Delhi: ଦିଲ୍ଲୀରେ ସିଇସି ହଟାଅ କମ୍ପନ: ମହାସଂଗ୍ରାମ, ୪ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସହ ୭୦୦୦ ଅଟକ

1 hour ago 1
ARTICLE AD BOX

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ବହିଷ୍କାର ଦାବିରେ କକ୍ରୋଚ୍ ଜନତା ପାର୍ଟି (ସିଜେପି) ଏବଂ ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟସ୍‌ ଆସୋସିଏସନ (ଆଇସା)ର ଗଣଆନ୍ଦୋଳନ ଡାକରା ଦେଶରେ ହଇଚଇ ସୃଷ୍ଟି କରିଛି। ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ପ୍ରକ୍ରିୟାରେ  ଭୋଟର ପରିଚୟପତ୍ର ତାଲିକାରେ ବ୍ୟାପକ ଅସଙ୍ଗତି ଏବଂ ଫର୍ମ ୬ରେ ପରିବର୍ତ୍ତନକୁ ବିରୋଧ କରି ଏହି ବିକ୍ଷୋଭର ଡାକରା ଦିଆଯାଇଥିଲା। ଦିଲ୍ଲୀ ପୁଲିସ ଏହି ଆନ୍ଦୋଳନ ପାଇଁ ଅନୁମତି ପ୍ରଦାନ କରିନଥିଲା। ବରଂ ସମଗ୍ର ନୂଆଦିଲ୍ଲୀ ଅଞ୍ଚଳରେ ବିଏନ୍‌ଏସଏସର ଧାରା ୧୬୩ ଲାଗୁ କରି ସାରା ସହରକୁ ପୁଲିସ ଛାଉଣୀରେ ପରିଣତ କରିଥିଲା। ବିଭିନ୍ନ ରିପୋର୍ଟରେ କୁହାଯାଇଛି ଯେ ଏହି ଘଟଣାରେ ପୁଲିସ ପ୍ରାୟ ୭ ହଜାର ଲୋକଙ୍କୁ ଅଟକ ରଖିଛି।

Judgement: ମେଟ୍ରୋ ଷ୍ଟେସନ ବନ୍ଦ ଓ ଟ୍ରେନ୍‌ ବାତିଲକୁ ନେଇ ଅଦାଲତ ଅବମାନନା ମାମଲା

ଶନିବାର ସକାଳ ସମୟରୁ ହିଁ ଦିଲ୍ଲୀ ପୁଲିସ, ସିଏପିଏଫ୍‌, ବିଏସ୍‌ଏଫ୍‌ ଏବଂ ଆର୍‌ଏଏଫ୍‌କୁ ମିଶାଇ ପ୍ରାୟ ୨୫ ହଜାରରୁ ଅଧିକ ସୁରକ୍ଷା କର୍ମୀଙ୍କୁ ସହରର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ମୁତୟନ କରାଯାଇଥିଲା। ଗାଜିପୁର, ଟିକ୍ରି ଓ ଚିଲ୍ଲା ସମେତ  ଦିଲ୍ଲୀର ସମସ୍ତ ପ୍ରମୁଖ ସୀମାକୁ ବାରିକେଡ୍ ଦ୍ୱାରା ସମ୍ପୂର୍ଣ୍ଣ ସିଲ୍ କରାଯାଇ ଗାଡ଼ିଗୁଡ଼ିକର ଯାଞ୍ଚ ଆରମ୍ଭ କରାଯାଇଥିଲା। ଏହି ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସିଜେପିର ପ୍ରତିଷ୍ଠାତା ଅଭିଜିତ ଦୀପକେ, ସମନ୍ୱୟକାରୀ ସୌରଭ ଦାସ ଓ ଆଶୁତୋଷ ରାଙ୍କା ମୁମ୍ବାଇରୁ ବିମାନ ଯୋଗେ ଦିଲ୍ଲୀରେ ପହଞ୍ଚିବା ମାତ୍ରେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏୟାର ଇଣ୍ଡିଆ ବିମାନ ଭିତରୁ ହିଁ ପୁଲିସ ସେମାନଙ୍କୁ ଅଟକ ରଖିଥିଲା। ଏହା ପୂର୍ବରୁ ଦୀପକେ ବିମାନ ଭିତରୁ ଏକ ଭିଡିଓ ବାର୍ତ୍ତା ଲାଇଭ୍-ଷ୍ଟ୍ରିମିଂ କରି ତାଙ୍କ ଅନୁପସ୍ଥିତିରେ ଦଳର ସଂଗଠନ ପ୍ରଭାରୀ ଅଜିଙ୍କ୍ୟ ସିନ୍ଦେ ଆନ୍ଦୋଳନର ମଙ୍ଗ ଧରିବେ ବୋଲି ଘୋଷଣା କରିିଥିଲେ। ପ୍ରତିବାଦକାରୀଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ଯନ୍ତରମନ୍ତରରେ ଏକତ୍ରିତ ହେବାକୁ ସିଜେପି ନେତାମାନେ ଆହ୍ବାନ ଦେଇଥିଲେ।

ପୁଲିସର ଏହି ପ୍ରତିଷେଧମୂଳକ କାର୍ଯ୍ୟାନୁଷ୍ଠାନକୁ ଆହୁରି ତ୍ବରାନ୍ବିତ କରି ଗୁରୁଗ୍ରାମ ପୁଲିସ ସହାୟତାରେ ବିବାଦୀୟ ୟୁଟ୍ୟୁବର ଧ୍ରୁବ ରାଠିଙ୍କୁ ତାଙ୍କ ବାସଭବନରେ ଅଟକ ରଖିଥିଲା। ଏପଟେ ଯନ୍ତରମନ୍ତର ଏବଂ କନଟ୍‌ପ୍ଲେସ ଅଞ୍ଚଳରେ ପୁଲିସ ଓ ପ୍ରତିବାଦକାରୀଙ୍କ ମଧ୍ୟରେ ଛକାପଞ୍ଝା ଚାଲିଥିଲା। ମିଣ୍ଟୋ ବ୍ରିଜ୍ ନିକଟରେ ସିପିଆଇଏମ୍, ଆଇସା ଓ ଏଫ୍‌ଏଫଆଇ କର୍ମୀମାନେ ପ୍ରଥମ ସୁରକ୍ଷାବଳୟ ଭାଙ୍ଗିବାକୁ ଚେଷ୍ଟା କରି ଗିରଫ ହୋଇଥିଲେ। ରାଜଧାନୀର ସମସ୍ତ ଅଞ୍ଚଳରେ ଆଗୁଆ ସତର୍କତାମୂଳକ ବ୍ୟବସ୍ଥା ସ୍ୱରୂପ ୬୦୦ରୁ ଅଧିକ ଆପରାଧିକ ପୃଷ୍ଠଭୂମି ଥିବା ବ୍ୟକ୍ତିଙ୍କୁ ପୁଲିସ ହେପାଜତକୁ ନେଇଛି। ଯନ୍ତରମନ୍ତର ନିକଟରୁ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ, ସାଧାରଣ ସମ୍ପାଦକ ଏମ୍ଏ ବେବି ଏବଂ ବୃନ୍ଦା କରାତଙ୍କୁ ପୁଲିସ ଉଠାଇ ନେଇ ଏକ ଅସ୍ଥାୟୀ ଜେଲ୍‌ରେ ପରିଣତ ହୋଇଥିବା ଛତ୍ରସାଲ ଷ୍ଟାଡିୟମରେ ଅଟକ ରଖିଛି। 

ସିଜେପି ଓ ଆଇସାର ଆନ୍ଦୋଳନରେ ପୁଲିସ ନାକେଦମ
ଦୀପକେଙ୍କ ସମେତ ପ୍ରମୁଖ ସିଜେପି ନେତା ଅଟକ
ପୁଲିସ ଉପରେ ପଥରବର୍ଷା 
ଅରାଜକତାବାଦୀ ବିଫଳ ହୋଇଛନ୍ତି: ବିଜେପି

ଆନ୍ଦୋଳନର ବ୍ୟାପକତାକୁ ଦେଖି ଦିଲ୍ଲୀ ପୁଲିସ ଦେଶର ୪ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଅଟକ ରଖିଛି। ସେମାନଙ୍କ ମଧ୍ୟରେ ଅରବିନ୍ଦ କେଜ୍ରିୱାଲ, ମମତା ବାନାର୍ଜୀ, ପିନାରାୟୀ ବିଜୟନ ଏବଂ ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ମାଣିକ ସରକାର ଅଛନ୍ତି। ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାଉଥ୍ ଆଭେନ୍ୟୁ ବସ୍‌ଷ୍ଟାଣ୍ଡ ନିକଟ ରାସ୍ତା ଉପରେ ଧାରଣାରେ ବସିଥିବାବେଳେ ତାଙ୍କୁ ଅଟକ ରଖି ଯେଉଁ ଥାନାକୁ ନିଆଯାଇଥିଲା, ସେ ସେହି ଥାନା ଭିତରେ ହିଁ ନିଜର ପ୍ରତିବାଦ ଧାରଣା ଦେଇଥିଲେ। ଯନ୍ତରମନ୍ତରରେ କଡ଼ା କଟକଣା ଯୋଗୁଁ ଆଇସା ନେତ୍ରୀ ନେହା ବୋରା, ଯୋଗେନ୍ଦ୍ର ଯାଦବ ଏବଂ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ‘ଦିଲ୍ଲୀ ହାଟ୍’ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବଂ ପରେ ପୁଲିସ ସେମାନଙ୍କୁ   ଅଟକ ରଖିଥିଲା।

V-mart: ଭି-ମାର୍ଟର ସ୍ବତନ୍ତ୍ର ଦୁର୍ଗାପୂଜା କଲେକ୍ସନ୍‌

ଏହି ପ୍ରତିବାଦର ପ୍ରଭାବ ଦିଲ୍ଲୀ ବାହାରକୁ ମଧ୍ୟ ବ୍ୟାପିଛି। ମୁମ୍ବାଇର ଅଗଷ୍ଟ କ୍ରାନ୍ତି ମୈଦାନରୁ ବିଶିଷ୍ଟ ସାମାଜିକ କର୍ମୀ ତୁଷାର ଗାନ୍ଧୀ ଏବଂ ଚଣ୍ଡିଗଡ଼ରେ ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତା ମନୀଷ ସିସୋଦିଆଙ୍କୁ ପୁଲିସ ଅଟକ ରଖିଛି। ଏହି ସମଗ୍ର ଘଟଣାକ୍ରମ ମଧ୍ୟରେ କନଟ୍‌ପ୍ଲେସ ନିକଟରେ ପ୍ରତିବାଦ ଉଗ୍ର ରୂପ ଧାରଣ କରିଥିଲା। ଯନ୍ତରମନ୍ତରଠାରୁ ଅଳ୍ପ ଦୂରରେ ଥିବା କନଟ୍‌ପ୍ଲେସରେ ଏକତ୍ରିତ ହୋଇଥିବା ପ୍ରାୟ ୧୫୦ ଜଣ ପ୍ରତିବାଦକାରୀଙ୍କୁ ପୁଲିସ ତତ୍କାଳ ଅଟକ ରଖିଥିବାବେଳେ ସେଠାରେ ଉପସ୍ଥିତ ଅନ୍ୟ ୫୦ ଜଣ ଆନ୍ଦୋଳନକାରୀ ପୁଲିସ ଉପରକୁ ପ୍ରବଳ ପଥରମାଡ଼ କରିଥିଲେ। ଏଥିରେ ଦୁଇଜଣ ପୁଲିସ କର୍ମଚାରୀ ଗୁରୁତର ହୋଇଛନ୍ତି। ପୁଲିସ ତତ୍କାଳ ସମସ୍ତ ୫୦ ଜଣଙ୍କୁ ଅଟକ ରଖିଥିଲା। ସୁରକ୍ଷା ଦୃଷ୍ଟିରୁ ସହରର ୫୭ଟି ମେଟ୍ରୋ ଷ୍ଟେସନ ବନ୍ଦ ରହିବା ସହ ୨୧୦ରୁ ଅଧିକ ଟ୍ରେନ ବାତିଲ କରାଯାଇଛି ଏବଂ କେନ୍ଦ୍ରୀୟ ଦିଲ୍ଲୀରେ ୨୪ ଘଣ୍ଟା ପାଇଁ ମୋବାଇଲ ଇଣ୍ଟରନେଟ୍ ସେବା ସ୍ଥଗିତ ରଖାଯାଇଛି। କନଟ୍‌ପ୍ଲେସ୍ ମାର୍କେଟ୍ ବନ୍ଦ ଯୋଗୁଁ ବ୍ୟବସାୟୀଙ୍କର ପ୍ରାୟ ୨,୦୦୦ କୋଟି ଟଙ୍କାର କ୍ଷତି ହୋଇଛି। ବିଜେପି ଜାତୀୟ  ମୁଖପାତ୍ର ସମ୍ବିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ  ରାଜଧାନୀକୁ ପଣବନ୍ଦୀ କରି ହିଂସା ସୃଷ୍ଟି କରିବାକୁ ଚାହୁଥିବା ଅରାଜକତାବାଦୀମାନେ ଆଜି ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ବିରୋଧୀଙ୍କ ଏହି ଫ୍ଲପ୍‌ ସୋ’ ଭିତରେ  କଂଗ୍ରେସ ଓ ଆପ୍ ଆନ୍ଦୋଳନର ଶ୍ରେୟ ପାଇଁ ନିଜ ନିଜ ଭିତରେ ହିଁ ଲଢ଼େଇ ଚଳାଇଛନ୍ତି ବୋଲି ସେ କଟାକ୍ଷ କରିଛନ୍ତି। ଅପରପକ୍ଷରେ ବିରୋଧୀ ଦଳଗୁଡ଼ିକ ଏହି ଦମନଲୀଳାକୁ ‘ସମ୍ପୂର୍ଣ୍ଣ ଏକଛତ୍ରବାଦ’ ବୋଲି କହି ସରକାରଙ୍କ ଉପରେ ବର୍ଷିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.