ARTICLE AD BOX
ରାଇଘର (ଦେବେନ୍ଦ୍ର ମିଶ୍ର): ଥରେ କିମ୍ବା ଦୁଇଥର ନୁହେଁ, ବରଂ ବାରମ୍ବାର ଛତିଶଗଡ଼ ବନବିଭାଗ ଓଡ଼ିଶା ସୀମାନ୍ତ ରାଇଘର ବ୍ଲକର ବିଭିନ୍ନ ଅଞ୍ଚଳରେ ବେଆଇନ ଶାଗୁଆନ କାଠ କାରବାର ଉପରେ ଚଢ଼ାଉ କରିଆସୁଥିବା ଦେଖିବାକୁ ମିଳୁଛି l ଏହି ଚଢ଼ାଉ ରେ ଲକ୍ଷ ଲକ୍ଷ ଟଙ୍କାର ଶାଗୁଆନ କାଠ ତଥା କାଠ ତିଆରି ଆସବାବ ସାମଗ୍ରୀ ମଧ୍ୟ ଜବତ ହୋଇଥିବା ନଜିର ରହିଛି l ଗତକାଲି ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଯୋଡ଼ିଙ୍ଗା ପଞ୍ଚାୟତର ଦାସପୁର (ଡିଏନକେ) ଗ୍ରାମରେ ଛତିଶଗଡ଼ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଓ କାଠ ତିଆରି ଆସବାବପତ୍ର ଜବତ କରାଯାଇଛି। ଛତିଶଗଡ଼ ବନ ବିଭାଗର ଏହି ଚଢ଼ାଉ ପରେ ନବରଙ୍ଗପୁରଜିଲ୍ଲା ରାଇଘର ବନ ବିଭାଗର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠିଛି l
ସୂଚନା ଅନୁସାରେ, ଛତିଶଗଡ଼ ଅନ୍ତର୍ଗତ ଗାରିଆବନ୍ଦ ବନ ବିଭାଗ ଡିଏଫଓ ବରୁଣ ଜୈନଙ୍କ ନେତୃତ୍ୱରେ ଏକ ଟିମ୍ ଦାସପୁର (ଡିଏନକେ) ଅଞ୍ଚଳରେ ଚଢ଼ାଉ କରି ବହୁ ପରିମାଣର ଶାଗୁଆନ କାଠ ସହ କାଠ ତିଆରି ବିଭିନ୍ନ ଆସବାବପତ୍ର ଜବତ କରିଥିଲେ। ଏଥି ସହିତ ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କ ନାମରେ ମାମଲା ରୁଜ୍ଜୁ କରିଥିବା ବେଳେ ସେମାନେ ଫେରାର ଥିବା ଜଣା ପଡ଼ିଛି l ପୂର୍ବରୁ ଓଡ଼ିଶା ଛତିଶଗଡ଼ ସୀମାନ୍ତ ଜଙ୍ଗଲରୁ ଶାଗୁଆନ କାଠ ଆଣି ଓଡ଼ିଶାରେ ବ୍ୟବସାୟ ହେଉଥିବା ଗାରିଆବନ୍ଦ ଡିଏଫଓ ଶ୍ରୀ ଜୈନ ସୂଚନା ପାଇ ଚଢ଼ାଉ ନିମନ୍ତେ ଯୋଜନା ପ୍ରସ୍ତୁତ କରିଥିଲେ l ଏଥିସହ ସହାୟତା ଯୋଗାଇ ଦେବାକୁ ନବରଙ୍ଗପୁର ଡିଏଫଓ ଙ୍କୁ ପ୍ରଥମେ ଯୋଗାଯୋଗ କରି ସୋମବାର ଦିନ ଦାସପୁର (ଡିଏନକେ) ଗ୍ରାମରେ ଏକ ବଡ଼ ଧରଣର ଚଢ଼ାଉ କରିଥିଲେ l ଏହି ଚଢ଼ାଉରେ ଜବତ ହୋଇଥିବା କାଠ ସାମଗ୍ରୀର ଆନୁମାନିକ ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା ହେବ ବୋଲି ବନ ବିଭାଗ ସୂଚନା ଦେଇଛି । ଏହି ଚଢ଼ାଉ ସମୟରେ ରାଇଘର ବନ ବିଭାଗ ପକ୍ଷରୁ ମଧ୍ୟ ଆବଶ୍ୟକୀୟ ସହଯୋଗ ଯୋଗାଇ ଦିଆଯାଇଥିଲା। ଜବତ କାଠ ଓ ଆସବାବପତ୍ରକୁ ନେଇ ବନ ବିଭାଗ ପକ୍ଷରୁ ତଦନ୍ତ ଓ ଆଇନଗତ ପ୍ରକ୍ରିୟା ଜାରି ରହିଥିବା ଜଣାପଡ଼ିଛି।
ବନ ବିଭାଗର କାର୍ଯ୍ୟ ଦକ୍ଷତାକୁ ନେଇ ପ୍ରଶ୍ନ ଉଠିଛି
ଏଠାରେ ସୂଚନା ଥାଉକି ରାଇଘର ଅଞ୍ଚଳରେ ବେଆଇନ କାଠ ଚାଲାଣ ସାଙ୍ଗକୁ ସୋନେପୁର, ଆମାବେଡ଼ା , ରେଙ୍ଗାଭାଟି, ଦାସପୁର ଆଦି ଗ୍ରାମର କେତେକ ଘରେ କାଠକାମ ହେଉଥିଲେ ମଧ୍ୟ ନବରଙ୍ଗପୁର ବନ ବିଭାଗ ଅଣଦେଖା କରୁଥିବା ଯୋଗୁଁ ଛତିଶଗଡ଼ ବନ ବିଭାଗ ପକ୍ଷରୁ ବାରମ୍ବାର ଏହି ଗ୍ରାମଗୁଡ଼ିକରେ ଚଢ଼ାଉ ହେଉଥିବା ଓଡ଼ିଶା ବନ ବିଭାଗର କାର୍ଯ୍ୟ ଦକ୍ଷତାକୁ ନେଇ ପ୍ରଶ୍ନ ଉଠିଛି l

1 hour ago
1


