ARTICLE AD BOX
ନଟିଂହାମ: ୟୁରୋପ ଗସ୍ତରେ ଭାରତୀୟ କ୍ରିକେଟ୍ ଦଳର ଲଜ୍ଜାଜନକ ପ୍ରଦର୍ଶନ ଜାରି ରହିଛି। ଦୁର୍ବଳ ଆୟର୍ଲାଣ୍ଡଠାରୁ ୦-୨ରେ ଶୃଙ୍ଖଳା ହାରିବାର ଅପଯଶ ପରେ ଇଂଲଣ୍ଡ ବିପକ୍ଷରେ ଲଗାତାର ଦୁଇଟି ଟ୍ବେଣ୍ଟି-୨୦ ମୁକାବିଲା ହାରି ପ୍ରଶଂସକଙ୍କୁ ନିରାଶ କରିଛି ଟିମ୍ ଇଣ୍ଡିଆ। ମଙ୍ଗଳବାର ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟ୍ବେଣ୍ଟି-୨୦କୁ ଭାରତ କେବଳ ହାରିନି ବରଂ ରନ୍ ବ୍ୟବଧାନରେ ସବୁଠୁ ବଡ଼ ପରାଜୟ ବରଣ କରିବାର ଦୁର୍ଦ୍ଦଶା ବି ଭୋଗିଛି। ଭାରତ ଏହି ମ୍ୟାଚ୍ରେ ଅବିଶ୍ବସନୀୟ ଭାବେ ୧୨୫ ରନ୍ରେ ପରାଜିତ ହୋଇଛି।
ଇଂଲଣ୍ଡ ୨୦୨ ରନ୍ର ବିଜୟ ଲକ୍ଷ୍ୟ ଦେବା ପରେ ଭାରତ ମାତ୍ର ୭୬ ରନ୍ରେ ଅଲଆଉଟ୍ ହୋଇଯାଇଛି। ସେହିଭଳି ନୂଆ ଅଧିନାୟକ ଶ୍ରେୟସ୍ ଆୟରଙ୍କ ଅଧୀନରେ ଭାରତ ଲଗାତାର ଚାରିଟି ମ୍ୟାଚ୍ ହାରିଛି। ବ୍ୟକ୍ତିଗତ ଭାବେ ଶ୍ରେୟସ୍ଙ୍କ ସହ ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀଙ୍କ ବିଫଳତା ଧାରା ବି ଜାରି ରହିଛି। ଶ୍ରେୟସ୍ ସେନାର ଏଭଳି ଦୟନୀୟ ପ୍ରଦର୍ଶନ ଭାରତୀୟ କ୍ରିକେଟ୍ ପଣ୍ଡିତଙ୍କୁ ବିସ୍ମିତ କରିଛି। ଅନେକ ପ୍ରସଂଶକ ସୂର୍ଯ୍ୟକୁମାର ଯାଦବଙ୍କୁ ଅଧିନାୟକ ପଦକୁ ଫେରାଇ ଆଣିବାକୁ ଦାବି କରିଛନ୍ତି।
ଏହି ଏକତରଫା ମୁକାବିଲାରେ ଭାରତ ମଧ୍ୟ ନିଜ ସର୍ବନିମ୍ନ ଟ୍ବେଣ୍ଟି-୨୦ ସ୍କୋର୍ କରିବାରୁ ଅଳ୍ପକେ ବର୍ତ୍ତି ଯାଇଛି। ମାତ୍ର ୨ ରନ୍ ପାଇଁ ୨୦୦୮ରେ ଅଷ୍ଟ୍ରେଲିଆ ବିପକ୍ଷରେ କରିଥିବା ୭୪ ରନ୍ର ଦଳଗତ ସ୍କୋରକୁ ଟପିଛି ଭାରତ। ମଙ୍ଗଳବାର କରିଥିବା ୭୬ ରନ୍ କିନ୍ତୁ ଭାରତୀୟ ଦଳର ଦ୍ବିତୀୟ ସର୍ବନିମ୍ନ ଦଳଗତ ଟ୍ବେଣ୍ଟି-୨୦ ସ୍କୋର୍ ହୋଇଛି। ଭାରତ ଆଜି ଟସ୍ ଜିତି ଇଂଲଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଇଂଲଣ୍ଡ କିନ୍ତୁ ୭ ୱିକେଟ୍ ବିନିମୟରେ ୨୦୧ ରନ୍ର ସମ୍ମାନ ଜନକ ସ୍କୋର୍ କରି ନେଇଥିଲା। ୨୦୨ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଭାରତର ପ୍ରତ୍ୟୁତ୍ତର ଥିଲା ପ୍ରଭାବହୀନ। ଦୁଇ ଓପନର୍ ଅଭିଷେକ ଶର୍ମା ଓ ବୈଭବ ସୂର୍ଯ୍ୟବଂଶୀଙ୍କ ସହ ପାୱାର ପ୍ଲେ’ ଭିତରେ ଅଧା ଦଳ ହରାଇ ଘୋର ସଙ୍କଟରେ ପଡ଼ିଥିଲା ଭାରତ। ଦଳର ୬ଜଣ ବ୍ୟାଟର୍ ଏକ ଅଙ୍କ ଆଗକୁ ବଢ଼ି ପାରି ନଥିଲେ। ଶେଷରେ ଭାରତର ପାଳି ୧୧.୪ ଓଭରରେ ମାତ୍ର ୭୬ ରନ୍ରେ ଅଟକି ଯାଇଥିଲା। ଅଗ୍ନିବର୍ଷୀ ବୋଲିଂ ପାଇଁ ଜୋଫ୍ରା ଆର୍ଚର ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଇଂଲଣ୍ଡ ୫ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୨-୦ରେ ଆଗୁଆ ହୋଇଥିଲା।
Road accident: ଏସ୍ଟିଏକୁ ସଡ଼କ ଦୁର୍ଘଟଣା ଚିନ୍ତା: ପଞ୍ଜୀକରଣ, ଫିଟ୍ନେସ୍, ପରମିଟ୍ ନଥିଲେ ଜବତ ହେବ ଗାଡ଼ି
ସଂକ୍ଷିପ୍ତ ସ୍କୋର୍: ଇଂଲଣ୍ଡ ୨୦ ଓଭରରେ-୨୦୧/୭ (ଫିଲ୍ ସଲ୍ଟ ୭୦, ସାମ୍ କରନ ୪୧*, ଜୋସ୍ ବଟଲର୍ ୩୬, ପ୍ରିନ୍ସ ଯାଦବ ୨/୩୦, ହର୍ଷିତ ରାଣା ୨/୪୦)। ଭାରତ ୧୧.୪ ଓଭରରେ-୭୬ (ବୈଭବ ସୂର୍ଯ୍ୟବଂଶୀ ୧୩, ଈଶାନ କିଶନ ୧୩, ଅଭିଷେକ ଶର୍ମା ୧୦, ଜୋସ୍ ଟଙ୍ଗ ୪/୨୮, ଜୋଫ୍ରା ଆର୍ଚର ୩/୨୯, ୱିଲ୍ ଜ୍ୟାକ୍ସ ୧/୫)।

1 hour ago
1


