ARTICLE AD BOX
ନୂଆଦିଲ୍ଲୀ/ମୁମ୍ବାଇ: ବଲିଉଡ୍ ଅଭିନେତା ଟାଇଗର ଶ୍ରଫଙ୍କ କାର୍ ଉପରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ପୁଲିସକୁ ବଡ଼ ସଫଳତା ମିଳିଛି। ଆମେରିକା-କାନାଡ଼ାରେ ସକ୍ରିୟ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ତଥା ମାଷ୍ଟରମାଇଣ୍ଡ ଅନିଲ ପଣ୍ଡିତ ଏବଂ ତିନିଜଣ ସୁଟରଙ୍କ ମଧ୍ୟରେ ଯୋଗାଯୋଗ କରାଇଥିବା ସମୀର ନାମକ ଜଣେ ବ୍ୟକ୍ତିକୁ ହରିୟାଣାର ସୋନିପତରୁ ଗିରଫ କରାଯାଇଛି। ଏହି ଗିରଫଦାରୀ ସହ ମାମଲାରେ ପୁଲିସ ହାତରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ଛଅରେ ପହଞ୍ଚିଛି।
ପୂର୍ବରୁ ରାଜସ୍ଥାନର କୋଟା ରେଳଷ୍ଟେସନରୁ ତିନିଜଣ ମୁଖ୍ୟ ସୁଟର, ଫୁଲ୍ ସିଂହ, ରେହାନ୍ ଓ ହ୍ରିତିକ କୁମାରଙ୍କୁ ପୁଲିସ କାବୁ କରିଥିବା ବେଳେ ମହାରାଷ୍ଟ୍ର-ଗୁଜରାଟ ସୀମାନ୍ତରୁ ଅନ୍ୟ ଜଣଙ୍କୁ ମଧ୍ୟ ଅଟକ ରଖାଯାଇଥିଲା। କୋଟାରେ କଡ଼ା ସୁରକ୍ଷା ବଳୟରେ ଥିବା ସୁଟରମାନଙ୍କୁ ମୁମ୍ବାଇ ପୁଲିସକୁ ହସ୍ତାନ୍ତର କରାଯାଇଛି। ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତମାନେ ପରସ୍ପର ସହ କଥା ହେବା ପାଇଁ ''ଜାଗି'' ଆପ୍ ବ୍ୟବହାର କରୁଥିଲେ, ଯେଉଁଥିରେ ପରିଚୟ ପ୍ରଦାନ କରିବାର ଆବଶ୍ୟକତା ନଥାଏ। ଏପରିକି ସୁଟରମାନଙ୍କୁ ଅସ୍ତ୍ରଶସ୍ତ୍ର ମଧ୍ୟ ହାତକୁ ଦିଆଯାଇ ନଥିଲା, ବରଂ ଏକ ଡଷ୍ଟବିନ୍ ପାତ୍ର ନିକଟରୁ ଅସ୍ତ୍ର ସଂଗ୍ରହ କରିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।
ପୂର୍ବରୁ ଚେତାବନୀ ଦିଆଯାଇଥିବା ଦାବି
ଅନ୍ୟପକ୍ଷରେ, ଅନିଲ ପଣ୍ଡିତ ନାମକ ଜଣେ ବ୍ୟକ୍ତି ସୋସିଆଲ୍ ମିଡିଆ ଏବଂ ଅଡିଓ କ୍ଲିପ୍ ଜରିଆରେ ଏହି ଆକ୍ରମଣର ଦାୟିତ୍ୱ ନେଇଛି। ଅଭିନେତା ସଲମାନ ଖାନଙ୍କ ସହ କାମ ନକରିବାକୁ ଟାଇଗର ଶ୍ରଫଙ୍କୁ ପୂର୍ବରୁ ଚେତାବନୀ ଦିଆଯାଇଥିବା ସେ ଦାବି କରିଛି। ସଲମାନ ଖାନ୍ ଙ୍କୁ ନେଇ ବିଷ୍ଣୋଇ ଗ୍ୟାଙ୍ଗର ପୁରୁଣା ଶତ୍ରୁତା ଥିବା ବେଳେ, ମୁମ୍ବାଇ ଫିଲ୍ମ ଜଗତରେ ସଲମାନଙ୍କ ସହ ସହଯୋଗ କରୁଥିବା ଅନ୍ୟ କଳାକାରମାନଙ୍କୁ ମଧ୍ୟ ସମାନ ପରିଣତି ଭୋଗିବାକୁ ପଡ଼ିବ ବୋଲି ଗ୍ୟାଙ୍ଗ୍ ପକ୍ଷରୁ ଧମକ ଦିଆଯାଇଛି। ପୁଲିସ ଏହି ଅଡିଓ ଏବଂ ସୋସିଆଲ୍ ମିଡିଆ ପୋଷ୍ଟର ସତ୍ୟତା ଯାଞ୍ଚ କରିବା ସହ ମୁମ୍ବାଇରେ ଥିବା ସମୀରର ଅନ୍ୟାନ୍ୟ ସହଯୋଗୀମାନଙ୍କ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରୁଛି।

54 minutes ago
1


