ARTICLE AD BOX
ନୂଆଦିଲ୍ଲୀ: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗୁରୁବାର ସାରା ଦେଶକୁ ଛୁଇଁଥିଲା। ମୌସୁମୀ ବାୟୁକୁ ସମଗ୍ର ଦେଶରେ ପହଞ୍ଚିବାକୁ ୩୮ ଦିନ ଲାଗିଥାଏ। ତେବେ ଏଥର ୩୬ ଦିନରେ ମୌସୁମୀ ସାରା ଦେଶରେ ପହଞ୍ଚିବା ସହିତ ବିଭିନ୍ନ ରାଜ୍ୟରେ ପ୍ରବଳ ବର୍ଷା ଆଣିଛି। ସାରା ଦେଶରେ ଗୁରୁବାର ବର୍ଷାଜନିତ କାରଣରୁ ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଉତ୍ତରାଖଣ୍ଡର ଉତ୍ତରକାଶୀର ସାୟନାଚଟି ନିକଟରେ ଯମୁନୋତ୍ରୀ ହାଇୱେ ଓ ନାଲୁପାଣି ନିକଟରେ ଗଙ୍ଗୋତ୍ରୀ ହାଇୱେ ଭୂସ୍ଖଳନ ଯୋଗୁଁ ବନ୍ଦ ରହିଛି। ଯମୁନୋତ୍ରୀ ମାର୍ଗ ବନ୍ଦ ହେବା ଯୋଗୁଁ ପ୍ରାୟ ୧,୦୦୦ ତୀର୍ଥଯାତ୍ରୀ ଫସି ରହିଛନ୍ତି। ୧୦ଟି ଜିଲ୍ଲାରେ ବର୍ଷା ଯୋଗୁଁ ସ୍କୁଲଗୁଡ଼ିକୁ ବନ୍ଦ ଘୋଷଣା କରାଯାଇଛି। ପଥର ଖସିବା ଯୋଗୁଁ ପିଥୋରାଗଡ଼ର ଆଦି କୈଳାସ ମାର୍ଗ ବନ୍ଦ ରହିଛି। ହରିଦ୍ୱାରରେ ରାସ୍ତାଗୁଡ଼ିକ ଉପରେ ୩ ରୁ ୪ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଛି।
Israel Intelligence: ଇରାନ ଟ୍ରମ୍ପଙ୍କୁ ମାରିବାକୁ ଯୋଜନା କରୁଛି: ଆମେରିକାକୁ ଗୁଇନ୍ଦା ତଥ୍ୟ ପ୍ରଦାନ କଲା ଇସ୍ରାଏଲ
ଉତ୍ତର ପ୍ରଦେଶର ୬୯ ସହରରେ ଗୁରୁବାର ବର୍ଷା ହୋଇଛି। ଗୁରୁବାର ଉତ୍ତର ପ୍ରଦେଶରେ ବର୍ଷା ସମ୍ପର୍କିତ ଘଟଣାରେ ୭ ଜଣଙ୍କର ମୃତ୍ୟୁ ଘଟିଛି। କୁଶିନଗରରେ ବଜ୍ରପାତରେ ଜଣେ ୧୪ ବର୍ଷୀୟ ବାଳକ ପ୍ରାଣ ହରାଇଛି। ସନ୍ଥ କବୀର ନଗରରେ ପୃଥକ ବଜ୍ରପାତ ଘଟଣାରେ ଦୁଇ ଜଣ ମହିଳାଙ୍କର ମୃତ୍ୟୁ ହୋଇଛି। ବୁଲନ୍ଦସର୍ରେ ମସଜିଦ୍ର କାନ୍ଥ ଭୁଶୁଡ଼ି ପଡ଼ି ଗୋଟିଏ ପରିବାରର ୨ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ଗାଜିଆବାଦରେ ବର୍ଷା ପାଣିରେ ପଡ଼ି ଜଣେ ୩ ବର୍ଷର ଶିଶୁର ମୃତ୍ୟୁ ହୋଇଛି। ରାଜସ୍ଥାନର ଧୋଲପୁରରେ ବର୍ଷା ଯୋଗୁଁ ଏକ ଘର ଭୁଶୁଡ଼ି ପଡ଼ିବାରୁ ଛଅ ଜଣ ଲୋକ ଭଗ୍ନାବଶେଷ ତଳେ ପୋତି ହୋଇଯାଇଛନ୍ତି। ଆଜମେରର କିଶନଗଡ଼ରେ ମଧ୍ୟ ଏକ ମାଟି ଘର ଭୁଶୁଡ଼ି ପଡ଼ିବାରୁ ବାପା, ମା ଓ ପିଲା ପୋତି ହୋଇଯାଇଛନ୍ତି।
ରାଜ୍ୟରେ ଛଅଟି ଟ୍ରେନ୍ ବାତିଲ
ରାଜ୍ୟରେ ଛଅଟି ଟ୍ରେନ୍ ବାତିଲ କରାଯାଇଛି ଓ ଅନେକ ଟ୍ରେନ୍ ମଧ୍ୟ ବିଳମ୍ବରେ ଚଳାଚଳ କରୁଛି। ସୁରତରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିବା ବନ୍ୟାଜଳ ଗୁରୁବାର ଧୀରେ ଧୀରେ କମିବାରେ ଲାଗିଛି। ତଥାପି ସହରରୁ ଆହୁରି ଛଅଟି ମୃତଦେହ ଉଦ୍ଧାର କରାଯାଇଛି, ଗତ କିଛି ଦିନ ମଧ୍ୟରେ ବର୍ଷା ସମ୍ପର୍କିତ ଘଟଣାରେ ଗୁଜରାଟରେ ୧୭ ଜଣଙ୍କର ଜୀବନ ଯାଇଥିବା ପିଟିଆଇ ରିପୋର୍ଟ କରିଛି। ଶୁକ୍ରବାର ଉତ୍ତରାଖଣ୍ଡରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଅଳକନନ୍ଦା ଓ ମନ୍ଦାକିନୀ ନଦୀରେ ପ୍ରବଳ ଜଳ ପ୍ରବାହିତ ହେଉଥିବାରୁ ରୁଦ୍ରପ୍ରୟାଗ ଜିଲ୍ଲାରେ ସ୍କୁଲଗୁଡ଼ିକୁ ବନ୍ଦ ରଖିବାକୁ କର୍ତ୍ତୃପକ୍ଷ ବାଧ୍ୟ ହୋଇଛନ୍ତି ଓ ନଦୀର ଜଳସ୍ତର ଉପରେ ନଜର ରଖିଛନ୍ତି।
ଉଦ୍ଧାର କାର୍ଯ୍ୟ ଜାରି ରହିଛି
ହିମାଚଳ ପ୍ରଦେଶରେ ବର୍ଷା ଯୋଗୁ ଗୁରୁବାର ସନ୍ଧ୍ୟା ସୁଧା ୭୫ଟି ରାସ୍ତା ବନ୍ଦ ରହିଥିଲା। ବର୍ଷା ଓ ଭୂସ୍ଖଳନ ପ୍ରଭାବିତ ମହାରାଷ୍ଟ୍ର ଓ କେରଳରେ ଶୁକ୍ରବାର ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କେରଳର ୱାୟନାଡରେ ଭୂସ୍ଖଳନ ଯୋଗୁ ୬ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା। ଶୁକ୍ରବାର ମଧ୍ୟ ନିଖୋଜଙ୍କ ସନ୍ଧାନ ପାଇଁ ସନ୍ଧାନୀ କୁକୁରର ସହାୟତା ନିଆଯାଇଛି।

1 hour ago
1


