ARTICLE AD BOX
ସିନ୍ଧେକେଲା: ଲଜ୍ଜିତ ହେଲା ଗୁରୁ ଶିଷ୍ୟ ପରମ୍ପରା। ସମ୍ପର୍କରେ ଲାଗିଲା କଳଙ୍କ। ଜଣେ ନାବାଳିକା ଛାତ୍ରୀଙ୍କୁ ମୋବାଇଲ ଫୋନରେ ମିଠା ମିଠା କଥା କହି ପ୍ରେମ ଜାଳରେ ଫସାଇବାକୁ ଚେଷ୍ଟା କରୁଥିବା କାମୁକ ଶିକ୍ଷକଙ୍କ ଚାଲାକି ଶେଷରେ ଧରା ପଡିଯାଇଛି। ଝିଅର ପରିବାରର ଅଭିଯୋଗ କ୍ରମେ ପୁଲିସ ଏହି ରୋମିଓ ଶିକ୍ଷକଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀରଜିଲ୍ଲା ଟିଟିଲାଗଡ ବ୍ଲକ ଏବଂ ସିନ୍ଧେକେଲା ଥାନା ଅନ୍ତର୍ଗତ ଲିମପଡା ଗ୍ରାମ ସରକାରୀ ସ୍କୁଲରେ।
ମିଳିଥିବା ସୂଚନା ମୁତାବକ ଟିଟିଲାଗଡ଼ ବ୍ଲକ ବଡପତ୍ରାପାଲି ଗ୍ରାମର ଟେକର ସିଂ ମାଝୀ (୨୮) କିଛି ବର୍ଷ ହେଲା ଲିମପଡା ସରକାରୀ ସ୍କୁଲରେ ଶିକ୍ଷକତା କରୁଥିଲେ। ତେବେ ସ୍କୁଲର ଏହି କାମୁକ ଶିକ୍ଷକ କିଛି ମାସ ହେଲା ସେହି ସ୍କୁଲର ଜଣେ ଦଶମ ଶ୍ରେଣୀର ଛାତ୍ରୀଙ୍କ ଉପରେ ଆଖି ପକାଇଥିଲେ। ସ୍କୁଲ ସରିବାପରେ ଛାତ୍ରୀଙ୍କ ମୋବାଇଲ୍ ରେ ବିଭିନ୍ନ ପ୍ରକାରର ପ୍ରେମ ନିବେଦନ ମେସେଜ ପଠାଉଥିଲେ। କେବଳ ସେତିକି ନୁହେଁ ବାରମ୍ବାର ଫୋନ କରି ତାଙ୍କୁ ପ୍ରେମ ନିବେଦନ କରୁଥିଲେ ଏବଂ ନିରୋଳାରେ ଲାଇବ୍ରେରୀରେ ଦେଖା କରିବାକୁ ବାଧ୍ୟ କରୁଥିଲେ। ଦେଖା ନ କରିବାରୁ ମାଡ଼ ବି ମାରିଥିବା ଅଭିଯୋଗ ହୋଇଛି। ପ୍ରଥମେ ପ୍ରଥମେ ଛାତ୍ରୀ ଜଣକ ଡରି ଯାଇ ଚୁପ୍ ରହିଥିଲେ ହେଁ ଶିକ୍ଷକଙ୍କ କଳା କାରନାମା ବଢି ଚାଲିଥିଲା।
ଶିକ୍ଷକଙ୍କୁ ତାଗିଦ ମଧ୍ୟ କରିଥିଲେ କାକା
ଝିଅର ବାପା ମା ପେଟପାଟଣା ପାଇଁ ତାମିଲନାଡୁ ରାଜ୍ୟକୁ ଯାଇଥିବା ବେଳେ ଝିଅ ତାଙ୍କ କାକାଙ୍କ ପରିବାର ସହ ଗାଁରେ ରହି ପାଠ ପଢୁଛନ୍ତି। ତେବେ ଶିକ୍ଷକଙ୍କ ଏଭଳି ଆଚରଣ ବିଷୟରେ ଝିଅର କାକା ଜାଣିବା ପରେ ସ୍କୁଲକୁ ଯାଇ ଶିକ୍ଷକଙ୍କୁ ତାଗିଦ ମଧ୍ୟ କରିଥିଲେ। ତେବେ ଶିକ୍ଷକ ଜଣକ ଛାତ୍ରୀଙ୍କ ପ୍ରତି ଏକପାଖିଆ ପ୍ରେମରେ ପାଗଳ ହୋଇ ପଡ଼ିଥିଲେ। ଏହାକୁ ନଜରରେ ରଖି ଛାତ୍ରୀଙ୍କ କାକା ମୋବାଇଲର ସମସ୍ତ ଚାଟିଂ ଏବଂ ଅନ୍ୟାନ୍ୟ ପ୍ରୁଫ ଧରି ସିନ୍ଧେକେଲା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଥାନା କେସ ନମ୍ବର ୧୯୬/୨୬ ରୁଜୁ କରି ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରିଥିଲା। ଆଜି ଅଭିଯୁକ୍ତ ଶିକ୍ଷକଙ୍କୁ କୋର୍ଟଚାଲାଣ କରିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ପବିତ୍ର ଶିକ୍ଷାନୁଷ୍ଠାନରେ ଶିକ୍ଷକଙ୍କ ଏଭଳି ଅଶୋଭନୀୟ କାର୍ଯ୍ୟକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

55 minutes ago
1


