ARTICLE AD BOX
ୱାସିଂଟନ: ମହାକାଶ ଅନୁସନ୍ଧାନ କ୍ଷେତ୍ରରେ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସାର ମହାକାଶଯାନ ଭଏଜର୍-୧। ପୃଥିବୀଠାରୁ ଏହାର ଦୂରତା ଏକ ଆଲୋକ ଦିବସରେ ପହଞ୍ଚିଛି। ଅର୍ଥାତ୍ ଏକ ସେକେଣ୍ଡକୁ ପ୍ରାୟ ୩ ଲକ୍ଷ କିମି ବେଗରେ ଆଲୋକକୁ ପୃଥିବୀରୁ ଏହି ମହାକାଶଯାନ ପାଖରେ ପହଞ୍ଚିବା ପାଇଁ ୨୪ ଘଣ୍ଟା ସମୟ ଲାଗିବ। ମାନବ ନିର୍ମିତ କୌଣସି ବସ୍ତୁ ଏହି ଦୂରତା ଅତିକ୍ରମ କରିବାରେ ଭଏଜର୍-୧ ପ୍ରଥମ। ନାସାର ହିସାବ ଅନୁଯାୟୀ, ନଭେମ୍ବର ୧୮ ତାରିଖ ବୁଧବାର ସକାଳ ୫ଟା ୧୬ ମିନିଟ୍ରେ ଏହା ଏହି ମାଇଲଖୁଣ୍ଟ ଅତିକ୍ରମ କରିଛି। ସେତେବେଳକୁ ଏହା ପୃଥିବୀଠାରୁ ପ୍ରାୟ ୨୫୯୦ କୋଟି କିଲୋମିଟର ଦୂରରେ ରହିଥିଲା।
ଭଏଜର୍-୧ ୧୯୭୭ ସେପ୍ଟେମ୍ବର ୫ ତାରିଖରେ ଆମେରିକାର ଫ୍ଲୋରିଡାସ୍ଥିତ କେପ୍ କାନାଭେରାଲ୍ରୁ ମହାକାଶକୁ ଉତ୍କ୍ଷେପଣ କରାଯାଇଥିଲା। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବୃହସ୍ପତି ଓ ଶନି ଗ୍ରହ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରିବା। ପରବର୍ତ୍ତୀ ସମୟରେ ଏହା ସୌରଜଗତର ସୀମା ଅତିକ୍ରମ କରି ଆନ୍ତଃନାକ୍ଷତ୍ରିକ ମହାକାଶରେ ପ୍ରବେଶ କରିଥିଲା। ୨୦୧୨ ଅଗଷ୍ଟରେ ଏହା ହେଲିଓସ୍ଫିୟର୍ ଅର୍ଥାତ୍ ସୂର୍ଯ୍ୟଙ୍କଠାରୁ ନିର୍ଗତ କଣିକା ଓ ଚୁମ୍ବକୀୟ କ୍ଷେତ୍ର ଦ୍ୱାରା ସୃଷ୍ଟ ସୁରକ୍ଷା ବଳୟ ଅତିକ୍ରମ କରି ଆନ୍ତଃନାକ୍ଷତ୍ରିକ ଅଞ୍ଚଳରେ ପହଞ୍ଚିଥିଲା। ଏହା ସେହି ଅଞ୍ଚଳରେ ପହଞ୍ଚିଥିବା ପ୍ରଥମ ମହାକାଶଯାନ।
ଏହି ମହାକାଶଯାନ ଘଣ୍ଟାପ୍ରତି ପ୍ରାୟ ୬୧ ହଜାର କିଲୋମିଟର ବେଗରେ ଯାତ୍ରା କରୁଛି। ଏତେ ଦୂରରେ ଥାଇ ମଧ୍ୟ ଏହା ନିୟମିତ ଭାବେ ପୃଥିବୀକୁ ବୈଜ୍ଞାନିକ ତଥ୍ୟ ପଠାଉଛି। ମହାକାଶରେ ଥିବା ଚୁମ୍ବକୀୟ କ୍ଷେତ୍ର, ବିଦ୍ୟୁତ୍ ଆବେଶଯୁକ୍ତ କଣିକା ଓ ପ୍ଲାଜ୍ମା ତରଙ୍ଗ ସମ୍ପର୍କରେ ଏହା ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଉଛି। ଏହି ସଫଳତାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ପୃଥିବୀ ସହ ଯୋଗାଯୋଗରେ ବିଳମ୍ବ। ଏବେ ପୃଥିବୀରୁ ଭଏଜର୍-୧କୁ ପଠାଯାଉଥିବା ରେଡିଓ ସଙ୍କେତ ପହଞ୍ଚିବାକୁ ପ୍ରାୟ ୨୪ ଘଣ୍ଟା ଲାଗିବ। ସେଠାରୁ ଉତ୍ତର ଫେରି ପୃଥିବୀରେ ପହଞ୍ଚିବାକୁ ଆଉ ୨୪ ଘଣ୍ଟା ଲାଗିବ। ଅର୍ଥାତ୍ କୌଣସି ନିର୍ଦ୍ଦେଶ ପଠାଇବା ପରେ ତାହାର ଉତ୍ତର ପାଇବାକୁ ପ୍ରାୟ ଦୁଇ ଦିନ ଅପେକ୍ଷା କରିବାକୁ ପଡ଼ିବ।
Lowest temperature in space: ମହାକାଶରେ ସର୍ବନିମ୍ନ ତାପମାତ୍ରା
ତେବେ ନାସାର ହିସାବ ଅନୁଯାୟୀ ଏହା ମାଇଲଖୁଣ୍ଟ ଅତିକ୍ରମ କରିଥିଲେ ମଧ୍ୟ ମହାକାଶଯାନରୁ ଆସୁଥିବା ସଙ୍କେତ ମିଳିବା ପରେ ଏହାର ଆନୁଷ୍ଠାନିକ ନିଶ୍ଚିତୀକରଣ ହେବ। କାଲିଫର୍ଣ୍ଣିଆସ୍ଥିତ ନାସାର ଜେଟ୍ ପ୍ରପଲ୍ସନ୍ ଲାବୋରେଟୋରି ପକ୍ଷରୁ ଏହି ଐତିହାସିକ ଉପଲବ୍ଧି ସମ୍ପର୍କରେ ଆଲୋଚନା ପାଇଁ ଗୁରୁବାର ଏକ କାର୍ଯ୍ୟକ୍ରମ ରଖାଯାଇଛି। ମହାକାଶଯାନରେ ଶକ୍ତି ଯୋଗାଣ ସୀମିତ ହୋଇଆସୁଥିବାରୁ ନାସା ଏହାର କେତେକ ଯନ୍ତ୍ରପାତି ବନ୍ଦ କରି ଶକ୍ତି ସଞ୍ଚୟ କରୁଛି। ତଥାପି ଏହାର ଯାତ୍ରା ଜାରି ରହିଛି। ଭଏଜର୍-୧ର ଯାଆଁଳା ମହାକାଶଯାନ ଭଏଜର୍-୨ ମଧ୍ୟ ଆନ୍ତଃନାକ୍ଷତ୍ରିକ ମହାକାଶରେ ଯାତ୍ରା କରୁଛି। ତେବେ ଏହା ୨୦୩୫ ମସିହାରେ ଏକ ଆଲୋକ ଦିବସ ଦୂରତାରେ ପହଞ୍ଚିବା ଆଶା କରାଯାଉଛି।

20 minutes ago
1


