ARTICLE AD BOX
କଟକ: ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସ୍ଏସ୍ଏସ୍ସି) ପକ୍ଷରୁ ଜିଲ୍ଲା କ୍ୟାଡର ପଦବି ଭିଏଡବ୍ଲୁ (ଭିଲେଜ୍ ଏଗ୍ରିକଲ୍ଚରାଲ୍ ୱାର୍କର), ଆର୍ଆଇ ଓ ଆଇସିଡିଏସ୍ ସୁପରଭାଇଜର, କନିଷ୍ଠ ସହାୟକ, ଏଆରଆଇ, ଅମିନ, ଏସ୍ଏଫ୍ଏସ୍ ନିଯୁକ୍ତି ପାଇଁ ପ୍ରକାଶିତ ବିଜ୍ଞପ୍ତିକୁ ବିରୋଧ କରି ଦାୟର ୧୦ଟି ମାମଲାର ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ବିଭିନ୍ନ ଜିଲ୍ଲାରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ ଅଧୀନରେ ଏକ ଦଶନ୍ଧିରୁ ଅଧିକ ସମୟ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇ କାର୍ଯ୍ୟ କରି ଆସୁଥିବା ସହକାରୀ ବୈଷୟିକ ପରିଚାଳକଙ୍କ ଚାକିରି ନିୟମିତ ଦାବି ଉପରେ ତିନି ମାସ ଭିତରେ ଆଇନସମ୍ମତ ନିଷ୍ପତ୍ତି ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସହକାରୀ ବୈଷୟିକ ପରିଚାଳକଙ୍କ ଚାକିରି ନିୟମିତ କରି ସେମାନଙ୍କୁ ସମାନ ସ୍ତରର ଭିଏଡବ୍ଲୁ ପଦବିରେ ଅବସ୍ଥାପିତ କରିବାକୁ ଦାବି ରହିଛି। ଇମେଜ୍ (ଇନ୍ଷ୍ଟିଚ୍ୟୁଟ୍ ଅନ୍ ମ୍ୟାନେଜମେଣ୍ଟ ଅଫ୍ ଏଗ୍ରିକଲ୍ଚରାଲ୍ ଏକ୍ସଟେନ୍ସନ୍) ନିର୍ଦ୍ଦେଶକ ଆବେଦନକାରୀଙ୍କ ଚାକିରି ନିୟମିତ ଦାବି ଉପରେ ତିନି ମାସ ଭିତରେ ନିଷ୍ପତ୍ତି ଗ୍ରହଣ କରିବେ।
Customs Duty: ଇଲେକ୍ଟ୍ରୋନିକ୍ସ, ବ୍ୟାଟେରି ଉପକରଣ ସୀମା ଶୁଳ୍କ ଛାଡ଼
ଇତିମଧ୍ୟରେ ଓଏସ୍ଏସ୍ଏସସି ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଆଧାରରେ ଯଦି କୌଣସି ନିଯୁକ୍ତି ପ୍ରଦାନ କରାଯାଇଥିବ ତେବେ ତାହା ଇମେଜ୍ ନିର୍ଦ୍ଦେଶକ ଆବେଦନକାରୀଙ୍କ ପ୍ରସଂଗରେ ଗ୍ରହଣ କରିବାକୁ ଥିବା ନିଷ୍ପତ୍ତିର ଫଳାଫଳ ଉପରେ ନିର୍ଭର କରିବ ବୋଲି ହାଇକୋର୍ଟ କହିଛନ୍ତି। ଜଷ୍ଟିସ୍ ବିରଜା ପ୍ରସନ୍ନ ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ସ୍ମୃତିରଞ୍ଜନ ମିଶ୍ର ଓ ଅନ୍ୟ ୯ଜଣଙ୍କ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ଚୟନ ପ୍ରକ୍ରିୟା ମାଧ୍ୟମରେ ନିଯୁକ୍ତି ପାଇ ଆବେଦନକାରୀ ବିଭିନ୍ନ ଜିଲ୍ଲାରେ ଜିଲ୍ଲା କୃଷି ଅଧିକାରୀଙ୍କ ଅଧୀନରେ ଚୁକ୍ତିଭିତ୍ତିକ ବୈଷୟିକ ପରିଚାଳକ ଭାବେ ୨୦୧୩ରୁ କାମ କରି ଆସୁଛନ୍ତି। ଆବେଦନକାରୀଙ୍କ ଚାକିରି ନିୟମତ ଦାବିକୁ ବିଚାରକୁ ନ ନେଇ ସରକାର ଓଏସ୍ଏସ୍ଏସ୍ସି ମାଧ୍ୟମରେ ୧୮୫୬ଟି ଭିଏଡବ୍ଲୁ ପଦ ପୂରଣ କରିବାକୁ ପଦକ୍ଷେପ ନେଇଥିଲେ। ଭିଏଡବ୍ଲୁ ଓ ଅନ୍ୟ ପଦ ପାଇଁ ମିଳିତ ନିଯୁକ୍ତି ପରୀକ୍ଷା ଲାଗି ୨୦୨୫, ଡିସେମ୍ବର ୩୦ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୬ ବର୍ଷରୁ ଅଧିକ ଚୁକ୍ତିଭିତ୍ତିକ କର୍ମଚାରୀ ଭାବେ କାର୍ଯ୍ୟ କରି ସାରିଥିବାରୁ ଚାକିରି ନିୟମିତ କରି ଭିଏଡବ୍ଲୁ ପଦରେ ଅବସ୍ଥାପିତ କରିବା ପାଇଁ ଆବେଦନକାରୀ ଦାବି କରିଥିଲେ ମଧ୍ୟ ସରକାର ଏହାକୁ ବିଚାରକୁ ନେଇ ନଥିଲେ। ଏଭଳି ସ୍ଥିତିରେ ଆବେଦନକାରୀ ଓଏସ୍ଏସ୍ଏସ୍ସିର ନିଯୁକ୍ତି ବିଜ୍ଞପ୍ତିକୁ ବିରୋଧ କରି ତଥା ଚାକିରି ନିୟମିତ ପ୍ରସଂଗ ନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ରମାକାନ୍ତ ଷଡ଼ଙ୍ଗୀ ମାମଲା ପରିଚାଳନା କରୁଥିଲେ।

1 hour ago
1


