ARTICLE AD BOX
ନୂଆଦିଲ୍ଲୀ: ଦିବ୍ୟାଙ୍ଗଙ୍କ ସମ୍ପର୍କରେ ଆପତ୍ତିଜନକ ମନ୍ତବ୍ୟ ଦେବା ଅଭିଯୋଗରେ ଷ୍ଟାଣ୍ଡ୍ଅପ୍ କମେଡିଆନ୍ ତଥା ‘ଇଣ୍ଡିଆଜ୍ ଗଟ୍ ଲ୍ୟାଟେଣ୍ଟ୍’ର ଉପସ୍ଥାପକ ସମୟ ରାଇନାଙ୍କ ସମେତ ୫ ଜଣଙ୍କ ବିରୋଧରେ ଚାଲିଥିବା ଆପରାଧିକ ମାମଲା ଶୁକ୍ରବାର ରଦ୍ଦ କରିଛନ୍ତି ସୁପ୍ରିମ୍କୋର୍ଟ। ରାଇନାଙ୍କ ବ୍ୟତୀତ ବିପୁଲ ଗୋୟଲ, ବଲରାଜ ପରମଜିତ ସିଂହ ଘାଇ, ସୋନାଲି ଠକ୍କର ଓ ନିଶାନ୍ତ ଜଗଦୀଶ ତନୱରଙ୍କ ବିରୋଧରେ ରୁଜୁ ଏଫ୍ଆଇଆର୍ ଓ ସମ୍ପର୍କିତ ଆପରାଧିକ କାର୍ଯ୍ୟାନୁଷ୍ଠାନକୁ ମଧ୍ୟ ରଦ୍ଦ କରାଯାଇଛି। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଓ ଭି. ମୋହନାଙ୍କ ଖଣ୍ଡପୀଠ ଏହି ଆଦେଶ ଦେଇଛନ୍ତି। ମାମଲାର ଶୁଣାଣି ବେଳେ ଖଣ୍ଡପୀଠ କହିଥିଲେ, ଅଭିଯୁକ୍ତମାନେ ଦିବ୍ୟାଙ୍ଗଙ୍କ ପାଇଁ ସଚେତନତା ଓ ସମ୍ମାନ ବଢ଼ାଇବା ଦିଗରେ ପରବର୍ତ୍ତୀ ସମୟରେ ଯେଉଁ ପ୍ରୟାସ କରିଛନ୍ତି, ତାହା ଗୁରୁତ୍ବପୂର୍ଣ୍ଣ।
ଆହୁରି ପଢନ୍ତୁ :Gallantry and service medals : ସ୍ବାଧୀନତା ଦିବସ ପୂର୍ବରୁ ୧୦୫୭ ଜଣଙ୍କୁ ସାହସିକତା ଓ ସେବା ପଦକ ଘୋଷଣା
ଏହି ମାମଲାର ମୂଳ ପ୍ରସଙ୍ଗ ଥିଲା ‘ଇଣ୍ଡିଆଜ୍ ଗଟ୍ ଲ୍ୟାଟେଣ୍ଟ୍’ କାର୍ଯ୍ୟକ୍ରମରେ ଦିବ୍ୟାଙ୍ଗଙ୍କୁ ନେଇ କରାଯାଇଥିବା ମନ୍ତବ୍ୟ। ଏହାକୁ ନେଇ ଏସ୍ଏମ୍ଏ କ୍ୟୁର୍ ଫାଉଣ୍ଡେସନ୍ ସମେତ ଅନ୍ୟମାନେ ଅଭିଯୋଗ କରିଥିଲେ। ଦୁର୍ଲଭ ରୋଗ ସ୍ପାଇନାଲ୍ ମସ୍କୁଲାର ଆଟ୍ରୋଫି (ଏସ୍ଏମ୍ଏ)ରେ ପୀଡ଼ିତ ବ୍ୟକ୍ତିଙ୍କ ପାଇଁ କାମ କରୁଥିବା ଏହି ସଂସ୍ଥା ସୁପ୍ରିମ୍କୋର୍ଟଙ୍କ ନିକଟରେ ଆବେଦନ କରିଥିଲା। ପୂର୍ବରୁ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରାଇନା ଓ ଅନ୍ୟ ୪ ଜଣ ଦିବ୍ୟାଙ୍ଗଙ୍କ ପାଇଁ ସଚେତନତା ସୃଷ୍ଟି କରିବା, ଅନୁଷ୍ଠାନ ଆୟୋଜନ କରିବା ଏବଂ ଏସ୍ଏମ୍ଏ ପୀଡ଼ିତଙ୍କ ସହାୟତା ପାଇଁ ପାଣ୍ଠି ସଂଗ୍ରହ କରିବା ଦିଗରେ ପଦକ୍ଷେପ ନେଇଥିଲେ। ସେମାନେ ଦିବ୍ୟାଙ୍ଗଙ୍କ ପାଇଁ ଏକ ଚେସ୍ ପ୍ରତିଯୋଗିତା ମଧ୍ୟ ଆୟୋଜନ କରିଥିଲେ।
ଆହୁରି ପଢନ୍ତୁ :Dead: ୮ ଦିନ ତଳେ ବଦଳି ହୋଇ ଆସିଥିଲେ, ଜୀବନ ହାରିଲେ ଦିଗପହଣ୍ଡି ଜେଲ୍ ୱାଡେନ୍
ଆଗକୁ ଆହୁରି ଅନେକ କାର୍ଯ୍ୟକ୍ରମ କରି ପାଣ୍ଠି ସଂଗ୍ରହ କରିବାଯୋଜନା ରହିଥିବା ଅଦାଲତଙ୍କୁ ଜଣାଯାଇଥିଲା। ଗୁରୁବାର ସିଜେଆଇ ସୂର୍ଯ୍ୟକାନ୍ତ ଓ ଅନ୍ୟ ବିଚାରପତିମାନେ ଦିବ୍ୟାଙ୍ଗଙ୍କ ଏକ ୨୦ ଜଣିଆ ପ୍ରତିନିଧି ଦଳ ସହ ସାକ୍ଷାତ୍ କରିଥିଲେ। ଏଥିରେ ପାରାଲିମ୍ପିଆନ୍ ନିଧି ମିଶ୍ର, ଅଙ୍କୁର ଧାମା, ମେଜର ଡି.ପି. ସିଂହ ଓ ଛୋନ୍ଜିନ୍ ଆଙ୍ଗମୋଙ୍କ ଭଳି ବ୍ୟକ୍ତି ସାମିଲ ଥିଲେ। ଦିବ୍ୟାଙ୍ଗଙ୍କ ମର୍ଯ୍ୟାଦା ସୁରକ୍ଷା ପାଇଁ ବ୍ୟାପକ ନିର୍ଦ୍ଦେଶ ଦେବାର ବୃହତ୍ତର ପ୍ରସଙ୍ଗକୁ ସୁପ୍ରିମ୍କୋର୍ଟ ବିଚାର କରିବେ ବୋଲି କହିଛନ୍ତି। ଶୁକ୍ରବାରର ଶୁଣାଣି ସମୟରେ ରାଇନା ପ୍ରମୁଖଙ୍କ ପରବର୍ତ୍ତୀ କାର୍ଯ୍ୟ ଉପରେ ସନ୍ତୋଷ ପ୍ରକାଶ କରି ଖଣ୍ଡପୀଠ ଉପରୋକ୍ତ ରାୟ ଦେଇଛନ୍ତି।

1 hour ago
1


