Transgender individuals: ପରିବେଶ ସୁରକ୍ଷାର ବାର୍ତ୍ତାବହ ସାଜିଛନ୍ତି କିନ୍ନର: ମୁଣ୍ଡାଇଛନ୍ତି ବର୍ଜ୍ୟ ଓ ଜଳ ପରିଚାଳନା ଦାୟିତ୍ବ

2 days ago 2
ARTICLE AD BOX

ଭୁବନେଶ୍ବର(ସୁମନ୍ତ ପରିଡ଼ା): ସମାଜରେ ସମ୍ମାନର ସହ ବଞ୍ଚିବା ସହିତ ପରିବେଶ ସୁରକ୍ଷାର ବାର୍ତ୍ତାବହ ସାଜିଛନ୍ତି କିନ୍ନରମାନେ। ମୁଣ୍ଡାଇଛନ୍ତି ଭବିଷ୍ୟତ ପିଢ଼ି ପାଇଁ ଆହ୍ବାନ ସାଜିଥିବା ବର୍ଜ୍ୟ ପରିଚାଳନା, ଜଳ ପରିଚାଳନା ଭଳି ଗୁରୁ ଦାୟିତ୍ବ। କେବଳ ଏତିକି ନୁହେଁ, ଏଥିରୁ ନିଜେ ରୋଜଗାର କରିବା ସହ ସମଗ୍ର କିନ୍ନର ସମାଜକୁ ବି ଏଭଳି ରୋଜଗାରର ରାହା ଦେଖାଇଛନ୍ତି। ଭୁବନେଶ୍ବର ମହାନଗର ନିଗମରୁ ଆରମ୍ଭ ହୋଇଥିବା କିନ୍ନରଙ୍କ ଏହି କାମ ଆଜି ସାରା ରାଜ୍ୟକୁ ବ୍ୟାପିଛି। ରାଜ୍ୟର ୧୦ ସହରାଞ୍ଚଳରେ ୧୦୦ଜଣ କିନ୍ନର ଏଭଳି ସମାଜର ମୁଖ୍ୟସ୍ରୋତରେ ସାମିଲ ହେଲେଣି। ସ୍ବାବଲମ୍ବୀ ହେବା ସହ ସମ୍ମାନର ବଞ୍ଚୁଛନ୍ତି। ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କଠାରୁ ସମ୍ମାନିତ ହୋଇଛନ୍ତି।

Health: କେୟାର ହସ୍ପିଟାଲ୍‌-ନାଲ୍‌କୋର ପଦଯାତ୍ରା

ସରକାରଙ୍କ ‘ଗରିମା’ ଯୋଜନା ଅଧୀନରେ ବର୍ଜ୍ୟ ପରିଚାଳନା ଏକ ଗୁରୁତ୍ବପୂର୍ଣ୍ଣ ଅଂଶ। ସହରାଞ୍ଚଳରେ ସେସ୍‌ପୁଲ୍‌ ଗାଡ଼ି ଜରିଆରେ ବିଭିନ୍ନ ଘରୁ ବର୍ଜ୍ୟ ସଂଗ୍ରହ ପରେ ଏହାର ପ୍ରକ୍ରିୟାକରଣ କରାଯାଉଛି। ଏଥିପାଇଁ ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ସ୍ବତନ୍ତ୍ର ପ୍ଲାଣ୍ଟ ବସାଯାଇଛି। ଯେଉଁଥିରୁ ଖତ ପ୍ରସ୍ତୁତ କରାଯାଉଛି। ଏହି କାମ କରିବାକୁ କିନ୍ନରମାନେ  ସରକାରଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି। ମଳ ବର୍ଜ୍ୟ ସଂଗ୍ରହଠାରୁ ଆରମ୍ଭ କରି ପ୍ଲାଣ୍ଟରେ ଏହାର ପ୍ରକ୍ରିୟାକରଣ ପର୍ଯ୍ୟନ୍ତ ସବୁ କାମ ନିଖୁଣ ଭାବେ ତୁଲାଉଛନ୍ତି। ଏମାନଙ୍କ ନେତୃତ୍ବ ନେଉଥିବା କିନ୍ନର ମେଘନା କହିଛନ୍ତି, ସେ ଭୁବନେଶ୍ବର ମଳବର୍ଜ୍ୟ ପରିଚାଳନା ପ୍ଲାଣ୍ଟରେ କାମ କରନ୍ତି। ପ୍ଲାଣ୍ଟରେ ଦୈନିକ ୭୫ହଜାର ଲିଟର ମଳବର୍ଜ୍ୟ ପ୍ରକ୍ରିୟାକରଣ ବ୍ୟବସ୍ଥା ରହିଛି। ତାଙ୍କ ସମେତ ୧୦ଜଣ କିନ୍ନର ୩ ବର୍ଷରୁ ଅଧିକ ହେଲାଣି ଏହି ପ୍ଲାଣ୍ଟରେ କାମ କରୁଛନ୍ତି।

ଏହି ୧୦ଜଣ କିନ୍ନରଙ୍କୁ ନେଇ ସେ ‘ଟ୍ରାନ୍ସଜେଣ୍ଡର ସ୍ବୀକୃତି’ ନାମରେ ସ୍ବୟଂ ସହାୟକ ଗୋଷ୍ଠୀ ଗଢ଼ିଛନ୍ତି। ସେ ଏହି ଗୋଷ୍ଠୀର ସଭାପତି ଅଛନ୍ତି। ମେଘନା କହିଛନ୍ତି, ବୁକିଂ ଅନୁସାରେ ଘରୁ ସେସପୁଲ୍‌ ଗାଡ଼ି ଜରିଆରେ ସେପ୍ଟିକ ଟାଙ୍କିରୁ ମଳ ବର୍ଜ୍ୟ ସଂଗ୍ରହ କରି ପ୍ଲାଣ୍ଟକୁ ଆଣୁ। ପରେ ପ୍ଲାଣ୍ଟରେ ବର୍ଜ୍ୟ ଓ ପାଣିକୁ ଅଲଗା କରାଯାଏ। କଠିନ ବର୍ଜ୍ୟରୁ ଖତ ଓ ସଂଗୃହୀତ ଜଳକୁ ବିଶୋଧନ କରି ପୁନଃବ୍ୟବହାର ଉପଯୋଗୀ କରାଯାଇଥାଏ। ବିଶୋଧିତ ଜଳ ପ୍ଲାଣ୍ଟ ପରିସରରେ ଥିବା ପାର୍କ ଓ ଗଛରେ ଦିଆଯାଉଛି। ଖତରେ ଖାଲ ସ୍ଥାନ ପୂର୍ଣ୍ଣ କରାଯାଉଛି। ମେଘନା କହିଛନ୍ତି, ଆଗକୁ ଜଳ ସଂକଟ ଆହ୍ବାନ ପାଲଟିଛି। ଜଳର ପୁନଃବ୍ୟବହାର ଏହି ସଂକଟକୁ କିଛିକାଂଶରେ ଦୂର କରୁଛି। ମଳବର୍ଜ୍ୟ ପରିବେଶକୁ ପ୍ରଦୂଷିତ ଓ ସଂକ୍ରମିତ କରିବାର ସମ୍ଭାବନା ରହିଛି। ଏହାକୁ ସଂଗ୍ରହ କରି ତାର ପ୍ରକ୍ରିୟାକରଣ ଏହି ସଂକ୍ରମଣର ଭୟ ଦୂର କରୁଛି। କିନ୍ନରମାନଙ୍କୁ ନେଇ ଏକ ଟ୍ରାନ୍ସଜେଣ୍ଡର ୱେଲ୍‌ଫେୟାର ଟ୍ରଷ୍ଟ ରହିଛି। ଏହି ଟ୍ରଷ୍ଟ ଅଧୀନରେ ଥିବା ୧୦୦ଜଣ କିନ୍ନର ସ୍ବୟଂ ସହାୟକ ଗୋଷ୍ଠୀ ଗଢ଼ି ପୁରୀ, ଗଞ୍ଜାମ, ଗଜପତି, ବାଲେଶ୍ବର ଭଳି ୧୦ ସହରାଞ୍ଚଳରେ କାମ କରୁଛନ୍ତି ଓ ରୋଜଗାର କରୁଛନ୍ତି। ଅନ୍ୟ ଆଗରେ ହାତ ପାତିବା ଅପେକ୍ଷା ଏଭଳି ନିଜେ ରୋଜଗାର କରି ସମ୍ମାନର ସହ ବଞ୍ଚିବାକୁ ସେ କିନ୍ନର ସମାଜକୁ ଆହ୍ବାନ ଦେଇଛନ୍ତି। ସରକାରୀ ଓ ବେସରକାରୀ ସଂସ୍ଥାରେ କିନ୍ନରଙ୍କ ପାଇଁ ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ସଂରକ୍ଷଣ ବ୍ୟବସ୍ଥା ଉପରେ ଜୋର ଦେଇଛନ୍ତି।

Special campaign: ଅକ୍ଟୋବର ୨ରୁ ୩୧ ପର୍ଯ୍ୟନ୍ତ ସ୍ୱଚ୍ଛତା ଏବଂ ବକେୟା କାର୍ଯ୍ୟ ହ୍ରାସ ଉପରେ ଗୁରୁତ୍ୱ

ଭୁବନେଶ୍ବର ମହାନଗର ନିଗମ ଡେପୁଟି କମିସନର୍‌(ପରିମଳ) ଏନ୍‌. ଗଣେଶ ବାବୁ କହିଛନ୍ତି, ପ୍ଲାଣ୍ଟ ପରିଚାଳନା ଅବା ବର୍ଜ୍ୟ ସଂଗ୍ରହ ପାଇଁ କିନ୍ନରମାନଙ୍କୁ କୌଣସି ପ୍ରାପ୍ୟ ମିଳେନି। ମଳବର୍ଜ୍ୟ ସଂଗ୍ରହ ପାଇଁ ମହାନଗର ନିଗମ ସେମାନଙ୍କୁ କିଛି ସେସ୍‌ପୁଲ୍‌ ଗାଡ଼ି ଯୋଗାଇ ଦେଇଛି। ମଳ ବର୍ଜ୍ୟ ସଂଗ୍ରହ ପାଇଁ ବୁକିଂ ଆୟରୁ ସେମାନେ ରୋଜଗାର କରୁଛନ୍ତି। ଗାଡ଼ି ଚାଳକ, ସହାୟକଙ୍କଠାରୁ ଆରମ୍ଭ କରି ଅନ୍ୟମାନଙ୍କୁ ବି ସେମାନେ ନିଯୁକ୍ତି ଦେଇଛନ୍ତି ଓ ଏଥିରୁ ଏହାର ଖର୍ଚ୍ଚ ବହନ କରୁଛନ୍ତି। ମାସକୁ ହାରାହାରି ଦେଢ଼ଲକ୍ଷରୁ ୨ଲକ୍ଷ ଟଙ୍କା ଲାଭାଂଶ ବି ବାହାର କରିପାରୁଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.