untimely Rath Yatra ଅ-ତିଥି ରଥାଯାତ୍ରା: ଗଜପତି ମହାରାଜଙ୍କ ଅନୁରୋଧକୁ ଇସ୍କନର ନା’

1 hour ago 1
ARTICLE AD BOX

ପୁରୀ: ଇଣ୍ଟରନ୍ୟାସନାଲ୍‌ ସୋସାଇଟି ଫର୍‌ ଶ୍ରୀକୃଷ୍ଣ କନ୍‌ସିଅସ୍‌ନେସ୍‌ (ଇସ୍କନ୍‌)ର ଅ-ତିଥି ରଥଯାତ୍ରା ଓ ପ୍ରଭୁଜଗନ୍ନାଥଙ୍କ ଯାନିଯାତ୍ରା ପାଳନକୁ ନେଇ ଶ୍ରୀମନ୍ଦିର ପ୍ରଶାସନ, ପୁରୀ ଗଜପତି ମହାରାଜ ଓ ଓଡ଼ିଶା ସରକାର ମଧ୍ୟ ଅସନ୍ତୋଷ ପ୍ରକଟ କରିଛନ୍ତି। ନିର୍ଦ୍ଧାରିତ ତିଥିରେ ସ୍ନାନଯାତ୍ରା, ଗୁଣ୍ଡିଚା, ବାହୁଡ଼ା ଆଦି ପାଳନ କରିବାକୁ ଇସ୍‌କନକୁ ବାରମ୍ବାର ଅନୁରୋଧ କରାଯାଇଛି। ଶେଷରେ ପୁରୀ ଗଜପତି ଏହି ମର୍ମରେ ଲେଖିଥିବା ଚିଠିର ପ୍ରତ୍ୟୁତ୍ତର ଇସ୍କନ୍‌ ଦେଇଛି। ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ରୀତିନୀତି ଅନୁସାରେ ବିଦେଶରେ ଯାନିଯାତ୍ରା ଆଦି ପାଳିତ ହୋଇପାରିବ ନାହିଁ ବୋଲି ସିଧାସଳଖ ପ୍ରତ୍ୟାଖ୍ୟାନ କରିଦେଇଛି। 

ISKCON Rath Yatra: ଇସ୍କନ ଅ-ତିଥିରେ ରଥଯାତ୍ରା କରି ପରମ୍ପରା କ୍ଷୁଣ୍ଣ କରୁଛି: ମୁଖ୍ୟମନ୍ତ୍ରୀ
ଗଜପତି ମହାରାଜ ଦିବ୍ୟସିଂହ ଦେବ ଚିଠିଦ୍ବାରା କରିଥିବା ଅନୁରୋଧକୁ ପଶ୍ଚିମବଙ୍ଗ କୋଲକାତାସ୍ଥିତ ମାୟାପୁରର ଇସ୍କନ ଗଭର୍ଣ୍ଣିଂ ବଡି କମିସନ୍‌ (ଜିବିସି) ଚେୟାରମ୍ୟାନ୍‌ ପ୍ରତ୍ୟାଖ୍ୟାନ କରିଛନ୍ତି। ଗଜପତି ମହାରାଜଙ୍କୁ ଚିଠିରେ ଉଲ୍ଲେଖ କରିଛନ୍ତି, ଏଣିକି ଏ ବିଷୟରେ କିଛି ବି କହିବୁ ନାହିଁ। ଏହି ଚର୍ଚ୍ଚାରୁ ସବୁଦିନ ପାଇଁ ସମ୍ମାନ ପୂର୍ବକ ଦୂରେଇ ରହିବେ ବୋଲି ଚେତାବନୀ ଶୁଣାଇଛନ୍ତି।
ପ୍ରଥମତଃ ମୂଳପୀଠର ବିଧି, ପରମ୍ପରା, ଶାସ୍ତ୍ର ନିର୍ଦ୍ଦେଶକୁ ଜଳାଞ୍ଜଳି ଦେଇ ଇସ୍କନ୍‌ ବିଦେଶରେ ମନଇଚ୍ଛା ନିଜ ସୁବିଧାରେ ରଥଯାତ୍ରା ଆୟୋଜନ କଲା। ବିଦେଶରେ ରହୁଥିବା ଓଡ଼ିଆ ଓ ଭାରତୀୟ ଜଗନ୍ନାଥପ୍ରେମୀ, ସମଗ୍ର ବିଶ୍ବରେ ଥିବା କୋଟିକୋଟି ଭକ୍ତଙ୍କ ଭାବାବେଗ ସହ ଖେଳୁଥିବାରୁ ହିଁ ଏହି ଅଦିନିଆ ରଥଯାତ୍ରା ବନ୍ଦ କରିବା ପାଇଁ ସମଗ୍ର ବିଶ୍ବରେ ଭକ୍ତମାନେ ସ୍ବର ଉଠାଉଛନ୍ତି। ତଥାପି ନିଜର ଜିଦ୍‌ରେ ଅଟଳ ରହି ଅଶାସ୍ତ୍ରୀୟ ପରମ୍ପରାକୁ ବାରମ୍ବାର ଦୋହରାଇ ଚାଲିଛି। ପୁଣି ଏହି ଆଲୋଚନାକୁ ଏଇଠି ବନ୍ଦ କରିବାକୁ ଚିଠିରେ ଦର୍ଶାଇ, ପରୋକ୍ଷରେ ମନଇଚ୍ଛା, ନିଜ ହିସାବରେ ଅ-ତିଥିରେ ରଥଯାତ୍ରା ଆୟୋଜନ କରିବ ବୋଲି ଇଙ୍ଗିତ ଦେଇସାରିଛି।

ଭୁବନେଶ୍ବରରେ ଇସ୍କନ୍‌ ରଥଯାତ୍ରା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା
ଗତବର୍ଷ ଅକ୍ଟୋବର ୧୯ରେ ତତ୍କାଳୀନ ଇସ୍କନ ମୁଖ୍ୟାଳୟ ସମସ୍ତ ବିଚାର ବିମର୍ଶ ପରେ ନିଜେ କିଛି ଯୁକ୍ତି ରଖିଥିଲେ। ଦେଶ ଭିତରେ ରଥଯାତ୍ରା ନିର୍ଦ୍ଦିଷ୍ଟ ତିଥିରେ ପାଳନ କରାଯିବ। ବିଦେଶରେ ଏହାକୁ ମାନିପାରିବେ ନାହିଁ ବୋଲି ଉଲ୍ଲେଖ କରିଥିଲେ। ପୁଣି ସ୍ନାନଯାତ୍ରା ବିଶ୍ବବ୍ୟାପୀ ଶାସ୍ତ୍ର ନିର୍ଦ୍ଧାରିତ ତିଥିରେ ପାଳନ ହେବ ବୋଲି ମଧ୍ୟ ଉଲ୍ଲେଖ କରିଥିଲେ। ମାତ୍ର କୌଣସି ଗୋଟିଏ ବି କଥା ପାଳନ କରାଗଲା ନାହିଁ। ଏପରିକି ଦେଶ ଭିତରେ ମଧ୍ୟ ଅଦିନିଆ ରଥଯାତ୍ରା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବିଦେଶରେ ଅ-ତିଥିରେ ସ୍ନାନଯାତ୍ରା ଆୟୋଜନ ହୋଇ ଆସୁଥିଲା। ଏହାକୁ ଲକ୍ଷ୍ୟ କରି ଗଜପତି ମହାରାଜ ଜୁଲାଇ ୪ ତାରିଖରେ ଇସ୍କନ ଜିବିସିର ନୂଆ ଚେୟାରମ୍ୟାନ୍‌ ମଧୁସେବିତ ଦାସଙ୍କୁ ଇ-ମେଲ ଦେଇଥିଲେ। ଜିବିସି ଚେୟାରମ୍ୟାନ୍‌ ପଦବିରେ ନୂଆ କରି ଅବସ୍ଥାପିତ ହୋଇଥିବାରୁ, ଅନ୍ତତଃ ସେ ଶାସ୍ତ୍ରୀୟ ବିଧିବିଧାନ ଏବଂ କୋଟିକୋଟି ଭକ୍ତଙ୍କ ଭାବାବେଗକୁ ସମ୍ମାନ ଦେଇ ଗତବର୍ଷ ୧୯ ତାରିଖରେ ତତ୍କାଳୀନ ଜିବିସି ଚେୟାରମ୍ୟାନ୍‌ ରଖିଥିବା ଜବାବ ଉପରେ ପୁନର୍ବିଚାର କରିବେ ବୋଲି ବିଶ୍ବାସ ଥିଲା। ସେଇ କଥା ହିଁ ଚିଠିରେ ଉଲ୍ଲେଖ କରି ଗଜପତି ମହାରାଜ, ଉକ୍ତ ଫଇସଲା ଉପରେ ପୁନର୍ବିଚାର କରି ଶାସ୍ତ୍ର ଓ ମୂଳପୀଠର ରଥଯାତ୍ରା ପରମ୍ପରାକୁ ଅନୁକରଣ କରିବାକୁ ନିବେଦନ କରିଥିଲେ। ଶେଷରେ ସେ ମଧ୍ୟ ନିରାଶ କରିଛନ୍ତି।

ISKCON's unscheduled Rath Yatra: ଇସ୍କନ୍‌ର ଅ-ତିଥି ରଥଯାତ୍ରା ବନ୍ଦ ପ୍ରସଙ୍ଗରେ ପୁଣି ଚିଠି: ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ


୧) ଇସ୍କନ ଯୁକ୍ତି : ଅଷ୍ଟ୍ରେଲିଆ, ଦକ୍ଷିଣ ଆମେରିକା, ଦକ୍ଷିଣ ଆଫ୍ରିକା ଆଦି ଦେଶମାନଙ୍କରେ ଜାନୁଆରିରେ ଗ୍ରୀଷ୍ମ ସମୟ ଚାଲିଥିବାରୁ ସେଇ ସମୟରେ ହିଁ ରଥଯାତ୍ରା ଆୟୋଜନ କରାଯାଉଛି। ଶାସ୍ତ୍ର ସମ୍ମତ ଜୁନ-ଜୁଲାଇ ମାସ ଦକ୍ଷିଣ ଗୋଲାର୍ଦ୍ଧରେ ଶୀତ ପଡ଼ିଥିବାରୁ ଏହି ସମୟରେ ସେଠାରେ ରଥଯାତ୍ରା ଆୟୋଜନ କଷ୍ଟ ଦାୟକ।
ଶ୍ରୀମନ୍ଦିର ପ୍ରଶାସନ ଜବାବ: ତତ୍କାଳୀନ ପରିବେଶର ସ୍ଥିତିର ଦ୍ବାହି ଦେଇ ଶାସ୍ତ୍ର ନିର୍ଦ୍ଦେଶିତ ମତାଧାରକୁ ଅବମାନନା କରି ଅ-ତିଥିରେ ରଥଯାତ୍ରା ଓ ସ୍ନାନଯାତ୍ରା ଆୟୋଜନ ଯୁକ୍ତିଯୁକ୍ତ ନୁହେଁ। ପୁରୀରେ ରଥଯାତ୍ରା ଆୟୋଜନ ସମୟରେ ପ୍ରବଳ ଖରା କିମ୍ବା ବର୍ଷା ହୋଇଥାଏ। ନଚେତ ପ୍ରବଳ ଗୁଳୁଗୁଳି ହୋଇଥାଏ। କିନ୍ତୁ ଋତୁ ଭିତ୍ତିକ ପ୍ରଭାବ ଯୋଗୁଁ କେବେ ରଥଯାତ୍ରାକୁ ଅନୁକୂଳ ଋତୁରେ ଆୟୋଜନ କରାଯାଏ ନାହିଁ। ଇସ୍କନ ମଧ୍ୟ ଦକ୍ଷିଣ ଗୋଲାର୍ଦ୍ଧରେ ଅନେକ ସ୍ଥାନରେ ଶୀତ ଦିନେ ରଥଯାତ୍ରା ଆୟୋଜନ କରିଆସୁଛି। ତେଣୁ ପରିବେଶ ଗତ ପ୍ରଭାବକୁ ଗୁରୁତ୍ବ ଦେଇ ଶାସ୍ତ୍ରକୁ ଜଳାଞ୍ଜଳି ଦେବା ଆଦୌ ଗ୍ରହଣୀୟ ନୁହେଁ।

୨)ଇସ୍କନ ଯୁକ୍ତି: କିଛି ଦେଶରେ ରଥଯାତ୍ରା କବେଳ ରବିବାର ଦିନ ଆୟୋଜନ କରିବା ହିଁ ସମ୍ଭବ। ଯଦି ରବିବାର କୌଣସି ଉତ୍ସବ ଥାଏ, ତେବେ ରଥଯାତ୍ରା ପରବର୍ତ୍ତୀ ରବିବାରକୁ ଘୁଞ୍ଚାଯାଏ। ତେଣୁ ତିଥିକୁ ଗୁରୁତ୍ବ ଦେବା ସମ୍ଭବ ନୁହେଁ।
ଶ୍ରୀମନ୍ଦିର ପ୍ରଶାସନ ଜବାବ: ଆଷାଢ଼ ଶୁକ୍ଳପକ୍ଷ ଦ୍ବିତୀୟା ତିଥିରୁ ଆରମ୍ଭ ହେଉଥିବା ରଥଯାତ୍ରା ହେଉଛି ନବଦିନ ବ୍ୟାପୀ ଯାତ୍ରା। ଏହି ୯ ଦିନ ମଧ୍ୟରେ ଗୋଟିଏ ରବିବାର ନିଶ୍ଚିତ ପଡ଼େ। ତେଣୁ ଏହି ୯ ଦିନ ମଧ୍ୟରେ ପଡ଼ୁଥିବା ରବିବାର ରଥଯାତ୍ରା ଆୟୋଜନ କରିପାରିବେ।

୩. ଇସ୍କନ ଯୁକ୍ତି: ଏକା ସମୟରେ ଭିନ୍ନଭିନ୍ନ ସ୍ଥାନରେ ରଥଯାତ୍ରା ଆୟୋଜନ ଯୋଗୁଁ ଆଖପାଖ ଅଞ୍ଚଳର ଲୋକେ ଅନ୍ୟ ଜାଗାକୁ ଯାଇପାରନ୍ତି ନାହିଁ। ଅନ୍ୟ ଦିନରେ ରଥଯାତ୍ରା ହେଲେ ପ୍ରତିଯୋଗିତା ମୂଳକ ମନୋଭାବ ରହେ ନାହିଁ।
ଶ୍ରୀମନ୍ଦିର ପ୍ରଶାସନର ଜବାବ: ଆଖପାଖର ଭକ୍ତମାନେ ସାମିଲ ହେବା ଉଦ୍ଦେଶ୍ୟ ନେଇ ରଥଯାତ୍ରା ଆୟୋଜନ ହୋଇ ନଥାଏ। ବରଂ ମହାପ୍ରଭୁ ସ୍ବୟଂ ନିଜର ରଥଚଳା କେବେ ହେବ ସେନେଇ ନିର୍ଦ୍ଦେଶ ଦେଇଥିବାରୁ, ମହାପ୍ରଭୁଙ୍କ ନିର୍ଦ୍ଦେଶ ପରିପାଳନ ପ୍ରଥମ ପ୍ରାଧାନ୍ୟ। ଏହି ସମୟରେ ଭାରତ ବର୍ଷରେ ବହୁ ସ୍ଥାନରେ ରଥଯାତ୍ରା ଆୟୋଜନ ହୁଏ। ଏହାର ଅର୍ଥ ନୁହେଁ ଭିନ୍ନଭିନ୍ନ ସ୍ଥାନରେ ଆୟୋଜନ ଦ୍ବାରା ଗୁରୁତ୍ବ ହ୍ରାସ ପାଇବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.