ARTICLE AD BOX
ମୁମ୍ବାଇ: ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍ଙ୍କ କାର୍ ଉପରକୁ ଗୁଳିମାଡ଼ ଘଟଣାରେ ତଦନ୍ତ ତ୍ବରାନ୍ବିତ ହେବା ସହ ନୂଆ ତଥ୍ୟ ସାମନାକୁ ଆସିଛି। ଟାଇଗରଙ୍କୁ ଟାର୍ଗେଟ୍ କରିବା ପୂର୍ବରୁ ଅଭିଯୁକ୍ତମାନେ ବଲିଉଡ୍ର ତିନି ପ୍ରମୁଖ ଅଭିନେତା ଅମିତାଭ ବଚ୍ଚନ, ଅକ୍ଷୟ କୁମାର ଓ ଆମିର ଖାନ୍ଙ୍କ ଘର ନିକଟରେ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଥିବା ଜଣାପଡ଼ିଛି। ତେବେ କଡ଼ା ସୁରକ୍ଷା ଯୋଗୁଁ ସେମାନେ ଯୋଜନା ବଦଳାଇ ଟାଇଗରଙ୍କୁ ଟାର୍ଗେଟ୍ କରିଥିବା ଅଭିଯୋଗ ହୋଇଛି।
ଟାଇଗରଙ୍କୁ ଗୁଳି କରିବା ପାଇଁ ବନ୍ଧୁକ ଆଣିଥିଲେ ଉତ୍ତରପ୍ରଦେଶର ଦୁଇ ମହିଳା
ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗ୍ ସହ ସମ୍ପୃକ୍ତି, ଗିରଫ ସଂଖ୍ୟା ୧୦କୁ ବୃଦ୍ଧି
ମୁମ୍ବାଇ କ୍ରାଇମବ୍ରାଞ୍ଚର କହିବା ଅନୁଯାୟୀ, ଟାଇଗର ଆକ୍ରମଣକାରୀଙ୍କ ମୂଳ ଟାର୍ଗେଟ୍ ନଥିଲେ। ଅମିତାଭଙ୍କ ସମେତ ତିନିଜଣ ପ୍ରମୁଖ ଅଭିନେତାଙ୍କୁ ଟାର୍ଗେଟ୍ କରିବାକୁ ଯୋଜନା ହୋଇଥିଲା। ତାଙ୍କ ଘର ସୁରକ୍ଷା ବ୍ୟବସ୍ଥା ଅତ୍ୟନ୍ତ କଡ଼ା ଥିବାରୁ ଅଭିଯୁକ୍ତମାନେ ସେଠାରେ ପହଞ୍ଚି ପାରି ନଥିଲେ। ପରେ ଟାଇଗରଙ୍କ ସୁରକ୍ଷା ଓ ଯାତାୟାତ ସମ୍ପର୍କରେ ଅନୁଧ୍ୟାନ କରି ତାଙ୍କୁ ଟାର୍ଗେଟ୍ କରିଥିବା ତଦନ୍ତକାରୀ ସଂସ୍ଥା କହିଛି। ଏହି ମାମଲାରେ ଗିରଫ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି। ଗୁଳିମାଡ଼ରେ ବ୍ୟବହୃତ ବନ୍ଧୁକ ଯୋଗାଇବା ଅଭିଯୋଗରେ ମୁମ୍ବାଇ ପୁଲିସ ବୁଧବାର ସମୀର ଓ ଜତିନ ନାମକ ଆଉ ଦୁଇ ଜଣଙ୍କୁ ଗିରଫ କରିଛି। ଏହା ପୂର୍ବରୁ ହରିୟାଣା ଓ ଦିଲ୍ଲୀରୁ ଦୁଇ ମହିଳାଙ୍କ ସମେତ ଚାରି ଜଣ ଗିରଫ ହୋଇଥିଲେ। ସେମାନେ ହେଲେ କୁନାଲ, ସୁମିତ, ରାଧା ଓ ବବିତା। ଏହାଛଡ଼ା ରାଜସ୍ଥାନର କୋଟାରୁ ତିନି ଜଣ ଗୁଳିଚାଳକ ଋତିକ, ରେହାନ ଓ ଫୁଲ୍ ସିଂହଙ୍କୁ ଗିରଫ କରାଯାଇଥିଲା। ଗୁଜରାଟ ପୁଲିସ ମଧ୍ୟ ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗ୍ର ଜଣେ ସଦସ୍ୟଙ୍କୁ ଗିରଫ କରିଥିବା ଖବରରେ କୁହାଯାଇଛି।
ତଦନ୍ତ ଅନୁଯାୟୀ, କୁନାଲ ଓ ସୁମିତ ଅସ୍ତ୍ର କିଣିବା ପାଇଁ ଅମୃତସର ଯାଇଥିଲେ। କୁନାଲଙ୍କ ନିର୍ଦ୍ଦେଶରେ ରାଧା ଓ ବବିତା ଉତ୍ତରପ୍ରଦେଶରୁ ବନ୍ଧୁକ ଆଣି ମୁମ୍ବାଇରେ ପହଞ୍ଚାଇଥିବା ଅଭିଯୋଗ ହୋଇଛି। ଅକ୍ଟୋବର ୧୭ରେ ସେମାନେ ମୁମ୍ବାଇର ଦାଦର ଷ୍ଟେସନ୍ରେ ପହଞ୍ଚି ଏକ ହୋଟେଲ୍ରେ ରହିଥିଲେ। ପରଦିନ ପୂର୍ବାହ୍ଣ ପ୍ରାୟ ୧୧ଟାରେ ଜଣେ ନାବାଳକ ହୋଟେଲ୍ ନିକଟରେ ପହଞ୍ଚି ରାଧାଙ୍କଠାରୁ ବନ୍ଧୁକ ଥିବା ବ୍ୟାଗ୍ ନେଇଥିଲା। ଆକ୍ରମଣ ପରେ ରାଧା ଓ ବବିତା ଦିଲ୍ଲୀ ଫେରି ଯାଇଥିବାବେଳେ ଅକ୍ଟୋବର ୨୦ରେ ସେମାନଙ୍କୁ ନୂଆଦିଲ୍ଲୀ ରେଳ ଷ୍ଟେସନ୍ରୁ ଗିରଫ କରାଯାଇଥିଲା। କୁନାଲ ଓ ସୁମିତ ସୋନିପତରୁ ଧରାପଡ଼ିଥିଲେ।ଅକ୍ଟୋବର ୧୮ ତାରିଖ ରବିବାର ସନ୍ଧ୍ୟା ପ୍ରାୟ ୭ଟାରେ ମୁମ୍ବାଇର ଜୁହୁ ଅଞ୍ଚଳରେ ଏକ ଫୁଟ୍ବଲ୍ କ୍ଲବ୍ରୁ ଟାଇଗର ବାହାରୁଥିବା ବେଳେ ତାଙ୍କ କାର୍ ଉପରକୁ ଗୁଳିମାଡ଼ ହୋଇଥିଲା। ଟାଇଗର ଆହତ ହୋଇ ନଥିବା ବେଳେ ତାଙ୍କ ଗାଡ଼ି ଚାଳକ ଆହତ ହୋଇଥିଲେ। ଏହି ଆକ୍ରମଣ ପାଇଁ ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗ୍ ଦାୟିତ୍ୱ ନେଇଥିବା ଏକ ସୋସିଆଲ୍ ମିଡିଆ ପୋଷ୍ଟ ଭାଇରାଲ୍ ହୋଇଥିଲେ ମଧ୍ୟ ତାହାର ସତ୍ୟତା ପୁଲିସ ଯାଞ୍ଚ କରିନାହିଁ। ମାମଲାର ତଦନ୍ତ ଜାରି ରହିଛି।

1 hour ago
1


