Arrested: ଡେବ୍ରିଗଡ଼ ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାର ଯୋଜନା ପଣ୍ଡ, ବନ୍ଧା ହେଲେ ୪ ଶିକାରୀ

17 minutes ago 1
ARTICLE AD BOX

ସମ୍ବଲପୁର: ଡେବ୍ରିଗଡ଼ ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାରଯୋଜନାକୁ ପଣ୍ଡ କରିଛି ବନବିଭାଗ। ଅଭୟାରଣ୍ୟ ସଂଲଗ୍ନ ଅଞ୍ଚଳରେ ଚଢ଼ଉ କରି ବନ ବିଭାଗ ୪ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବରଗଡ଼ଜିଲ୍ଲା ଟିଲେଇମାଲ ଗ୍ରାମର କିଶୋର ଖମାରୀ (୪୬), ହୀରାଧର ଭୁଏ (୪୨), ଆଶିଷ ଭୁଏ (୨୯) ଏବଂ ଜିତେନ୍ଦ୍ର ଭୁଏ (୨୫)। ସେମାନଙ୍କ ନିକଟରୁ ୫ କେଜି ବାଇଣ୍ଡିଂ ତାର, ଶିକାର ପାଇଁ ବ୍ୟବହୃତ ଫାଶ ଓ ଯନ୍ତା, ଗୋଟିଏ କୁରାଢ଼ି, ଗୋଟିଏ ମୋଟରସାଇକେଲ ଏବଂ ୩ଟି ମୋବାଇଲ ଫୋନ୍‌ ଜବତ କରାଯାଇଛି।

ବନ ବିଭାଗ ସୂଚନା ଅନୁସାରେ, ଡେବ୍ରିଗଡ଼ ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାର ପାଇଁ ଏକ ଗୋଷ୍ଠୀ ଫାଶ ଓ ଯନ୍ତା ବିଛାଇବାକୁ ଯୋଜନା କରୁଥିବା ନେଇ ଗୁଇନ୍ଦା ସୂଚନା ମିଳିଥିଲା। ଏହାକୁ ଆଧାର କରି ଗତ ୧୫ ତାରିଖରେ ଲଖନପୁର ବନ୍ୟପ୍ରାଣୀ ରେଞ୍ଜ ଅଧୀନ ୪ଟି ଗ୍ରାମ ନିକଟରେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଘର ଏବଂ ସଂଲଗ୍ନ ଜଙ୍ଗଲ ଅଞ୍ଚଳରେ ଚଢ଼ଉ କରାଯାଇଥିଲା। ଶିକାର ସାମଗ୍ରୀ ଠାବ କରିବା ପାଇଁ ମେଟାଲ ଡିଟେକ୍ଟର ବ୍ୟବହାର କରାଯାଇଥିଲା। ବରଗଡ଼ ପୁଲିସ ସହାୟତାରେ ମୋବାଇଲ ଫୋନ୍‌ ଟ୍ରାକିଂ କରି ଜଣେ ପ୍ରମୁଖ ଅଭିଯୁକ୍ତଙ୍କୁ ଠାବ କରାଯାଇଥିଲା। ଗିରଫ ୪ ଜଣଙ୍କୁ ୧୬ ତାରିଖରେ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।

ପ୍ରାଥମିକ ତଦନ୍ତରୁ ଅଭିଯୁକ୍ତମାନେ ମିଳିତ ଭାବେ ବନ୍ୟଜନ୍ତୁ ଶିକାର ପାଇଁ ଫାଶ ବିଛାଇବାକୁ ଯୋଜନା କରୁଥିବା ଜଣାପଡ଼ିଛି। ବାଇଣ୍ଡିଂ ତାରରେ ପ୍ରସ୍ତୁତ ଫାଶ ବନ୍ୟଜନ୍ତୁଙ୍କ ଚଳପ୍ରଚଳ ରାସ୍ତାରେ ବିଛାଯାଇଥାଏ। ଏଥିରେ ତୃଣଭୋଜୀ ଓ ମାଂସାଶୀ ଉଭୟ ପ୍ରକାର ବନ୍ୟଜନ୍ତୁ ଫସି ଗୁରୁତର ଆହତ ହେବା ସହ ପ୍ରାଣ ହରାଇବାର ଆଶଙ୍କା ରହିଥାଏ।

ଅନ୍ୟପକ୍ଷରେ ଶିକାର ରୋକିବା ପାଇଁ ଡେବ୍ରିଗଡ଼ ଅଭୟାରଣ୍ୟର ପ୍ରାୟ ୪୦ ପ୍ରତିଶତ ସୀମାରେ ତାରବାଡ଼ ଦିଆଯାଇଛି। ବିଶେଷକରି ଚାଷଜମି ସଂଲଗ୍ନ ସମ୍ବେଦନଶୀଳ ଅଞ୍ଚଳରେ ଏହି ବ୍ୟବସ୍ଥା କରାଯାଇଛି। ଫସଲ ଋତୁରେ ବନ୍ୟଜନ୍ତୁ ଚାଷଜମି ଆଡ଼କୁ ଆସୁଥିବାରୁ ଫସଲ କ୍ଷୟକ୍ଷତି ସହ ଶିକାର ଆଶଙ୍କା ମଧ୍ୟ ବଢ଼ିଥାଏ।

୨୭ଟି ପାଟ୍ରୋଲିଂ ଦଳ ନିୟୋଜିତ

ବର୍ତ୍ତମାନ ଅଭୟାରଣ୍ୟ ସୁରକ୍ଷାରେ ୨୫୦ ଜଣ ସୁରକ୍ଷା କର୍ମଚାରୀ ଏବଂ ୨୭ଟି ପାଟ୍ରୋଲିଂ ଦଳ ନିୟୋଜିତ ଅଛନ୍ତି। ପ୍ରତି ମାସରେ ବନ କର୍ମଚାରୀମାନେ ୬ ହଜାର କିଲୋମିଟରରୁ ଅଧିକ ଦୂରତା ପାଦରେ ପାଟ୍ରୋଲିଂ କରୁଛନ୍ତି। ସମ୍ବେଦନଶୀଳ ପ୍ରବେଶପଥଗୁଡ଼ିକରେ କ୍ୟାମେରା ଟ୍ରାପ୍‌ ଏବଂ ସ୍ବତନ୍ତ୍ର ନିରୀକ୍ଷଣ ଦଳ ମୁତୟନ କରାଯାଇଛି। ଏଥିସହ ୬୭ଟି ପରିବେଶ ବିକାଶ କମିଟି ମାଧ୍ୟମରେ ଶିକାର ନିରୋଧ ଓ ବନ୍ୟପ୍ରାଣୀ ସଂରକ୍ଷଣ ନେଇ ସଚେତନତା ସୃଷ୍ଟି କରାଯାଉଛି।ନିକଟରେ ଡେବ୍ରିଗଡ଼କୁ ଏକ ଅଣ୍ଡିରା ମହାବଳ ବାଘ ଆସିବା ପରେ ସୁରକ୍ଷା ବ୍ୟବସ୍ଥା ସହ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇଛି। ଅଭୟାରଣ୍ୟ ସଂଲଗ୍ନ ୧୦୦ରୁ ଅଧିକ ଗ୍ରାମରେ ବାଘର ପରିବେଶଗତ ଗୁରୁତ୍ବ, ମଣିଷ ଓ ବନ୍ୟଜନ୍ତୁଙ୍କ ସହାବସ୍ଥାନ ଏବଂ ଶିକାର ସମ୍ପର୍କରେ ସୂଚନା ପ୍ରଦାନକାରୀଙ୍କ ପାଇଁ ନଗଦ ପୁରସ୍କାର ବ୍ୟବସ୍ଥା ସମ୍ପର୍କିତ ପୋଷ୍ଟର ଲଗାଯାଇଛି।

ଘଟଣାର ଅଧିକ ତଦନ୍ତ ଜାରି

ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡର ଡିଏଫ୍‌ଓ କହିଛନ୍ତି, ବନ୍ୟପ୍ରାଣୀ ସୁରକ୍ଷା କେବଳ ଶିକାରୀଙ୍କୁ ଗିରଫ କରିବା କିମ୍ବା ଅପରାଧ ଘଟିବା ପରେ ପଦକ୍ଷେପ ନେବାରେ ସୀମିତ ନୁହେଁ। ବନ୍ୟଜନ୍ତୁଙ୍କ କ୍ଷତି ହେବା ପୂର୍ବରୁ ବିପଦକୁ ରୋକିବା ହେଉଛି ମୁଖ୍ୟ ଉଦ୍ଦେଶ୍ୟ। ବନ୍ୟଜନ୍ତୁ ଯେପରି ସୁରକ୍ଷିତ ଭାବେ ବିଚରଣ, ଖାଦ୍ୟ ସଂଗ୍ରହ ଓ ବଂଶବୃଦ୍ଧି କରିପାରିବେ, ସେଭଳି ବାସସ୍ଥଳୀ ସୁରକ୍ଷିତ ରଖିବାକୁ ପ୍ରାଥମିକତା ଦିଆଯାଉଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।

Doctor Treatment: ବିଦ୍ୟୁତ୍ କାଟ ହେବାରୁ ମୋବାଇଲ ଲାଇଟରେ ରୋଗୀଙ୍କ ଜିକିତ୍ସା କଲେ ଡାକ୍ତର

Read Entire Article
LEFT SIDEBAR AD

Hidden in mobile, Best for skyscrapers.