ARTICLE AD BOX
ଭୁବନେଶ୍ବର: ଏଥର କ୍ୟାମ୍ପସ୍ରେ ଛାତ୍ର ସଂସଦ ନିର୍ବାଚନ ହୋଇପାରେ। ଯଦି ସବୁ ଠିକଠାକ ରୁହେ ତେବେ ଅକ୍ଟୋବର ୧୪ କିମ୍ବା ୧୫ରେ ସାରା ରାଜ୍ୟରେ ଗୋଟିଏ ଦିନରେ ନିର୍ବାଚନ କରିବାକୁ ରାଜ୍ୟ ସରକାର ସବୁଜ ସଙ୍କେତ ଦେଇଛନ୍ତି। ଏହାର ଠିକ ୧୦ ଦିନ ପୂର୍ବରୁ ଅର୍ଥାତ ଅକ୍ଟୋବର ୫ରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବାକୁ ପ୍ରସ୍ତୁତି ଚାଲିଛି। ତେବେ କେଉଁ ପଦ୍ଧତିରେ ନିର୍ବାଚନ ହେବ ତାହାକୁ ନେଇ ଉଚ୍ଚଶିକ୍ଷା ବିଭାଗରେ ମାନସ ମନ୍ଥନ ଜାରି ରହିଛି। ନିର୍ବାଚନ କେବଳ ସରକାରୀ କଲେଜଗୁଡ଼ିକରେ ହେବ ନା ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ମଧ୍ୟ ପୂର୍ବ ପରି କରାଯିବ, ତାହା ଚୂଡ଼ାନ୍ତ ହୋଇ ପାରିନାହିଁ। ଯେହେତୁ ୮ ବର୍ଷ ପରେ କ୍ୟାମ୍ପସ୍ରେ ନିର୍ବାଚନ ହେଉଛି, ତେଣୁ କେବଳ ସରକାରୀ କଲେଜରେ ସୀମିତ ରଖିବାକୁ ମତପ୍ରକାଶ ପାଇଛି। କିନ୍ତୁ ଏପରି ହେଲେ ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ମଧ୍ୟ ଛାତ୍ର ଅଶାନ୍ତି ହେବାର ଆଶଙ୍କା ରହିଛି। ସେଥି ପାଇଁ ପୂର୍ବ ପରି ସବୁ କଲେଜରେ ନିର୍ବାଚନ କରାଇବାକୁ ଭିନ୍ନ ମତ ପ୍ରକାଶ ପାଇଛି। ଆସନ୍ତାକାଲି ସୁଦ୍ଧା ଏହା ସ୍ପଷ୍ଟ ହେବ।
ଗୁରୁତ୍ବପୂଣ୍ଣ କଥା ହେଲା ଶାସକ ଦଳର ବହୁ ବିଧାୟକ ନିର୍ବାଚନ ସପକ୍ଷରେ ନାହାନ୍ତି। ଗତକାଲି ବିଜେପି ବିଧାୟକମାନଙ୍କ ବୈଠକରେ ଏ ନେଇ ମତାମତ ମଗାଯାଇଥିଲା। ଅଧିକାଂଶ ବିଧାୟକ ନିର୍ବାଚନ ଚାହୁ ନଥିବା ଜଣାପଡ଼ିଥିଲା। କିନ୍ତୁ ଚଳିତ ବର୍ଷ ଛାତ୍ରସଂସଦ ନିର୍ବାଚନ କରାଇବାକୁ ଉପରୁ ନିର୍ଦ୍ଦେଶ ରହିଛି ବୋଲି ବିଜେପି ସଭାପତି ସମସ୍ତଙ୍କୁ ଜଣାଇଥିଲେ। ଜେନ୍-ଜିଙ୍କୁ ନିଜ ପକ୍ଷରେ ରଖିବା ପାଇଁ ନିର୍ବାଚନ ଆବଶ୍ୟକ ବୋଲି କୁହାଯାଇଛି। ତେଣୁ ଏଥି ପାଇଁ ସମସ୍ତେ ପ୍ରସ୍ତୁତ
ରହିବାକୁ ସଭାପତି କହିଥିଲେ।
କେବଳ ସରକାରୀ ନା ଅନୁଦାନପ୍ରାପ୍ତରେ ବି ହେବ?
ଅକ୍ଟୋବର ୫ରୁ କ୍ୟାମ୍ପସ୍ରେ ନିର୍ବାଚନ ପ୍ରକ୍ରିୟା
ମଇଦାନକୁ ଓହ୍ଲାଇବାକୁ ଛାତ୍ର ସଙ୍ଗଠନଙ୍କ ପ୍ରସ୍ତୁତି
ଏହାରି ଭିତରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଛାତ୍ର ସଂସଦ ନିର୍ବଚନର ସ୍ଥିତି ଅନୁଧ୍ୟାନ କରାଯାଇଛି। ୨୦୧୮ରୁ ଓଡ଼ିଶାରେ ନିର୍ବାଚନ ବନ୍ଦ ରହିଥିବା ବେଳେ ଅଧିକାଂଶ ରାଜ୍ୟରେ ଦୀର୍ଘ ବର୍ଷ ହେଲା ନିର୍ବାଚନ ବନ୍ଦ ରହିଛି। ୧୯୮୮ରୁ ଆନ୍ଧ୍ରପ୍ରଦେଶରେ ଛାତ୍ରସଂସଦ ନିର୍ବାଚନ ବନ୍ଦ ଥିବା ବେଳେ ହିମାଚଳ ପ୍ରଦେଶରେ ୨୦୧୪ରୁ, ଝାଡ଼ଖଣ୍ଡରେ ୨୦୨୦ରୁ, ମଣିପୁରରେ ୨୦୧୯ରୁ, ରାଜସ୍ଥାନରେ ୨୦୨୩ରୁ, ତାମିଲନାଡ଼ୁରେ ୨୦୦୬ରୁ, ଛତିଶଗଡ଼ରେ ୨୦୧୮ରୁ, ଉତ୍ତରପ୍ରଦେଶରେ ୨୦୧୯ରୁ, ପଶ୍ଚିମବଙ୍ଗରେ ୨୦୧୭ରୁ ଓ ଗୁଜୁରାଟରେ ୧୯୯୨-୯୩ରୁ ନିର୍ବାଚନ ବନ୍ଦ ରହିଛି। ଅରୁଣାଚଳ ପ୍ରଦେଶରେ ୨୦୨୦ରୁ ନିର୍ବାଚନ ବନ୍ଦ ଥିଲେ ମଧ୍ୟ କିଛି ନିର୍ଦ୍ଦିଷ୍ଟ କଲେଜ ଓ ବିଶ୍ବବିଦ୍ୟାଳୟରେ ଚାଲିଛି। କୋଭିଡ୍ ଯୋଗୁଁ ଆସାମରେ ୨୦୨୦ରୁ ୨୦୨୨ ପର୍ଯ୍ୟନ୍ତ ବନ୍ଦ ଥିଲା। ବିହାରରେ ୧୯୮୫ରୁ ୨୦୧୧ ମଧ୍ୟରେ ପ୍ରାୟ ୨୮ ବର୍ଷ ବନ୍ଦ ଥିଲା। କରୋନା ସମୟରେ ୨୦୧୯ରୁ ୨୦୨୧ ପର୍ଯ୍ୟନ୍ତ ନିର୍ବାଚନ ବନ୍ଦ ଥିବାବେଳେ ୨୦୨୨ରୁ ପୁଣି ଥରେ ନିର୍ବାଚନ ଚାଲିଛି। ଗୋଆରେ ୨୦୧୫ରୁ ୨୦୨୪ ବନ୍ଦ ଥିଲା ଏବଂ ୨୦୨୫ ଡିସେମ୍ବରରେ ଗୋଆ ବିଶ୍ବବିଦ୍ୟାଳୟରେ ନିର୍ବାଚନ ହୋଇଥିଲା। ହରିଆଣାରେ ୧୯୯୬ରୁ ବନ୍ଦ ରହିଥିଲେ ମଧ୍ୟ ୨୦୧୮ ଅକ୍ଟୋବର ୧୭ରେ ପରୋକ୍ଷ ନିର୍ବାଚନ ହୋଇଥିଲା। ୧୯୮୯ରୁ କର୍ଣ୍ଣାଟକରେ ନିର୍ବାଚନ ବନ୍ଦ ରହିଥିଲେ ମଧ୍ୟ ଚଳିତ ମାସରେ ନିର୍ବାଚନ କରିବାକୁ ଅନୁମତି ଦିଆଯାଇଛି। ମଧ୍ୟପ୍ରଦେଶରେ ୨୦୧୭ରୁ ବନ୍ଦ ରହିଥିବା ବେଳେ ୨୦୨୭ ସେପ୍ଟେମ୍ବରରେ ନିର୍ବାଚନ ପାଇଁ ପ୍ରସ୍ତାବ ରହିଛି। ମହାରାଷ୍ଟ୍ରରେ ୧୯୯୦ରୁ ୨୦୨୫ ପର୍ଯ୍ୟନ୍ତ ନିର୍ବାଚନ ବନ୍ଦ ରହିଛି।
ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତ ହେଉଥିବା ସମ୍ଭାବ୍ୟ କାର୍ଯ୍ୟସୂଚୀ ଅନୁଯାୟୀ ବିଜ୍ଞପ୍ତି ପ୍ରକାଶର ପରଦିନ ନାମାଙ୍କନପତ୍ର ଦାଖଲ, ଯାଞ୍ଚ ଓ ପ୍ରତ୍ୟାହାର ପାଇଁ ଗୋଟିଏ ଦିନ ରହିଥିବାକୁ ଥିବା ବେଳେ ପ୍ରଚାର ପାଇଁ ୪ରୁ ୫ ଦିନ ସମୟ ଦିଆଯିବ। ୧୪ ତାରିଖରେ କ୍ୟାମ୍ପସ୍ରେ ‘ମୁଁ କାହିଁକି ପ୍ରାର୍ଥୀ ହୋଇଛି’ ବୈଠକ କରାଯାଇ ୧୫ରେ ନିର୍ବାଚନ ହେବ। ସେହିଦିନ ହିଁ କ୍ୟାମ୍ପସ୍ରେ ଭୋଟ ଗଣତି କରାଯାଇ ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା ହେବ। ୧୬ ତାରିଖରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବା ସହ ଦଶହରା ଛୁଟି ଘୋଷଣା କରାଯିବ। ତେବେ ଏହା ଭିତରେ ଯଦି କୌଣସି କ୍ୟାମ୍ପସ୍ରେ ଗଣ୍ଡଗୋଳ କିମ୍ବା ଛାତ୍ର ଅଶାନ୍ତି ଦେଖାଦିଏ ତେବେ ଅଧାରୁ ନିର୍ବାଚନ ବନ୍ଦ କରିଦିଆଯିବ। ନିର୍ବାଚନ କରିବାକୁ ରାଜ୍ୟ ସରକାର ସବୁଜ ସଙ୍କେତ ଦେବା ପରେ ଛାତ୍ର ସଙ୍ଗଠନଗୁଡ଼ିକ ଉତ୍ସାହିତ ହୋଇପଡ଼ିଛନ୍ତି। ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ଥିବା ନେଇ ଏବିଭିପି, ଛାତ୍ର ବିଜେଡି ଓ ଛାତ୍ର କଂଗ୍ରେସର ନେତାମାନେ ମତପ୍ରକାଶ କରିଛନ୍ତି।

1 hour ago
1


