ARTICLE AD BOX
ଭୁବନେଶ୍ବର: ରାଜ୍ୟରେ ଏସ୍ଆଇଆର୍ ପ୍ରକ୍ରିୟା ଚାଲିଥିବାବେଳେ ଚିଠା ଭୋଟର ତାଲିକାରେ ୩,୧୩,୮୭,୦୩୪ ଜଣ ଭୋଟରଙ୍କ ନାମ ପ୍ରକାଶ ପାଇଥିଲା। ଏଥିରେ ୨୦,୧୨,୬୭୬ଜଣ ଭୋଟରଙ୍କ ନାମ କଟିଥିଲା। ଏହାପରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରସ୍ତୁତି ପାଇଁ ନାମ ଯୋଡ଼ିବା, କାଟିବା ପ୍ରକ୍ରିୟା ଚାଲିଛି। ଏହି ପ୍ରକ୍ରିୟାରେ ଏବେ ଏମିତି ୫୮,୩୬,୩୪୧ଜଣ ଭୋଟରଙ୍କୁ ଚିହ୍ନଟ କରାଯାଇଛି, ଯେଉଁମାନଙ୍କର କୌଣସି ତଥ୍ୟ ୨୦୦୨ ମସିହାର ଭୋଟର ତାଲିକାରେ ଉପଲବ୍ଧ ତଥ୍ୟ ସହ ମେଳ ଖାଉନି କିମ୍ବା ପରିଗଣନା ସମୟରେ ସେମାନେ ଯେଉଁ ତଥ୍ୟ ଦେଇଥିଲେ ତାହା ସହ ସାମଞ୍ଜସ୍ୟ ନାହିଁ। ଆଶ୍ଚର୍ଯ୍ୟର ବିଷୟ ଏଥିରୁ ପ୍ରାୟ ୧୨ଲକ୍ଷ ଭୋଟରଙ୍କର କୌଣସି ତଥ୍ୟ ନାହିଁ। ଅର୍ଥାତ୍ ନା ସେମାନେ ଓଡ଼ିଶାର ଭୋଟର ତାଲିକାରେ ଅଛନ୍ତି ନା ଅନ୍ୟ କୌଣସି ରାଜ୍ୟର ଭୋଟର ତାଲିକାରେ ଅଛନ୍ତି। ସେମାନଙ୍କ ନାମ ପ୍ରାୟତଃ ଭୋଟର ତାଲିକାରୁ କଟାଯିବ ବୋଲି ନିଷ୍ପତ୍ତି ହୋଇଛି। କିନ୍ତୁ ନିୟମ ଅନୁଯାୟୀ, ସେମାନଙ୍କ ପାଖରେ ଯଦି କୌଣସି ତଥ୍ୟ ପ୍ରମାଣ ଥିବ ତାହାକୁ ଇଆର୍ଓଙ୍କ ନିକଟରେ ଦାଖଲ କଲେ ବିଚାରକୁ ନିଆଯିବ। ବାକି ୪୬ଲକ୍ଷରୁ ଅଧିକ ଭୋଟରଙ୍କର ନାମଗତ, ପିତାଙ୍କ ନାମ, ବୟସ ସମ୍ପର୍କିତ କିଛି ତ୍ରୁଟି ଥିବାରୁ ସେମାନଙ୍କୁ ନୋଟିସ୍ କରାଯାଇଛି। ଏହି ୪୬ଲକ୍ଷ ଭୋଟରଙ୍କର ନାମ କଟିବା ସମ୍ଭାବନା କମ୍। କିନ୍ତୁ ସମସ୍ତ ତଥ୍ୟ ଦେବାକୁ ପଡ଼ିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍. ସନ୍ଥ ଗୋପାଳନ୍ କହିଛନ୍ତି।
ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଗୋପାଳନ୍ କହିଛନ୍ତି ଯେ ଆମେ ସନ୍ଦେହ ଘେରରେ ଥିବା ୫୮,୩୬,୩୪୧ଜଣ ଭୋଟରଙ୍କୁ ଚିହ୍ନଟ କରି ନୋଟିସ୍ କରିବାକୁ ନିଷ୍ପତ୍ତି ନେଇଛୁ। ଏଥିରୁ ୫୭,୯୮,୮୮୯ଜଣ ଭୋଟରଙ୍କୁ ନୋଟିସ୍ ଜାରି କରାଯାଇଥିବାବେଳେ ୭,୯୩,୪୯୦ ଜଣ ଭୋଟରଙ୍କୁ ନୋଟିସ୍ ବିତରଣ କରାଯାଇଛି। ଏଥିରୁ ୧,୪୨,୧୧୧ ଭୋଟରଙ୍କର ଶୁଣାଣି ସରିଲାଣି। ବାକି ୫୦,୦୫,୩୯୯ଜଣ ଭୋଟରଙ୍କୁ ଖୁବ୍ଶୀଘ୍ର ବିତରଣ କରାଯିବ। ଯେଉଁମାନଙ୍କୁ ନୋଟିସ୍ କରାଯାଇଛି ସେମାନଙ୍କ ନାମ କଟିବ କି ରହିବ ସେନେଇ ଇଆର୍ଓମାନେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ତେଣୁ ୨୦୦୨ମସିହାରେ ଯେଉଁମାନଙ୍କର ନାମ ନଥିଲା ସେମାନେ ବ୍ୟକ୍ତିଗତ ଭାବେ ଇଆର୍ଓଙ୍କ ନିକଟରେ ହଜାର ହେବା ପରେ ସମସ୍ତ ଦିଗକୁ ବିଚାର କରି ସେ ନିଷ୍ପତ୍ତି ନେବେ।
ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ ଯେଉଁମାନଙ୍କୁ ନୋଟିସ୍ କରାଯାଇଛି ସେମାନେ ବ୍ୟସ୍ତ ହେବାର ନାହିଁ। ସେମାନେ ଭାରତ ନିର୍ବାଚନ ଆୟୋଗଙ୍କ ଦ୍ବାରା ଅନୁମୋଦିତ ହୋଇଥିବା ଦସ୍ତାବିଜ ସହ ସହାୟକ ନିର୍ବାଚକ ପଞ୍ଜୀକରଣ ଅଧିକାରୀ (ଏଇଆର୍ଓ)ଙ୍କ ଦ୍ବାରା ଧାର୍ଯ୍ୟ କରାଯାଇଥିବା ତାରିଖ, ସମୟ ଓ ସ୍ଥାନରେ ଶୁଣାଣିରେ ଉପସ୍ଥିତ ରହି ନିଜର ଦାବି ଓ ଦସ୍ତାବିଜ ଉପସ୍ଥାପନ କରିପାରିବେ। ଆବଶ୍ୟକସ୍ଥଳେ ଇଆର୍ଓ/ଏଇଆର୍ଓମାନେ ଭିଡିଓ କଲ୍ ବା େଫାନ୍ କରି ସେମାନଙ୍କ ଦାବି ରଖିପାରିବେ। ହେଲେ ଏଥିପାଇଁ ପୂର୍ବରୁ ଅନଲାଇନ୍ରେ କିମ୍ବା ବିଏଲ୍ଓଙ୍କୁ ସମସ୍ତ ଦସ୍ତାବିଜ ଦେବାକୁ ପଡ଼ିବ। ସେହିପରି ବର୍ତ୍ତମାନ ସୁଦ୍ଧା ୨୬,୭୪୫ଜଣ ଫର୍ମ-୬ରେ ନୂତନ ଭୋଟର ଭାବେ ନାମ ଯୋଡ଼ିବାକୁ, ୨୨ହଜାର ଜଣ ଫର୍ମ-୮ରେ ନିଜ ବିବରଣୀ ସଂଶୋଧନ ଓ ଠିକଣା ପରିବର୍ତ୍ତନ କରିବା ପାଇଁ ଆବେଦନ କରିଛନ୍ତି। ଏଥିରେ ଘୋଷଣାପତ୍ର ଦାଖଲ କରିବା ବାଧ୍ୟତାମୂଳକ କରାଯାଇଛି। ଏହାସହ ୨୧୮୮ଜଣ ଭୋଟର ତାଲିକାରୁ ନାମ ବାଦ୍ ଦେବାକୁ ଆବେଦନ କରିଛନ୍ତି।
ଲକ୍ଷ ଲକ୍ଷ ଭୋଟରଙ୍କ ନାମ କଟିବା ପ୍ରସଙ୍ଗରେ ସିଇଓ କହିଛନ୍ତି ଯେ ପ୍ରତିବର୍ଷ ନିୟମିତ ବ୍ୟବଧାନରେ ଲକ୍ଷାଧିକ ଭୋଟରଙ୍କ ନାମ କଟିଥାଏ। ଏଥିରେ ମୁଖ୍ୟତଃ ମୃତ ଭୋଟର ଥା’ନ୍ତି। ୨୦୨୦ରେ ୮ଲକ୍ଷ, ୨୦୨୧ରେ ୧୬.୩୮ଲକ୍ଷ, ୨୦୨୨-୨୩ରେ ୧୪.୯୯ଲକ୍ଷ ଭୋଟରଙ୍କ ନାମ କଟିଥିଲା। ଜାନୁଆରି ୧, ୨୦୨୫ରୁ ଏସ୍ଆଇଆର୍ ଆରମ୍ଭ ହେବା ଭିତରେ ୧୧ଲକ୍ଷ ଭୋଟରଙ୍କ ନାମ କଟିଥିବାବେଳେ ଏସ୍ଆଇଆର୍ ପ୍ରକ୍ରିୟାରେ ଏବେ ସୁଦ୍ଧା ୨୦,୧୨,୬୭୬ ଜଣ ଭୋଟରଙ୍କ ନାମ କଟିଛି। ଅର୍ଥାତ୍ ଗତ ଦେଢ଼ ବର୍ଷରେ ୩୧ଲକ୍ଷ ଭୋଟରଙ୍କ ନାମ କଟିଛି। ଏବେ ଆହୁରି ୧୨ଲକ୍ଷରୁ ଅଧିକ ଭୋଟରଙ୍କ ନାମ କଟିବା ପ୍ରାୟ ନିଶ୍ଚିତ ହୋଇଛି। ସେପ୍ଟେମ୍ବର ୬ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଲେ ଏହି ତାଲିକା ସ୍ପଷ୍ଟ ହେବ। ସୂଚନାଯୋଗ୍ୟ ଯେ ରାଜ୍ୟରେ ଲକ୍ଷାଧିକ ବାଂଲାଦେଶୀ, ମ୍ୟାମାର ନାଗରିକ ଭୋଟର କାର୍ଡ ହାତେଇଥିବା ନେଇ କୁହାଯାଉଥିବାବେଳେ ଏବେ କଟିବାକୁ ଥିବା ୧୨ଲକ୍ଷ ଭୋଟରଙ୍କ ମଧ୍ୟରେ ଏହି ବର୍ଗର ଲୋକ ଅଧିକ ଥିବା ଜଣାପଡ଼ିଛି।

1 hour ago
2


