Shardiya Navratri: ଆରମ୍ଭ ହେଲା ଶାରଦୀୟ ନବରାତ୍ରି: ଆଜି ମା’ଙ୍କର ଶୈଳପୁତ୍ରୀ ବେଶ

1 hour ago 1
ARTICLE AD BOX

ଭୁବନେଶ୍ୱର: ଆଜିଠାରୁ ପୀଠରେ ଆରମ୍ଭ ହୋଇଛି ଶାରଦୀୟ ନବରାତ୍ରି। ଓଡ଼ିଶା ସମେତ ସାରାଦେଶରେ ଆରମ୍ଭ ହୋଇଛି ନବରାତ୍ର ବା ନବଦିନାତ୍ମକ ଶକ୍ତି ପୂଜା । ନବରାତ୍ରର ନଦଦିନରେ ମା’ଙ୍କର ନଅଟି ସ୍ୱରୂପର ଆରାଧନା କରାଯାଏ । ପ୍ରଥମ ଦିନରେ ମାତାଙ୍କୁ ମା’ ଶୈଳପୁତ୍ରୀ ରୂପରେ ପୂଜା କରାଯାଉଛି।। ଭକ୍ତି ଓ ଶ୍ରଦ୍ଧାର ସହ ମା’ଙ୍କ ଆରାଧନା କରି ଭକ୍ତମାନେ ସୁଖ, ଶାନ୍ତି, ସମୃଦ୍ଧି ଓ ଶକ୍ତି ପ୍ରାପ୍ତି ପାଇଁ ପ୍ରାର୍ଥନା କରୁଛନ୍ତି। ନବରାତ୍ରିର ପ୍ରଥମ ଦିନରେ ଘଟସ୍ଥାପନା ସହ ମା’ଙ୍କ ପୂଜା ଆରମ୍ଭ ହୋଇଥାଏ।

ପୌରାଣିକ ମତ ଅନୁସାରେ, ‘ଶୈଳପୁତ୍ରୀ’ ଶବ୍ଦର ଅର୍ଥ ହେଉଛି ପର୍ବତର କନ୍ୟା। ‘ଶୈଳ’ ଅର୍ଥ ପର୍ବତ ଏବଂ ‘ପୁତ୍ରୀ’ ଅର୍ଥ କନ୍ୟା। ମା’ ଶୈଳପୁତ୍ରୀ ହେଉଛନ୍ତି ପର୍ବତରାଜ ହିମାଳୟଙ୍କ କନ୍ୟା। ତାଙ୍କୁ ମା’ ପାର୍ବତୀଙ୍କ ସ୍ୱରୂପ ଏବଂ ଦେବୀ ସତୀଙ୍କ ପୁନର୍ଜନ୍ମ ଭାବେ ବର୍ଣ୍ଣନା କରାଯାଇଛି। ନବଦୁର୍ଗାଙ୍କ ନଅଟି ସ୍ୱରୂପ ମଧ୍ୟରୁ ମା’ ଶୈଳପୁତ୍ରୀ ପ୍ରଥମ। 

ମା’ ଶୈଳପୁତ୍ରୀଙ୍କ ବିଶେଷତ୍ୱ 

ମା’ ଶୈଳପୁତ୍ରୀ ବୃଷଭ ଅର୍ଥାତ୍ ନନ୍ଦୀ ଉପରେ ବିରାଜମାନ କରିଥାନ୍ତି। ତାଙ୍କର ଗୋଟିଏ ହାତରେ ତ୍ରିଶୂଳ ଓ ଅନ୍ୟ ହାତରେ ପଦ୍ମ ଶୋଭା ପାଏ। ମସ୍ତକରେ ଅର୍ଦ୍ଧଚନ୍ଦ୍ର ତାଙ୍କ ସ୍ୱରୂପର ଆକର୍ଷଣ ବୃଦ୍ଧି କରିଥାଏ। ତ୍ରିଶୂଳ ଶକ୍ତିର ପ୍ରତୀକ ହୋଇଥିବା ବେଳେ ପଦ୍ମ ପବିତ୍ରତାର ପ୍ରତୀକ ଭାବେ ପରିଚିତ। ସେ ହେଉଛନ୍ତି ତ୍ରିଦେବ ବ୍ରହ୍ମା-ବିଷ୍ଣ ଓ ମହେଶଙ୍କ ମୂଳ ଶକ୍ତି ସ୍ୱରୂପା। ମା ଶୈଳପୁତ୍ରୀ ସାଧକର ସମସ୍ତ ଭୌତିକ ଓ ଆଧ୍ୟାତ୍ମିକ ମନୋସ୍କାମନା ପୂରଣ କରନ୍ତି। ଯୋଗ ଦୃଷ୍ଟିକୋଣରୁ ନବରାତ୍ରର ପ୍ରଥମ ଦିନ ବେଶ ଗୁରୁତ୍ୱପୂର୍ଣ୍ଣ। ଏହି ପ୍ରଥମ ଦିନରୁ ହିଁ ସାଧକ ମା ଶୈଳପୁତ୍ରୀଙ୍କ ଆରାଧନା ସହ ଉଚ୍ଚତର ସିଦ୍ଧି ଅଭିମୁଖେ ଅଗ୍ରସର ହୁଏ। ମାଦ ଯୋଗରେ ମା’ ଶୈଳପୁତ୍ରୀଙ୍କୁ ମୂଳାଧାରଚକ୍ର ସହ ତୁଳନା କରାଯାଇଛି। ସାଧକ ମୂଳାଧାର ଚକ୍ରରୁ ସାଧନା ଆରମ୍ଭ କରି ସର୍ବୋଚ୍ଚ ପର୍ଯ୍ୟାୟ ସହସ୍ରାରଚକ୍ର ପର୍ଯ୍ୟନ୍ତ ଗତି କରିଥାଏ । ଭାରତରେ ବାରାଣାସୀରେ ମାତା ଶୈଳପୁତ୍ରୀଙ୍କ ମନ୍ଦିର ଅଛି। 

Shardiya Navratri: ଶାରଦୀୟ ଦୁର୍ଗା ପୂଜା: ଜାଣନ୍ତୁ ଘଟସ୍ଥାପନର ଶୁଭ ମୁହୂର୍ତ୍ତ

ନବରାତ୍ରିର ପ୍ରଥମ ଦିନରେ ମା’ଙ୍କ ପୂଜା ସହ ଘଟସ୍ଥାପନା କରାଯାଏ। ପାରମ୍ପରିକ ବିଧି ଅନୁସାରେ ପୂଜାସ୍ଥଳକୁ ପ୍ରଥମେ ସଫା କରାଯାଏ। ଏହାପରେ ମାଟିପାତ୍ରରେ ମାଟି ଓ ଯବ ବୁଣି ତା’ ନିକଟରେ ଶୁଭ କଳସ ସ୍ଥାପନ କରାଯାଏ। କଳସରେ ଜଳ ଭରି ଆମ୍ବପତ୍ର, ନଡ଼ିଆ ଆଦି ରଖି ଦେବୀଙ୍କୁ ଆବାହନ କରାଯାଏ। ତେବେ ଅଞ୍ଚଳ ଓ ପରିବାରର ପରମ୍ପରା ଅନୁଯାୟୀ ପୂଜାବିଧିରେ କିଛି ପାର୍ଥକ୍ୟ ରହିପାରେ। 
ମା’ ଶୈଳପୁତ୍ରୀଙ୍କ ମନ୍ତ୍ର 
“ଓଁ ଦେବୀ ଶୈଳପୁତ୍ର୍ୟୈ ନମଃ।”

ଧ୍ୟାନ- 
“ବନ୍ଦେ ବାଞ୍ଛିତ ଲାଭାୟ ଚନ୍ଦାର୍ଧକୃତ ଶେଖରାମ ।
 ବୃଷାରୂଢାଂ ଶୂଳଧରାଂ ଶୈଳପୁତ୍ରୀ ଯଶସ୍ୱିନୀ ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.