ARTICLE AD BOX
ଆଜି ବି ଅନେେକ ହାତଧୋଇବାକୁ ଏକ ମାମୁଲି କଥା ମନେକରନ୍ତି। କିନ୍ତୁ ଏହି ଅଭ୍ୟାସ ଯେ ସୁସ୍ଥତାର ପ୍ରମୁଖ କାରଣ ତାହା ଆଧୁନିକ ସମାଜ ଦ୍ବାରା ଗ୍ରହଣୀୟ ହୋଇଆସିଛି। ହାତଧୁଆ ପରମ୍ପରାଟି କାହିଁ କେଉଁ କାଳରୁ ଆମର ପୂଜାବିଧି ଓ ଜୀବନଧାରା ସହିତ ଯୋଡ଼ି ହୋଇରହିଛି। ହିନ୍ଦୁ, ମୁସଲମାନ୍, ବୌଦ୍ଧ ଓ ଖ୍ରୀଷ୍ଟ ଆଦି ସବୁ ଧର୍ମଧାରାରେ ପୂଜାପାଠ କିମ୍ବା ଖାଦ୍ୟ ଗ୍ରହଣ ପୂର୍ବରୁ ହାତ-ପାଦ ଧୋଇ ଶରୀରକୁ ପବିତ୍ର କରିବାର ପରମ୍ପରା ରହିଥିଲା। ତେବେ ହାତଧୁଆ ସହ ଜୀବାଣୁର ସଂପର୍କ ବିଷୟରେ କିନ୍ତୁ ପ୍ରଥମେ ଚିକିତ୍ସା ବିଜ୍ଞାନ ହିଁ ଅବଗତ କରାଇଥିଲା।
Judgement: ମେଟ୍ରୋ ଷ୍ଟେସନ ବନ୍ଦ ଓ ଟ୍ରେନ୍ ବାତିଲକୁ ନେଇ ଅଦାଲତ ଅବମାନନା ମାମଲା
ଚିକିତ୍ସା ବିଜ୍ଞାନରେ ହାତଧୁଆ
ଇତିହାସ କହେ, ଊନବିଂଶ ଶତାବ୍ଦୀର ମଧ୍ୟଭାଗ ପର୍ଯ୍ୟନ୍ତ ଚିକିତ୍ସା ବିଜ୍ଞାନରେ ଜୀବାଣୁ ବିଷୟରେ କାହାରିକୁ ଜଣାନଥିଲା। ଡାକ୍ତରମାନେ ମଧ୍ୟ ଅପରେସନ୍ ବା ଶବ ବ୍ୟବଚ୍ଛେଦ କରିବା ପରେ ହାତ ନଧୋଇ ଅନ୍ୟ ରୋଗୀ ବା ପ୍ରସୂତି ମହିଳାମାନଙ୍କ ଚିକିତ୍ସା କରୁଥିଲେ। ୧୮୪୬ ମସିହାରେ ଭିଏନା ଜେନେରାଲ୍ ହସ୍ପିଟାଲ୍ରେ ହଙ୍ଗେରୀୟ ଡାକ୍ତର ଇଗ୍ନାଜ୍ ସେମେଲୱାଇସ୍ ଲକ୍ଷ୍ୟ କଲେ ଯେ, ଯେଉଁ ୱାର୍ଡରେ ମେଡିକାଲ୍ ଛାତ୍ର ଓ ଡାକ୍ତରମାନେ ପ୍ରସବ କରାଉଛନ୍ତି, ସେଠାରେ ‘ଚାଇଲ୍ଡବେଡ୍ ଫିଭର୍’ ଯୋଗୁଁ ଅଧିକ ମହିଳାଙ୍କ ମୃତ୍ୟୁ ହେଉଛି। ଅପରପକ୍ଷେ, ଧାତ୍ରୀମାନଙ୍କ ୱାର୍ଡରେ ମୃତ୍ୟୁହାର ବହୁତ କମ୍। ସେମେଲୱାଇସ୍ ଅନୁମାନ କଲେ ଯେ ଶବଗୃହରୁ ଆସୁଥିବା କିଛି ଅଦୃଶ୍ୟ ମାରାତ୍ମକ କଣିକା ମହିଳାମାନଙ୍କୁ ସଂକ୍ରମିତ କରୁଛି। ସେ ସମସ୍ତ ଡାକ୍ତରଙ୍କ ପାଇଁ କ୍ଲୋରିନ୍ ମିଶ୍ରିତ ଚୂନ ପାଣିରେ ହାତ ଧୋଇବା ବାଧ୍ୟତାମୂଳକ କଲେ। ଫଳରେ ମହିଳାମାନଙ୍କ ମୃତ୍ୟୁହାର ୧୮% ରୁ କମି ପ୍ରାୟ ୧% କୁ ଚାଲିଆସିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ, ତତ୍କାଳୀନ ମେଡିକାଲ୍ ସମାଜ ସେମେଲୱାଇସ୍ଙ୍କ କଥାକୁ ଗ୍ରହଣ କଲାନାହିଁ।
ଏ ସଂପର୍କରେ ଡ. ଜ୍ୟୋତିର୍ମୟ ପ୍ରକାଶ ପତି କହନ୍ତି,‘‘୧୮୬୦ରୁ ୧୮୮୦ ଦଶକ ମଧ୍ୟରେ ଲୁଇ ପାସ୍ତୁର ଓ ରବର୍ଟ କୋଚ୍ ଜୀବାଣୁ ତତ୍ତ୍ୱ ଆବିଷ୍କାର କଲେ ଏବଂ ପ୍ରମାଣ ହେଲା ଯେ ଅଣୁଜୀବ ବା ବ୍ୟାକ୍ଟେରିଆ ଯୋଗୁଁ ହିଁ ରୋଗ ବ୍ୟାପୁଛି। ଏହାପରେ ବ୍ରିଟିସ୍ ସର୍ଜନ ଜୋସେଫ୍ ଲିଷ୍ଟର୍ ଅପରେସନ୍ ପୂର୍ବରୁ ହାତ ଧୋଇବା ଏବଂ ମେଡିକାଲ୍ ଉପକରଣଗୁଡ଼ିକୁ ସାନିଟାଇଜ୍ କରିବା ପ୍ରଥା ଆରମ୍ଭ କଲେ। ଏହାପରେ ଦେଖାଗଲା ଯେ ଅସ୍ତ୍ରୋପଚାର ପରବର୍ତ୍ତୀ ସଂକ୍ରମଣ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି। କ୍ରମେ ସାରା ବିଶ୍ବର ଚିକିତ୍ସକଙ୍କ ଭିତରେ ହାତଧୁଆର ଗୁରୁତ୍ବ ପ୍ରସାରିତ ହେଲା। କେବଳ ଚିକିତ୍ସକ ନୁହନ୍ତି, ପ୍ରତ୍ୟେକ ବ୍ୟକ୍ତି ନିୟମିତ ଏକାଧିକ ବାର ହାତଧୋଇବା ଆବଶ୍ୟକ। ଏହା ସଂକ୍ରମଣ ରୋକିଥାଏ। କଥାରେ ଅଛି, ସ୍ବଚ୍ଛତା ହିଁ ଐଶ୍ବରିକତାର ପରିଚାୟକ।’’
Good news: ଋଣୀ ହୋଇଗଲୁ , ଘଟର୍ଲା ଗ୍ରାମବାସୀ ଆମକୁ ଦେଲେ ନୂଆ ଜୀବନ
ଦୈନନ୍ଦିନ ଜୀବନରେ ହାତଧୁଆ
ମଣିଷର ଅଙ୍ଗପ୍ରତ୍ୟଙ୍ଗ ଭିତରୁ ହାତ ବୋଧହୁଏ ସବୁଠୁ ବେଶୀ ଅପରିଷ୍କାର ହୁଏ। ହାତ ଦ୍ବାରା ମଣିଷ ଘରେ ଓ ବାହାରେ ବିଭିନ୍ନ କାମ କରେ। ସେଥିପାଇଁ ହାତ ଅପରିଷ୍କାର ହୁଏ। ତେଣୁ ପ୍ରତ୍ୟେକ କାମ ଆରମ୍ଭ କରିବା ଆଗରୁ ହାତ ଧୋଇବା ଜରୁରି। ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କହିଛି- ଜନସ୍ବାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ ସବୁଠୁ ଭଲ କାମ ଦେଉଥିବା ସହଜ ଉପାୟ ହେଉଛି ହାତ ପରିଷ୍କାର କରିବା। କ୍ଷତିକାରକ ଅଣୁଜୀବ ସଂକ୍ରମଣ ରୋକିବା ଓ କାବୁ କରିବାରେ ସଫା ହାତର ଗୁରୁତ୍ବ ରହିଛି। ତଥାପି, ସମଗ୍ର ବିଶ୍ବରେ ହାତ ଧୋଇ ପରିଷ୍କାର କରିବା କାମଟି ଲୋକମାନଙ୍କୁ କଷ୍ଟକର ମନେହୁଏ। ଏହି କାର୍ଯ୍ୟକୁ ଅଭ୍ୟାସରେ ପକେଇବା ଲାଗି ପ୍ରତିବର୍ଷ ଅକ୍ଟୋବର ୧୫ ତାରିଖକୁ ବିଶ୍ବ ହାତଧୁଆ ଦିବସ ଭାବେ ପାଳନ କରାଯାଏ।
କର୍ମକ୍ଷେତ୍ରରେ ହାତଧୁଆ
ଆଜିକାଲି ଅଫିସ୍ ଓ ଅନ୍ୟାନ୍ୟ କାର୍ଯ୍ୟକ୍ଷେତ୍ରରେ ହାତ ଧୋଇବା ପାଇଁ ଅନେକ ସହଜିଆ ଉପକରଣ ଲାଗିଲାଣି। ସାବୁନ ଓ ପାଣି ଦ୍ବାରା ଘଷିମାଜି ହାତ ଧୋଇଲେ ମଳି ଓ ରୋଗ ସଂକ୍ରମଣକାରୀ ଅଣୁଜୀବ ବାହାରିଯାଏ। ଅତି କମ୍ରେ ୨୦ ସେକେଣ୍ଡ୍ ଧରି ହାତ ଧୋଇବା ଉଚିତ। ପାପୁଲି ପଛ, ଆଙ୍ଗୁଠି ସନ୍ଧି, ନଖ ଭିତର ଯେମିତି ସଫା ହୁଏ ସେଥିପ୍ରତି ଧ୍ୟାନ ଦେବା ଦରକାର। ରେଷ୍ଟ୍ରୁମ୍ରୁ ଫେରିବା, ଖାଇବା ଆଗରୁ, କାଶିବା ଓ ଛିଙ୍କିବା ପରେ ହାତ ଅପରିଷ୍କାର ହୁଏ ବୋଲି ଲୋକେ ଜାଣନ୍ତି। ଏସବୁ କାର୍ଯ୍ୟରେ ସେମାନେ ହାତ ଧୁଅନ୍ତି। କିନ୍ତୁ, ହାତରେ ଆହୁରି ଅନେକ କାମ କରାଯାଏ। ତା’ଦ୍ବାରା ହାତ ଅପରିଷ୍କାର ହୁଏ ବୋଲି ବହୁ ଲୋକଙ୍କର ଧାରଣା ନ ଥାଏ। କାମ ଯାହା ହୋଇଥାଉ ବରଂ ସବୁ ବେଳେ ଟିକେ ହାତ ଧୋଇଦେବା ଉଚିତ।
କେମିତି ଓ କେତେବେଳେ ହାତ ଧୋଇବେ
ସାବୁନ, ପରିଷ୍କାର ଓ ବହିଯାଉଥିବା ପାଣିରେ ହାତ ନ ଧୋଇଲେ ଅନେକ ରୋଗ ବ୍ୟାପେ। ସାବୁନରେ ହିଁ ସବୁଠୁ ଭଲ ଭାବେ ହାତ ଧୋଇହୁଏ। ଯଦି ସଙ୍ଗେ ସଙ୍ଗେ ସାବୁନ କି, ପାଣି ନ ମିଳେ ତା’ହେଲେ ୬୦ ପ୍ରତିଶତ ଆଲକ୍ହଲ୍ ଥିବା ହ୍ୟାଣ୍ଡ୍ ସାନିଟାଇଜର୍ରେ ହାତ ପରିଷ୍କାର କରନ୍ତୁ। ହାତ ଧୋଇଲେ ମଣିଷ ସୁସ୍ଥ ରହେ। ଶ୍ବାସକ୍ରିୟା ଓ ପେଟ ଗୋଳମାଳ ଭଳି ରୋଗ ରୋକିହୁଏ। ଅଧୁଆ ହାତରେ ଆଖି, ନାକ ଓ ପାଟି ଛୁଇଁଲେ ଦେହ ମଧ୍ୟକୁ ଜୀବାଣୁ ପଶିଯାଏ। ଅଧୁଆ ହାତରେ ଖାଦ୍ୟପେୟ ତିଆରି କଲେ ଏବଂ ପାଣି ପିଇଲେ ବି ରୋଗରେ ପଡ଼ିବା ଆଶଙ୍କା ଥାଏ। ଜୀବାଣୁ ଥିବା ଜିନିଷପତ୍ର ଧରିଲେ ହାତରେ ଜୀବାଣୁ ଲାଗିଯାଏ। ନାକ ପୋଛିବା, ମୁହଁ ପାଖରେ ହାତ ଦେଇ କାଶିବା ଓ ଛିଙ୍କିବା ପରେ ସେହି ଅଧୁଆ ହାତରେ ଅନ୍ୟ ଲୋକକୁ ଛୁଇଁବା ଦ୍ବାରା ରୋଗ ଜୀବାଣୁ ବ୍ୟାପେ। ସବୁବେଳେ ହାତ ଧୋଇବା ସମ୍ଭବ ନୁହେଁ। ତେଣୁ, ଖାଦ୍ୟପେୟ ତିଆରି ଆଗରୁ ଓ ପରେ ଏବଂ ଖାଇବା ଆଗରୁ ଓ ପରେ ହାତ ଧୁଅନ୍ତୁ। ଝାଡ଼ାବାନ୍ତିରେ ପଡ଼ିଥିବା ଲୋକଙ୍କ ସେବା କରିବା ପରେ ଅଥବା କାହା କ୍ଷତ ଚିକିତ୍ସା କରିବା ପରେ ହାତ ଧୁଅନ୍ତୁ। ଶୌଚାଳୟରୁ ଫେରିବା ପରେ ବା ପିଲାଙ୍କ ଡାଇପର୍ ବଦଳାଇବା ପରେ ଏବଂ ନାକ ପୋଛିବା, କାଶିବା ଓ ଛିଙ୍କିବା ପରେ ହାତ ଧୁଅନ୍ତୁ। କୌଣସି ଜୀବଜନ୍ତୁ, ସେମାନଙ୍କ ଖାଦ୍ୟ ଓ ଗୋବର ଆଦି ଛୁଇଁବା ପରେ ହାତ ଧୁଅନ୍ତୁ। ପୋଷା ଜୀବଜନ୍ତୁଙ୍କୁ ଆଉଁଶିବା କି ଚିକିତ୍ସା କରିବା ପରେ ହାତ ଧୁଅନ୍ତୁ। ଅଳିଆ ଆବର୍ଜନା ସାଉଁଟିବା ପରେ ହାତ ଧୁଅନ୍ତୁ।

1 hour ago
1


