wheat export: ୧୪,୧୬୬ କୋଟିର ଗହମ ରପ୍ତାନି ସୁଯୋଗ

55 minutes ago 1
ARTICLE AD BOX

ନୂଆଦିଲ୍ଲୀ:ଭାରତପାଇଁ ସଂପ୍ରତି ୧.୫ ବିଲିଅନ ଡଲାର ( ପ୍ରାୟ ୧୪,୧୬୬ କୋଟି ଟଙ୍କା) ମୂଲ୍ୟର ଗହମ ରପ୍ତାନି ସୁଯୋଗ ରହିଛି। ଶିଳ୍ପ ସଂଘ ଆସୋଚାମ୍‌ ପକ୍ଷରୁ ଏହା କୁହାଯାଇଛି।

ଆସୋଚାମ୍‌ ରିପୋର୍ଟରେ କୁହାଯାଇଛି ଯେ ଭାରତରେ ରେକର୍ଡ ଗହମ ଉତ୍ପାଦନ ହୋଇଛି। ଏଥିସହ ଦେଶରେ ପର୍ଯ୍ୟାପ୍ତ ମାତ୍ରାରେ ଗହମ ବି ଗଚ୍ଛିତ ରହିଛି। ଅନ୍ୟପକ୍ଷରେ ବିଶ୍ବର ବିଭିନ୍ନ ପ୍ରମୁଖ ଗହମ ଆମଦାନିକାରୀ ଦେଶଗୁଡ଼ିକ ନୂଆ ନୂଆ ସ୍ଥାନରୁ ଏହାକୁ ଆମଦାନି କରିବା ପାଇଁ ଅନ୍ବେଷଣ କରୁଛନ୍ତି। ଏଥିଯୋଗୁ ଗୋଟିଏ ପଟେ ଦେଶର ଖାଦ୍ୟ ସୁରକ୍ଷା ପୂରଣ ସହିତ ବିଦେଶ ବଜାରର ଚାହିଦା ପୂରଣ କରିବାରେ ଭାରତର ବଳକା ଗହମ ସହାୟକ ହେବ। ୪ ବର୍ଷର କଟକଣା ପରେ ସରକାର ୨୦୨୬ରେ ଧୀରେ ଧୀରେ ଗହମ ରପ୍ତାନିକୁ ମଧ୍ୟ ଉନ୍ମୁକ୍ତ କରିଛନ୍ତି।

ସୂଚନା ଅନୁଯାୟୀ, ଭାରତ ୨୦୨୫-୨୬ରେ ରେକର୍ଡ ୧୨୦.୭ ନିୟୁତ ଟନ ଗହମ ଉତ୍ପାଦନ କରି ବିଶ୍ବର ଦ୍ବିତୀୟ ବୃହତ୍‌ ଗହମ ଉତ୍ପାଦନକାରୀ ଦେଶ ସ୍ଥାନ ବଜାୟ ରଖିଥିଲା। ଜୁଲାଇ ପହିଲା ସୁଦ୍ଧା କେନ୍ଦ୍ରୀୟ ଗୋଦାମରେ ୨୭.୫୮ ନିୟୁତ ଟନ ବଫର ଷ୍ଟକ ଆକାରରେ ରହିବାର ନିୟମ ଥିବାବେଳେ ମେ ୨୮ ସୁଦ୍ଧା ଏହା ୫୧.୩ ନିୟୁତ ଟନ୍‌ରେ ଥିଲା।

ସରକାର ମଧ୍ୟ ଗହମ ରପ୍ତାନି ନୀତିରେ ପରିବର୍ତ୍ତନ ଆଣିଛନ୍ତି।‌ କେତେକ କିସମର ଗହମ, ଅଟା ଏବଂ ଏସଂକ୍ରାନ୍ତ ଉତ୍ପାଦକୁ ସରକାର କଟକଣା ବର୍ଗରୁ କାଢ଼ି ମୁକ୍ତ ବର୍ଗରେ ରଖିଛନ୍ତି। ଏଥିସହିତ ଭାରତ ଓ ବିଦେଶ ବଜାରରେ ଗହମ ମୂଲ୍ୟରେ ଟନ୍‌ ପିଛା ପାଖାପାଖି ୩୫ ଡଲାର ପାର୍ଥକ୍ୟ ରହିଛି। ଏହା ଭାରତୀୟ ଉତ୍ପାଦନକାରୀମାନଙ୍କୁ ରପ୍ତାନି କରିବା ଲାଗି ସହାୟକ ହେବ।

ଭାରତ ପାଇଁ ପଡ଼ୋଶୀ ବାଂଲାଦେଶକୁ ଗହମ ରପ୍ତାନି ସୁଯୋଗ ସବୁଠୁ ଅଧିକ ରହିଛି। ୨୦୨୪-୨୫ରେ ବାଂଲାଦେଶ ଭାରତରୁ ୬.୭ ନିୟୁତ ଟନ ଗହମ ଆମଦାନି କରିଥିଲା। ଏଥିସହିତ ଇଜିପ୍ଟ, ଇଣ୍ଡୋନେସିଆ, ଆଲଜେରିଆ, ମରକ୍କୋ ଏବଂ ଫିଲିପାଇନ୍ସ ଭଳି ଦେଶ ନୂଆ ନୂଆ ବଜାର ଅନୁସନ୍ଧାନ କରୁଥିବାରୁ ଭାରତୀୟ ରପ୍ତାନିକାରୀଙ୍କ ପାଇଁ ସେସବୁ ବଜାରରେ ସୁଯୋଗ ରହିଛି। ୨୦୨୫-୨୬ରେ ବିଶ୍ବରେ ରେକର୍ଡ ୮୪୩.୮ ନିୟୁତ ଟନ ଗହମ ଉତ୍ପାଦନ ହୋଇଥିଲା। କିନ୍ତୁ ପାଣିପାଗଜନିତ ସମସ୍ୟା କାରଣରୁ ୨୦୨୬-୨୭ରେ ଏହା ୮୧୯ ନିୟୁତ ଟନକୁ ହ୍ରାସ ପାଇବ ବୋଲି ଆକଳନ କରାଯାଇଛି। ତେବେ ଦୀର୍ଘଦିନ ଧରି ଭାରତକୁ ଗହମ ରପ୍ତାନି କ୍ଷେତ୍ରରେ ନିଜର ସ୍ଥିତି ବଜାୟ ରଖିବାକୁ ହେଲେ ଅନେକ କିଛି ପଦକ୍ଷେପ ନେବାକୁ ହେବ ବୋଲି ଆସୋଚାମ୍‌ ରିପୋର୍ଟରେ କୁହାଯାଇଛି।

‘ହରେକୃଷ୍ଣ ମହାମନ୍ତ୍ର ମତେ ବଞ୍ଚିବା ପାଇଁ ଶକ୍ତି ଦେଇଥିଲା’: ନେପାଳ ପୀଡ଼ିତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.