ARTICLE AD BOX
ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟି (ସିଜେପି) ଓ ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟସ୍ ଆସୋସିଏସନ (ଆଇସା)ର ଆନ୍ଦୋଳନକୁ ନେଇ ଜାତୀୟ ରାଜଧାନୀରେ ଏକ ଅଭୂତପୂର୍ବ ଅଘୋଷିତ ଜରୁରିକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି। ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଦ୍ୱାରା ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ସମୟରେ ଭୋଟର ପରିଚୟପତ୍ର ତାଲିକାରେ ହୋଇଥିବା ବ୍ୟାପକ ହେରଫେର ଏବଂ ଫର୍ମ ୬ରେ ପରିବର୍ତ୍ତନ ବିରୋଧରେ ଶନିବାର ପ୍ରତିବାଦ କାର୍ଯ୍ୟକ୍ରମକୁ ଭଣ୍ଡୁର କରିବା ପାଇଁ ସରକାର ସବୁ ସୀମା ଅତିକ୍ରମ କରିଥିବା ଅଭିଯୋଗ ଆଣି ବିରୋଧୀ ଦଳ ନେତାମାନେ କେନ୍ଦ୍ରକୁ ନିଶାଣ କରିଛନ୍ତି। କେନ୍ଦ୍ର ସରକାର ବିରୋଧୀଙ୍କ ସ୍ୱରକୁ ଚପାଇବା ପାଇଁ ପୁଲିସ ପ୍ରଶାସନ ମାଧ୍ୟମରେ ଦମନଲୀଳା ଚଳାଇଥିବାରୁ ଏହା ବିରୋଧରେ ବଡ଼ଧରଣର ଓ ବ୍ୟାପକ ଆନ୍ଦୋଳନ ପାଇଁ ଇଣ୍ଡି ମେଣ୍ଟ ପ୍ରସ୍ତୁତ ହେଉଛି। ଦିଲ୍ଲୀକୁ ଏକ ପୁଲିସ ଦୁର୍ଗରେ ପରିଣତ କରି ଗାଣତନ୍ତ୍ରିକ ପ୍ରକ୍ରିୟାରେ ହେଉଥିବା ଆନ୍ଦୋଳନକୁ ଦମନ କରିବା କଦାପି ଗ୍ରହଣୀୟ ନୁହେଁ ବୋଲି କଂଗ୍ରେସ, ଆପ୍, ବାମଦଳ ଓ ଟିଏମ୍ସି ନେତାମାନେ ଚେତାବନୀ ଦେଇଛନ୍ତି। ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ଆନ୍ଦୋଳନ ସମୟରେ ହୋଇଥିବା ବ୍ୟାପକ ବିକ୍ଷୋଭ ଯୋଗୁଁ ତତ୍କାଳୀନ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା। ସେହିଭଳି ସ୍ଥିତି ପୁନର୍ବାର ସୃଷ୍ଟି ହେବା ଆଶଙ୍କାରେ କେନ୍ଦ୍ର ସରକାର ସମଗ୍ର ରାଜଧାନୀରେ କଠୋର କଟକଣା ଲଗାଇ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶକୁ ଉଲ୍ଲଂଘନ କରିଥିବାରୁ ଏହା ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ ହୋଇଛି। ଆସନ୍ତାକାଲି (ରବିବାର) ଏ ନେଇ ଛୁଟି ଦିନରେ ବି ସ୍ବତନ୍ତ୍ର ଶୁଣାଣି ହେବ। ସୁରକ୍ଷା ଦୃଷ୍ଟିରୁ ସହରର ୪୦ରୁ ଅଧିକ ମେଟ୍ରୋ ଷ୍ଟେସନ ବନ୍ଦ ରହିବା ସହ ୨୫୦ରୁ ଅଧିକ ଟ୍ରେନ ବାତିଲ କରାଯାଇଛି। ସାରା କେନ୍ଦ୍ରୀୟ ଦିଲ୍ଲୀରେ ବିଏନ୍ଏସ୍ଏସ୍ର ଧାରା ୧୬୩ ଲାଗୁ ହେବା ସହ ମୋବାଇଲ୍ ଇଣ୍ଟରନେଟ୍ ସ୍ଥଗିତ ରହିଥିବାରୁ ସାଧାରଣ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି ଦିଲ୍ଲୀ ପୁଲିସ, ସାମରିକ ବାହିନୀ ଓ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳର ପ୍ରାୟ ୨୫ ହଜାରରୁ ଅଧିକ ଯବାନ ସାରା ସହରକୁ ସିଲ୍ କରି ଆଜି ଏକ ସାମରିକ ଦୁର୍ଗରେ ପରିଣତ କରିବା ଘଟଣା ସବୁ ମହଲକୁ ବିସ୍ମିତ କରିଛି। ଚାରିଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ପ୍ରାୟ ୪,୦୦୦ରୁ ଅଧିକ ପ୍ରତିବାଦକାରୀଙ୍କୁ ଅଟକ ରଖାଯିବା ସତ୍ତ୍ବେ ଯୁବଗୋଷ୍ଠୀ ଶତାଧିକ ସ୍ଥାନରେ ପ୍ରତିବାଦ କରିବା ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି। ସରକାର ଆନ୍ଦୋଳନକୁ ଭୟ କରି ଏହାକୁ ଭଣ୍ଡୁର କରିବା ପାଇଁ ସମସ୍ତ ଚାପକୌଶଳ ପ୍ରୟୋଗ କରୁଥିଲେ ମଧ୍ୟ ଏହା ଦବିବାର ପ୍ରଶ୍ନ ନାହିଁ ବୋଲି ବିରୋଧୀ ଦଳ ନେତାମାନେ ଚେତାବନୀ ଦେଇଛନ୍ତି। ସିଇସିଙ୍କୁ ସୁରକ୍ଷା ଦେବା ପାଇଁ ସରକାରଙ୍କ ଏଭଳି ଆଭିମୁଖ୍ୟ ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ସେମାନେ ମତ ରଖିଛନ୍ତି।
Judgement: ମେଟ୍ରୋ ଷ୍ଟେସନ ବନ୍ଦ ଓ ଟ୍ରେନ୍ ବାତିଲକୁ ନେଇ ଅଦାଲତ ଅବମାନନା ମାମଲା
ଦୀପକେ, ରାଠୀଙ୍କ ସମେତ ୪ ଜଣଙ୍କୁ ଛାଡ଼ି ସବୁ ଖଲାସ
ଏହି ବ୍ୟାପକ ପ୍ରତିବନ୍ଧକ ମଧ୍ୟରେ ସିଜେପିର ପ୍ରତିଷ୍ଠାତା ଅଭିଜିତ ଦୀପକେ, ସଂଯୋଜକ ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ ଜବରଦସ୍ତ ଅଟକ ରଖିବା ନେଇ ଦେଶବ୍ୟାପୀ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ମୁଖ୍ୟ ଆୟୋଜକମାନଙ୍କୁ ଯନ୍ତରମନ୍ତରରେ ପହଞ୍ଚାଇ ନ ଦେବା ପାଇଁ ପୁଲିସର ଏହି ରଣନୀତିକୁ ବିଭିନ୍ନ ଦଳ ଓ ସଂଗଠନ ପକ୍ଷରୁ ନିନ୍ଦା କରାଯାଇଛି। ସୂଚନାଯୋଗ୍ୟ, ସିଜେପିର ଆଗଧାଡ଼ିର ଅଧିକାଂଶ ନେତାଙ୍କୁ ଅଟକ ରଖାଯିବା ପରେ ଦଳର ଅନ୍ୟତମ ନେତା ଅଜିଙ୍କ୍ୟ ସିନ୍ଦେ ଏବେ ଆନ୍ଦୋଳନର ମଙ୍ଗ ଧରିଛନ୍ତି। ଯନ୍ତରମନ୍ତରରେ କଡ଼ା କଟକଣା ଯୋଗୁଁ ଆନ୍ଦୋଳନକାରୀମାନେ ‘ଦିଲ୍ଲୀ ହାଟ୍’ ଅଭିମୁଖେ ମାର୍ଚ୍ଚ କରୁଥିବାବେଳେ ବରିଷ୍ଠ ମାନବାଧିକାର କର୍ମୀ ଯୋଗେନ୍ଦ୍ର ଯାଦବ, ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଏବଂ ଆଇସା ନେତ୍ରୀ ନେହା ବୋରାଙ୍କୁ ପୁଲିସ ଯେଭଳି ଭାବେ ଅଟକ ରଖିଲା ତାହାକୁ ବିଭିନ୍ନ ସଂଗଠନ ନିନ୍ଦା କରିଛନ୍ତି। ବାଙ୍ଗଲା ସାହିବ ଗୁରୁଦ୍ୱାର ନିକଟରୁ ଏସ୍ଏଫ୍ଆଇ ନେତାଙ୍କ ସମେତ ପ୍ରାୟ ୪୦୦ରୁ ଅଧିକ ଛାତ୍ର ଓ ଯୁବ ଆଇନଜୀବୀଙ୍କୁ ଅଟକ ରଖାଯାଇଥିଲା। ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ପୁଲିସ ଅଟକ ରଖିଥିବାରୁ ସେମାନଙ୍କ ସୁରକ୍ଷା ଓ ମୁକ୍ତି ପାଇଁ ସୁପ୍ରିମ୍କୋର୍ଟ ହସ୍ତକ୍ଷେପ କରିବାକୁ ଦାବି ହୋଇଛି। ବିଭିନ୍ନ ଛାତ୍ର ସଂଗଠନର ନେତାମାନଙ୍କୁ ପୁଲିସ ଯେଭଳି ଟାର୍ଗେଟ୍ କରି ଅଟକ ରଖିବା ପ୍ରକ୍ରିୟା ଆରମ୍ଭ କରିଥିଲା ତାହା ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଏକ ଯୋଜନାବଦ୍ଧ ପ୍ରୟାସ ବୋଲି କୁହାଯାଇଛି।
Good news: ଋଣୀ ହୋଇଗଲୁ , ଘଟର୍ଲା ଗ୍ରାମବାସୀ ଆମକୁ ଦେଲେ ନୂଆ ଜୀବନ
ରାଜଧାନୀରେ ବିରୋଧୀ ଦଳର ପ୍ରମୁଖ ନେତାମାନଙ୍କୁ ସମ୍ପୂର୍ଣ୍ଣ ନଜରବନ୍ଦୀ ଓ ଅଟକ ରଖାଯାଇଥିଲା। ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ତାଙ୍କ ଦିଲ୍ଲୀ ବାସଭବନ ବାହାରୁ ଡେରେକ୍ ଓ’ବ୍ରାଏନ୍, ଡୋଲା ସେନ୍, ସାକେତ ଗୋଖଲେ ଏବଂ ପ୍ରତିମା ମଣ୍ଡଳଙ୍କ ସହ ପୁଲିସ ଅଟକ ରଖବା ପରେ ଏହାକୁ ବିରୋଧ କରି ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଯନ୍ତରମନ୍ତର ଅଭିମୁଖେ ଯିବା ବେଳେ ଅଟକ ରଖାଯାଇଥିଲା। କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କୁ ଯନ୍ତରମନ୍ତର ରୋଡ୍ରେ ଥିବା କେରଳ ହାଉସ୍ ନିକଟରୁ ରାଜ୍ୟସଭା ସାଂସଦ ଜନ୍ ବ୍ରିଟାସ୍ ଏବଂ ପୂର୍ବତନ ଅର୍ଥମନ୍ତ୍ରୀ କେ ଏନ୍ ବାଲଗୋପାଳଙ୍କୁ ଅଟକ ରଖାଯାଇଥିଲା। ଏହାସହ ସିପିଆଇଏମ୍ର ସାଧାରଣ ସମ୍ପାଦକ ଏମ୍ଏ ବେବି, ବୃନ୍ଦା କାରାତ, କେକେ ଶୈଳଜା ଏବଂ ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ମାଣିକ ସରକାରଙ୍କୁ ମଧ୍ୟ ପୁଲିସ ଅଟକ ରଖିଥିଲା। ଆଜି ରାତିରେ ପୁଲିସ ସମସ୍ତ ଅଟକଙ୍କୁ ଖଲାସ କରିଥିବା ବେଳେ କେବଳ ଦୀପକେ, ୟୁଟ୍ୟୁବ୍ର ଧ୍ରୁବ ରାଠୀଙ୍କ ସମେତ ୪ ଜଣଙ୍କୁ ଅଟକ ରଖିଛି।
ସରକାରଙ୍କ ଏହି ଦମନଲୀଳାକୁ ତୀବ୍ର ସମାଲୋଚନା କରି ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକଛତ୍ରବାଦ ଶାସନ ମଧ୍ୟରେ ବାସ କରୁଛୁ। ବିମାନ ଭିତରୁ କକ୍ରୋଚ୍ ଜନତା ପାର୍ଟିର ନେତାଙ୍କୁ ଗିରଫ କରିବା ସରକାରଙ୍କ ଚରମ ଭୟକୁ ଦର୍ଶାଉଛି। ପ୍ରଧାନମନ୍ତ୍ରୀ ମୋଦୀ କେବଳ ‘ଭୋଟ ଚୋରି’ ମାଧ୍ୟମରେ ନିର୍ବାଚନ ଜିତିଛନ୍ତି ଏବଂ ଏବେ ଗଣତନ୍ତ୍ରକୁ ହତ୍ୟା କରି ନିଜର ଜାଲିଆତିକୁ ସୁରକ୍ଷା ଦେଉଛନ୍ତି ବୋଲି ସେ କହିଛନ୍ତି। ଜ୍ଞାନେଶ କୁମାରଙ୍କ ସହ ମୋଦୀଙ୍କୁ ମଧ୍ୟ ହଟିବାକୁ ପଡ଼ିବ ବୋଲି ସେ କହିଛନ୍ତି। କେଜ୍ରିୱାଲଙ୍କ ବାସଭବନ ବାହାରେ ସୁରକ୍ଷା ବୃଦ୍ଧି କରାଯିବା ସହ ଆପ୍ର ଜାତୀୟ କାର୍ଯ୍ୟାଳୟକୁ ସିଲ୍ କରାଯାଇଛି।

1 hour ago
1


