ARTICLE AD BOX
ହାଇଦ୍ରାବାଦ: ହାଇଦ୍ରାବାଦରେ ଆୟୋଜିତ ଭାରତ ସମ୍ମିଳନୀରେ ଯୋଗଦେବାକୁ ଆସିବାକୁ ଥିବା ୧୧୫ ଜଣ ବିଦେଶୀ ବକ୍ତାଙ୍କୁ ଭାରତରେ ପ୍ରବେଶ ଅନୁମତି ମିଳିନାହିଁ କିମ୍ବା ସେମାନଙ୍କ ଭିସା ବାତିଲ୍ କରାଯାଇଛି ବୋଲି କଂଗ୍ରେସ ସାଂସଦ ଶଶୀ ଥରୁର ଅଭିଯୋଗ କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ଅନୁମତି ଦେଇଥିବା ୩୧୫ ଜଣ ବକ୍ତାଙ୍କ ମଧ୍ୟରୁ ଏତେ ସଂଖ୍ୟକ ଲୋକଙ୍କୁ ଅଟକାଯିବା ପଛରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଥିବା ସେ ଦାବି କରିଛନ୍ତି। ଏହି ନିଷ୍ପତ୍ତିର ଆଇନଗତ ଆଧାର କ’ଣ ବୋଲି ପ୍ରଶ୍ନ ଉଠାଇବା ସହ ଏହାକୁ ଗଣତନ୍ତ୍ର ପାଇଁ ଦୁର୍ଭାଗ୍ୟଜନକ ବୋଲି ଥରୁର କହିଛନ୍ତି।
ଆହୁରି ପଢନ୍ତୁ :Education: ସମସ୍ତ ଛାତ୍ରଛାତ୍ରୀଙ୍କୁ ସରକାରୀ ଓ ଘରୋଇ ବସ୍ରେ ସମ୍ପୂର୍ଣ୍ଣ ମାଗଣା ଯାତ୍ରା ସୁବିଧା ପ୍ରଦାନ କର: ଏଆଇଏସ୍ଏଫ୍
ଶୁକ୍ରବାର ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ପୋଷ୍ଟ କରି ଥରୁର ଏହି ଅଭିଯୋଗ ଆଣିଛନ୍ତି। ସମ୍ମିଳନୀରେ ଯୋଗଦେବା ପାଇଁ ହାଇଦ୍ରାବାଦ ପହଞ୍ଚିବା ପରେ ସେ ଏ ସମ୍ପର୍କରେ ଜାଣିବାକୁ ପାଇଥିବା ଉଲ୍ଲେଖ କରିଛନ୍ତି। ସମ୍ମିଳନୀ ଶନିବାର ଶେଷ ହେବାକୁ ଥିବାରୁ ଏହି ନିଷ୍ପତ୍ତି ପ୍ରତ୍ୟାହାର କରିବା ମଧ୍ୟ ସମ୍ଭବ ନୁହେଁ ବୋଲି ସେ ମତ ଦେଇଛନ୍ତି।
ଏହି ଘଟଣାରେ ନରୱେର ସାମ୍ବାଦିକ ହେଲେ ଲିଙ୍ଗ ସ୍ୱେନ୍ଡସେନ୍ଙ୍କ ଭିସା ବାତିଲ୍ ହେବା ପ୍ରସଙ୍ଗ ମଧ୍ୟ ସାମ୍ନାକୁ ଆସିଛି। ସେ ଅଭିଯୋଗ କରିଥିଲେ ଯେ, ହାଇଦ୍ରାବାଦ ଯାତ୍ରା ପାଇଁ ବାହାରିବାର ମାତ୍ର ୧୦ ମିନିଟ୍ ପୂର୍ବରୁ ତାଙ୍କୁ ଭାରତୀୟ ଦୂତାବାସ ପକ୍ଷରୁ ଯାତ୍ରା ନ କରିବାକୁ କୁହାଯାଇଥିଲା। ତାଙ୍କ ପାଖରେ ଭିସା ଓ ରାଜନୈତିକ ଅନୁମତି ଥିବା ସତ୍ତ୍ୱେ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶରେ ଭିସା ବାତିଲ୍ ହୋଇଥିବା ସେ ଦାବି କରିଥିଲେ। ସମ୍ମିଳନୀରେ ଗଣମାଧ୍ୟମର ଭବିଷ୍ୟତ ଓ ପ୍ରେସ୍ ସ୍ୱାଧୀନତା ଉପରେ ତାଙ୍କର ଆଲୋଚନା କରିବାର କାର୍ଯ୍ୟକ୍ରମ ଥିଲା।
ଆହୁରି ପଢନ୍ତୁ :ରାମ ମନ୍ଦିର ଆନ୍ଦୋଳନରେ କଂଗ୍ରେସର ଥିଲା ଭୂମିକା, ରାଜନୈତିକ ଫାଇଦା ନେଲା ବିଜେପି: ସୋନିଆ ଗାନ୍ଧୀ
ନଭେମ୍ବର ୧୩-୧୪ରେ ହାଇଦ୍ରାବାଦର ହାଇଟେକ୍ସ ପ୍ରଦର୍ଶନୀ କେନ୍ଦ୍ରରେ ଚାଲିଥିବା ଏହି ସମ୍ମିଳନୀରେ ୭୦ରୁ ଅଧିକ ଦେଶର ପ୍ରତିନିଧି ଯୋଗଦେଇଛନ୍ତି। ଏଥିରେ ପ୍ରାୟ ଏକ ହଜାର ପ୍ରତିନିଧି, ନୀତି ନିର୍ଦ୍ଧାରକ, ରାଜନେତା ଓ ବୁଦ୍ଧିଜୀବୀ ଅଂଶଗ୍ରହଣ କରୁଛନ୍ତି। ବିଶ୍ୱର ପରିବର୍ତ୍ତିତ ବ୍ୟବସ୍ଥା, ଭାରତର ରଣନୀତି, ସହଯୋଗୀ ସଂଘୀୟ ବ୍ୟବସ୍ଥା ଓ ନିର୍ବାଚନୀ ସ୍ୱଚ୍ଛତା ଭଳି ପ୍ରସଙ୍ଗ ଏଥିରେ ଆଲୋଚନା ହେଉଛି। ଏହି ଅଭିଯୋଗ ଉପରେ କେନ୍ଦ୍ର ଗୃହ କିମ୍ବା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

58 minutes ago
1


