ARTICLE AD BOX
ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସ୍ଆଇଆର୍) ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ନିର୍ବାଚନ କମିସନର ଅଶୋକ ଲବାସା। ସେ କହିଛନ୍ତି, ଏସ୍ଆଇଆର୍ ଆଇନସମ୍ମତ ହୋଇପାରେ, କିନ୍ତୁ ଏହା ନ୍ୟାୟସଙ୍ଗତ କି ନୁହେଁ, ତାହା ହିଁ ମୁଖ୍ୟ ପ୍ରଶ୍ନ।
ଗୁରୁବାର ନୂଆଦିଲ୍ଲୀରେ ଏସୋସିଏସନ୍ ଫର୍ ଡିମୋକ୍ରାଟିକ୍ ରିଫର୍ମ୍ସ (ଏଡିଆର୍) ପକ୍ଷରୁ ଆୟୋଜିତ ପ୍ରଫେସର ଜଗଦୀପ ସିଂହ ଛୋକର ସ୍ମୃତି ବକ୍ତୃତାରେ ଯୋଗଦେଇ ଲବାସା ଏହି ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ନ୍ୟାୟପାଳିକା ଏସ୍ଆଇଆର୍କୁ ବୈଧ ବୋଲି ମାନିଛନ୍ତି ଏବଂ ସରକାର ମଧ୍ୟ ଏହା ଆଇନସମ୍ମତ ବୋଲି କହୁଛନ୍ତି। ତେବେ ଆଇନ ପାଳନ କରିବା ସହ ଏହାର ମର୍ମକୁ ମଧ୍ୟ ସୁରକ୍ଷା ଦେବା ଆବଶ୍ୟକ। ଲବାସାଙ୍କ ମତରେ, ଏସ୍ଆଇଆର୍ ଲକ୍ଷ ଲକ୍ଷ ଲୋକଙ୍କ ଉପରେ ଲଦି ଦିଆଯାଇଥିବା ଏକ ଅନୁଚିତ ପ୍ରକ୍ରିୟା। ବୈଧାନିକ ସଂସ୍ଥା, ସାମ୍ବିଧାନିକ ସଂସ୍ଥା ଓ ସରକାର ‘ଯାହା କରୁଛନ୍ତି ତାହା ଆଇନସମ୍ମତ, ତେଣୁ ଠିକ୍’ ବୋଲି ଧାରଣାରେ କାମ କରିବା ଉଚିତ ନୁହେଁ। ‘ଜୋର୍ ଯାର ମୁଲକ ତାର’ ଚିନ୍ତାଧାରା ଏବେ ପୁରୁଣା ହୋଇଯାଇଛି ବୋଲି ସେ କହିଛନ୍ତି।
ଭୋଟର ତାଲିକାରୁ ପ୍ରାୟ ୧୩ କୋଟି ନାଁ ବାଦ୍ ପଡ଼ିବା ନେଇ ମଧ୍ୟ ଲବାସା ପ୍ରଶ୍ନ ଉଠାଇଛନ୍ତି। ଏଭଳି ବ୍ୟାପକ ସଂଶୋଧନ ଯୋଗୁଁ କୌଣସି ଯୋଗ୍ୟ ଭୋଟର ଗଣତାନ୍ତ୍ରିକ ପ୍ରକ୍ରିୟାରୁ ଯେପରି ବାଦ୍ ନ ପଡ଼ନ୍ତି, ସେଥିପାଇଁ ପର୍ଯ୍ୟାପ୍ତ ଉଦ୍ୟମ ହେଉଛି କି ବୋଲି ସେ ପଚାରିଛନ୍ତି। ଦେଶର ପ୍ରାୟ ୩୩ ପ୍ରତିଶତ ଲୋକ ଭୋଟ ଦିଅନ୍ତି ନାହିଁ ଏବଂ ଏଭଳି ପଦକ୍ଷେପ ଲୋକଙ୍କୁ ଗଣତାନ୍ତ୍ରିକ ପ୍ରକ୍ରିୟାଠାରୁ ଆହୁରି ଦୂରେଇ ଦେଇପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି। ବିହାରରେ ଏସ୍ଆଇଆର୍ ପ୍ରସ୍ତୁତି ସମୟରେ ନିର୍ବାଚନ କମିସନଙ୍କ ଅଧିକାରୀମାନେ ବାଂଲାଦେଶ, ନେପାଳ ଓ ମ୍ୟାନ୍ମାରର କେତେକ ନାଗରିକଙ୍କୁ ଚିହ୍ନଟ କରିଥିବା ଦାବି କରିଥିଲେ। ତେବେ ଭୋଟର ତାଲିକାରେ ରହିବାକୁ ଅଯୋଗ୍ୟ ଏଭଳି ବ୍ୟକ୍ତିଙ୍କ ସଂଖ୍ୟା କିମ୍ବା ପ୍ରମାଣ କମିସନ ପ୍ରକାଶ କରିନଥିଲେ। ଏହି ଦାବିକୁ ନେଇ ବିରୋଧୀ ଦଳଗୁଡ଼ିକ ମଧ୍ୟ ଏସ୍ଆଇଆର୍ର ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି।

1 hour ago
1


