ARTICLE AD BOX
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଧରୁଆଡ଼ିହି ଥାନା ଅନ୍ତର୍ଗତ ମାନମୁଣ୍ଡା ଗ୍ରାମରେ ଜଣେ ବିବାହିତ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।
ମୃତାଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିବା ପରେ ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ମୃତା ଜଣକ ହେଲେ ମେଦିନି ବାଡ଼ା (୨୧)। ତାଙ୍କର ଦୁଇ ବର୍ଷ ପୂର୍ବେ ମାନମୁଣ୍ଡା ଗ୍ରାମର ଦିବ୍ୟକିଶାନ (୨୪)ଙ୍କ ସହ ବିବାହ ହୋଇଥିଲା। ଗତକାଲି ଦିନ ପ୍ରାୟ ୧୧ଟାରେ ମହିଳା ବେକରେ ଫାଶୀ ଲଗାଇ ଝୁଲି ପଡ଼ିଥିବା ଅଭିଯୋଗ ହୋଇଥିଲା। କିନ୍ତୁ ସ୍ବାମୀ କି ତାଙ୍କ ପରିବାରର କେହି ପୁଲିସକୁ ସୂଚନା ଦେଇ ନଥିଲେ। କୌଣସି ସୂତ୍ରରୁ ପୁଲିସ ରାତି ୮ଟାରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲା।
ତେବେ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚିପାରି ନଥିବାରୁ ମୃତଦେହ ଉଦ୍ଧାର ପ୍ରକ୍ରିୟା ବିଳମ୍ବିତ ହୋଇଥିବା ସୂଚନା ମିଳିଛି। ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଆବଶ୍ୟକ ଯାଞ୍ଚ କରିବା ପରେ ମୃତଦେହ ଉଦ୍ଧାର କରାଯିବ ବୋଲି ଜଣାପଡ଼ିଛି।
ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହିଥିଲା
ଅନ୍ୟପକ୍ଷରେ, ମୃତ ମହିଳାଙ୍କ ପରିବାରଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବହୁଦିନ ଧରି କଳହ ଲାଗି ରହିଥିବା ବେଳେ ଝିଅକୁ ମାରି ଆତ୍ମହତ୍ୟାର ରୂପ ଦେବାକୁ ଝୁଲାଇ ଦିଆଯାଇଥିବା ପରିବାର ଅଭିଯୋଗ କରିଛି। ତେବେ ମହିଳାଙ୍କ ମୃତ୍ୟୁ ଆତ୍ମହତ୍ୟା ନା ହତ୍ୟା, ତାହା ଏବେ ରହସ୍ୟ ଘେରରେ ରହିଛି। ପୁଲିସର ତଦନ୍ତ, ସାଇଣ୍ଟିଫିକ୍ ଟିମ୍ର ଯାଞ୍ଚ, ବ୍ୟବଚ୍ଛେଦ ରିପୋର୍ଟ ସହ ପରବର୍ତ୍ତୀ ତଦନ୍ତ ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିବ।

1 hour ago
1


