Sports: ‘ଲନ୍‌ବଲ୍‌’ ଲେଖିଲା ନୂଆ ଅଧ୍ୟାୟ: ନେଟ୍‌ବଲ୍‌ ନାୟିକାଙ୍କ ଲନ୍‌ବଲ୍‌ ପ୍ରେମ

45 minutes ago 2
ARTICLE AD BOX

ଭୁବ‌େନଶ୍ବର (ଦେବାଶିଷ ସୁନ୍ଦରାୟ): ସୁନ୍ଦର, ସବୁଜ ବର୍ଗାକାର ଘାସ ପଡ଼ିଆ। ଚାରିପଟେ ଚକ୍‌ମକ୍‌ ଆଲୋଚକ ବିଛାଡ଼ୁଥିବା ଫ୍ଲଡ୍‌ ଲାଇଟ୍। ତା’ ସହ ପଡ଼ିଆର ଚତୁର୍ପାର୍ଶ୍ବରେ ଆଧୁନିକ ଜଳ ନିଷ୍କାସନ ବ୍ୟବସ୍ଥା। ଗୋଟିଏ ପାର୍ଶ୍ବରେ ଧାଡ଼ିରେ ଛିଡ଼ା ହୋଇଛନ୍ତି ଅନେକ ରାଜ୍ୟର ଖେଳାଳି। ହାତରେ ରଙ୍ଗ ବେରଙ୍ଗର ଗୋଲକାକୃତି ବଲ୍। ସମସ୍ତେ ଗୋଟିଏ ହାତ ପଛକୁ ନେଇ ଏହି ବଲ୍‌ଗୁଡ଼ିକୁ ଗଡ଼ାଇବା ସହ ଓଡ଼ିଶା କ୍ରୀଡ଼ା ଇତିହାସରେ ଯୋଡ଼ି ହୋଇଯାଇଥିଲା ସଫଳ କ୍ରୀଡ଼ା ଆୟୋଜନର ଆଉ ଏକ ସୁନେଲି ଫର୍ଦ୍ଦ। ଇଂଲଣ୍ଡରେ ସୃଷ୍ଟି ହୋଇଥିବା ମଧ୍ୟଯୁଗୀୟ କ୍ରୀଡ଼ା ‘ଲନ୍‌ବଲ୍‌’ର ଜାତୀୟ ପ୍ରତିଯୋଗିତା ଓଡ଼ିଶାରେ ପାଦ ଥାପିଥିଲା।  ପ୍ରଥମଥର ପାଇଁ ରାଜ୍ୟରେ ଆୟୋଜିତ ହୋଇଥିଲା ଏଭଳି ଏକ ଲନ୍‌ବଲ୍‌ ଚାମ୍ପିଅନ୍‌ସିପ୍‌। ଏହି ଐତିହାସିକ କ୍ଷଣର ମୂକସାକ୍ଷୀ ପାଲଟିଥିଲା ବଲାଙ୍ଗୀରର ଆର୍‌ଏନ୍‌ ସିଂହଦେଓ ଷ୍ଟାଡିୟମ୍‌। ଏହି ବହୁମୁଖୀ ଷ୍ଟାଡିୟମ୍‌ର ‘ବୋଲିଂ ଗ୍ରିନ୍‌’ (ଲନ୍ ବଲ୍ ଖେଳା ଯାଉଥିବା ପଡ଼ିଆ)ଠାରେ ପ୍ରଥମ ଜାତୀୟ ୧୮ବର୍ଷରୁ କମ୍ ଏବଂ ଷଷ୍ଠ ୨୫ ବର୍ଷରୁ କମ୍‌ ଲନ୍‌ବଲ୍‌ ପ୍ରତିଯୋଗିତାର ଆୟୋଜନ କରି ବଳାଙ୍ଗୀର, ଓଡ଼ିଶା ତଥା ଭାରତୀୟ ମାନଚିତ୍ରରେ ନିଜ ପାଇଁ ଏକ ନୂଆ ପରିଚୟ ସୃଷ୍ଟି କରିଛି। ଦେଶର ବିଭିନ୍ନ ଅଞ୍ଚଳର ଖେଳାଳିଙ୍କୁ ନିଜ ଦକ୍ଷତା, କୌଶଳ ଓ ପ୍ରତିଯୋଗିତାମୂଳକ ମନୋଭାବ ପ୍ରଦର୍ଶନ କରିବାର ଏହି ମଞ୍ଚ ମିଳିଥିବାବେଳେ ଓଡ଼ିଶାରେ ଲନ୍‌ବଲ୍‌ର ପ୍ରସାର ପାଇଁ ମଧ୍ୟ ନୂଆ ସୁଯୋଗ ଓ ସମ୍ଭାବନା ସୃଷ୍ଟି ହୋଇଛି।  

ଓଡ଼ିଶାରେ ହେବ ଜାତୀୟ ବରିଷ୍ଠ ଦଳର କ୍ୟାମ୍ପ
ଓଡ଼ିଶାରେ ପ୍ରଥମ ଜାତୀୟ ଲନ୍‌ବଲ୍‌ ଚାମ୍ପିଅନ୍‌ସିପ୍‌ ଆୟୋଜନ ଏକ ଉଲ୍ଲେଖନୀୟ ଆରମ୍ଭ। କିନ୍ତୁ ଏହି ଖେଳର ଦୀର୍ଘକାଳୀନ ବିକାଶ ପାଇଁ ତୃଣମୂଳସ୍ତରରୁ ପ୍ରୟାସ ଆବଶ୍ୟକ। ବିଦ୍ୟାଳୟସ୍ତରରେ ଏହି ଖେଳର ପରିଚୟ, ନିୟମିତ ପ୍ରଶିକ୍ଷଣ, ଉପଯୁକ୍ତ ଖେଳ ପଡ଼ିଆ ଓ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଏହାର ଭବିଷ୍ୟତ ଗଠନରେ ଗୁରୁତ୍ୱ ବହନ କରିବ।  ଓଡ଼ିଶା ଲନ୍‌ବଲ୍‌ ସଂଘର ସାଧାରଣ ସଂପାଦକ ସୁମିତ ରଞ୍ଜନ ପୁରୋହିତଙ୍କ ଅନୁସାରେ ଓଡ଼ିଶାରେ ସଂପ୍ରତି ଲନ୍‌ବଲ୍‌ ଦ୍ରୁତଗତିରେ ସଂପ୍ରସାରିତ ହେଉଛି। ମାତ୍ର ୮ବର୍ଷ ଭିତରେ ରାଜ୍ୟ ସଂଘର ଅନୁବନ୍ଧିତ ଜିଲ୍ଲା ସଂଘ ୧୬ରୁ ୧୮ରେ ପହଞ୍ଚିଛି। ଖେଳାଳି ସଂଖ୍ୟା ବି ଯଥେଷ୍ଟ ବଢ଼ିଛି। ଆଗାମୀ ସମୟରେ ରାଜ୍ୟ ସଂଘ ଏହି ଖେଳକୁ ସ୍କୁଲ୍‌ ଓ କଲେଜ୍‌ସ୍ତରକୁ ନେବାକୁ ଚେଷ୍ଟା ଚଳାଇଛି। ‘‘ଏହି ଦିଗରେ ରାଜ୍ୟ ସରକାରଙ୍କ ସମର୍ଥନ ଓ ସହଯୋଗ ମହତ୍ତ୍ବପୂର୍ଣ୍ଣ ଭୂମିକା‌ ନିର୍ବାହ କରିବ। ଏଥିଲାଗି ଆମେ କଳିଙ୍ଗ ଷ୍ଟାଡିୟମ୍‌ରେ ଏକ ଲନ୍‌ବଲ୍‌ କୋର୍ଟ ସ୍ଥାପନ ପାଇଁ ପ୍ରୟାସ ଆରମ୍ଭ କରିଛୁ। କ୍ରୀଡ଼ାମନ୍ତ୍ରୀଙ୍କୁ ଭେଟି ସ୍ମାରକପତ୍ର ଦେଇଛୁ। ଭୁବନେଶ୍ବରରେ କୋର୍ଟ ସ୍ଥାପନ ହେଲେ ଲନ୍‌ବଲ୍‌ରେ ନିଶ୍ଚିତ ଭାବେ ଓଡ଼ିଶା ଏକ ନୂଆ ଶକ୍ତି ଭାବେ ଉଭା ହୋଇପାରିବ। ସେହିଭଳି ଭାରତରେ ରାଜ୍ୟ ଗୋଷ୍ଠୀ ଲନ୍‌ ଚାମ୍ପିଅନସିପ୍‌ ଆୟୋଜନ ହେବାର ଅଛି। ଏହା ପୂର୍ବରୁ ବଲାଙ୍ଗୀରରେ ଜାତୀୟ ବରିଷ୍ଠ ଦଳର ଶିବିର ଆୟୋଜନ କରିବାକୁ ଭାରତୀୟ ଲନ୍‌ବଲ୍‌ ମହାସଂଘ ପ୍ରତିଶ୍ରୁତି ଦେଇଛି। ଏହା ହେଲେ ଓଡ଼ିଶା ଲନ୍‌ବଲ୍‌ ଇତିହାସରେ ଆଉ ଏକ ସଫଳ ଅଧ୍ୟାୟ ଯୋଡ଼ିହେବ’’ ବୋଲି କହିଛନ୍ତି ସେ।  ସେହିଭଳି ଅନୁମୋଦିତ କ୍ରୀଡ଼ା ଶୃଙ୍ଖଳାରେ ଲନ୍‌ବଲ୍‌କୁ ସାମିଲ କରିବାକୁ ସେ ରାଜ୍ୟସରକାରଙ୍କୁ ଅନୁରୋଧ କରିଛନ୍ତି। 

ଆୟୋଜନ ସହ ପଦକ ଅମଳ
ଏହି ପ୍ରତିଯୋଗିତାରେ ଓଡ଼ିଶା କେବଳ ଆୟୋଜକରେ ସୀମିତ ହୋଇ ରହିନାହିଁ। ୩ଟି ସ୍ବର୍ଣ୍ଣ ଏବଂ ଗୋଟିଏ ଲେଖାଏଁ ରୌପ୍ୟ ଓ କାଂସ୍ୟ ସହ ମୋଟ ୫ଟି ପଦକ ଜିତି ଇତିହାସ ରଚିଛି ରାଜ୍ୟ ଦଳ। ଓଡ଼ିଶାର ରାଜେଶ୍ବରୀ ସେଠ୍‌ ବ୍ୟକ୍ତିଗତ ବର୍ଗର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ୧୮ବର୍ଷରୁ କମ୍‌ ବର୍ଗରେ ମଧ୍ୟ ଓଡ଼ିଶା ଦଳଗତ ବିଜେତା ହୋଇଛି। ଓଡ଼ିଶାର ଦୁଇଟି ଦଳ ଏଥିରେ ଅଂଶଗ୍ରହଣ କରିଥିଲେ। ପ୍ରତ୍ୟେକ ଦଳରେ ୮ଜଣ ଖେଳାଳି ଏବଂ ୨ଜଣ ଲେଖାଏଁ ଅଧିକାରୀ ଥି‌ଲେ। ଓଡ଼ିଶା ପକ୍ଷରୁ ପଦକ ଜିତିଥିବା ଖେଳାଳିମାନେ ହେଲେ ରାଜେଶ୍ବରୀ ସେଠ୍‌ (ସ୍ବର୍ଣ୍ଣ, ୨୫ବର୍ଷରୁ କମ୍‌ ବାଳିକା ଏକକ), ସିଦ୍ଧାର୍ଥ ଆର୍ଯ୍ୟନ ସାହୁ ଓ ପଦ୍ମସିନୀ ପୁଟେଲ (ସ୍ବର୍ଣ୍ଣ, ୨୫ବର୍ଷରୁ କମ୍‌ ମିଶ୍ରିତ ଯୁଗଳ) ଶୁଭ୍ରାଂଶୁ ଡାଙ୍ଗ (କାଂସ୍ୟ ୨୫ବର୍ଷରୁ କମ୍‌ ବାଳକ ଏକକ), ରୋଶ୍‌ନୀ ସାହୁ (ସ୍ବର୍ଣ୍ଣ ୧୮ବର୍ଷରୁ କମ୍‌ ବାଳିକା ଏକକ), ସୁଜ୍ଞାନେନ୍ଦ୍ର ଷଡ଼ଙ୍ଗୀ (୧୮ବର୍ଷରୁ କମ୍‌ ବାଳକ ଏକକ)।

Read Entire Article
LEFT SIDEBAR AD

Hidden in mobile, Best for skyscrapers.