ARTICLE AD BOX
ଭୁବନେଶ୍ୱର: ଚଳିତମାସ ଶେଷ ସପ୍ତାହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସିବେ। ରାଷ୍ଟ୍ରପତି ଅକ୍ଟୋବର ୨୮ରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୨୫ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସି ଖୋର୍ଦ୍ଧା ନିକଟସ୍ଥ ଭାରତୀୟ ରିଜର୍ଭ ବ୍ୟାଙ୍କର ଡାଟା ସେଣ୍ଟର ଓ ପ୍ରଶିକ୍ଷଣ ସଂସ୍ଥାର ଲୋକାର୍ପଣ କରିବେ। ଦେଶର ଦୁଇ ଶାସନ ମୁଖ୍ୟ ଓଡ଼ିଶା ଗସ୍ତରେ ଆସିବାର ଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି।
ଆଜି ଲୋକସେବା ଭବନରେ ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୨୫ ଅପରାହ୍ଣରେ ବାୟୁସେନାର ସ୍ବତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ଏହାପରେ ହେଲିକପ୍ଟର ଯୋଗେ ଖୋର୍ଦ୍ଧା ହେଲିପ୍ୟାଡରେ ପହଞ୍ଚିବେ। ସେଠାରୁ ସଡ଼କ ପଥରେ କାର୍ଯ୍ୟକ୍ରମସ୍ଥଳକୁ ଯାଇ ଆର୍ବିଆଇର ଗ୍ରିନ୍ ଫିଲ୍ଡ ଡାଟା ସେଣ୍ଟର ଓ ପ୍ରଶିକ୍ଷଣ କେନ୍ଦ୍ରର ଶୁଭ ଉଦ୍ଘାଟନ କରିବେ। ସେଠାରେ ପ୍ରଧାନମନ୍ତ୍ରୀ ପ୍ରାୟ ୧ ଘଣ୍ଟା ରହିବେ। ପରେ ପ୍ରଧାନମନ୍ତ୍ରୀ ସଡ଼କ ପଥରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ନୂଆଦିଲ୍ଲୀ ଫେରିଯିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରିପ୍ରେକ୍ଷୀରେ ପ୍ରସ୍ତୁତି ନେଇ ସୁରକ୍ଷା ବ୍ୟବସ୍ଥା, କାର୍କେଡ ପ୍ଲାନ୍, ଜରୁରିକାଳୀନ ଚିକିତ୍ସା ସେବା, ଆବଶ୍ୟକ ସଡ଼କ ମରାମତି, ପରିମଳ, ନିରବଚ୍ଛିନ୍ନ ବିଦ୍ୟୁତ୍ସେବା ଓ ପାନୀୟଜଳ ବ୍ୟବସ୍ଥା, ମଞ୍ଚ ପ୍ରସ୍ତୁତି, ଗଣମାଧ୍ୟମକୁ ସମ୍ବାଦ ସରବରାହ ବ୍ୟବସ୍ଥା ଓ ଅନ୍ୟ ଆନୁଷଙ୍ଗିକ ପ୍ରସ୍ତୁତି ନେଇ ବିସ୍ତୃତ ଆଲୋଚନା ହୋଇଥିଲା।
ସେହିପରି ରାଷ୍ଟପତି ଦ୍ରୌପଦୀ ମୁର୍ମୁ ୨୮ ତାରିଖ ପୂର୍ବାହ୍ଣରେ ରାଇରଙ୍ଗପୁର ଦାଣ୍ଡବୋଷ ବିମାନବନ୍ଦରରେ ପହଞ୍ଚିବା ପରେ ସଡ଼କ ପଥରେ ବହଳଦାସ୍ଥିତ ମା’ କୀଚକେଶ୍ୱରୀ ମନ୍ଦିରକୁ ଯିବେ। ମନ୍ଦିରରେ ମା’ଙ୍କ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି। ପରେ ସେ ରାଇରଙ୍ଗପୁର ମହୁଲଡିହାସ୍ଥିତ ଲକ୍ଷ୍ମୀମଣ୍ଡପରେ ପହଞ୍ଚି ପୂଜାର୍ଚ୍ଚନା କରିବେ। ସେହି ଅପରାହ୍ଣରେ ରାଷ୍ଟ୍ରପତି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ କରି ଅକ୍ଟୋବର ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ରାଇରଙ୍ଗପୁରଠାରେ ଅନୁଷ୍ଠିତ ମେଗା ସ୍ୱାସ୍ଥ୍ୟ ଶିବିରରେ ଯୋଗ ଦେଇଥିବା ଅଧିକାରୀ, ଷ୍ଟାଫ ଓ ହିତାଧିକାରୀଙ୍କୁ ସାକ୍ଷାତ କରିବେ। ଏହାପରେ କଚେରି ରୋଡ୍ରେ ଏକ ଜନ ସମାବେଶରେ ଯୋଗ ଦେଇ ଆଭାସୀ ମାଧ୍ୟମରେ ଆଇଆଇଏଫ୍ଏମ୍ (ଇଣ୍ଡିଆନ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫରେଷ୍ଟ ମ୍ୟାନେଜମେଣ୍ଟ) କ୍ୟାମ୍ପସ୍ର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହି ଅବସରରେ ରାଷ୍ଟ୍ରପତି ‘ପ୍ରସାଦ’ ଯୋଜନାରେ ମା’ କୀଚକେଶ୍ୱରୀ ମନ୍ଦିରର ପୁନରୁଦ୍ଧାର ଓ ଉନ୍ନତୀକରଣ ପାଇଁ ଶିଳାନ୍ୟାସ କରିବେ। ଏଥିସହିତ ନବନିର୍ମିତ ରାଇରଙ୍ଗପୁର ଓ ବାଦାମପାହାଡ଼ ‘ଅମୃତ ଭାରତ’ ରେଳ ଷ୍ଟେସନର ଉଦ୍ଘାଟନ, ରାଇରଙ୍ଗପୁରରେ ଗୋଶାଳା ଏବଂ ଆଦିବାସୀ ସାମାଜିକ ଶିକ୍ଷା ଓ ସାଂସ୍କୃତିକ ସଂଘ କୋଠାର ଶିଳାନ୍ୟାସ କାର୍ଯ୍ୟକ୍ରମ ରହିଛି। ୨୯ ତାରିଖ ସକାଳେ ରାଇରଙ୍ଗପୁର ସ୍ପୋର୍ଟସ କମ୍ପ୍ଲେକ୍ସ, ବହୁମୁଖୀ-ଦକ୍ଷତା ବିକାଶ କେନ୍ଦ୍ର ଏବଂ ଗୋରୁମହିଷାଣୀ ଇସ୍ପାତ କଲେଜ ପରିଦର୍ଶନ କରିବେ। ପରେ ରାଇରଙ୍ଗପୁର ଟାଉନ ହଲଠାରେ ସ୍ୱାସ୍ଥ୍ୟ ବିଭାଗ ସଂପର୍କିତ ଆଲୋଚନା, ସଭା ଓ ସଚେତନତାମୂଳକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେହିଦିନ ଅପରାହ୍ଣରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।
ଏହି ପ୍ରସ୍ତୁତି ବୈଠକରେ ଉନ୍ନୟନ କମିସନର ଦେଓରଂଜନ କୁମାର ସିଂହ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମାଙ୍କ ସମେତ ବିଭିନ୍ନ ବିଭାଗର ସଚିବ, ପୁଲିସ ଡିଜି, ଭାରତୀୟ ରିଜର୍ଭ ବ୍ୟାଙ୍କର ପଦାଧିକାରୀ, ସଂପୃକ୍ତ ବିଭିନ୍ନ ସଂସ୍ଥାର କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ। ଖୋର୍ଦ୍ଧା ଜିଲ୍ଲାପାଳ ବୈଠକରେ ଉପସ୍ଥିତ ଥିବାବେଳେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ, ମୟୂରଭଞ୍ଜ ଜିଲ୍ଲାପାଳ ଏବଂ ଏସ୍ପି ଆଭାସୀ ମାଧ୍ୟମରେ ବୈଠକରେ ଯୋଗ ଦେଇଥିଲେ।
ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟସୂଚୀର ପ୍ରତ୍ୟେକ କାର୍ଯ୍ୟକୁ ନିର୍ଭୁଲ ଭାବେ ପରିଚାଳନା, ବ୍ୟକ୍ତିଗତ ଭାବେ ତଦାରଖ, ଅନୁଧ୍ୟାନ ଓ ପ୍ରସ୍ତୁତି କରିବାକୁ ମୁଖ୍ୟ ସଚିବ ଆବଶ୍ୟକ ନିର୍ଦ୍ଦେଶ ଦେଇଛନ୍ତି। ଦୁଇ ଭିଭିଆଇପିଙ୍କ ଗସ୍ତ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଗୃହ ବିଭାଗ ପକ୍ଷରୁ ଏକ ନିୟନ୍ତ୍ରଣ କକ୍ଷ ଖୋଲାଯିବ ବୋଲି ବୈଠକରେ କୁହାଯାଇଛି।

4 hours ago
1


