Sneha: ସ୍ନେହାଙ୍କ ସୋପାନ ଆରୋହଣ

2 hours ago 1
ARTICLE AD BOX

ବଣମଲ୍ଲୀ ସବୁବେଳେ ବଣରେ ଫୁଟି ମଉଳିପଡ଼େନି, ବେଳେବେ‌େଳ ତା’ର ସୁବାସ ଗାଁ ଭୂଇଁ ଡେଇଁ ପହଞ୍ଚେ ଦୂର ମୁଲକରେ, ମୟୂରଭଞ୍ଜର ଅଖ୍ୟାତ ପଲ୍ଲୀ ଶିଖରଘାଟୀରୁ ଯାଇ ଅଷ୍ଟ୍ରେଲିଆର ଗୋଲକୋଷ୍ଟରେ ଗୋ‌ଲ୍‌ଡ ମେଡାଲ୍‌ ଜିଣିବା ଅସମ୍ଭବ ମନେ ହେଉଥିଲେ ହେଁ ତାକୁ ସତ କରି ଦେଖାଇଛନ୍ତି ସ୍ନେହା ସୋରେନ। ଭାରଉତ୍ତୋଳନ ପରି ଏକ କଠିନ କ୍ରୀଡ଼ାକୁ ନିପୁଣତାର ସହ ଅଭ୍ୟାସ କରି ସଫଳତାର ଶିରୋପା ନାଇଛନ୍ତି ସିଏ। ଜୀବନର ଉଠାଣିଗଡ଼ାଣିରେ ବିଚଳିତ ନହୋଇ ଲକ୍ଷ୍ୟ ସବୁବେଳେ ସ୍ଥିର ରଖିଛନ୍ତି। ଏହାସହ ସେ କଲେଜ ସମୟରୁ ସମ୍ବାଦ ସାହିତ୍ୟଘର ରାଗଧା ଶାଖାରେ ସଦସ୍ୟ ଭାବରେ ଯୋଡ଼ିହୋଇଛନ୍ତି। ତାଙ୍କର କ୍ରୀଡ଼ା ଜୀବନ ସଂପର୍କରେ ଆଳାପ କରିଛନ୍ତି ଡ. ଶୁଭଶ୍ରୀ ଲେଙ୍କା

Pay commission: ଅଷ୍ଟମ ବେତନ କମିସନ୍‌ର ଭୁବନେଶ୍ବର ଗସ୍ତ ଆଜିଠାରୁ

 ଆପଣଙ୍କ ଜନ୍ମ ମୟୂରଭଞ୍ଜର ଶିଖରଘାଟିରେ। ପାଠପଢ଼ା ଓ ପିଲାଦିନ କଟିଛି ସେଇଠି। ଏବେ ପଛକୁ ଫେରି ଚାହିଁଲେ ପିଲାଦିନର ସ୍ମୃତି ଓ ଗାଁ ବିଷୟରେ କ’ଣ ମନେକରନ୍ତି?
ମୋର ଜନ୍ମ ୨୦୦୧ ମସିହା ମେ ମାସରେ ମୟୂରଭଞ୍ଜର ଶିଖରଘାଟିରେ। ପିଲାଦିନର ସ୍ମୃତି ଭାବିଲେ ଗାଁର ସରଳ ଜୀବନ, ପରିବାର ଓ ସାଙ୍ଗମାନଙ୍କ ସହ କାଟିଥିବା ସମୟ ବହୁତ ମନେପଡ଼େ। ସେହି ପରିବେଶ ମୋତେ ଶକ୍ତି ଓ ମୂଲ୍ୟବୋଧ ଦେଇଛି। ବାପା ବୋଡ଼ ସୋରେନ ଓ ମାଆ ଛିତା ସୋରେନ। ଏକ ସାଧାରଣ ଗ୍ରାମୀଣ ପରିବେଶରୁ ଆସିଥିବାରୁ ମୋ ପାଇଁ କ୍ରୀଡ଼ା ତାଲିମ ସହିତ ପାଠପଢ଼ା ଜାରି ରଖିବା କଷ୍ଟକର ଥିଲା। ବେତନଟୀ ଭଳି ଛୋଟ ଜାଗାରୁ ଆସି ଭୁବନେଶ୍ୱର କ୍ରୀଡ଼ା ହଷ୍ଟେଲରେ ରହି କଠିନ ଅଭ୍ୟାସ କରିବା ମୋ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଥିଲା। ଘରଠାରୁ ଦୂରରେ ରହି ନିଜକୁ ପ୍ରସ୍ତୁତ କରିବା ପାଇଁ ଅନେକ ତ୍ୟାଗ କରିବାକୁ ପଡ଼ିଛି। ଆର୍ଥିକ ଅଭାବ ଅନଟନ ସତ୍ତ୍ୱେ ନିଜର ପରିଶ୍ରମ ବଳରେ ଆଜି ଆନ୍ତର୍ଜାତୀୟ ସ୍ତରରେ ନିଜର ପରିଚୟ ସୃଷ୍ଟି କରିପାରିଛି। ନିଜ ଗାଁରୁ କ୍ୟାରିୟର୍‌ ଆରମ୍ଭ କରି କୋଚ୍ ପରେଶ ମହାନ୍ତଙ୍କ ତତ୍ତ୍ୱାବଧାନରେ ତାଲିମ ନେଇଛି। କୃଷ୍ଣଚନ୍ଦ୍ରପୁର ନୂତନ ସରକାରୀ ଉଚ୍ଚ ବିଦ୍ୟାଳୟରୁ ମାଧ୍ୟମିକ ଶିକ୍ଷା ଏବଂ ଶ୍ରୀରାମଚନ୍ଦ୍ର ଭଞ୍ଜ ଜୁନିଅର୍‌ କଲେଜ, ରଗଧା, ବେତନଟୀ, ମୟୂରଭଞ୍ଜରୁ ଉଚ୍ଚମାଧ୍ୟମିକ ଶିକ୍ଷା ସମାପ୍ତ କରିଛି। ଏହାସହ କିଟ୍‌ (କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍ନୋଲୋଜି)ରେ ୨୦୨୫ ମସିହାରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛି I ଏହାପରେ ମୁଁ ପିଜି କରିବା ପାଇଁ ଲକ୍ଷ୍ୟ ରଖିଛି। 

 ଖେଳ ପ୍ରତି କେମିତି ଆଗ୍ରହ ଆସିଲା? ବିଶେଷକରି ଭାରୋତ୍ତୋଳନ କରି କଠିନ ଖେଳ ପ୍ରତି କାହିଁକି ମ‌ନ ବଳେଇଲେ? ଏଥିପାଇଁ କିଏ ଆପଣଙ୍କୁ ପ୍ରେରଣା ଯୋଗାଇଥିଲା?
ଛୋଟବେଳୁ ଖେଳ ପ୍ରତି ଆଗ୍ରହ ଥିଲା। ଭାରୋତ୍ତୋଳନ ମୋତେ ଆକର୍ଷିତ କଲା କାରଣ ସେଇ ସମୟରେ ଆମର ମାଡାମ୍ ମନ୍ଦାକିନୀ ମହାନ୍ତ ଇଣ୍ଟର୍‌ନ୍ୟାସନାଲ୍‌ ଖେଳି ଚାକିରି କରିଥିଲେ। ମୋର କୋଚ୍‌ ପରେଶ ସାର୍‌ ଓ ମୋ ଭାଇ ଦେବେନ୍ଦ୍ର ଚନ୍ଦ୍ର ସୋରେନ ଏବଂ ପରିବାର ମୋତେ ସର୍ବାଧିକ ପ୍ରେରଣା ଦେଇଥିଲେ। ବାପା ଓ ଭାଇଙ୍କ ପରାର୍ମଶକ୍ରମେ ୨୦୧୪ରେ ମୁଁ ନିକଟସ୍ଥ ଶକ୍ତିମାନ ଜିମ୍‌ନାସିୟମ୍‌ରେ ନିଜର ନାମ ଲେଖାଇ ଅଭ୍ୟାସ ଆରମ୍ଭ କଲି। କୋଚ୍‌ ପରେଶ ମହାନ୍ତଙ୍କ ପରାମର୍ଶ କ୍ରମେ ମୁଁ ଭାରୋତ୍ତୋଳନକୁ ନିଜର କ୍ୟାରିୟର୍‌ ଭାବେ ବାଛିଲି ଏବଂ ଦୀର୍ଘ ୨ ବର୍ଷ ଅଭ୍ୟାସକୁ ଜାରି ରଖିଲି। ସୁନ୍ଦର ପ୍ରଦର୍ଶନ ପାଇଁ ମୁଁ ବ୍ଲକ୍‌ ଓ ଜିଲ୍ଲାସ୍ତ‌ରରେ ଚୟନ ହୋଇ ରାଜ୍ୟ ପାଇଁ ଓ ପରେ ଦେଶ ପାଇଁ ଖେଳି ଗୌରବ ଆଣିଲି। ମୁଁ ଦିନକୁ ପ୍ରାୟ ୫ରୁ ୬ ଘଣ୍ଟା କଠିନ ଅଭ୍ୟାସ କରେ। ନିଜର ଅଦମ୍ୟ ଉତ୍ସାହ ଓ ଇଚ୍ଛାଶକ୍ତି ହିଁ ଆନ୍ତର୍ଜାତୀୟ ସ୍ତରରେ ସଫଳତା ଦେଇଛି। ମୁଁ ପ୍ରତିଦିନ ଭୋର୍‌ ସମୟରୁ ଉଠି ଅଭ୍ୟାସ ଆରମ୍ଭ କରେ ବୋଲି କହନ୍ତି ସ୍ନେହା।

 ବେତନଟୀରୁ ଆସି ଭୁବନେଶ୍ବରରେ କ୍ରୀଡ଼ା ପ୍ରଶିକ୍ଷଣ ନେବା ଓ ସଫଳ ହେବାର ଯାତ୍ରା କିପରି ଥିଲା?
କୃଷ୍ନଚନ୍ଦ୍ରପୁରରୁ ଭୁବନେଶ୍ୱର ଆସି ପ୍ରଶିକ୍ଷଣ ନେବା ସହଜ ନଥିଲା। ଘରୁ ଦୂରେ ରହି କଠିନ ପରିଶ୍ରମ, ନିୟମିତ ଅଭ୍ୟାସ ଓ ଅନେକ ସଂଘର୍ଷ ପରେ ଆଜି ଏହି ସଫଳତା ମିଳିଛି। ମୋର ଏକ ଅତ୍ୟନ୍ତ ଗରିବ ପରିବାର। ବାପାମାଆ ଦିନ ମଜୁରିଆ ଭାବେ କାମ କରି ପରିବାର ଚଳାଉଥିଲେ। ନବମ ଶ୍ରେଣୀ ପଢ଼ିଲା ବେଳେ ବାପା ଚାଲିଗଲେ। ମୋ ବାପା ତାଙ୍କ ଝିଅର ପୂର୍ଣ୍ଣ କୃତିତ୍ବକୁ ଦେଖିପାରିଲେ ନାହିଁ। ନିଜର ଦୁଃଖ ଓ କଷ୍ଟକୁ ପଛରେ ପକେଇ ମାଆ‌ ମୋତେ ଏ ଦିଗରେ ଆଗେଇବା ପାଇଁ ସାହସ ଦେଇଥିଲେ। ପରେ ପରେ ୨୦୧୯ରେ ମାଆ ବି ମୋ ହାତ ଛାଡ଼ିଦେଇ ସେପାରିକୁ ଚାଲିଗଲା। ମନ୍ଦାକିନୀ ମହାନ୍ତ ଯିଏକି ଖେଳରୁ କୃତିତ୍ବ ପାଇଁ ପୁଲିସ ବିଭାଗରେ କାର୍ଯ୍ୟରତ ଅଛନ୍ତି ମୋର ସେ ପ୍ରେରଣା ଥିଲେ। ଅଷ୍ଟମ ଶ୍ରେଣୀରେ ପଢ଼ିବା ବେଳେ ମୁଁ ବ୍ରହ୍ମପୁରର ଗ୍ରାମବିକାଶରୁ ପ୍ରଥମକରି ରାଜ୍ୟସ୍ତରୀୟ ଖେଳିବା ଆରମ୍ଭ କରିଥିଲି। ଆଜି କେବଳ ମୟୂରଭଞ୍ଜ ନୁହେଁ, ବରଂ ସମଗ୍ର ଓଡ଼ିଶା ପାଇଁ ଏଇଟା ଗର୍ବ। ବହୁ ସଂଘର୍ଷ ମଧ୍ୟରେ ମୁଁ ଏସିଆନ୍‌ ୟୁଥ୍ ଚାମ୍ପିୟନ୍‌ସିପ୍, କମନ୍‌ୱେଲଥ୍ ଗେମ୍ସ ଓ ଦକ୍ଷିଣ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ତଥା ରୌପ୍ୟ ପଦକ ଜିତି ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଛି। କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶା ସରକାର ମୋତେ ବହୁବାର ସମ୍ବର୍ଦ୍ଧନା ଓ ପୁରସ୍କାର ଦେଇଛନ୍ତି। ମୁଁ ବର୍ତ୍ତମାନ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗରେ ତକତପୁର, ବାରିପଦାର ବିଇଡ଼ି କଲେଜରେ କନିଷ୍ଠ କିରାଣି ଭାବେ କାର୍ଯ୍ୟରତ। କଳିଙ୍ଗ ଷ୍ଟାଡିୟମ୍‌ରେ ତାଲିମ ଓ ଅଭ୍ୟାସ ଏବେ ବି ଜାରି ରଖିଛି, ତା’ ସହିତ ବିଜୁ ପଟ୍ଟନାୟକ ଉଚ୍ଚ ପ୍ରଦର୍ଶନ ୱେଟ୍‌ ଲିଫ୍ଟିଙ୍ଗ ସେଣ୍ଟରରେ ୫୩ କି.ଗ୍ରା.ରେ ଓଜନ ଉଠାଇବାର ଅଭ୍ୟାସ ମଧ୍ୟ କରୁଛି ବୋଲି କହନ୍ତି ସ୍ନେହା। 

 ୨୦୧୭ ମସିହ‌ାରେ ଏସୀୟ ଯୁବ ଭାରୋତ୍ତୋଳନକାରୀ ଭାବରେ ଆପଣ ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟ ଠାରେ ସ୍ବର୍ଣ୍ଣ ପଦକ ବିଜୟିନୀ ହେଲେ ସେ ସମୟର ଅନୁଭବ ଓ ସ୍ମୃତି କେମିତି ଥିଲା?
୨୦୧୭ରେ ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟରେ ସ୍ୱର୍ଣ୍ଣ ପଦକ ଜିତିବା ମୋ ଜୀବନର ସବୁଠୁ ଗର୍ବର ମୁହୂର୍ତ୍ତ। ସେତେବେଳେ ଦେଶ ପାଇଁ କିଛି କରି ପାରିବାର ଅନୁଭବ ଅଲଗା ଥିଲା। ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟରେ ଆୟୋଜିତ ହୋଇଥିବା ୨୦୧୭ କମନ୍‌ୱେଲ୍‌ଥ ଭାରୋତ୍ତୋଳନ ଚାମ୍ପିଅନ୍‌ସିପ୍‌ରେ ମୁଁ ମୋର ପ୍ରଥମ ଆନ୍ତର୍ଜାତୀୟ ସ୍ୱର୍ଣ୍ଣ ପଦକ ଜିତିଥିଲି। ପୁଣି ଉଦ୍‌ବିଜିସ୍ତାନରେ ତାମ୍ର ପଦକ। ୨୦୧୯ରେ ସାମୁଆରେ ମୁଁ ଜୁନିୟର୍‌ କମନ୍‌ୱେଲ୍‌ଥ ଭାରୋତ୍ତୋଳନ ଚାମ୍ପିଅନ୍‌ସିପ୍‌ରେ ସ୍ବର୍ଣ୍ଣ ପଦକ ହାସଲ କଲି ଏବଂ ସିନିୟର୍‌ ୱାର୍ଲଡ୍‌ ଚମ୍ପିଅନ୍‌ସିପ୍‌ ପାଇଁ ଥାଇଲାଣ୍ଡରେ ଯାଇ ଅଭ୍ୟାସ କରିବାର ସୁଯୋଗ ପାଇଲି। ସେମିତି ୨୦୨୧ରେ ମୁଁ ଭୁବନେଶ୍ବରରେ ଆୟୋଜିତ ସିନିୟର୍‌ ୟୁଥ୍‌ ନାସ୍‌ନାଲ୍‌ ଚମ୍ପିୟନ୍‌ସିପ୍‌ ଖେଳି ତାମ୍ର ପଦକ ପାଇ ତାସ୍‌କେଣ୍ଟ ସିନିୟର୍‌ ଏସିଆନ୍‌ ଚମ୍ପିଅନ୍‌ସିପ୍‌ ପାଇଁ ଅଭ୍ୟାସ କରିଥିଲି। 

 ଏହାପରେ ସାଉଥ୍‌ ଏସିଆନ୍‌ ଗେମ୍ସଠାରୁ କମନ୍‌ୱେଲଥ୍‌ ଗେମ୍ସ ଓ ବିଭିନ୍ନ ଜାତୀୟ କ୍ରୀଡ଼ାରେ ଆପଣଙ୍କର ଉଚ୍ଚକୋଟୀର ପ୍ରଦର୍ଶନ ପାଇଁ ଅନେକଗୁଡ଼ିଏ ମେଡାଲ୍‌ ଜିଣିଛନ୍ତି। ତେବେ କେଉଁଠାରେ ଖେଳି ଆପଣ ଅଧିକ ଖୁସି ହୋଇଛନ୍ତି?
ପ୍ରତ୍ୟେକ ପ୍ରତିଯୋଗିତା ମୋ ପାଇଁ ଖାସ୍‌। କିନ୍ତୁ ଅନ୍ତର୍ଜାତୀୟ ମଞ୍ଚରେ ଭାରତ ପାଇଁ ପଦକ ଜିତିବା ବେଳେ ସବୁଠୁ ଅଧିକ ଖୁସି ଲାଗିଥିଲା। ୨୦୨୨ରେ ଗୁଜୁରାଟରେ ୩୬ ନ୍ୟାସନାଲ୍‌ କମନ୍‌ ନ୍ୟାସ୍‌ନାଲ୍‌ ଗେମ୍‌ ଖେଳି ତାମ୍ର ପଦକ ହାସଲ କରିଛି  ଏବଂ ନ୍ୟାସ୍‌ନାଲ୍‌ ଚମ୍ପିଅନ୍‌ସିପ୍‌ରେ ସିନିୟର୍‌ ବିଭାଗରେ ତାମ୍ର ସହିତ ଜୁନିଅର୍‌ରେ ସ୍ବର୍ଣ୍ଣପଦକ ହାସଲ କରିଛି। ୨୦୨୩ ଓ ୨୦୨୪ ମସିହାରେ ଗୋଆ ଓ ଅରୁଣାଚଳ ପ୍ରଦେଶରେ ମୁଁ ରୌପ୍ୟପଦକ ହାସଲ କରିଛି। ୨୦୨୫ରେ ହିମାଚଳପ୍ରଦେଶରେ ସିନିୟର୍‌ ନ୍ୟାସ୍‌ନାଲ୍‌ ଚମ୍ପିଆନସିପ୍‌ରେ ରୌପ୍ୟ ଏବଂ ପଟିଆଲାରେ ଅଭ୍ୟାସ ପାଇଁ ସୁଯୋଗ ପାଇଥିଲି ଏବଂ ଗୁଜରାଟର ଅହମ୍ମଦାବାଦରେ ଅନୁଷ୍ଠିତ କମନ୍‌ୱେଲ୍‌ଥ ଭାରୋତ୍ତୋଳନ ଚାମ୍ପିଅନସିପ୍‌ର ୫୩ କେଜି ବର୍ଗରେ ରୌପ୍ୟ ପଦକ ଜିତିଥିଲି। 

Remal Dam: ରେମାଳ ଡ୍ୟାମ ୪ଗେଟ ଖୋଲିଲା: ତଳ ଅଞ୍ଚଳରେ ସତର୍କ ସୂଚନା

 ଆପଣଙ୍କ କ୍ରୀଡ଼ା ଜୀବନର ଏକ ସ୍ମରଣୀୟ ଅନୁଭୂତି ଆମ ପାଠକମାନଙ୍କୁ ଜଣାଇବେ। 
ମୋ କ୍ରୀଡ଼ା ଜୀବନର ସ୍ମରଣୀୟ ଅନୁଭୂତି ହେଉଛି ଯେତେବେଳେ ପ୍ରଥମେ ଜାତୀୟ ସଙ୍ଗୀତ ଶୁଣି ମଞ୍ଚରେ ଦଣ୍ଡାୟମାନ ଥିଲି। ସେ ମୁହୂର୍ତ୍ତ ଆଜିବି ଭୁଲିପାରିନି। ଗୋଟେ ବିଶେଷ ଧରଣର ଶିହରଣ ଅନୁଭବ କରିଥିଲି ପ୍ରଥମ ଥର। ସତରେ ସେ ଅନୁଭୂତି ମୋ ପାଇଁ ଅନନ୍ୟ।

 କ୍ରୀଡ଼ା ପାଇଁ ଆପଣ ‘ଏକଲବ୍ୟ ସମ୍ମାନ’ ପାଇଛନ୍ତି। ଏହା ଆପଣଙ୍କୁ କେମିତି ପ୍ରଭାବିତ କରିଛି?
‘ଏକଲବ୍ୟ ସମ୍ମାନ’ ପାଇବା ମୋ ପାଇଁ ବଡ଼ ସମ୍ମାନ। ଏହା ମୋତେ ଆହୁରି ଭଲ କରିବାକୁ ପ୍ରେରିତ କରିଛି ଓ ଦାୟିତ୍ୱ ବଢ଼ାଇଛି। ଏତଦ୍‌ବ୍ୟତୀତ ପୂର୍ବରୁ ଖେଲୋ ଇଣ୍ଡିଆରେ ବିଭିନ୍ନ ସମୟରେ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସରେ ସ୍ୱର୍ଣ୍ଣପଦକ ଜିତି ସୁନାମ ଅର୍ଜନ କରିଛି।

 ଆପଣଙ୍କ ଗ୍ରାମ ବା ମୟୂରଭଂଜରେ କ୍ରୀଡ଼ାକୁ କ୍ୟାରିୟର୍‌ କରିବା‌କୁ ଚାହୁଥିବା ବାଳିକାମାନଙ୍କ ପାଇଁ କିଛି କହିବା ପାଇଁ ଚିନ୍ତା କରିଛନ୍ତି କି?
ମୟୂରଭଞ୍ଜର ଝିଅମାନଙ୍କୁ କହିବି ନିଜ ସ୍ୱପ୍ନକୁ ବିଶ୍ୱାସ କରନ୍ତୁ। ପରିଶ୍ରମ, ଧୈର୍ଯ୍ୟ ଓ ଆତ୍ମବିଶ୍ୱାସ ଥିଲେ କୌଣସି ଲକ୍ଷ୍ୟ ଅସମ୍ଭବ ନୁହେଁ। ଏଣୁ ନିଜ ଲକ୍ଷ୍ୟପଥରୁ କେବେ ବି ବିଚ୍ୟୁତ ନହୋଇ ସଫଳତାକୁ ହାସଲ କରିବାକୁ ଚେଷ୍ଟା କରନ୍ତୁ।

 ଭବିଷ୍ୟତର ଯୋଜନା କ’ଣ ରହିଛି?
ଉ- ଭବିଷ୍ୟତରେ ଆହୁରି ବଡ଼ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭଲ କରି ଦେଶ ଓ ଓଡ଼ିଶାର ନାଁ ଉଜ୍ଜ୍ୱଳ କରିବା ଲକ୍ଷ୍ୟ ଅଛି। ଓଡ଼ିଶାର ନାଁ ବିଶ୍ବଦରବାରରେ ପହଞ୍ଚାଇବା ସହିତ ଓଡ଼ିଶାର ନାରୀ କୌଣସି ଗୁଣରେ କମ୍‌ ନୁହନ୍ତି ତାହା ପ୍ରମାଣ କରିବାକୁ ଚେଷ୍ଟା କରିବା ମୋର ଲକ୍ଷ୍ୟ।

  ଓଡ଼ିଶାରେ ଖେଳକୁ ନିଶା ନୁହେଁ ସମ୍ମାନଜନକ ପେସା ଭାବରେ ଜଣେ ଝିଅ ଆଜି ଗ୍ରହଣ କରିପାରିବ କି?
ହଁ, ଆଜି ଓଡ଼ିଶାରେ ଖେଳ କେବଳ ନିଶା ନୁହେଁ, ଏକ ସମ୍ମାନଜନକ ପେସା। ଝିଅମାନେ ଖେଳ ମାଧ୍ୟମରେ ନିଜ ପରିଚୟ, ସମ୍ମାନ ଓ ସୁନ୍ଦର କ୍ୟାରିୟର ଗଢ଼ିପାରିବେ। ଏଥିପାଇଁ ଅଦମ୍ୟ ଇଚ୍ଛାଶକ୍ତିର ଆବଶ୍ୟକତା ରହିଛି। ଖାଲି ସେତିକି ନୁହେଁ ଏଥିପାଇଁ ପରିବାର, ପରିବେ‌ଶର ପ୍ରୋତ୍ସାହନ ତଥା ନିଜର ମାନସିକ ଦୃଢ଼ତା ରହିବା ଜରୁରି। ଏବେ ଏସବୁରେ ଅନେକ ପରିସର ତିଆରି ହେଉଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.