Tourism: ବିଶ୍ୱ ପର୍ଯ୍ୟଟନ ଦିବସରେ ଜାଣନ୍ତୁ, କେଉଁ ଫିଲ୍ମ କେଉଁ ସ୍ଥାନକୁ କରିଛି ଲୋକପ୍ରିୟ

18 hours ago 2
ARTICLE AD BOX

ଭୁବନେଶ୍ବର: ସେପ୍ଟେମ୍ବର ୨୭ ତାରିଖ ଏହି ଦିନରେ ପାଳନ ହୁଏ ବିଶ୍ୱ ପର୍ଯ୍ୟଟନ ଦିବସ। ପର୍ଯ୍ୟଟନର ଗୁରୁତ୍ୱ ଓ ବିଭିନ୍ନ ଦେଶର ସାଂସ୍କୃତିକ ଐତିହ୍ୟ ସହ ଲୋକଙ୍କୁ ପରିଚିତ କରାଇବା ଏହି ଦିବସର ଏକ ପ୍ରମୁଖ ଉଦ୍ଦେଶ୍ୟ। ଭାରତରେ ପର୍ଯ୍ୟଟନକୁ ଲୋକପ୍ରିୟ କରିବାରେ ହିନ୍ଦୀ ସିନେମାର ମଧ୍ୟ ଏକ ବିଶେଷ ଭୂମିକା ରହିଛି। ଫିଲ୍ମରେ ଦେଖାଯାଇଥିବା ପାହାଡ଼, ହ୍ରଦ, ସମୁଦ୍ରତଟ, ରାଜପ୍ରାସାଦ ଓ ସହରର ଦୃଶ୍ୟ ଅନେକ ଦର୍ଶକଙ୍କୁ ସେହି ସ୍ଥାନକୁ ଯିବା ପାଇଁ ଆକର୍ଷିତ କରିଥାଏ।

ଆଜି ହେଉଛି ୨୭ ସେପ୍ଟେମ୍ବର ବିଶ୍ବ ପର୍ଯ୍ୟଟନ ଦିବସ। ଆସନ୍ତୁ ଜାଣିବା ଭାରତର କେଉଁ ସବୁ ସ୍ଥାନ ଗୁଡ଼ିକରେ ହିନ୍ଦୀ ଚଳଚିତ୍ର ଗୁଡିକର ସୁଟିଂ କରାଯାଇଥାଏ ।ସେହି ସବୁ ସ୍ଥାନ ଗୁଡିକ ମଧ୍ୟରୁ ଲଦାଖର ପାଙ୍ଗୋଙ୍ଗ ହ୍ରଦ ଏକ ଚର୍ଚ୍ଚିତ ସ୍ଥାନ। ଆମିର ଖାନ୍, ଆର୍‌ ମାଧବନ୍‌ ଓ ଶର୍ମନ୍ ଜୋଶୀ ଅଭିନୀତ ‘ଥ୍ରୀ ଇଡିଓଟସ୍’ର ଶେଷ ଦୃଶ୍ୟରେ ପାଙ୍ଗୋଙ୍ଗ ହ୍ରଦ ଦେଖାଯାଇଥିଲା। ଏହାଛଡ଼ା ‘ଜବ୍ ତକ୍ ହୈ ଜାନ୍’ ଭଳି ଫିଲ୍ମରେ ମଧ୍ୟ ଲଦାଖର ପ୍ରାକୃତିକ ପରିବେଶ ଦେଖିବାକୁ ମିଳିଛି। ଫିଲ୍ମରେ ଏହି ଅଞ୍ଚଳର ମନୋରମ ଦୃଶ୍ୟ ଦର୍ଶକଙ୍କ ମନରେ ଏକ ଭିନ୍ନ ଆକର୍ଷଣ ସୃଷ୍ଟି କରିଛି।

ଜାଣନ୍ତୁ କିଛି ଚର୍ଚ୍ଚିତ ସ୍ଥାନ

ସେହିପରି ଉଦୟପୁର ମଧ୍ୟ ହିନ୍ଦୀ ସିନେମାର ଏକ ଲୋକପ୍ରିୟ ସୁଟିଂ ସ୍ଥାନ। ହ୍ରଦ, ରାଜପ୍ରାସାଦ ଓ ଐତିହାସିକ ସ୍ଥାପତ୍ୟ ପାଇଁ ପରିଚିତ ଏହି ସହରର ଦୃଶ୍ୟ ‘ୟେ ଜୱାନୀ ହୈ ଦିୱାନୀ’ ଓ ‘ଗଲିୟୋଁ କି ରାସ୍ ଲୀଲା ରାମ୍-ଲୀଲା’ ଭଳି ଫିଲ୍ମରେ ଦେଖାଯାଇଛି। ରାଜସ୍ଥାନର ଜୟପୁରର ଅମ୍ବର୍ ଫୋର୍ଟ ଓ ହୱା ମହଲ ମଧ୍ୟ ଅନେକ ସିନେମାରେ ଦେଖାଯାଇଛି। ଏଭଳି ଭାବରେ ସିନେମାର ପରଦାରେ ଐତିହାସିକ ସ୍ଥାନଗୁଡ଼ିକର ପରିଚୟ ଦର୍ଶକଙ୍କ ନିକଟରେ ଆହୁରି ବଢ଼ିଛି।

ପ୍ରକୃତିପ୍ରେମୀଙ୍କ ପାଇଁ ମନାଲି ଓ କଶ୍ମୀର ମଧ୍ୟ ହିନ୍ଦୀ ଫିଲ୍ମର ଲୋକପ୍ରିୟ ସୁଟିଂ ସ୍ଥାନ ପାଲଟିଛି। ‘ୟେ ଜୱାନୀ ହୈ ଦିୱାନୀ’ ଓ ‘ଜବ୍ ଉଇ ମେଟ୍’ର କିଛି ଦୃଶ୍ୟ ମନାଲି ସହ ଜଡ଼ିତ ଥିବା ବେଳେ ‘ହାଇଦର୍’ ଓ ବଜରଙ୍ଗୀ ଭାଇଜାନ୍’ ଭଳି ଫିଲ୍ମରେ କାଶ୍ମୀରର ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖାଯାଇଛି। ପାହାଡ଼, ବରଫ ଓ ସବୁଜ ଉପତ୍ୟକାର ଦୃଶ୍ୟ ଏହି ସ୍ଥାନଗୁଡ଼ିକୁ ସିନେମା ପ୍ରେମୀଙ୍କ ସହ ପର୍ଯ୍ୟଟକଙ୍କ ପାଇଁ ମଧ୍ୟ ଆକର୍ଷଣୀୟ କରିଛି।

ପର୍ଯ୍ୟଟନର ଦେଶର ସାଂସ୍କୃତିକ ଐତିହ୍ୟର ପ୍ରତିଛବି

ଗୋଆ ଓ ମୁମ୍ବାଇ ମଧ୍ୟ ସିନେମା ଓ ପର୍ଯ୍ୟଟନର ଏହି ସମ୍ପର୍କର ଦୁଇଟି ଉଦାହରଣ। ‘ଦିଲ୍ ଚାହତା ହୈ’ରେ ଗୋଆର ସମୁଦ୍ରତଟ ଓ ପରିବେଶ ଦର୍ଶକଙ୍କ ନଜରକୁ ଆସିଥିବା ବେଳେ ମୁମ୍ବାଇର ମରିନ୍ ଡ୍ରାଇଭ୍ ଓ ବାନ୍ଦ୍ରା ଭଳି ସ୍ଥାନ ବହୁ ହିନ୍ଦୀ ଫିଲ୍ମରେ ଦେଖାଯାଇଛି। ଏହାଛଡ଼ା କୋଲକାତା, ରନ୍ ଅଫ୍ କୁଚ୍ ଓ ମୁନ୍ନାର ମଧ୍ୟ ଫିଲ୍ମ ସୁଟିଂ ପାଇଁ ପରିଚିତ। ‘ପିକୁ’, ‘ପରିଣୀତା’, ‘ରାମ୍-ଲୀଲା’ ଓ ‘ଚେନ୍ନାଇ ଏକ୍ସପ୍ରେସ୍’ ଭଳି ଫିଲ୍ମ ସହ ଏହି ସ୍ଥାନଗୁଡ଼ିକର ନାମ ଯୋଡ଼ି ହୋଇଛି।

ବିଶ୍ୱ ପର୍ଯ୍ୟଟନ ଦିବସରେ ଏହି ଫିଲ୍ମ ଲୋକେସନ୍‌ଗୁଡ଼ିକ ଦେଖାଇଦିଏ ଯେ ସିନେମା କେବଳ କାହାଣୀ କହିବାର ମାଧ୍ୟମ ନୁହେଁ, ଏହା ଏକ ସ୍ଥାନର ସୌନ୍ଦର୍ଯ୍ୟ, ସଂସ୍କୃତି ଓ ଐତିହ୍ୟକୁ ମଧ୍ୟ ଦେଶ-ବିଦେଶର ଦର୍ଶକଙ୍କ ନିକଟରେ ପହଞ୍ଚାଇପାରେ। ପରଦାରେ ଦେଖାଯାଇଥିବା ଏକ ଦୃଶ୍ୟ ଅନେକ ସମୟରେ ଦର୍ଶକଙ୍କ ପାଇଁ ପରବର୍ତ୍ତୀ ଭ୍ରମଣର ପ୍ରେରଣା ପାଲଟିଥାଏ। ତେଣୁ ସିନେମା ଓ ପର୍ଯ୍ୟଟନର ଏହି ସମ୍ପର୍କ ଭାରତର ବିଭିନ୍ନ ଗନ୍ତବ୍ୟସ୍ଥଳୀକୁ ନୂଆ ପରିଚୟ ଦେବାରେ ସହାୟକ ହୋଇପାରେ।

ଏଫ୍-୩୫ ଚୁକ୍ତିରୁ ବାଦ୍ ଦେଇଥିଲା ଆମେରିକା

Read Entire Article
LEFT SIDEBAR AD

Hidden in mobile, Best for skyscrapers.