ARTICLE AD BOX
କୋଲକାତା: ତୃଣମୂଳ କଂଗ୍ରେସ ବିରୋଧରେ ଚାଲିଥିବା ଆର୍ଥିକ ଅନିୟମିତତା ଓ ଅବୈଧ ଭାବେ ପାଣ୍ଠି ସଂଗ୍ରହ ମାମଲାରେ ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହାତରେ ବଡ଼ ତଥ୍ୟ ଲାଗିଛି। ମମତା ବାନାର୍ଜୀଙ୍କ ସହିତ ଜଡିତ କୋଲକାତା ସମେତ ପାଞ୍ଚଟି ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢାଉ କରିଥିଲା। ଚଢାଉ ସମୟରେ ଇଡି ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରଘଟ କରିଛି, ଯାହା ପୁଣି ଥରେ ମମତା ବାନାର୍ଜୀଙ୍କ ସମସ୍ୟା ବୃଦ୍ଧି କରିଛି। ଇଡି ଟିଏମସିର ବ୍ୟାଙ୍କ ଆକାଉଣ୍ଟ ଓ ଏକ ଚାର୍ଟର ଫ୍ଲାଇଟ୍ କମ୍ପାନି ମଧ୍ୟରେ କୋଟି କୋଟି ଟଙ୍କାର ସନ୍ଦେହଜନକ କାରବାର ଠାବ କରିଥିବା ଦାବି କରିଛି।
ଇଡିର ପ୍ରାଥମିକ ତଦନ୍ତରୁ ଏହି ମାମଲା ଟିଏମ୍ସିର ଦଳୀୟ ପାଣ୍ଠି ଆତ୍ମସାତ୍ କରିବା ଓ ମନି ଲଣ୍ଡରିଂ ମାମଲା ବୋଲି ଜଣାପଡ଼ିଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଅଭିଯୋଗ କରିଛି ଯେ, ତୃଣମୂଳ କଂଗ୍ରେସ ନିଜର ବ୍ୟାଙ୍କ ଆକାଉଣ୍ଟରୁ କେୟରୱେଲ ଏଭିଏସନ୍ ନାମକ ଏକ ଚାର୍ଟର୍ଡ ବିମାନ କମ୍ପାନିକୁ କୋଟି କୋଟି ଟଙ୍କା ଟ୍ରାନ୍ସଫର କରିଥିଲା। ଏହି ବିପୁଳ ଅର୍ଥରାଶି ମାଧ୍ୟମରେ ଏକ ନୂଆ ବିମାନ ଓ ହେଲିକପ୍ଟର କିଣାଯାଇଥିଲା। ତେବେ ଆଶ୍ଚର୍ଯ୍ୟ କରିବା କଥା ହେଉଛି ଯେ, ଏହି ବିମାନଗୁଡ଼ିକ କିଣିବା ପରେ, ସେଗୁଡ଼ିକୁ ପୁଣି ଥରେ ଟିଏମସିର ବରିଷ୍ଠ ନେତା ବିଶେଷକରି ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ଭଳି ଭିଭିଆଇପିମାନଙ୍କ ବିମାନ ଯାତ୍ରା ପାଇଁ ସେହି କମ୍ପାନୀରୁ ନିଜ ବିମାନକୁ ଭଡ଼ା ନିଆଯାଇଥିଲା ଓ ବଦଳରେ ଦଳୀୟ ପାଣ୍ଠିରୁ ପୁଣି ଥରେ କୋଟି କୋଟି ଟଙ୍କା ଦିଆଯାଇଥିଲା। ଇଡି ସନ୍ଦେହ କରୁଛି ଯେ ଏହି ସମ୍ପୂର୍ଣ୍ଣ ଷଡ଼ଯନ୍ତ୍ର ଦଳୀୟ ପାଣ୍ଠିର ଦୁରୁପଯୋଗ ଓ ଆତ୍ମସାତ୍ କରିବା ଉଦ୍ଦେଶ୍ୟରେ ରଚିତ ହୋଇଥିଲା।
ଏହି ଆର୍ଥିକ ଠକେଇର ସୁରାକ ମିଳିବା ପରେ ଇଡି କୋଲକାତା ଓ ଏହାର ଆଖପାଖରେ ପାଞ୍ଚଟି ପ୍ରମୁଖ ସ୍ଥାନରେ ଏକକାଳୀନ ଚଢ଼ଉ କରିଥିଲା। ଚଢାଉରେ ଚାର୍ଟର ବିମାନର ମୁଖ୍ୟ କାର୍ଯ୍ୟାଳୟ, ଏହାର ପ୍ରମୋଟରଙ୍କ ବ୍ୟକ୍ତିଗତ ବାସଭବନ, ନ୍ୟୁ ଟାଉନସ୍ଥିତ ଏକ ସ୍ଥାନ, ଏକ ସନ୍ଦିଗ୍ଧ ଟ୍ରଷ୍ଟର କାର୍ଯ୍ୟାଳୟ ଓ କେନ୍ଦ୍ରୀୟ କୋଲକାତାରେ କାର୍ଯ୍ୟ କରୁଥିବା ଏକ ଚାର୍ଟର୍ଡ ଆକାଉଣ୍ଟାଣ୍ଟ (ସିଏ)ଙ୍କ କାର୍ଯ୍ୟାଳୟ ଅନ୍ତର୍ଭୁକ୍ତ ଥିଲା। ଚଢଉ ସମୟରେ ତଦନ୍ତକାରୀ ଅଧିକାରୀମାନେ ଅନେକ ଗୁରୁତ୍ୱପୂର୍ଣ୍ଣ ବ୍ୟାଙ୍କ ଡକ୍ୟୁମେଣ୍ଟ, ହାର୍ଡ ଡିସ୍କ ଓ ଡିଜିଟାଲ୍ ଉପକରଣ ଜବତ କରିଥିଲେ।
ଇଡିର ସରକାରୀ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ଏପ୍ରିଲ ୨୦୨୩ରୁ ଜୁନ ୨୦୨୬ ମଧ୍ୟରେ, ଟିଏମସିର ଆକାଉଣ୍ଟରୁ ୧୬୦ କୋଟି ଟଙ୍କା ସିଧାସଳଖ କେୟାରୱେଲ ଆଭିଏସନ୍କୁ ସ୍ଥାନାନ୍ତର କରାଯାଇଥିଲା। ଏହି ଟଙ୍କା ତା''''ପରେ ସେଲ୍ କମ୍ପାନୀଗୁଡ଼ିକୁ ସ୍ଥାନାନ୍ତର କରାଯାଇଥିଲା। କେୟାରୱେଲ ଏକ ନୂତନ ଭାବରେ ଗଠିତ କମ୍ପାନୀର ଆକାଉଣ୍ଟକୁ ୮୨.୯୬ କୋଟି ଟଙ୍କା ଟ୍ରାନ୍ସଫର କରିଥିଲା। ପରେ ୧୧୨ କୋଟି ଟଙ୍କା ଖର୍ଚ୍ଚ କରି ଏକ ଏମ୍ବ୍ରାଏର୍ ଲିଗାସି ଜେଟ୍ ୬୦୦ ଓ ଏକ ୱେଷ୍ଟଲ୍ୟାଣ୍ଡ ୧୦୯ ଏସ୍ପି ହେଲିକପ୍ଟର କିଣା ଯାଇଥିଲା। କୁହାଯାଉଛି ଯେ, ଏହି ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର କିଣିବା ପାଇଁ ବିଦେଶୀ ପାଣ୍ଠି ନିୟମର ଉଲ୍ଲଂଘନ କରି ୨୦୨୩ ମସିହାରେ ଟିକସ ଭୂସ୍ୱର୍ଗ ଭାବରେ ବିବେଚିତ କେମ୍ୟାନ୍ ଦ୍ୱୀପର ଏକ ବିଦେଶୀ କମ୍ପାନିଠାରୁ ଋଣ ମଧ୍ୟ ନିଆଯାଇଥିଲା।
ଦଳୀୟ ପାଣ୍ଠିରୁ ଏହି ଏମ୍ବ୍ରାଏର ୬୦୦ ବିମାନ ଓ ଅଗଷ୍ଟା ହେଲିକପ୍ଟର କିଣାଯାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଟିଏମସିକୁ ଭଡା ଦିଆଯାଇଥିଲା। ଏହି ଆଳରେ ପର୍ଯ୍ୟାପ୍ତ ପରିମାଣର ପାଣ୍ଠି ସ୍ଥାନାନ୍ତର କରାଯାଇଥିଲା। ତେବେ ତୃଣମୂଳ କଂଗ୍ରେସ ଅଭିଯୋଗ କରିଛି ଯେ, ବିଜେପି ବିରୋଧୀଙ୍କୁ ଟାର୍ଗେଟ କରିବାକୁ ତଦନ୍ତକାରୀ ସଂସ୍ଥାକୁ ବ୍ୟବହାର କରୁଛି। ଦଳ ‘ଏକ୍ସ’ରେ ଏକ ପୋଷ୍ଟ କରି ଦାବି କରିଛି ଯେ, ଏହାର ଆକାଉଣ୍ଟରେ ଥିବା ସମସ୍ତ ପାଣ୍ଠି ସ୍ୱଚ୍ଛ ଭାବରେ ପ୍ରକାଶ କରାଯାଇଥିଲା। ଟିଏମ୍ସିର ବିଦ୍ରୋହୀ ବିଧାୟକ ବିଶ୍ବନାଥ ଦାସ ବିଧାନନଗର ପୁଲିସ ଷ୍ଟେସନରେ କରିଥିବା ଏତଲା ଆଧାରରେ ଏହି ତଦନ୍ତ ଚାଲିଛି। ଇଡି ଟିଏମସିର ୪୪୦ କୋଟି ଟଙ୍କା ଜମା ରଖିଥିବା ତିନୋଟି ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଜବତ କରିଛି।
West Bengal Politics: ମମତା ବାନାର୍ଜୀଙ୍କ ପରାଜୟ ପରେ ଟିଏମ୍ସିରେ ବଡ଼ ଧରଣର ଫାଟ

2 hours ago
1


