ARTICLE AD BOX
ଭୁବନେଶ୍ୱର: ନବେ ଦଶକର କଥା। ସେତେବେଳେ ଭୁବନେଶ୍ବରରେ ସୁଲଭ ମୂଲ୍ୟରେ ସାମୟିକ ରହଣି ପାଇଁ ଲୋକେ ସରକାରୀ ପାନ୍ଥଶାଳା ‘ଯାତ୍ରୀନିବାସ’ ଉପରେ ନିର୍ଭର କରୁଥିଲେ। ହୋଟେଲ, ଲଜ୍ଠାରୁ ବେଶ୍ କମ୍ ମୂଲ୍ୟରେ ଏଠାରେ ରୁମ୍ ମିଳିଯାଉଥିଲା। ରୁମ୍ ଦର କମ୍ ଥିଲେ ହେଁ ହୋଟେଲ୍ ଭଳି ରହଣି ବ୍ୟବସ୍ଥା ଥିବାରୁ ବହୁ ନାମୀଦାମୀ ଲୋକେ ବି କୌଣସି କାମରେ ରାଜଧାନୀ ଆସିଲେ, ଏଠାରେ ରାତ୍ରୀଯାପନ କରିବାକୁ ପସନ୍ଦ କରୁଥିଲେ। କିନ୍ତୁ ପରିତାପର କଥା ମାତ୍ର ୩୮ ବର୍ଷରେ ଏହି ଯାତ୍ରୀନିବାସ ଜରାଗ୍ରସ୍ତ ହୋଇପଡ଼ିଛି। ୩ମହଲା ବିଶିଷ୍ଟ ଏହି ପାନ୍ଥଶାଳାର ଉପରମହଲା ଅସୁରକ୍ଷିତ ଘୋଷଣା ହୋଇସାରିଥିବାରୁ ପରିତ୍ୟକ୍ତ ଅବସ୍ଥାରେ ରହିଛି। ତଳମହଲା ଓ ମଝି ମହଲାରେ କିଛି ରୁମ୍କୁ ଭଡ଼ାରେ ଲଗାଯାଉଛି। ସେଥିରେ ପୁଣି ଶୌଚାଳୟ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଭଲ ନଥିବାରୁ ଏଠାରେ ରହିବାକୁ ଲୋକେ ନାକ ଟେକୁଛନ୍ତି। ଏହାର ପୁନରୁଦ୍ଧାର ପାଇଁ ବାରମ୍ବାର ଦାବି ହେଉଛି ଏବଂ ପ୍ରତିଶ୍ରୁତି ବି ମିଳୁଛି। କିନ୍ତୁ ସବୁ ପ୍ରତିଶ୍ରୁତି ପାଣିର ଗାର ସଦୃଶ ବୋଲି କୁହାଯାଉଛି।
Customs Duty: ଇଲେକ୍ଟ୍ରୋନିକ୍ସ, ବ୍ୟାଟେରି ଉପକରଣ ସୀମା ଶୁଳ୍କ ଛାଡ଼
୧୯୮୮ ମସିହା ସ୍ବାୟତ୍ତ ଶାସନ ଦିବସରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏହି ଯାତ୍ରୀନିବାସକୁ ଉଦ୍ଘାଟନ କରିଥିଲେ। ଏଥିରେ ୩ଟି ଡର୍ମିଟୋରି, ୪୨ଟି ତିନିଶଯ୍ୟା ବିଶିଷ୍ଠ ରୁମ୍, ୨ଟି ୫ ଶଯ୍ୟା ବିଶିଷ୍ଟ ରୁମ୍ ଓ ୪ଟି ୨ଶଯ୍ୟା ବିଶିଷ୍ଠ ପ୍ରକୋଷ୍ଠ ରହିଛି। ଏହାର ଗୋଟିଏ ପାର୍ଶ୍ବରେ ବିବାହ, ବ୍ରତଘର ଭଳି ସାମାଜିକ ସାଂସ୍କୃତିକ କାର୍ଯ୍ୟ ପାଇଁ ଭଡ଼ା ଦିଆଯାଉଥିଲା। କିନ୍ତୁ ଏବେ ମାତ୍ର ୨୪ଟି କୋଠରିକୁ ଭଡ଼ା ଦିଆଯାଇପାରୁଛି। ହେଲେ ବହୁ ଦିନ ଧରି ଏହାର ସ୍ଥିତି ଦେଖି ଆଉ ପୂର୍ବ ଭଳି ଲୋକଙ୍କ ଉତ୍ସାହ ନାହିଁ। ସବା ଉପର ମହଲାର ସବୁ କୋଠରି ବିପଦସଂକୁଳ ଅବସ୍ଥାରେ ଥିବାରୁ ଭଡ଼ା ଲଗାଇବା ବନ୍ଦ କରାଯାଇଛି। ଯେଉଁ ସବୁ କୋଠରି ଭଡ଼ାରେ ଲାଗୁଛି, ସେଠାରେ ଶୌଚାଳୟ ଅବସ୍ଥା ବେଶ୍ କଦର୍ଯ୍ୟ। ନିୟମିତ ଭଲରେ ସଫା ହେଉ ନଥିବାରୁ ଉତ୍କଟ ଦୁର୍ଗନ୍ଧରେ ନାକ ଫାଟୁଛି। ତଳ ମହଲାରେ ବିଏମ୍ସିର ୫ଟି ଵାର୍ଡ ଅଫିସ୍ ଚାଲିଛି। ପ୍ରଥମ ଫ୍ଲୋର୍ରେ ଯାତ୍ରୀନିବାସ କାର୍ଯ୍ୟାଳୟ ରହିଛି। ତଳ ମହଲାର ପ୍ରତି କୋଠରି ସହ ଶୌଚାଳୟ ଲାଗି ରହିଛି। ମାତ୍ର ଉପର ମହାଲାରେ ଏ ସୁବିଧା ନାହିଁ। ସେଠି ସାଧାରଣ ଶୌଚାଳୟ ବ୍ୟବସ୍ଥା ରହିଛି। ଅନେକ ସମୟରେ ଶୌଚାଳୟରେ ପାଣି ସମସ୍ୟା ଲାଗି ରହୁଛି। କୋଭିଡ୍ ପରଠୁ ଭଡ଼ା ବଢ଼ାଇଦିଆଯାଇଛି। ପୂର୍ବରୁ ଯେଉଁ ରୁମ୍ ପାଇଁ ୩୫୦ ଟଙ୍କା ଭଡ଼ା ପଡ଼ୁଥିଲା, ତାହା ୫୯୦ଟଙ୍କାକୁ ବୃଦ୍ଧିପାଇଛି। ସେହିଭଳି ୫୦୦ ଟଙ୍କିଆ ରୁମ୍ ଭଡ଼ା ୧୧୮୦ଟଙ୍କାକୁ ବଢ଼ିଛି। ଭଡ଼ା ବୃଦ୍ଧି ଯେତିକି ସମସ୍ୟା ନୁହେଁ, ରହଣି ପାଇଁ ସୁବିଧା ମିଳୁନଥିବାରୁ ଏଠାକୁ ପୂର୍ବ ଭଳି କେହି ରହିବାକୁ ଆଗ୍ରହ କରୁନାହାନ୍ତି।
Neglect: ରଗଡ଼ା ପନାସିଆରେ ପାନୀୟଜଳ ସଂକଟ: ୨ ନଳକୂଅ ଉପରେ ନିର୍ଭର ୧୨୦ ପରିବାର
୨୦୨୨ ମସିହାରେ ବିଏମ୍ସି, ପିପିପି ମୋଡ୍ରେ ଏହାକୁ ଏକ ହୋଟେଲ କରିବାକୁ ଯୋଜନା କରିଥିଲା। କିନ୍ତୁ ବିଭିନ୍ନ ସ୍ତରରୁ ତୀବ୍ର ବିରୋଧ ହେବାରୁ ବିଏମ୍ସି ଏହି ଯୋଜନାରୁ ଓହରିଗଲା। ଗତବର୍ଷ ମାର୍ଚ୍ଚ ମାସରେ ବିଏମ୍ସି ବଜେଟ୍ ଉପସ୍ଥାପନା କଲା ବେଳେ ଯାତ୍ରୀନିବାସର ପୁନରୁଦ୍ଧାର ହେବ ବୋଲି ମେୟର କହିଥିଲେ। କିନ୍ତୁ ତାହା କାର୍ଯ୍ୟକାରୀ ହୋଇନାହିଁ। ଏନେଇ ବିଏମ୍ସି ଡେପୁଟି କମିସନର ରୁବି ବେହେରା କହିଛନ୍ତି ଯେ ଯାତ୍ରୀନିବାସ ପୁନରୁଦ୍ଧାର ପାଇଁ ଯୋଜନା ରହିଛି।

1 hour ago
1


