Weather: ଖସୁଛି ପାରଦ, ବଢ଼ୁଛି ଶୀତ: ସିମିଳିଗୁଡ଼ାରେ ୧୧.୬ଂ, ୯ ଜିଲ୍ଲାକୁ କୁହୁଡ଼ି ଚେତାବନୀ

1 hour ago 1
ARTICLE AD BOX

ଭୁବନେଶ୍ବର: ଓଡ଼ିଶାରେ ରାତି ତାପମାତ୍ରା ହଠାତ୍‌ ଖସିବାରେ ଲାଗିଛି। ସୋମବାର ୧୪ ଡିଗ୍ରିକୁ ଖସିଥିବା ସର୍ବନିମ୍ନ ତାପମାତ୍ରା ଆଜି ୧୨ ଡିଗ୍ରି ତଳକୁ ହ୍ରାସ ପାଇଛି। କୋରାପୁଟ ଜିଲ୍ଲା ସିମିଳିଗୁଡ଼ାରେ ଚଳିତବର୍ଷ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୧.୬ ଡିଗ୍ରି ରେକର୍ଡ ହୋଇଛି। ଏହା ତଳକୁ ଘୁ.ଉଦୟଗିରିରେ ୧୨.୪, ଦାରିଙ୍ଗବାଡ଼ିରେ ୧୪, ଝାରସୁଗୁଡ଼ା ଓ ଫୁଲବାଣୀରେ ୧୪.୫ ଡିଗ୍ରି ଲେଖାଏଁ, ଭବାନୀପାଟଣାରେ ୧୪.୬, ନବରଙ୍ଗପୁରରେ ୧୫, ରାଉରକେଲାରେ ୧୫.୬ ଡିଗ୍ରି ରହିଥିଲା। ଅଧିକାଂଶ ସ୍ଥାନରେ ପାରଦ ସ୍ବାଭାବିକ ସ୍ତରରେ ରହିଥିଲେ ମଧ୍ୟ ଭୁବନେଶ୍ବର, କଟକ, ହୀରାକୁଦ, ଝାରସୁଗୁଡ଼ାରେ ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ କମ୍‌ ରହିଥିଲା। କଟକରେ ୧୭.୪ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଭୁବନେଶ୍ବରରେ ୧୮.୫ ଡିଗ୍ରି ଥିଲା। 

ଶୀତ ଅନୁଭୂତ ହେବା ସହ ରାଉରକେଲାରେ ଘନକୁହୁଡ଼ି ହେବାରୁ ଦୃଶ୍ୟମାନ ଦୂରତା ୫୦ରୁ ୨୦୦ ମିଟର ପର୍ଯ୍ୟନ୍ତ ରହିଥିଲା। କନ୍ଧମାଳର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା କୁହୁଡ଼ି ପଡ଼ିଥିବାବେଳେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ, ଅନୁଗୋଳ, ଢେଙ୍କାନାଳ, କୋରାପୁଟ, ନୟାଗଡ଼ ଓ କଟକ ଜିଲ୍ଲାର କେତେକ ସ୍ଥାନରେ ଭୋର ସମୟରେ ସ୍ବଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆସନ୍ତା ୭ ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ। କୌଣସି ସ୍ଥାନରେ ବର୍ଷା ଆଶଙ୍କା ମଧ୍ୟ ନାହିଁ। ତେବେ ଆସନ୍ତା ୧୩ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରି ପରବର୍ତ୍ତୀ ୨୪ ଘଣ୍ଟାରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ଏହା କେତେ ଘନୀଭୂତ ହେବ ଏବଂ କେଉଁଠି ସ୍ଥଳଭାଗ ଛୁଇଁବ ସେନେଇ ପାଣିପାଗ ବିଭାଗ ଏପର୍ଯ୍ୟନ୍ତ କୌଣସି ସୂଚନା ଦେଇ ନାହିଁ। ‌ତେବେ ସମ୍ଭାବ୍ୟ ଲଘୁଚାପର ପ୍ରଭାବ ଓଡ଼ିଶା ଉପରେ ପଡ଼ିବାର ସମ୍ଭାବନା ନାହିଁ। ଉପକୂଳବର୍ତ୍ତୀ ଜିଲ୍ଲାରେ ବାଦଲ ସୃଷ୍ଟି ହୋଇପାରେ। ହେଲେ ବର୍ଷା ସମ୍ଭାବନା କ୍ଷୀଣ ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.