ARTICLE AD BOX
କଟକ: ବିଶ୍ବସ୍ତରୀୟ ହେବାକୁ ଯାଉଥିବା ଏସ୍ସିବି ମେଡିକାଲ୍ କଲେଜର ନିର୍ମାଣାଧୀନ କୋଠା ମଧ୍ୟରୁ ଦୁଇଟି ମେଡିକାଲ୍ ଟାୱାର ସେପ୍ଟେମ୍ବର ୩୦ ସୁଦ୍ଧା ଏସ୍ସିବି କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯିବ। ଏହି କୋଠାରେ ପ୍ରଥମ ପର୍ଯ୍ୟାୟରେ ମେଡିସିନ୍, ସର୍ଜରି ଓ ଟ୍ରମା ଆଇସିୟୁ କାର୍ଯ୍ୟକ୍ଷମ ହେବ। ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ବିଭାଗଗୁଡ଼ିକ ଏହି ନୂଆ କୋଠାକୁ ସ୍ଥାନାନ୍ତର କରାଯିବ। ସ୍ବାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଏସ୍ସିବି ମେଡିକାଲ ଗସ୍ତରେ ଆସିଥିବା ବେଳେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି।
Neglect: ଗୋଟିଏ ଭୁଲରେ ବନ୍ଦ ହେଲା ଆଧାର, ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ
ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏସ୍ସିବି ସମ୍ପ୍ରସାରଣ ପାଇଁ ୪୪୦୦ କୋଟି ଟଙ୍କା ବ୍ୟୟରେ ଓବିସିସି ପକ୍ଷରୁ ନିର୍ମାଣ ହେଉଥିବା କ୍ଲିନିକାଲ୍ ଓ ଆବାସିକ କୋଠା ନିର୍ମାଣର ଆଜି ସମୀକ୍ଷା କରିଛନ୍ତି। ନିଷ୍ପତ୍ତି ଅନୁଯାୟୀ କ୍ଲିନିକାଲ୍ କୋଠାର ଦୁଇଟି ଟାୱାର ସିଏନ୍ -୧ ଓ ସିଏନ୍-୪କୁ ପ୍ରଥମେ ହସ୍ତାନ୍ତର କରାଯିବ। ସିଏନ୍-୧କୁ ମେଡିସିନ ବିଭାଗର ୬୦୦ ବେଡ୍, ସିଏନ-୪କୁ ଟ୍ରମା ଆଇସିୟୁ ଓ ସର୍ଜରିର ମୋଟ ୫୦୬ ବେଡ୍ ସ୍ଥାନାନ୍ତର କରାଯିବ। ଦୁଇଟି ଟାୱାର ହସ୍ତାନ୍ତର କରାଯିବା ପରେ ଏହି କୋଠାରେ ଓଡ଼ିଶା ରାଜ୍ୟ ମେଡିକାଲ୍ କର୍ପୋରେସନ୍(ଓଏସଏମସି) ପକ୍ଷରୁ ମେଡିକାଲ ଉପକରଣ ୩ ମାସ ମଧ୍ୟରେ ସଂଯୋଗ କରାଯିବ। ୨୦୨୭ ଜାନୁଆରି ସୁଦ୍ଧା ଏହି ନୂଆ କୋଠାକୁ ରୋଗୀସେବା ପାଇଁ କାର୍ଯ୍ୟକ୍ଷମ କରାଯିବ। ସେହିଭଳି ଆବାସିକ କୋଠାର ୧୩ଟି ଟାୱାରରେ ୨୨ଶହ ୪୪ଟି ପିଜି ହଷ୍ଟେଲ୍ ବେଡ୍ ଓ ୬୭୨ ଡାକ୍ତର କ୍ବାର୍ଟର୍ସ ରହିଛି। ସେଥିରୁ ସେପ୍ଟେମ୍ବର ୩୦ ସୁଦ୍ଧା ୧୦ଟି ଟାୱାର ହସ୍ତାନ୍ତର କରାଯିବ। ଅବଶିଷ୍ଟ ୩ଟି ଟାୱାର ନଭେମ୍ବର ସୁଦ୍ଧା ହସ୍ତାନ୍ତର କରାଯିବ।
୨୦୨୭ ଜାନୁଆରିରୁ ରୋଗୀସେବା
୩ ମାସ ଭିତରେ ପୂରଣ ହେବ ୫୦୦ ପଦ
ଅନ୍ୟପଟେ ଏସ୍ସିବିରେ ପ୍ରଫେସରଠାରୁ ଆରମ୍ଭ କରି ସୁଇପର୍ ପର୍ଯ୍ୟନ୍ତ ଆବଶ୍ୟକ ଥିବା ୫୦୦ ନୂଆ ପଦ ପୂରଣ ପାଇଁ ଗଲା ତିନି ମାସ ତଳେ ଏସ୍ସିବି କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ। ଏହାକୁ ଆସନ୍ତା ତିନି ମାସ ମଧ୍ୟ ଭିତରେ ପୂରଣ କରାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ମହାଲିଙ୍ଗଙ୍କ ଗସ୍ତ ସମୟରେ ନୂତନ ନିର୍ମାଣାଧୀନ ହସ୍ପିଟାଲ ବ୍ଲକ୍, ପିଜି ହଷ୍ଟେଲ୍, ରେସିଡେଣ୍ଟ ଡାକ୍ତରମାନଙ୍କ ହଷ୍ଟେଲ୍ ଏବଂ ସହକାରୀ ପ୍ରଫେସରମାନଙ୍କ ବାସଭବନ ବୁଲି ଦେଖିଥିଲେ। ହସ୍ପିଟାଲର ପ୍ରତ୍ୟେକ ଭବନରେ ଅଗ୍ନି ନିର୍ବାପକ ଉପକରଣ, ଜରୁରିକାଳୀନ ନିର୍ଗମନ ପଥ, ଫାୟାର ଆଲାର୍ମ ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ସୁରକ୍ଷା ବ୍ୟବସ୍ଥାର କାର୍ଯ୍ୟକାରିତା ସୁନିଶ୍ଚିତ କରିବା ସହିତ ନିୟମିତ ଅଡିଟ୍ ଓ ମକ୍ ଡ୍ରିଲ୍ ଆୟୋଜନ କରିବାକୁ ଗୁରୁତ୍ୱାରୋପ କରିଥିଲେ। ମନ୍ତ୍ରୀଙ୍କ ଗସ୍ତ ସମୟରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ୱାଳ, ସ୍ୱାସ୍ଥ୍ୟ ସଚିବ ତଥା କମିସନର ଅଶ୍ୱତୀ ଏସ୍., ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।
Medical College: ୮ ମେଡିକାଲ କଲେଜ ନକ୍ସା ଚୂଡ଼ାନ୍ତ: ଢେଙ୍କାନାଳ, ଜଗତସିଂହପୁର ଓ ଭଦ୍ରକରେ ହେବ ମେଡିକାଲ କଲେଜ

1 hour ago
3


