ARTICLE AD BOX
ନବରଙ୍ଗପୁର (ସୁରେଶ ନାଇଡୁ): ନବରଙ୍ଗପୁର ଜିଲ୍ଲାର ପ୍ରାକୃତିକ ପର୍ଯ୍ୟଟନସ୍ଥଳ ହେଉଛି ପାପଡ଼ାହାଣ୍ଡିର ମୃଗବିହାର। ଏହାକୁ ମିଳିଛି ରାଜ୍ୟର କ୍ଷୁଦ୍ରତମ ଚିଡ଼ିଆଖାନାର ମାନ୍ୟତା। ୪୦ ବର୍ଷ ପୂର୍ବେ ମାତ୍ର ୨ଟି ହରିଣରୁ ଆରମ୍ଭ ହୋଇଥିଲା ଏହି ଚିଡ଼ିଆଖାନା। ଏଠାରେ ଏବେ ଏଠାରେ ଅଛନ୍ତି ୧୧୩ ଅଣ୍ଡିରା ଓ ୧୫୨ ମାଈ ହରିଣ। ୪ଟି ବାର୍ହା, ଭାଲୁ ୨ଟି, କୁମ୍ଭୀର ଗୋଟିଏ ଏବଂ ମୟୂର ୬ଟି ରହିଛି।
ଅବିଭକ୍ତ କୋରାପୁଟ ଜିଲ୍ଲାର ଯେଉଁ ସ୍ଥାନରେ ବି ବନବିଭାଗ ପକ୍ଷରୁ କିଛି ବି ବନ୍ୟପ୍ରାଣୀ ଉଦ୍ଧାର କରାଗଲେ ଏଠାକୁ ଆଣି ଚିକିତ୍ସିତ କରି ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଛଡାଯାଇଥାଏ। କହିବାକୁ ଗଲେ ଏହି ମୃଗ ବିହାରଟି ବନ୍ୟପ୍ରାଣୀଙ୍କ ସେଫଜୋନ। ନବରଙ୍ଗପୁର ସହରଠାରୁ ୧୦ କିମି ଓ ପାପଡ଼ାହାଣ୍ଡି ସଦର ମହକୁମାରୁ ମାତ୍ର ଦେଢ଼ କିମି ଦୂର ୨୬ ନମ୍ବର ଜାତୀୟ ରାଜପଥକୁ ଲାଗି ୩୦ ଏକର ସଂରକ୍ଷିତ ଜଙ୍ଗଲ ଜମିରେ ଗଢି ଉଠିଛି ଏହି ମୃଗବିହାର। ଶାଳ, ପିଆଶାଳ ଗଛ ମଧ୍ୟରେ ରହିଛି ଏହି ଉଦ୍ୟାନ। ଏଠାରେ ବିଲୁପ୍ତପ୍ରାୟ ଚିତ୍ରା ହରିଣ (ସ୍ପଟେଡ୍ ଡିର) ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆଶ୍ରୟସ୍ଥଳୀ ଭାବରେ କାର୍ଯ୍ୟ କରୁଛି।
ଏହି ଉଦ୍ୟାନ ଏକ ବିସ୍ତୃତ ଅଞ୍ଚଳରେ ବ୍ୟାପି ରହିଛି ଏବଂ ବିଭିନ୍ନ ପ୍ରକାରର ବନ୍ୟପ୍ରାଣୀଙ୍କ ସଂରକ୍ଷଣ ଓ ପର୍ଯ୍ୟବେକ୍ଷଣ ପାଇଁ ଅନୁକୂଳ ପ୍ରାକୃତିକ ଆବାସସ୍ଥଳୀ ଯୋଗାଇଥାଏ। ଏହି ଉଦ୍ୟାନ କେବଳ ବନ୍ୟପ୍ରାଣୀ ଦେଖିବା ପାଇଁ ଏକ ଶାନ୍ତ ପରିବେଶ ଯୋଗାଏ ନାହିଁ, ବରଂ ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ ପାଇଁ ଏକ ଶିକ୍ଷାମୂଳକ କେନ୍ଦ୍ର ଭାବରେ ମଧ୍ୟ କାର୍ଯ୍ୟ କରେ। ପ୍ରତ୍ୟେକ ଦିନ ସକାଳ ୮ଟା ରୁ ସନ୍ଧ୍ୟା ୫ଟା ଯାଏଁ ଖୋଲା ରହିଥାଏ। ପରିଦର୍ଶକଙ୍କ ପାଇଁ ସାମାନ୍ୟ ଶୁଳ୍କ ଲାଗୁ କରାଯାଇଥାଏ। ଏହାର ପରିସରରେ ପ୍ରାକୃତିକ ପଦଯାତ୍ରା ପଥ, ଶୌଚାଳୟ. ପିକନିକ୍ ସ୍ଥାନ ଓ ମାର୍ଗଦର୍ଶକ ସହ ଭ୍ରମଣ କରିବା ସୁବିଧା ରହିଛି।
ପ୍ରକୃତି ପ୍ରେମୀ ଏବଂ ବନ୍ୟଜନ୍ତୁମାନଙ୍କୁ ଭଲ ପାଉଥିବା ଲୋକଙ୍କ ପାଇଁ ଏହା ଏକ ଶାନ୍ତ ଏବଂ ମନୋରମ ପରିବେଶ ସୃଷ୍ଟି କରିଥାଏ। ଏଠାରେ ପର୍ଯ୍ୟଟକମାନେ ହରିଣମାନଙ୍କୁ ନିକଟରୁ ଦେଖିବାର ଆନନ୍ଦ ନେଇପାରିବେ। ଏହା ସହିତ ଏହାର ଚାରିପାଖର ସବୁଜିମା ଭରା ପ୍ରାକୃତିକ ପରିବେଶ ପିକନିକ୍ ଓ ଭ୍ରମଣ ପାଇଁ ବହୁତ ଲୋକପ୍ରିୟ। ପାପାଡାହାଣ୍ଡିରେ ଏହି ମୃଗବିହାର ବ୍ୟତୀତ ପ୍ରସିଦ୍ଧ ପ୍ରାଚୀନ ଶ୍ରୀ ନୀଳକଣ୍ଠେଶ୍ୱର ମହାଦେବ ମନ୍ଦିର, ଶହ ଶହ ଚମ୍ପା ଗଛ ଥିବା ଐତିହାସିକ ଚମ୍ପା ବଗିଚା ଏବଂ ତୁରୀ ନଦୀ କୂଳରେ ଥିବା ସହିଦ ମିନାର ରହିଛି।
ମୃଗବିହାରକୁ ନବରଙ୍ଗପୁର ବନଖଣ୍ଡର ନବରଙ୍ଗପୁର ବନାଂଚଳ ପକ୍ଷରୁ ପରିଚାଳନା କରାଯାଉଛି। ବନବିଭାଗ ପକ୍ଷରୁ ଜଣେ ଫରେଷ୍ଟର, ଜଣେ ଫରେଷ୍ଟ ଗାର୍ଡ ଏବଂ ୪ ଜଣ ଶ୍ରମିକ ନିୟୋଜିତ ହୋଇଛନ୍ତି। ପ୍ରାଣୀମାନଙ୍କ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଜଣେ ପ୍ରାଣୀ ଚିକିତ୍ସକ ମଧ୍ୟ ରହିଛନ୍ତି।

49 minutes ago
2


