ARTICLE AD BOX
କଟକ:ଶିକ୍ଷା ଅନୁଷ୍ଠାନ ଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ମାନସିକ ସ୍ବାସ୍ଥ୍ୟର ଯତ୍ନ ଓ ସୁରକ୍ଷା ସୁନିଶ୍ଚିତ କରାଯିବା ଉପରେ ଓଡ଼ିଶା ମାନବାଧିକାର କମିସନ ଗୁରୁତ୍ବାରୋପ କରିଛନ୍ତି। ଶିକ୍ଷାନୁଷ୍ଠାନ ଗୁଡ଼ିକରେ କାଉନସେଲରଙ୍କ ନିଯୁକ୍ତି, ମାନସିକ ସ୍ବାସ୍ଥ୍ୟ ତାଲିମ, ଛାତ୍ରଛାତ୍ରୀଙ୍କୁ ମାନସିକ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ନିକଟକୁ ପଠାଇବା ପାଇଁ ବ୍ୟବସ୍ଥିତ ପ୍ରକ୍ରିୟା (ରେଫେରାଲ ମେକାନିଜିମ), ସୁରକ୍ଷା ବ୍ୟବସ୍ଥା ପ୍ରସଂଗରେ ସୁପ୍ରିମକୋର୍ଟ ‘ସୁକଦେବ ସାହା ବନାମ ଆନ୍ଧ୍ର ପ୍ରଦେଶ’ ମାମଲାରେ ଜାରି କରିଥିବା ଗାଇଡଲାଇନ କାର୍ଯ୍ୟକାରୀ କରିବାକୁ କମିସନ ନିର୍ଦ୍ଦେଶ ଦେଇଛନ୍ତି।
ଆବେଦନର ଶୁଣାଣି କରି ନିର୍ଦ୍ଦେଶ ପ୍ରଦାନ
ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଏହି ଗାଇଡଲାଇନର ଫଳପ୍ରଦ କାର୍ଯ୍ୟକାରୀ, କାଉନସେଲର, ମାନସିକ ସ୍ବାସ୍ଥ୍ୟ ସଚେତନତା, ତାଲିମ ରେଫେରାଲ ମେକାନିଜିମ ଓ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଉପଲବ୍ଧ ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ଗ୍ରହଣ ଲାଗି ଉଚ୍ଚଶିକ୍ଷା ସଚିବ, ଓଡ଼ିଶାର ବିଭିନ୍ନ ବିଶ୍ବବିଦ୍ୟାଳୟକୁ କମିସନ ସୁପାରିସ କରିଛନ୍ତି। ଏଥି ସହିତ ସଂପୃକ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକ ସହିତ ସମନ୍ବୟ ରକ୍ଷା କରି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ, ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକ ଆବଶ୍ୟକ ମାନସିକ ସ୍ବାସ୍ଥ୍ୟ ସମର୍ଥନ, କାଉନସେଲିଂ ଓ ରେଫେରାଲ ସେବା ପ୍ରଦାନ କରିବେ। ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ମଧ୍ୟରେ ଆତ୍ମହତ୍ୟା ରୋକିବା ତଥା ହ୍ରାସ କରିବା ପାଇଁ ଉପଯୁକ୍ତ ସାଂସ୍ଥାଗତ ବ୍ୟବସ୍ଥା କରିବା ପାଇଁ ସ୍ବାସ୍ଥ୍ୟ ସଚିବ ଓ ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକଙ୍କୁ କମିସନ ସୁପାରିସ କରିଛନ୍ତି। କମିସନ ସଦସ୍ୟ ବି.ଏସ.ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ସାମାଜିକ କର୍ମୀ ବୃନ୍ଦାବନ ଦାସ ଆଜାଦଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
Waste management: ଦୈନିକ ଖୋଲାରେ ଡମ୍ପିଂ ହେଉଛି ୯୮ ମେଟ୍ରିକ ଟନ୍ ଆବର୍ଜନା
କମିସନଙ୍କ ନିକଟରେ ଦାଖଲ ଆବେଦନରେ ଉଲ୍ଲେଖ କରାଯାଇଥିଲା ଯେ ଯୁବ ବର୍ଗ ବିଶେଷ କରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମହତ୍ୟା ଭଳି ଘଟଣା ବହୁମାତ୍ରାରେ ଦେଖିବାକୁ ମିଳୁଛି। ଶୈକ୍ଷିକ ପ୍ରତିଯୋଗିତା, ପରୀକ୍ଷା ଚାପ, ଅଭିଭାବକ ତଥା ସାମାଜିକ ପ୍ରତ୍ୟାଶା ଓ ମାନସିକ ସ୍ବାସ୍ଥ୍ୟ ସମର୍ଥନର ଅଭାବ ପାଇଁ ପିଲାମାନେ ଗୁରୁତର ମାନସିକ ଚାପରେ ରହୁଛନ୍ତି। ଫଳରେ ଆତ୍ମହତ୍ୟା ଭଳି ଘଟଣା ଯୁବବର୍ଗ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଖିବାକୁ ମିଳୁଛି। ଏହାର ନିରାକରଣ ପାଇଁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯିବା ଆବଶ୍ୟକ। ଏଥି ପାଇଁ ସୁପ୍ରିମକୋର୍ଟ ‘ସୁକଦେବ ସାହା ବନାମ ଆନ୍ଧ୍ର ପ୍ରଦେଶ’ ମାମଲାରେ ଗାଇଡଲାଇନ ଜାରି କରିଥିଲେ। ଏହି ଗାଇଡଲାଇନ କିନ୍ତୁ ଓଡ଼ିଶାର ଶିକ୍ଷାନୁଷ୍ଠାନ ଗୁଡ଼ିକରେ କାର୍ଯ୍ୟକାରୀ କରାଯାଇ ନାହିଁ ବୋଲି ଆବେଦନକାରୀ ଦର୍ଶାଇଥିଲେ। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଅଫରାଜ ସୁହେଲ ମାମଲା ପରିଚାଳନା କରୁଥିଲେ।

4 days ago
4


