍ଥା ମନଇଚ୍ଛା ଅ-ତିଥିରେ ରଥଯାତ୍ରା ଓ ସ୍ନାନଯାତ୍ରା କରି ଚାଲିଥିବ ବୋଲି ସେମାନେ କହିଛନ୍ତି। କେନ୍ଦ୍ର ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଇସ୍କନ୍ର ଏହି ମନମାନି ବନ୍ଦ କରନ୍ତୁ। ଶ୍ରୀଜଗନ୍ନାଥଙ୍କ ପରମ୍ପରା, ସଂସ୍କୃତି ଓ ଶାସ୍ତ୍ରର ମର୍ଯ୍ୟାଦା ରକ୍ଷା କରାଯାଉ।

1 hour ago
2


