ARTICLE AD BOX
ନୂଆଦିଲ୍ଲୀ: ପେଟ୍ରୋଲ ପମ୍ପଗୁଡ଼ିକରେ ବିକ୍ରି ହେଉଥିବା ପେଟ୍ରୋଲରେ କେତେ ପ୍ରତିଶତ ଇଥାନଲ ମିଶାଯାଇଛି ତାହାର ସ୍ପଷ୍ଟ ସୂଚନା ପ୍ରତ୍ୟେକ ନୋଜଲ ଉପରେ ଲେଖିବା ପାଇଁ ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ବିଚାରପତି ଏମ୍.ଏମ୍. ସୁନ୍ଦରେଶ ଓ ବିଚାରପତି ପି.ବି. ଭରାଲେଙ୍କ ପୀଠ ଏହି ମାମଲାର ଶୁଣାଣି କରି ଆବେଦନକାରୀଙ୍କୁ ସିଧାସଳଖ ଶୀର୍ଷ ଅଦାଲତକୁ ନ ଆସି ସମ୍ପୃକ୍ତ ସକ୍ଷମ କର୍ତ୍ତୃପକ୍ଷ କିମ୍ବା ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ପରାମର୍ଶ ଦେଇଛନ୍ତି।
ଆବେଦନକାରୀ ଆଡଭୋକେଟ୍ ନରେନ୍ଦ୍ର କୁମାର ଗୋସ୍ୱାମୀ କୋର୍ଟରେ ଯୁକ୍ତି ଦର୍ଶାଇଥିଲେ ଯେ ଜଣେ ଗ୍ରାହକ ଯେତେବେଳେ ବିସ୍କୁଟ୍ ପ୍ୟାକେଟ୍ଟିଏ କିଣନ୍ତି ସେଥିରେ ଥିବା ସାମଗ୍ରୀ ବିଷୟରେ ଜାଣିବାକୁ ପାଆନ୍ତି। ତେଣୁ ପେଟ୍ରୋଲ କିଣିବା ସମୟରେ ମଧ୍ୟ ସେଥିରେ ଇ୨୦ କିମ୍ବା କେତେ ପ୍ରତିଶତ ଇଥାନଲ ମିଶାଯାଇଛି ତାହା ଜାଣିବାର ଅଧିକାର ଗ୍ରାହକଙ୍କ ରହିଛି। ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ ଆର. ଭେଙ୍କଟରମଣି ଏହି ଆବେଦନକୁ ବିରୋଧ କରି ଦର୍ଶାଇଥିଲେ ଯେ ସରକାରଙ୍କ ଇଥାନଲ ମିଶ୍ରଣ ନୀତିକୁ ନେଇ ପୂର୍ବରୁ ଦାୟର ହୋଇଥିବା ଅନେକ ଆବେଦନକୁ କୋର୍ଟ ଆଗରୁ ହିଁ ଖାରଜ କରିସାରିଛନ୍ତି।
ସୂଚନାଯୋଗ୍ୟ ଇ୨୦ ପେଟ୍ରୋଲରେ ୮୦ ପ୍ରତିଶତ ସାଧାରଣ ପେଟ୍ରୋଲ ଓ ୨୦ ପ୍ରତିଶତ ଇଥାନଲ ରହିଛି। ଅଶୋଧିତ ତୈଳ ଆମଦାନି କମାଇବା, ବୈଦେଶିକ ମୁଦ୍ରା ସଞ୍ଚୟ କରିବା ଓ ପ୍ରଦୂଷଣ ହ୍ରାସ କରିବା ଲକ୍ଷ୍ୟରେ ସରକାର ଏହାକୁ ପ୍ରୋତ୍ସାହିତ କରୁଛନ୍ତି। ତେବେ ୨୦୨୩ ପୂର୍ବରୁ ନିର୍ମିତ ପୁରୁଣା ଗାଡ଼ିଗୁଡ଼ିକ ଇ୨୦ ଇନ୍ଧନ ଅନୁକୂଳ ନଥିବାରୁ ଏହା ଗାଡ଼ିର ଇଞ୍ଜିନ୍, ରବର ଓ ପ୍ଲାଷ୍ଟିକ୍ ଅଂଶକୁ ନଷ୍ଟ କରିବା ସହ ମାଇଲେଜ୍ କମାଉଥିବା ନେଇ ଗାଡ଼ି ଚାଳକ ଓ ଅଟୋ ବିଶେଷଜ୍ଞମାନେ ଚିନ୍ତା ପ୍ରକାଶ କରିଛନ୍ତି। ତେଣୁ ପେଟ୍ରୋଲ୍ ପମ୍ପଗୁଡ଼ିକରେ କେବଳ ଇ୨୦ ନଦେଇ ସାଧାରଣ ପେଟ୍ରୋଲ ଚୟନ ବିକଳ୍ପ ଦେବାକୁ ଦାବି ହେଉଛି।

1 hour ago
1


