Telingiri: ଲଗାଣ ବର୍ଷା, ତେଲିଙ୍ଗିରି ଜଳଭଣ୍ଡାର ସ୍ପିଲୱେ ଦେଇ ଜଳ ନିଷ୍କାସନ ଜାରି

4 days ago 4
ARTICLE AD BOX

ଜୟପୁର: ଲଗାଣ ବର୍ଷାରେ କୋରାପୁଟ ଜିଲ୍ଲାର ଜଳଭଣ୍ଡାରରେ ଜଳପତ୍ତନ ବୃଦ୍ଧି ପାଇବାରେ ଲାଗିଛି। ଜୟପୁର ସହର ଉପକଣ୍ଠ ଆମ୍ବାଗୁଡ଼ାସ୍ଥିତ ତେଲେଙ୍ଗିରି ଜଳଭଣ୍ଡାରର ଜଳପତ୍ତନ ମଧ୍ୟ ଦ୍ରୁତଗତିରେ ବଢ଼ୁଛି। ଜଳଭଣ୍ଡାରରେ ଜଳପତ୍ତନ ନିୟନ୍ତ୍ରଣ ଓ ବନ୍ଧର ସୁରକ୍ଷା ଦୃଷ୍ଟିରୁ ୨ ନମ୍ବର ସ୍ପିଲୱେ ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଥିବା ନେଇ ସୂଚନା ମିଳିଛି। ସେହିପରି ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟରୁ ବୁଧବାର ସକାଳ ୮ଟାରୁ ଅପରାହ୍ନ ୪ଟା ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ, କୋରାପୁଟ ଜିଲ୍ଲାରେ ମୋଟ ୨୫୪ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଜିଲ୍ଲାର ହାରାହାରି ବର୍ଷା ପରିମାଣ ୧୮.୧୪ ମିମି ରହିଛି। ତେଲେଙ୍ଗିରି କେନାଲ୍ ଡିଭିଜନ ପକ୍ଷରୁ ବୁଧବାର ସକାଳ ୮ଟା ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ, ଜଳଭଣ୍ଡାର ଅଞ୍ଚଳରେ ୭୫.୭ ମିମି ବର୍ଷା ହୋଇଛି। ଚଳିତ ଋତୁରେ ଏଠାରେ ମୋଟ ବର୍ଷା ପରିମାଣ ୧୦୫୫.୫ ମିମିରେ ପହଞ୍ଚିଛି। 

ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ ସ୍ତର(ଏଫ୍‌ଆର୍‌ଏଲ୍‌) ୬୩୩ ମିଟର ଥିବା ବେଳେ ବର୍ତ୍ତମାନ ଜଳସ୍ତର ୬୩୧.୩୬ ମିଟରରେ ପହଞ୍ଚିଛି। ବର୍ତ୍ତମାନ ଜଳଭଣ୍ଡାରରେ ୫୯.୫୯ ଏମ୍‌ସିଏମ୍‌ ଜଳ ଗଚ୍ଛିତ ରହିଛି। ଏହା ମୋଟ ଲାଇଭ୍‌ ଷ୍ଟୋରେଜ୍‌ର ୮୭.୩୩ ପ୍ରତିଶତ ଅଟେ। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୪୧.୮୮ କ୍ୟୁମେକ୍‌ ଜଳ ପ୍ରବେଶ କରୁଥିବା ବେଳେ ୪୮.୮୯ କ୍ୟୁମେକ୍‌ ଜଳ ନିଷ୍କାସିତ ହେଉଛି। ଗତବର୍ଷ ଆଜିର ଦିନରେ ତେଲେଙ୍ଗିରିର ଜଳସ୍ତର ୬୩୨.୩ ମିଟର ରହିଥିଲା। ଏହା ଲାଇଭ୍‌ ଷ୍ଟୋରେଜ୍‌ର ୯୪.୪୯ ପ୍ରତିଶତ ଥିଲା। ଚଳିତ ବର୍ଷ ଏହି ସମୟରେ ଜଳସ୍ତର ୬୩୧.୩୬ ମିଟର ରହିଥିବାରୁ ସ୍ଥିତି ଉପରେ କର୍ତ୍ତୃପକ୍ଷ ନଜର ରଖିଛନ୍ତି। ବଢ଼ୁଥିବା ଜଳପତ୍ତନକୁ ନିୟନ୍ତ୍ରଣ କରିବା ପାଇଁ ତେଲେଙ୍ଗିରି ଜଳଭଣ୍ଡାରର ୨ ନମ୍ବର ସ୍ପିଲୱେ ଗେଟ୍‌କୁ ଖୋଲାଯାଇଛି।

ଆହୁରି ପଢନ୍ତୁ: Heartbeat: ପ୍ରତିଟି ସ୍ପନ୍ଦନ ଉପରେ ଧ୍ୟାନ ରଖନ୍ତୁ

ଏହି ସ୍ପିଲୱେ ଗେଟ୍‌ ଦେଇ ପ୍ରତି ସେକେଣ୍ଡରେ ୪୫.୩୫ କ୍ୟୁମେକ୍‌ ବନ୍ୟାଜଳ ନଦୀକୁ ନିଷ୍କାସିତ ହେଉଛି। ସେହିପରି ହେଡ୍‌ ରେଗୁଲେଟର (ଏଚ୍‌ଆର୍‌) ଦେଇ ୦.୫୮ କ୍ୟୁମେକ୍‌ ଜଳ ନିଷ୍କାସିତ ହେଉଛି। ଗେଟ୍ ଖୋଲାଯିବା ପରେ ତଳିଆ ଅଞ୍ଚଳର ନଦୀପଠା ଓ ଆଖପାଖ ଅଞ୍ଚଳରେ ଜଳପତ୍ତନ ବଢ଼ିବାର ସମ୍ଭାବନା ଥିବାରୁ ଲୋକଙ୍କୁ ନଦୀପଠାକୁ ନଯିବା ପାଇଁ ସତର୍କ କରାଯାଇଛି। ଡ୍ୟାମ୍‌ ନିୟନ୍ତ୍ରଣ କକ୍ଷ ପକ୍ଷରୁ ମଧ୍ୟ ପରିସ୍ଥିତି ଉପରେ ୨୪ ଘଣ୍ଟିଆ ନଜର ରଖାଯାଉଛି। ଲଗାଣ ବର୍ଷା ଜାରି ରହିଥିବାରୁ ଜଳଭଣ୍ଡାରର ଜଳପତ୍ତନ ଉପରେ ତାହାର ପ୍ରଭାବ ପଡ଼ିବା ସମ୍ଭାବନା ଥିବାରୁ ଜଳସମ୍ପଦ ବିଭାଗ ପକ୍ଷରୁ ସ୍ଥିତିକୁ ନିରନ୍ତର ନିରୀକ୍ଷଣ କରାଯାଉଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.