ARTICLE AD BOX
ଭୁବନେଶ୍ବର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କ୍ଷେତ୍ର ପୁରୀ ସାରା ଦେଶରେ ସର୍ବଶ୍ରେଷ୍ଠ ସ୍ବଚ୍ଛ ଉପକୂଳ ସହର ହେବାର ଗୌରବ ଅର୍ଜନ କରିଛି। ସ୍ବଚ୍ଛ ସର୍ବେକ୍ଷଣ ୨୦୨୫-୨୬ର ସ୍ବଚ୍ଛ ଉପକୂଳ ସହର ଜାତୀୟ ରାଂକିଂରେ ପୁରୀ ପ୍ରଥମ ହୋଇଛି। ସ୍ବଚ୍ଛ ସହର ଜାତୀୟ ରୢାଙ୍କିଙ୍ଗରେ ଆସିକା ପୂର୍ବସ୍ଥାନ ବଜାୟ ରଖିଛି। ୨୦ହଜାରରୁ ୫୦ହଜାର ଜନସଂଖ୍ୟା ବିଶିଷ୍ଟ ସହରାଞ୍ଚଳରେ ଆସିକା ଦେଶର ଦ୍ବିତୀୟ ଶ୍ରେଷ୍ଠ ସ୍ବଚ୍ଛ ସହର ମାନ୍ୟତା ପାଇଛି। ସ୍ବଚ୍ଛ ସର୍ବେକ୍ଷଣ ୨୦୨୪-୨୫ରେ ବି ଆସିକା ଏହି ବର୍ଗରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲା। ସେପଟେ ରାଜ୍ୟ ବର୍ଗରେ ଭୁବନେଶ୍ବର ଓଡ଼ିଶାର ପ୍ରଥମ ତଥା ସର୍ବଶ୍ରେଷ୍ଠ ସ୍ବଚ୍ଛ ସହରର ମାନ୍ୟତା ପାଇଛି।
ଜାତୀୟ ରାଙ୍କିଂରେ ଭୁବନେଶ୍ବର ମହାନଗର ନିଗମକୁ ପୁଣିଥରେ ସଫଳତା ମିଳିଛି। ସ୍ବଚ୍ଛତାରେ ୩ଲକ୍ଷରୁ ୫ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସହର ଭିତରେ ଭୁବନେଶ୍ବର ଦେଶର ୫ମ ଶ୍ରେଷ୍ଠ ସହରର ମାନ୍ୟତା ପାଇଛି। ସ୍ବଚ୍ଛତା ମାନଦଣ୍ଡରେ ମୋଟ ୧୦,୫୦୦ ମାର୍କରୁ ବିଏମ୍ସି ୯,୬୯୪ ମାର୍କ ପାଇଛି। ମେୟର ସୁଲୋଚନା ଦାସ ଏହି ସଫଳତାର ଶ୍ରେୟ ସହରବାସୀଙ୍କ ସହ ସଫେଇ କର୍ମଚାରୀ, ସ୍ୱଚ୍ଛ ସୁପରଭାଇଜର, ଅଧିକାରୀ ଓ କର୍ମଚାରୀଙ୍କୁ ଦେଇଛନ୍ତି। ଗତବର୍ଷ ସ୍ବଚ୍ଛତା ରାଙ୍କିଂରେ ୯ମ ସ୍ଥାନରେ ଥିଲା।
ଭୁବନେଶ୍ବର ଓଡ଼ିଶାର ଶ୍ରେଷ୍ଠ ସ୍ବଚ୍ଛ ସହର
ସ୍ୱଚ୍ଛ ଉପକୂଳ ସହରରେ ଦେଶରେ ପୁରୀ ସର୍ବଶ୍ରେଷ୍ଠ
ଗୃହ ଓ ନଗର ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସ୍ବଚ୍ଛ ସର୍ବେକ୍ଷଣ ସମ୍ମାନ ପ୍ରଦାନ ଉପଲକ୍ଷେ ଆଜି ନୂଆଦିଲ୍ଲୀସ୍ଥିତ ବିଜ୍ଞାନଭବନଠାରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଶ୍ରେଷ୍ଠ ସହର ସବୁକୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରିଛନ୍ତି। ଏହି ଅବସରରେ ପୁରୀ, ଆସିକା ଓ ଭୁବନେଶ୍ବର ବି ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିଛି। ରାଜ୍ୟ ପକ୍ଷରୁ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ମେୟର ସୁଲୋଚନା ଦାସ, ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ, ସ୍ୱତନ୍ତ୍ର ଶାସନ ସଚିବ ବିନୟ କୁମାର ଦାଶ, ବିଏମ୍ସି କମିସନର୍ ଚଞ୍ଚଳ ରାଣା, ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ପିଏମ୍ସି କମିସନର ପ୍ରହଲ୍ଲାଦ ନାରାୟଣ ଶର୍ମା, ଆସିକା ପୌରାଧ୍ୟକ୍ଷା ବିନେତା ସ୍ବାଇଁ ପ୍ରମୁଖ ରାଷ୍ଟ୍ରପତିଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି।
ସ୍ୱଚ୍ଛ ଭାରତ ମିସନ୍(ସହରାଞ୍ଚଳ) ଅଧୀନରେ ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର ୨୦୨୫-୨୬ ହେଉଛି ଦଶମ ସଂସ୍କରଣ। ସହରାଞ୍ଚଳର ସ୍ୱଚ୍ଛତା ଓ ପରିମଳ ମୂଲ୍ୟାୟନ ପାଇଁ ଏଭଳି କାର୍ଯ୍ୟକ୍ରମ ଆୟୋଜିତ ହୋଇ ଆସୁଛି। ଏହି ସଫଳତା ରାଜ୍ୟର ସହରର ସ୍ୱଚ୍ଛତା, ଉନ୍ନତ ପରିମଳ ବ୍ୟବସ୍ଥା, ବର୍ଜ୍ୟବସ୍ତୁର ସୁପରିଚାଳନା ଓ ଜନସାଧାରଣଙ୍କ ସକ୍ରିୟ ସହଭାଗିତାର ପ୍ରତିଫଳନ ବୋଲି ମନ୍ତ୍ରୀ ଡ. ମହାପାତ୍ର କହିଛନ୍ତି। ଏହି ଜାତୀୟ ସ୍ୱୀକୃତି ଓଡ଼ିଶାର ସ୍ୱଚ୍ଛ, ସୁସ୍ଥ ଓ ବାସଯୋଗ୍ୟ ସହର ଗଠନ ଦିଗରେ ନିରନ୍ତର ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି। ରାଜ୍ୟ ସରକାର, ସହରାଞ୍ଚଳ କର୍ତ୍ତୃପକ୍ଷ, ସଫେଇ କର୍ମଚାରୀ ଓ ନାଗରିକଙ୍କ ସମ୍ମିଳିତ ପ୍ରୟାସକୁ ଏହା ସ୍ୱୀକୃତି ପ୍ରଦାନ କରିଛି ବୋଲି ମନ୍ତ୍ରୀ କହିଛନ୍ତି।

18 hours ago
3


