ARTICLE AD BOX
ନୂଆଦିଲ୍ଲୀ: ୨୦୧୩ ଯୌନ ନିର୍ଯାତନା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ପାଇଥିବା ''ତେହେଲକା''ର ପୂର୍ବତ୍ତନ ସମ୍ପାଦକ ତରୁଣ ତେଜପାଲଙ୍କୁ ମଙ୍ଗଳବାର ସୁପ୍ରିମକୋର୍ଟ ବଡ଼ ଝଟ୍କା ଦେଇଛନ୍ତି। ଅପିଲର ଶୁଣାଣି ପୂର୍ବରୁ ଜେଲରେ ଆତ୍ମସମର୍ପଣ ନ କରିବା ପାଇଁ ସେ କରିଥିବା ଆବେଦନକୁ କୋର୍ଟ ଖାରଜ କରିଦେବା ସହ ଦୁଇ ସପ୍ତାହ ମଧ୍ୟରେ ସରେଣ୍ଡର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ତେଜପାଲଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ହାଇକୋର୍ଟ
ଜଷ୍ଟିସ୍ ଆଲୋକ ଅରାଧେଙ୍କ ଖଣ୍ଡପୀଠ ତେଜପାଲଙ୍କ ଆବେଦନକୁ ଅଗ୍ରାହ୍ୟ କରି ଆତ୍ମସମର୍ପଣ ପ୍ରମାଣପତ୍ର ଦାଖଲ କରିବାକୁ କହିଛନ୍ତି। ସେପ୍ଟେମ୍ବର ୨୨ କିମ୍ବା ତା’ ପୂର୍ବରୁ ଏହି ସାର୍ଟିଫିକେଟ୍ ଦାଖଲ ହେଲେ, ସେହି ଦିନ ତାଙ୍କ ଅପିଲର ଶୁଣାଣି ତାଲିକାଭୁକ୍ତ କରାଯିବ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ତେଜପାଲଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଳ ସିବଲ ଓ ଅମନ ଲେଖୀ କୋର୍ଟରେ ଯୁକ୍ତି ଦର୍ଶାଇଥିଲେ ଯେ, ଅପିଲ୍ ଶୁଣାଣି ପୂର୍ବରୁ ଆସାମୀ ଆତ୍ମସମର୍ପଣ କରିବା କୌଣସି ଆଇନଗତ ବାଧ୍ୟତାମୂଳକ ନୁହେଁ। ବମ୍ବେ ହାଇକୋର୍ଟଙ୍କ ଅଗଷ୍ଟ ୬ ତାରିଖର ରାୟକୁ ଆଧାର କରି ସିବଲ କହିଥିଲେ ଯେ, ଏହି ମାମଲାଟି ୧୩ ବର୍ଷ ତଳର ଏବଂ ତେଜପାଲ ଏବେ ଜଣେ ବରିଷ୍ଠ ନାଗରିକ, ତେଣୁ ଅପିଲ୍ ଶୁଣାଣି ପୂର୍ବରୁ ମାତ୍ର କିଛି ଦିନ ପାଇଁ ତାଙ୍କୁ ଜେଲ୍ ପଠାଇବାର କୌଣସି ଯୌକ୍ତିକତା ନାହିଁ। ତେବେ ସୁପ୍ରିମକୋର୍ଟ ଏହି ଯୁକ୍ତିକୁ ଗ୍ରହଣ ନକରି ସ୍ପଷ୍ଟ କରିଛନ୍ତି ଯେ ଅପରାଧର ଗାମ୍ଭୀର୍ଯ୍ୟ ଏବଂ ଦଣ୍ଡାଦେଶର ମାତ୍ରାକୁ ନଦେଖି ଆତ୍ମସମର୍ପଣରୁ ଛାଡ଼ ଆବେଦନ ଉପରେ ନିଷ୍ପତ୍ତି ନିଆଯାଇପାରିବ ନାହିଁ। ସୂଚନାଯୋଗ୍ୟ, ନିମ୍ନ ଅଦାଲତଙ୍କ ନିର୍ଦ୍ଦୋଷ ଖଲାସ ରାୟକୁ ପରବର୍ତ୍ତୀ ସମୟରେ ହାଇକୋର୍ଟ ବଦଳାଇ ତେଜପାଲଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।

55 minutes ago
1


