ARTICLE AD BOX
ଇମ୍ଫାଲ: ମଣିପୁରର କାମଜୋଙ୍ଗ ଜିଲ୍ଲାରେ ଜାତିଗତ ହିଂସା ପୁଣି ଉଗ୍ର ରୂପ ନେଇଛି। ଶନିବାର ଦୁଇ ସଶସ୍ତ୍ର ଗୋଷ୍ଠୀ ମଧ୍ୟରେ ଗୁଳିବିନିମୟ ଘଟି ତିନିଜଣ ଆହତ ହୋଇଛନ୍ତି। ଏହା ସହିତ ଭାରତ-ମ୍ୟାମାର ସୀମା ନିକଟରେ ଥିବା ଟାଙ୍ଗଖୁଲ ନାଗା ସମ୍ପ୍ରଦାୟର ଦୁଇଟି ଗାଁରେ ନିଆଁ ଲଗାଇ ଦିଆଯାଇଛି। ଏହି ଘଟଣା ପରେ ଅଞ୍ଚଳରେ ଭୟ ଓ ଉତ୍ତେଜନା ବଢ଼ିଛି। ଗାଁ ଦୁଇଟିରେ ନିଆଁ ଲଗାଇବା ଘଟଣାରେ କେହି ମୃତାହତ ହୋଇଥିବା ଖବର ମିଳିନାହିଁ।
ପୁଲିସ ସୂଚନା ଅନୁସାରେ, ଶନିବାର ସକାଳେ ଚାସାଦ ଅଞ୍ଚଳରେ କୁକି ଓ ନାଗା ସମ୍ପ୍ରଦାୟ ସହ ସମ୍ପୃକ୍ତ ସଶସ୍ତ୍ର ଗୋଷ୍ଠୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ୩୬ ବର୍ଷୀୟ ଜଣେ କୁକି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଚାରିଜଣ ଆହତ ହୋଇଥିଲେ। ଏହା ପରେ ପ୍ରତିଶୋଧମୂଳକ ଆକ୍ରମଣ ହୋଇଥିବା ପୁଲିସ ସନ୍ଦେହ କରୁଛି। ପରବର୍ତ୍ତୀ ଗୁଳିବିନିମୟରେ ତିନିଜଣ ଟାଙ୍ଗଖୁଲ ନାଗା ବ୍ୟକ୍ତି ଆହତ ହୋଇଥିଲେ। ଆହତଙ୍କ ମଧ୍ୟରେ ନିଙ୍ଗଚୌ ଗାଁର ଟି. ଚିଥୁଙ୍ଗ ଏବଂ ବୁଙ୍ଗପା ଖୁଲେନ୍ ଗାଁର ଏସ୍. ମାଲୁଙ୍ଗ ଓ ଏମ୍. ଶିଥୁଙ୍ଗ ଅଛନ୍ତି। ସେମାନଙ୍କୁ କାମଜୋଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ହିଂସା ମଧ୍ୟରେ ସ୍କିପେ ଓ ପିଲୋଙ୍ଗ ନାମକ ଦୁଇଟି ଟାଙ୍ଗଖୁଲ ନାଗା ଗାଁକୁ ସନ୍ଦିଗ୍ଧ ସଶସ୍ତ୍ର କୁକି ଗୋଷ୍ଠୀ ଜାଳିଦେଇଥିବା ଅଭିଯୋଗ ହୋଇଛି। ଗାଁ ଦୁଇଟି ଭାରତ-ମ୍ୟାମାର ସୀମା ନିକଟରେ ଅବସ୍ଥିତ। ପୁଲିସର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, କର୍ମଚାରୀ ଅଭାବରୁ ପୁଲିସ ଏଯାଏ ଘଟଣାସ୍ଥଳରେ ପହଞ୍ଚିପାରିନାହିଁ।

1 hour ago
1


