Online Game: ଅନ୍‌ଲାଇନ୍ ଗେମ୍‌ରୁ ପ୍ରେମ, ପ୍ରତାରଣା: ଫଟୋ ଭାଇରାଲ୍ କରି ବ୍ଲାକ୍‌ମେଲିଂ

58 minutes ago 2
ARTICLE AD BOX

ଭୁବନେଶ୍ବର: ଅନ୍‌ଲାଇନ୍ ଗେମ୍‌ରୁ ଯୁବତୀଙ୍କ ସହ ପ୍ରେମ ଓ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଲା। ହେଲେ ଯୁବକ ଜଣକ ପୂର୍ବରୁ ବିବାହିତ ବୋଲି ଜଣାପଡ଼ିବା ପରେ ସବୁକିଛି ବଦଳିଗଲା। ବିବାଦ ହେବାରୁ ପ୍ରେମିକ ଯୁବତୀଙ୍କ ଅନ୍ତରଙ୍ଗ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ କରିବା ବ୍ଲାକ୍‌ମେଲିଂ କଲା। ଏଭଳି ସଙ୍ଗିନ ଅଭିଯୋଗରେ ସହିଦନଗର ଥାନା ପୁଲିସ ଛତିଶଗଡ଼ର ରାୟପୁରରୁ ଗଞ୍ଜାମଜିଲ୍ଲା ପୁରୁଷୋତ୍ତମପୁର ଅଞ୍ଚଳର ସୁନୀଲ କୁମାର ବେହେରା (୩୦)ଙ୍କୁ ଗିରଫ କରିଛି। 

ସୂଚନା ମୁତାବକ, ପୀଡ଼ିତା ଜଣଙ୍କ ଜୟଦେବବିହାର ସ୍ଥିତ ଏକ ଘରୋଇ ଫାଇନାନ୍ସ କମ୍ପାନିରେ କାମ କରୁଥିବା ବେଳେ ରସୁଲଗଡ଼ର ଏକ ହଷ୍ଟେଲ୍‌ରେ ରହୁଥିଲେ। ତେବେ ୨୦୨୪ ମସିହାରେ ଅନ୍‌ଲାଇନ୍ ଗେମ୍ ଖେଳିବା ସମୟରେ ଛତିଶଗଡ଼ରେ ଘରୋଇ ଚାକିରି କରୁଥିବା ସୁନୀଲଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ଫୋନ୍‌ରେ ନିୟମିତ କଥାବାର୍ତ୍ତା ହେଉଥିଲା। ଧୀରେ ଧୀରେ ଉଭୟଙ୍କ ଭିତରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଯାହାର ସୁଯୋଗ ନେଇ ସୁନୀଲ ଯୁବତୀଙ୍କୁ ଭେଟିବା ପାଇଁ ଯୋଜନା କରିଥିଲା। ୨୦୨୪ ଅକ୍ଟୋବର ୧୭ରେ ଭୁବନେଶ୍ବର ଆସି ବମିଖାଲ ସ୍ଥିତ ଆର୍ଯ୍ୟନ୍ ହୋଟେଲ୍ ନିକଟରେ ଯୁବତୀଙ୍କୁ ଭେଟିଥିଲା। ବିବାହର ପ୍ରତିଶ୍ରୁତି ଦେଇ ହୋଟେଲ୍‌ରେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲା।

ଫଟୋ ଭାଇରାଲ୍ କରି ବ୍ଲାକ୍‌ମେଲିଂ
ଛତିଶଗଡ଼ରୁ ଅଭିଯୁକ୍ତକୁ ବାନ୍ଧିଲା ପୁଲିସ

ଗତ ଜୁନ୍ ୧୬ ତାରିଖରେ ସୁନୀଲର ଅସଲ ଚେହେରା ଜଣାପଡ଼ିଥିଲା। ସେ ପୂର୍ବରୁ ବିବାହ କରିସାରିଥିବା କଥା ଯୁବତୀ ଜାଣିବାକୁ ପାଇଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିଲା। ସୁନୀଲ ଯୁବତୀଙ୍କୁ ଧମକଚମକ ଦେବା ସହ ତାଙ୍କର କେତେକ ବ୍ୟକ୍ତିଗତ ଓ ଅନ୍ତରଙ୍ଗ ଫଟୋ ସାମାଜିକ ଗଣମାଧ୍ୟମରେ ପ୍ରସାର କରିଥିଲା। ଏପରିକି ମୋବାଇଲ୍ ମାଧ୍ୟମରେ ସେହି ଫଟୋଗୁଡ଼ିକୁ ଯୁବତୀଙ୍କ ପରିବାର ସଦସ୍ୟ ଓ ପରିଚିତ ଲୋକଙ୍କ ନିକଟକୁ ପଠାଇ ବ୍ଲାକ୍‌ମେଲିଂ କରିଥିଲା। ଏନେଇ ପୀଡ଼ିତା ସହିଦନଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଆରମ୍ଭ ହୋଇଥିଲା। ସହିଦନଗର ଥାନାର ପୁଲିସର ଏକ ସ୍ବତନ୍ତ୍ର ପୁଲିସ ଟିମ୍ ରାୟପୁର ସ୍ଥିତ ମା କୌଶଲ୍ୟା ଆପାର୍ଟମେଣ୍ଟରେ ଚଢ଼ଉ କରି ସୁନୀଲକୁ କାବୁ କରିଥିଲା। ଆଜି ତାକୁ ଥାନାକୁ ଆଣି ଜେରା ପରେ କୋର୍ଟ ଚାଲାଣ କରାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.