ARTICLE AD BOX
ବିବାହ ମାନେ ଖୁସି, ଉତ୍ସବ ଓ ଅନେକ ସ୍ମୃତିର ସମାହାର। ଆଲୋକରେ ଝଲସୁଥିବା ମଣ୍ଡପ, ଫୁଲର ସୁଗନ୍ଧ, ସ୍ୱାଦିଷ୍ଠ ଖାଦ୍ୟ ଓ ଅତିଥିଙ୍କ ଭିଡ଼ରେ ମୁଖରିତ ହୁଏ ପରିବେଶ। କିନ୍ତୁ ଏହି ଖୁସିର ଆୟୋଜନ ଶେଷ ହେବା ପରେ ଯଦି ପାହାଡ଼ ପରି ଅଳିଆ, ଖାଦ୍ୟ ଅପଚୟ ଓ ପ୍ଲାଷ୍ଟିକ୍ ଆବର୍ଜନା ଛାଡ଼ିଯାଏ, ତେବେ ଉତ୍ସବର କୁପ୍ରଭାବ ପରିବେଶ ଉପରେ ପଡ଼ିଥାଏ। ତେଣୁ ଏବେ ଆବଶ୍ୟକ ବିବାହର ଖୁସି ସହ ପ୍ରକୃତିର ଯତ୍ନ। ଛୋଟ ଛୋଟ ସଚେତନ ପଦକ୍ଷେପ ନେଇ ଆମେ ବିବାହକୁ କେବଳ ସୁନ୍ଦର ନୁହେଁ, ବରଂ ପରିବେଶ ପାଇଁ ମଧ୍ୟ ଭଲ ଉତ୍ସବରେ ପରିଣତ କରିପାରିବା।
l ବିବାହ ପାଇଁ ଶହ ଶହ ନିମନ୍ତ୍ରଣପତ୍ର ଛାପିବାରେ ବହୁ ପରିମାଣର କାଗଜ ଖର୍ଚ୍ଚ ହୁଏ। ଏହା ବଦଳରେ ମୋବାଇଲ୍ରେ ଡିଜିଟାଲ୍ ନିମନ୍ତ୍ରଣପତ୍ର ପଠାଇପାରିବେ।
l ବିବାହ ଭୋଜିରେ ପ୍ଲାଷ୍ଟିକ୍ ବଦଳରେ ଷ୍ଟିଲ୍, କାଚ ଭଳି ପୁନଃବ୍ୟବହାର ଯୋଗ୍ୟ ସାମଗ୍ରୀ ବ୍ୟବହାର କରନ୍ତୁ।
l ବିବାହ ମଣ୍ଡପ ଓ ପ୍ରବେଶପଥକୁ ସଜାଇବା ପାଇଁ ସ୍ଥାନୀୟ ଏବଂ ଋତୁକାଳୀନ ଫୁଲ ବ୍ୟବହାର କରନ୍ତୁ। ବିବାହ ପରେ ଏହି ଫୁଲକୁ ଅଳିଆରେ ଫିଙ୍ଗିବା ପରିବର୍ତ୍ତେ କମ୍ପୋଷ୍ଟ ତିଆରିରେ ବ୍ୟବହାର କରାଯାଇପାରେ।
l ବିବାହ ଭୋଜିରେ ଅତିଥିଙ୍କ ସଂଖ୍ୟା ଅନୁସାରେ ଖାଦ୍ୟ ପ୍ରସ୍ତୁତ କରନ୍ତୁ। ବଳକା ଖାଦ୍ୟ ଫିଙ୍ଗି ନଦେଇ ଆବଶ୍ୟକ ଲୋକଙ୍କୁ ଦିଅନ୍ତୁ।
l ବିବାହ ଓ ସଙ୍ଗୀତ କାର୍ଯ୍ୟକ୍ରମରେ ଅତ୍ୟଧିକ ଶବ୍ଦରେ ଡିଜେ ବଜାଇବା ଦ୍ୱାରା ଆଖପାଖ ଅଞ୍ଚଳରେ ଶବ୍ଦ ପ୍ରଦୂଷଣ ହୋଇପାରେ।
l ବିବାହ ସ୍ଥଳରେ ଅନେକ ଘଣ୍ଟା ଧରି ଆଲୋକ ଜଳିଥାଏ। ତେଣୁ କମ୍ ବିଦ୍ୟୁତ୍ ଖର୍ଚ୍ଚ କରୁଥିବା ଆଲୋକ ବ୍ୟବହାର କରିବା ଭଲ। ଦିନବେଳେ ପ୍ରାକୃତିକ ଆଲୋକର ଅଧିକ ବ୍ୟବହାର କରିପାରିବେ। କାର୍ଯ୍ୟକ୍ରମ ଶେଷ ହେବା ପରେ ଅନାବଶ୍ୟକ ଆଲୋକ ଓ ବିଦ୍ୟୁତ୍ ଉପକରଣ ବନ୍ଦ କରିବା ମଧ୍ୟ ଜରୁରି।
l ମଣ୍ଡପ ସଜାଇବାରେ ଥର୍ମୋକଲ୍, ପ୍ଲାଷ୍ଟିକ୍ ଓ ଏକଥର ବ୍ୟବହାର ହେଉଥିବା ସାମଗ୍ରୀ ବଦଳରେ ବାଉଁଶ, କପଡ଼ା, କାଗଜ, ମାଟି ଓ କାଠ ଭଳି ସାମଗ୍ରୀ ବ୍ୟବହାର କରିପାରିବେ।
l ଅତିଥିମାନଙ୍କ ପାଇଁ ଏକାଠି ଯାତାୟାତର ବ୍ୟବସ୍ଥା କରନ୍ତୁ। ଏହାଦ୍ୱାରା ଗାଡ଼ି ସଂଖ୍ୟା, ଇନ୍ଧନ ଖର୍ଚ୍ଚ ଓ ବାୟୁ ପ୍ରଦୂଷଣ କମିବ।

1 hour ago
1


