ARTICLE AD BOX
ନୂଆଦିଲ୍ଲୀ: ଦୃଢ଼ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ଆଗରେ ହାର ମାନିଛି ସବୁ ବାଧା। ଭାରତ-ପାକିସ୍ତାନ ସୀମାରେ ଗୁଳିବର୍ଷାର ଭୟ ଭିତରେ ପିଲାଦିନ କାଟିଥିବା ଜଣେ ଝିଅ ଆଜି ଡିଏସ୍ପି ହୋଇ ନିଜ ଗାଁର ଗୌରବ ବଢ଼ାଇଛନ୍ତି। ତାଙ୍କ ନାଁ ପରିଫୁଲ ଚୌଧୁରୀ। ଜମ୍ମୁ-କଶ୍ମୀରର ସାମ୍ବା ଜିଲ୍ଲାର ଏକ ଛୋଟ ଗାଁରୁ ଆସିଥିବା ପରିଫୁଲ ଏବେ ଅନେକ ଯୁବତୀଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।
ନଭେମ୍ବର ୧୮, ୨୦୨୬ରେ ଉଧମପୁରସ୍ଥିତ ଶେର-ଏ-କଶ୍ମୀର ପୁଲିସ ଏକାଡେମୀର ପାସିଂ ଆଉଟ୍ ପରେଡ୍ରେ ସାମିଲ ହୋଇଥିଲେ ପରିଫୁଲ। ଏହା ସହ ସେ ନିଜ ଗାଁର ପ୍ରଥମ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ (ଡିଏସ୍ପି) ହେବାର ଗୌରବ ହାସଲ କରିଛନ୍ତି।
ଆହୁରି ପଢ଼ନ୍ତୁ- PM Modi: ୭୫ ବର୍ଷ ମଧ୍ୟରେ ବଳଦ ଗାଡ଼ିରୁ ବୁଲେଟ୍ ଟ୍ରେନ୍, ଡାକ ଚିଠିରୁ ସୋସିଆଲ ମିଡିଆ ପର୍ଯ୍ୟନ୍ତ ଅଗ୍ରଗତି କରିଛି ଭାରତ: ପ୍ରଧାନମନ୍ତ୍ରୀ
ସୀମାରେ ଗୁଳିବର୍ଷା ଭିତରେ କଟିଥିଲା ପିଲାଦିନ
ପରିଫୁଲ ଚୌଧୁରୀ ଜମ୍ମୁ-କଶ୍ମୀରର ସାମ୍ବା ଜିଲ୍ଲା ରାମଗଡ଼ ତହସିଲର ବରୋଟା କ୍ୟାମ୍ପ ଗାଁର ବାସିନ୍ଦା। ତାଙ୍କ ଗାଁ ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମାଠାରୁ ମାତ୍ର ୪ କିଲୋମିଟର ଦୂରରେ ରହିଛି।
ପିଲାଦିନେ ସେ ଅନେକ ଥର ସୀମାପାରରୁ ହେଉଥିବା ଗୁଳିବର୍ଷାର ଭୟ ଦେଖିଛନ୍ତି। ଗୁଳିବର୍ଷା ହେଲେ ନିଜ ପରିବାର ସହ ଗାଁର ଅନ୍ୟ ଲୋକମାନଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନ କିମ୍ବା ସମ୍ପର୍କୀୟଙ୍କ ଘରେ ଆଶ୍ରୟ ନେବାକୁ ପଡ଼ୁଥିଲା।
ଏହା ସହ ଗାଁରେ ଶିକ୍ଷା ଓ ଅନ୍ୟାନ୍ୟ ମୌଳିକ ସୁବିଧାର ମଧ୍ୟ ଅଭାବ ଥିଲା। ତଥାପି ଏସବୁ ସମସ୍ୟା ତାଙ୍କ ପାଠପଢ଼ା ଓ ଲକ୍ଷ୍ୟ ହାସଲ କରିବାର ରାସ୍ତାରେ ବାଧା ହୋଇପାରିନଥିଲା।
ଗାଁ ସ୍କୁଲରୁ ଆରମ୍ଭ ହୋଇଥିଲା ପାଠପଢ଼ା
ପରିଫୁଲଙ୍କ ପ୍ରାଥମିକ ଶିକ୍ଷା ନିଜ ଗାଁର ସ୍କୁଲରୁ ଆରମ୍ଭ ହୋଇଥିଲା। ପରେ ସେ ସାମ୍ବାର ଆର୍ମି ସ୍କୁଲରେ ପାଠ ପଢ଼ିଥିଲେ। ଉଚ୍ଚଶିକ୍ଷା ପାଇଁ ସେ ଶେର-ଏ-କଶ୍ମୀର କୃଷି ବିଜ୍ଞାନ ଓ ପ୍ରଯୁକ୍ତି ବିଶ୍ୱବିଦ୍ୟାଳୟରେ ନାମ ଲେଖାଇଥିଲେ। ସେଠାରୁ କୃଷି ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ।
କଲେଜ ପାଠପଢ଼ା ପରେ ସେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ପ୍ରଥମେ ବ୍ୟାଙ୍କିଂ କ୍ଷେତ୍ରରେ ଚାକିରି କରିବା ତାଙ୍କର ଲକ୍ଷ୍ୟ ଥିଲା। ଏଥିପାଇଁ ସେ ଦୁଇଥର ଆଇବିପିଏସ୍ ପରୀକ୍ଷାର ଇଣ୍ଟରଭ୍ୟୁ ପର୍ଯ୍ୟନ୍ତ ମଧ୍ୟ ପହଞ୍ଚିଥିଲେ।
ଆହୁରି ପଢ଼ନ୍ତୁ- Cricket: ରାହୁଲଙ୍କ ଶତକ, ଭାରତ ନିୟନ୍ତ୍ରଣରେ ଓ୍ବେଲିଂଟନ ଟେଷ୍ଟ
ବ୍ୟାଙ୍କ ଚାକିରି ଛାଡ଼ି ବାଛିଲେ ସିଭିଲ୍ ସର୍ଭିସ୍
ପରିଫୁଲଙ୍କ ଜୀବନରେ ଏକ ବଡ଼ ନିଷ୍ପତ୍ତି ନେବାର ସମୟ ଆସିଥିଲା। ଆଇବିପିଏସ୍ର ତୃତୀୟ ଇଣ୍ଟରଭ୍ୟୁ ଓ ଜମ୍ମୁ-କଶ୍ମୀର ଲୋକସେବା ଆୟୋଗର ସିଭିଲ୍ ସର୍ଭିସ୍ ପରୀକ୍ଷା ଗୋଟିଏ ଦିନରେ ପଡ଼ିଥିଲା। ଏହି ସମୟରେ ତାଙ୍କୁ ଦୁଇଟି ମଧ୍ୟରୁ ଗୋଟିଏ ବାଛିବାକୁ ପଡ଼ିଥିଲା। ସେ ବ୍ୟାଙ୍କିଂ ଚାକିରି ବଦଳରେ ସିଭିଲ୍ ସର୍ଭିସ୍କୁ ପ୍ରାଥମିକତା ଦେଇଥିଲେ। ତାଙ୍କର ଏହି ନିଷ୍ପତ୍ତି ସଫଳ ହୋଇଥିଲା। ୨୦୨୩ ମସିହାର ଜମ୍ମୁ-କଶ୍ମୀର କମ୍ବାଇନ୍ଡ କମ୍ପିଟିଟିଭ୍ ପରୀକ୍ଷାରେ ସେ ୩୨ତମ ରାଙ୍କ ହାସଲ କରିଥିଲେ।
ଆର୍ମି ପରିବାରର ଝିଅ ଏବେ ପୁଲିସ ଅଧିକାରୀ
୨୩ ସେପ୍ଟେମ୍ବର ୧୯୯୭ରେ ଜନ୍ମ ହୋଇଥିବା ପରିଫୁଲ ଏକ ସେନା ପରିବାରରୁ ଆସିଛନ୍ତି। ତାଙ୍କ ବାପା ଭଗବାନ ଦାସ ଚୌଧୁରୀ ଭାରତୀୟ ସେନାରୁ ଅବସର ନେଇଛନ୍ତି। ତାଙ୍କ ଭାଇ ଏବେ ମଧ୍ୟ ଭାରତୀୟ ସେନାରେ କାର୍ଯ୍ୟରତ ଅଛନ୍ତି। ମା’ ବିମଳା ଦେବୀ ଜଣେ ଗୃହିଣୀ।
ବାପା ଓ ଭାଇଙ୍କ ପରି ସେ ମଧ୍ୟ ସେନାରେ ଯୋଗ ଦେଇପାରିଥାନ୍ତେ। କିନ୍ତୁ ସେ ସିଭିଲ୍ ସର୍ଭିସ୍କୁ ନିଜ କ୍ୟାରିୟର ଭାବେ ବାଛିଥିଲେ।
ଆଜି ନିଜ ପରିଶ୍ରମ, ଧୈର୍ଯ୍ୟ ଓ ଦୃଢ଼ ମନୋବଳ ବଳରେ ସେ ଡିଏସ୍ପି ହୋଇଛନ୍ତି। ଯେଉଁ ଗାଁରେ ଦିନେ ଗୁଳିବର୍ଷାର ଭୟ ଭିତରେ ତାଙ୍କ ପିଲାଦିନ କଟିଥିଲା, ସେହି ଗାଁର ଝିଅ ଆଜି ପୁଲିସ ଅଧିକାରୀ। ପରିଫୁଲଙ୍କ ଏହି ସଫଳତା ପ୍ରମାଣ କରୁଛି ଯେ ଦୃଢ଼ ଇଚ୍ଛାଶକ୍ତି ଥିଲେ କୌଣସି ପରିସ୍ଥିତି ସ୍ୱପ୍ନ ପୂରଣ କରିବାରେ ବାଧା ହୋଇପାରେ ନାହିଁ।
ଅଧିକ ଦେଖନ୍ତୁ-

6 hours ago
2


