Supreme Court Warns States: ପ୍ରତ୍ୟେକ ନିଖୋଜ ବ୍ୟକ୍ତିଙ୍କ ପାଇଁ ଏତଲା ରୁଜୁ କରିବା ବାଧ୍ୟତାମୂଳକ

1 hour ago 1
ARTICLE AD BOX

ନୂଆଦିଲ୍ଲୀ: ଯେକୌଣସି ବ୍ୟକ୍ତି ନିଖୋଜ ହେବା ମା‌ତ୍ରେ ତୁରନ୍ତ ଏତଲା ରୁଜୁ କରିବାପାଇଁ ଆଜି ସୁପ୍ରିମକୋର୍ଟ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି । କିଛି ରାଜ୍ୟ ଏସଂକ୍ରାନ୍ତରେ ସୁପ୍ରିମକୋର୍ଟ ପୂର୍ବରୁ ଦେଇଥିବା ନିର୍ଦ୍ଦେଶ କେବଳ ନିଖୋଜ ଶିଶୁଙ୍କ କ୍ଷେତ୍ରରେ ଲାଗୁ ବୋଲି ଭାବିଥିବା ଜାଣି କୋର୍ଟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ନିଖୋଜ ବ୍ୟକ୍ତି, ମାନବ ଚାଲାଣ ଏବଂ ପୀଡ଼ିତଙ୍କୁ ଉଦ୍ଧାର ଓ ପୁନଃ ଥଇଥାନ ପାଇଁ ସମଗ୍ର ଭାରତରେ ଏକ ସମନ୍ୱିତ ବ୍ୟବସ୍ଥା ପ୍ରତିଷ୍ଠା କରିବା ଦିଗ‌ରେ ଚାଲିଥିବା ପ୍ରକ୍ରିୟାର ଅଂଶ ଭାବେ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍ ଅହସାନୁଦ୍ଦିନ ଅମାନୁଲ୍ଲାହ ଏବଂ ଜଷ୍ଟିସ୍ ଆର୍ ମହାଦେବନଙ୍କ ଖଣ୍ଡପୀଠ କହିଛନ୍ତି, ମେ’ ୨୨ ତାରିଖରେ କୋର୍ଟ ଏନେଇ ଯେଉଁ ନିର୍ଦ୍ଦେଶ ଦେଇଥିଲେ ତାହା ପାଳନ କରିବାରେ ବିଫଳ ହୋଇଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବ ଏବଂ ପୁଲିସ୍ ମହାନିର୍ଦ୍ଦେଶକଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଚାଲିବ ଏବଂ ସେମାନଙ୍କୁ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହୋଇ ଏହି ତ୍ରୁଟି ଉପରେ ଜବାବ ରଖିବାକୁ ପଡ଼ିବ।

ଆଶା, ସୁଯୋଗ ଏବଂ ସ୍ୱପ୍ନ ସାକାର କଲେ ପାହାଡ଼ ଘେରାରେ ବଢ଼ିଥିବା ଆଲିଶା

ନିଖୋଜ ବ୍ୟକ୍ତିଙ୍କ ମାମଲାରେ କୋର୍ଟ ଗତ ୫ ତାରିଖରେ ଏହି ରାୟ ଦେଇଥିଲେ ଯାହା ସୋମବାର ପ୍ରକାଶ ପାଇଛି। ରାୟରେ ଖଣ୍ଡପୀଠ କହିଛନ୍ତି, କିଛି ରାଜ୍ୟ ଭାବିଛନ୍ତି ଯେ ‘ବ୍ୟକ୍ତି’ ଶବ୍ଦ କେବଳ ଶିଶୁଙ୍କୁ ବୁଝାଏ ଏବଂ ବୟସ୍କଙ୍କୁ ନୁହେଁ । ଏପରି ରାଜ୍ୟଗୁଡ଼ିକ ଜାଣିଶୁଣି ଓ ଦୁର୍ଭାବନାପୂର୍ଣ୍ଣ ଭାବେ ଏହି ଭ୍ରାନ୍ତି ସୃଷ୍ଟି କରିଛନ୍ତି। ପୂର୍ବ ନିର୍ଦ୍ଦେଶରେ କୌଣସି ଅସ୍ପଷ୍ଟତା ନଥିବା ସ୍ପଷ୍ଟ କରି ଖଣ୍ଡପୀଠ କହିଛନ୍ତି, ‘ଆମର ପୂର୍ବ ଆଦେଶର ଭାଷା ସ୍ପଷ୍ଟ ଏବଂ ଏଥିରେ କୌଣସି ଅସ୍ପଷ୍ଟତା ନାହିଁ। ‘ବ୍ୟକ୍ତି’ ଶବ୍ଦର ଅର୍ଥ ହେଉଛି ବୟସ କିମ୍ବା ଲିଙ୍ଗ ନିର୍ବିଶେଷରେ ପ୍ରତ୍ୟେକ୍ତ ବ୍ୟକ୍ତି। ଯଦି କୌଣସି ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳ ମେ’ ୨୨ ତାରିଖର ଆଦେଶକୁ ‘ଏହାର ପ୍ରକୃତ ଅର୍ଥ ଓ ଉଦ୍ଦେଶ୍ୟ’ ଅନୁଯାୟୀ ପାଳନ କରିନଥାଏ, ତେବେ ସମ୍ପୃକ୍ତ ମୁଖ୍ୟ ସଚିବ ଓ ଡିଜିପଙ୍କୁ ଅଦାଲତ ଅବମାନନା ନୋଟିସ୍ ଜାରି କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦୁଇ ଅଧିକାରୀଙ୍କୁ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହୋଇ, ସେମାନଙ୍କ ବିରୋଧରେ କାହିଁକି ଅଦାଲତ ଅବମାନନା ମାମଲା ଚାଲିବ ନାହିଁ ଏବଂ ଜାଣିଶୁଣି ଅବଜ୍ଞା ଓ ଆଦେଶ ଅନୁପାଳନ ନକରିବା ପାଇଁ କାହିଁକି ଦଣ୍ଡ ଦିଆଯିବ ନାହିଁ, ସେ ସମ୍ପର୍କରେ ସତ୍ୟପାଠ ଦାଖଲ କରିବାକୁ ପଡ଼ିବ।

ଉ‌ଲ୍ଲେଖଯୋଗ୍ୟ ସୁପ୍ରିମକୋର୍ଟଙ୍କ ମେ’ ୨୨ ତାରିଖ ନିର୍ଦ୍ଦେଶ ଅନୁଯାୟୀ କୌଣସି ବ୍ୟକ୍ତି ନିଖୋଜ ହୋଇଥିବା ସୂଚନା ମିଳିଲେ ସମସ୍ତ ରାଜ୍ୟକୁ ଏତଲା ରୁଜୁ କରିବାକୁ ପଡ଼ିବ। କୋର୍ଟ ସ୍ପଷ୍ଟ ଭାବେ ପ୍ରତ୍ୟେକ ଥାନାକୁ ନିର୍ଦ୍ଦେଶ ଦେଇଥିଲେ ଯେ, ‘କୌଣସି ବ୍ୟକ୍ତି ନିଖୋଜ’ସୂଚନା ମିଳିବାମାତ୍ରେ ତୁରନ୍ତ ଏତଲା ରୁଜୁ କରାଯିବ। ପ୍ରାଥମିକ ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ କିମ୍ବା ପରିବାରକୁ ପ୍ରଥମେ ନିଖୋଜ ବ୍ୟକ୍ତିଙ୍କୁ ଖୋଜିବାକୁ କହି ଅପେକ୍ଷା କରାଯିବ ନାହିଁ। ନିଖୋଜ ବ୍ୟକ୍ତି, ମାନବ ଚାଲାଣ ଏବଂ ପୀଡ଼ିତଙ୍କୁ ଉଦ୍ଧାର ଓ ପୁନଃସ୍ଥାପନ ପାଇଁ ସମଗ୍ର ଭାରତରେ ଏକ ସମନ୍ୱିତ ବ୍ୟବସ୍ଥା ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ ଚାଲିଥିବା ପ୍ରକ୍ରିୟାର ଅଂଶ ଭାବେ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଥିଲେ। କୋର୍ଟ କହିଥିଲେ ଯେ, ଜଣେ ବ୍ୟକ୍ତି ନିଖୋଜ ହେବା ପରେ ପ୍ରଥମ କିଛି ଘଣ୍ଟାକୁ ‘ସୁବର୍ଣ୍ଣ ସମୟ’ କୁହାଯାଏ, କାରଣ ଏହି ସମୟ ମଧ୍ୟରେ ନିଖୋଜ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ଖୋଜି ପାଇବାର ସମ୍ଭାବନା ସର୍ବାଧିକ ଥାଏ। ତେଣୁ ନିଖୋଜ ବ୍ୟକ୍ତିଙ୍କୁ ଖୋଜିବା ପ୍ରକ୍ରିୟା ଆରମ୍ଭ କରିବା ପୂର୍ବରୁ ପୁଲିସ ୨୪ ଘଣ୍ଟା ଅପେକ୍ଷା କରିବ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ମେ’ ୨୨ ତାରିଖର ଆଦେଶରେ କୋର୍ଟ କହିଥିଲେ ଯଦି ନିଖୋଜ ବ୍ୟକ୍ତିଙ୍କ ମାମଲାରେ ମାନବ ଚାଲାଣ ହୋଇଥିବା ନେଇ ପୁଲିସ୍ ପାଖରେ ପର୍ଯ୍ୟାପ୍ତ କାରଣ ଥାଏ, ତେବେ ଚାରି ମାସର ସମୟସୀମା ଶେଷ ହେବାକୁ ଅପେକ୍ଷା ନକରି ମାମଲାଟିକୁ ଏକ ବିଶେଷଜ୍ଞ ୟୁନିଟ୍‌କୁ ସ୍ଥାନାନ୍ତର କରାଯିବ। ଏଥିସହ କେନ୍ଦ୍ର ସରକାର, ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିଜ ନିଜର‘ମାନବ ଚାଲାଣ ବିରୋଧୀ ଶାଖା’କୁ ଚାରି ସପ୍ତାହ ମଧ୍ୟରେ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.