ARTICLE AD BOX
ସଂଗ୍ରାମ କେଶରୀ ରାଉତ
ପୃଥିବୀ ସାରା ପ୍ରକୃତିର ସୁରକ୍ଷା, ସଂରକ୍ଷଣ ଓ ଅଭିବୃଦ୍ଧି ପାଇଁ ୧୯୪୮ ମସିହାରେ ଜାତିସଂଘ ଆନୁକୂଲ୍ୟରେ ଆଇ.ୟୁ.ସି.ଏନ୍. (ଇଣ୍ଟରେନସନାଲ ୟୁନିଅନ ଫର କନଜରଭେସନ ଅଫ ନେଚର) ବା ଅନ୍ତର୍ଜାତୀୟ ପ୍ରକୃତି ଓ ସଂରକ୍ଷଣ ସଂଘ ଗଢ଼ାଗଲା। ଏହାର ମାର୍ଗଦର୍ଶିକାକୁ ସମସ୍ତ ଦେଶ ଗ୍ରହଣ କଲେ। ଆଇ.ୟୁ.ସି.ଏନ. ଜରିଆରେ ବନ୍ୟ ପ୍ରଣୀ ଓ ଉଦ୍ଭିଦର ସଂଖ୍ୟା, ବିବିଧତା, ବହୁଳତା, ବିରଳତା, ବ୍ୟାପକତା, େସମାନଙ୍କ ପ୍ରତି ବିପଦ ଆଦି ବିଷୟରେ ଗଭୀର ଅନୁଧ୍ୟାନ କରାଯାଇ ସେମାନଙ୍କ ସୁରକ୍ଷା ଓ ସଂକ୍ଷଣ ପାଇଁ ସମସ୍ତ ବନ୍ୟ ପ୍ରାଣୀ ଓ ଉଦ୍ଭିଦଙ୍କୁ ୯ଟି ଶ୍ରେଣୀରେ ବାଣ୍ଟି ଦିଆଗଲା।
ସେହି ତାଲିକାର ଏକ ନମ୍ବରରେ ରହିଲେ ପୃଥିବୀରୁ ସଂପୂର୍ଣ୍ଣ ବିଲୁପ୍ତ ପାଇଥିବା ଜୀବ ଓ ବୃକ୍ଷ, ଯେଉଁମାନେ ଦୃଷ୍ଟିଗୋଚର ହେବାର ଆଉ କୌଣସି ସମ୍ଭାବନା ନାହିଁ, ଯେମିତି କି ଡାଇନୋସର ଓ ଡୋଡୋ। ଦୁଇ ନମ୍ବରରେ ରହିଲେ ବନରେ ବିଲୁପ୍ତ ହୋଇଯାଇଥିଲେ ହେଁ ଚିଡ଼ିଆଖାନାରେ ରହିଥିବା ପ୍ରାଣୀ, ଯେମିତି ଶାଗୁଣା। ତିନି ନମ୍ବରରେ ଆସିଲେ ସଂକଟଜନକ ଭାବେ ବିପଦାପନ୍ନ ପ୍ରାଣୀ, ଯେଉଁମାନେ ଦଶ ବର୍ଷ ମଧ୍ୟରେ ୮୦ରୁ ୯୦ ଭାଗ କମି ଯାଇଥିେବ, ଯେମିତି ଆମ ଦେଶର ବାଘ। ଚାରି ନମ୍ବରରେ ଆସିବେ, ସେହି ବିପଦାପନ୍ନ ପ୍ରାଣୀ, ୧୦ ବର୍ଷ ମଧ୍ୟରେ ଯେଉଁମାନଙ୍କ ସଂଖ୍ୟା ୫୦ରୁ ୭୦ ଭାଗ କମିଥିବ। ପାଞ୍ଚ ନମ୍ବରରେ ରହିବେ ‘ଭଲନରେବଲ’ ବା ଦୁର୍ବଳ ସ୍ଥିତିରେ ଥିବା ପ୍ରାଣୀ, ୧୦ ବର୍ଷ ମଧ୍ୟରେ ଯେଉଁମାନଙ୍କ ସଂଖ୍ୟା ୩୦ ଭାଗ କମିଥିବ। ଷଷ୍ଠରେ ଆସିବେ ଆସନ୍ନ ବିପଦର ସାମନା କରୁଥିବା ସେହି ଜୀବଜନ୍ତୁ ଯେଉଁମାନଙ୍କ ସଂଖ୍ୟା ଶୀଘ୍ର କମିଯିବାର ଭୟ ଥିବ। ସପ୍ତମରେ ଆସିବେ ସେହି ବନ୍ୟ ଜନ୍ତୁ, ଯାହାଙ୍କ ସଂଖ୍ୟା ଉପେର ବିପଦ ନାହିଁ। ଅଷ୍ଟମରେ ଆସିବେ ସେହି ଜୀବଜନ୍ତୁ େଯଉଁମାନଙ୍କର ସଂଖ୍ୟାର ହିସାବ ବା ତଥ୍ୟ ନ ଥିବ। ନଅ ନମ୍ବରେ ଆସିବେ ସେଭଳି ବନ୍ୟ ଜନ୍ତୁ ଯେଉଁମାନଙ୍କ ସଂଖ୍ୟା ନେଇ ଆଇ.ୟୁ.ସି.ଏନ. ଆଦୌ ଚିନ୍ତିତ ନୁହେଁ।
୧୯୭୧ ମସିହାରେ ସ୍ୱିଡେନର ରାଜଧାନୀ ଷ୍ଟକହୋମ ଠାରେ ଅନୁଷ୍ଠିତ ଆଇ.ୟୁ.ସି.ଏନ. ସମ୍ମିଳନୀରେ ଭାରତର ମହାବଳ ବାଘଙ୍କ ସଂଖ୍ୟା ଏକଦା ୫୦ ହଜାରରୁ ୧୮୨୭କୁ ଖସି ଆସିବା ବିଷୟ ଘୋର ଉଦ୍ବେଗ ସୃଷ୍ଟି କରିଥିଲା। ଏଥିରେ ବିଚଳିତ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଆଇ.ୟୁ.ସି.ଏନ. ମାର୍ଗଦର୍ଶିକା ଆଧାରରେ ଐତିହାସିକ ୧୯୭୨ ବନ୍ୟ ଜନ୍ତୁ ସୁରକ୍ଷା ଆଇନ ଲାଗୁ କଲେ। ଏହା ପରେ ବନ୍ୟ ଜନ୍ତୁଙ୍କୁ ପାଳିବା, ପୋଷିବା, ବେପାର କରିବା ଓ ଶିକାର କରିବା ଆଦି ସକାଶେ ଜରିମାନା ଓ ଜେଲ୍ ଭଳି ଦଣ୍ଡର ବ୍ୟବସ୍ଥା ରହିଲା। ବନ୍ୟ ପ୍ରାଣୀ ବଂଶ ବୃଦ୍ଧି ପାଇଁ ତୁରନ୍ତ ଉତ୍ତରାଖଣ୍ଡରେ ଥିବା ଜିମ କରବେଟ ଜାତୀୟ ଉଦ୍ୟାନକୁ ‘ପ୍ରୋଜେକ୍ଟ ଟାଇଗର’ ରୂପେ ଘୋଷଣା କରାଗଲା। ଆମ ରାଜ୍ୟର ଶିମିଳିପାଳ ସହ ଦେଶରେ ୯ଟି ବ୍ୟାଘ୍ର ପ୍ରକଳ୍ପ ଘୋଷଣା କରାଗଲା। ସେହିଭଳି ୧୯୭୫ରେ ୩ ଜାତିର କୁମ୍ଭୀର (ବଉଳା, ଘଡ଼ିଆଳ ଓ ଗୋମୁହଁା) ଓ ସାମୁଦ୍ରିକ କଇଁଛ, ୭୭ ମସିହାରେ ମଣିପୁରର ଥିମିଆ ହରିଣ, ୮୬ ମସିହାରେ ଡଲଫିନ ବା ଶିଶୁମାର, ୯୨ ମସିହାରେ ହାତୀ, ୨୦୦୫ ମସିହାରେ ଗଣ୍ଡା, ୨୦୦୬ ମସିହାରେ ଶାଗୁଣା, ୨୦୦୯ ମସିହାରେ ହିମ ଚିତା, ୨୦୧୩ ମସିହାରେ ସାରସ ପକ୍ଷୀ, ୨୦୨୨ ମସିହାରେ ଚିତା ଇତ୍ୟାଦିଙ୍କ ବଂଶ ବୁଦ୍ଧି ପାଇଁ ସ୍ବତନ୍ତ୍ର ଭାବରେ ପ୍ରକଳ୍ପମାନର ଘୋଷଣା କରାଗଲା। ଦେଶ ଓ ରାଜ୍ୟରେ ବନ୍ୟ ଜନ୍ତୁ ବୋର୍ଡ ଗଠନ କରାଗଲା। ବନ୍ୟ ଜନ୍ତୁମାନଙ୍କ ସୁରକ୍ଷା ଲାଗି ରାଜ୍ୟଗୁଡ଼ିକରେ ସ୍ୱତନ୍ତ୍ର ମୁଖ୍ୟ ବନ୍ୟ ଜନ୍ତୁ ତତ୍ତ୍ବାବଧାରକ ବା ପି.ସି.ସି.ଏଫ୍. ନିଯୁକ୍ତ ହେଲେ। ଅବୈତନିକ ବନ୍ୟ ଜନ୍ତୁ ତତ୍ତ୍ୱାବଧାରକମାନ ନିଯୁକ୍ତ ହେଲେ। ଜାତୀୟ ଉଦ୍ୟାନ, ଅଭୟାରଣ୍ୟ, ରମସାର ସାଇଟ, ଜୈବମଣ୍ଡଳ, କମ୍ୟୁନିଟି ରିଜର୍ଭ ଓ କନଜରଭେସନ ରିଜର୍ଭ ଆଦି ସୃଷ୍ଟି ହେଲା।
ତେବେ, ଏଭଳି ଉଦ୍ୟମରେ ମହାବଳ ବାଘ, ସାରସ ଓ ଶାଗୁଣା ପ୍ରକଳ୍ପର ସଫଳତା ଆଶାନୁରୂପକ ହୋଇ ନ ଥିବା ବେଳେ ଅନ୍ୟମାନଙ୍କ କ୍ଷେତ୍ରରେ ଖୁବ୍ ସଫଳତା ମିଳିଛି। ଏପରିକି ଏବେ ତା’ର କୁଫଳ ମଧ୍ୟ ଉଦ୍ବେଗର କାରଣ ହେଲାଣି। ବିଶେଷ କରି ମାଙ୍କଡ଼, ବାର୍ହାମାନଙ୍କର ମାତ୍ରାଧିକ ବଂଶ ବୃଦ୍ଧି ହେତୁ ବିଭିନ୍ନ ସମସ୍ୟା ଦେଖା ଦେଲାଣି। ସତୁରି ପ୍ରକାର ପକ୍ଷୀଙ୍କ ବଂଶ ଲୋପ ପାଇଯିବା ଉପରେ ଏବଂ ସ୍ଥଳ ଭାଗରେ ବଂଶ ବିସ୍ତାର କରୁଥିବା ଅନେକ ପଶୁପକ୍ଷୀଙ୍କ ଉପରକୁ ବିପଦ ମାଡ଼ି ଆସୁଛି। ଏ ସଂଦର୍ଭରେ ଅଭିଯୋଗ ହେଉଛି ଯେ ଅନେକ ପଶୁପକ୍ଷୀଙ୍କ ଗଣତି କରାଯାଇ ସେମାନଙ୍କ ସଂଖ୍ୟା ପ୍ରକାଶ କରାଯାଉଥିଲେ ହେଁ ବାର୍ହା ଓ ମାଙ୍କଡ଼ମାନଙ୍କ ସଂଖ୍ୟା ନେଇ କୌଣସି ତଥ୍ୟ ବା ସୂଚନା ନାହିଁ। ଅନୁମାନ କରାଯାଏ ଯେ ଏମାନଙ୍କ ସଂଖ୍ୟା ପ୍ରାୟ ୫ କୋଟି ହେବ। ପୁଣି ଏକ ବିଡ଼ମ୍ବନା ହେଲା ମାଙ୍କଡ଼ ଓ ବାର୍ହା ସିଡ୍ୟୁଲ-୨ରେ ଅନ୍ତର୍ଭୁକ୍ତ। ୧୯୭୨ ମସିହାର ବନ୍ୟ ଜନ୍ତୁ ସୁରକ୍ଷା ଆଇନରେ ବନ୍ୟ ଜନ୍ତୁ ବିଷୟ ରାଜ୍ୟ ତାଲିକାଭୁକ୍ତ ଥିଲା, ଯାହା ୧୯୭୮ରେ ଯୁଗ୍ମ ତାଲିକା ଭୁକ୍ତ ହେଲା। କୌଣସି ଉପଦ୍ରବୀ ପ୍ରାଣୀକୁ ‘ଭର୍ମିନ’ ଘୋଷଣା କରି ମାରିବାର ଅଧିକାର ୧୯୯୨ ମସିହାରେ କେନ୍ଦ୍ର ସରକାର ନିଜ ହାତକୁ ନେଇଗଲେ। ୨୦୨୨ ମସିହାର ବନ୍ୟ ପ୍ରାଣୀ ସଂଶୋଧନ ଫଳରେ ବାର୍ହା ଓ ମାଙ୍କଡ଼ମାନେ ସିଡ୍ୟୁଲ-୨ରେ ଅନ୍ତର୍ଭୁକ୍ତ ହେଲେ।
ଏମିତି ଭାବେ ଏହି ପ୍ରାଣୀ ଦ୍ବୟ ସୁରକ୍ଷାର କବଚ ପାଇଲେ। ଏଣେ, ଆଇ.ୟୁ.ସି.ଏନ. ଗାଇଡଲାଇନ ଅନୁସାରେ ବାରହା ଓ ମାଙ୍କଡ଼ ଭଳି ହିସାବ ନ ଥିବା ପ୍ରାଣୀ ୮ ନମ୍ବରରେ ଯାଆନ୍ତି, ଯାହାର ଅର୍ଥ ଏମାନଙ୍କ ସୁରକ୍ଷା ଉଦ୍ବେଗର ବିଷୟ ନୁହେଁ।
ଏହି ପରିପ୍ରେକ୍ଷୀରେ ଗୁରୁତ୍ବପୂର୍ଣ୍ଣ କଥା ହେଲା, ବନ୍ୟ ଜନ୍ତୁଙ୍କ ସୁରକ୍ଷା ନେଇ ଅନାବଶ୍ୟକ ଆଗ୍ରହାତିଶଯ୍ୟ ହେତୁ ଅନେକ ମନୁଷ୍ୟ ଦାରୁଣ କଷଣ ଦେଇ ଯାଉଛନ୍ତି। ବାର୍ହା ଓ ମାଙ୍କଡ଼ଙ୍କ ଉତ୍ପାତ କିଭଳି ଦୁର୍ବିଷହ ହେଲାଣି, ତାହା ଏବେ ଓଡ଼ିଶାର ଚାଷୀଭାଇମାନେ ଅଙ୍ଗେ ନିଭାଉଛନ୍ତି। ଏଣୁ ବନ୍ୟ ପ୍ରାଣୀ ସଂରକ୍ଷଣ ବାବଦରେ ପୁନର୍ଚିନ୍ତନର ଆବଶ୍ୟକତା ରହିଛି ବୋଲି ମତ ମଧ୍ୟ ପ୍ରକାଶ ପାଉଛି।
(ମତାମତ ଲେଖକଙ୍କ ନିଜସ୍ବ)
ମୋ : ୯୪୩୭୮୧୮୨୩୩

1 hour ago
1


