ARTICLE AD BOX
ନୂଆଦିଲ୍ଲୀ: ବିରୋଧୀ ଇଣ୍ଡିମେଣ୍ଟର ନଭେମ୍ବର ୧ରେ ନୂଆଦିଲ୍ଲୀରେ ଆୟୋଜିତ ରାଲିରେ ଯୋଗ ଦେଇନଥିବାରୁ ୨୦୦ରୁ ଅଧିକ ଯୁବ କଂଗ୍ରେସ କର୍ମୀ ନିଲମ୍ବିତ ହୋଇଛନ୍ତି। ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ବିରୋଧରେ ଆୟୋଜିତ ଏହି ରାଲିର ନେତୃତ୍ୱ କଂଗ୍ରେସ ନେତା ରାହୁଲ ଗାନ୍ଧୀ ନେଇଥିଲେ।
ନିଲମ୍ବିତ କର୍ମୀଙ୍କ ମଧ୍ୟରେ ମଧ୍ୟପ୍ରଦେଶ ଯୁବ କଂଗ୍ରେସର ସାଧାରଣ ସମ୍ପାଦକ ରୋହିତ ରାଜୋରିଆ ମଧ୍ୟ ଅଛନ୍ତି। ନିଜ କାକାଙ୍କ ମୃତ୍ୟୁ ପରେ ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗ ଦେବାକୁ ଥିବାରୁ ସେ ରାଲିରେ ସାମିଲ ହୋଇପାରି ନଥିଲେ ବୋଲି କହିଛନ୍ତି। ଏ ସମ୍ପର୍କରେ ସେ ପୂର୍ବରୁ ଦଳକୁ ଅବଗତ କରାଇଥିଲେ। ତଥାପି କୌଣସି କାରଣ ଦର୍ଶାଅ ନୋଟିସ୍ ନ ଦେଇ ତାଙ୍କୁ ନିଲମ୍ବନ କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ଏଥିସହ ଦଳରେ ଏଆଇଏସ୍ଏ ମୁଖ୍ୟ ନେହା ବୋରାଙ୍କୁ ଅତ୍ୟଧିକ ଗୁରୁତ୍ୱ ଦିଆଯାଉଥିବା ନେଇ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ମଧ୍ୟପ୍ରଦେଶରେ ନିଲମ୍ବିତ ହୋଇଥିବା ୬୦ ଜଣଙ୍କ ମଧ୍ୟରେ ୯ ଜଣ ଜିଲ୍ଲା ସଭାପତି, ୫ ଜଣ ଉପସଭାପତି, ୧୪ ଜଣ ସାଧାରଣ ସମ୍ପାଦକ ଓ ୩୨ ଜଣ ସମ୍ପାଦକ ଅଛନ୍ତି। ଯୁବ କଂଗ୍ରେସ ନିଜର ଆଧିକାରିକ ସୋସିଆଲ ମିଡିଆ ଆକାଉଣ୍ଟ୍ ଜରିଆରେ କର୍ମୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଘୋଷଣା କରିଥିଲା। ମୋଟ ୮ଟି ରାଜ୍ୟରେ ୨୧୫ ଜଣ କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ଏହି ପଦକ୍ଷେପ ନିଆଯାଇଛି। ଦଳୀୟ କର୍ମୀଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନକୁ ନେଇ କଂଗ୍ରେସ ଭିତରେ ଓ ବାହାରେ ପ୍ରଶ୍ନ ଉଠିଛି। ବିଜେପି ମଧ୍ୟ ଏହି ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରିଛି। ତାଙ୍କ ନିଜ ଦଳର ସହକର୍ମୀମାନେ ମଧ୍ୟ ତାଙ୍କ ରାଲିରେ ଯୋଗ ଦେବାକୁ ଇଚ୍ଛୁକ ନାହାନ୍ତି ବୋଲି ବିଜେପି କହିଛି।

49 minutes ago
1


